ତମାଖୁ ସେବନ କ୍ଷତିକାରକ ହୋଇଥିବାରୁ ଇ-ସିଗରେଟ୍‌ ବ୍ୟାନ କଲେ ସରକାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ଚତୁର୍ଥ ଥର ପାଇଁ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ପ୍ରଧାନମନ୍ତ୍ରୀ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଆମେରିକା ଗସ୍ତରେ ଯିବା ପୂର୍ବରୁ ତାଙ୍କ ସହ ହୋଇଥିବା ଟେଲିଫୋନିକ୍‌ ବାର୍ତ୍ତା ଲୋକଙ୍କୁ ଶୁଣାଇଥିଲେ । ସେହିପରି ଦେଶରେ ଲୁକ୍କାୟିତ ଅବସ୍ଥାରେ ରହିଯାଉଥିବା ଝିଅମାନଙ୍କର ପ୍ରତିଭାକୁ ସାମନାକୁ ଆଣିବା ସକାଶେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ‘ଭାରତ କି ଲକ୍ଷ୍ମୀ ଅଭିଯାନ’ ଆରମ୍ଭ କରିବାକୁ ଆହ୍ୱାନ୍‌ ଦେଇଥିଲେ । ଏହାଛଡା ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର ଯୁବପିଢିଙ୍କୁ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷୟକ୍ଷତି ବାବଦରେ ସୂଚିତ କରାଇବା ସହ ଏହାକୁ ସେବନ ନକରିବା ପାଇଁ ସଚେତନ କରାଇଥିଲେ । ଇ-ସିଗରେଟ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ସେ କହିଥିଲେ ଯେ, ତମାଖୁ ସେବନର ଏହି ନୂଆ ଉପାୟ ଦେଶର ଯୁବକଙ୍କୁ ନଷ୍ଟ କରିଦେଇପାରେ । ଏନେଇ ସଚେତନତା ସୃଷ୍ଟି ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ମୋଦୀ ମନ୍‌ କୀ ବାତ୍‌ ପୂର୍ବରୁ ଟ୍ୱିଟ୍‌ କରି କାର୍ଯ୍ୟକ୍ରମରେ ଜଣେ ନୂଆ ଅତିଥି ସାମିଲ ହେବେ ବୋଲି ସୂଚନା ଦେଇଥିଲେ । ପରେ ସେ କାର୍ଯ୍ୟକ୍ରମବେଳେ ଲତା ମଙ୍ଗେସକରଙ୍କ ସହ ହୋଇଥିବା ତାଙ୍କ ବାର୍ତ୍ତାଳାପର କିଛି କଥା ଶୁଣାଇଥିଲେ । ଫୋନ୍‌ରେ ହୋଇଥିବା ବାର୍ତ୍ତାଳାପବେଳେ ଲତା ମୋଦୀଙ୍କୁ ଆଶୀର୍ବାଦ ଦେବାକୁ କହିଥିଲେ । ମୋଦୀ ଉତ୍ତରରେ ଆପଣ ମୋ ଠାରୁ ବଡ ବୋଲି କହିଥିଲେ । ଏହା ଉପରେ ଲତା କହିଥିଲେ ଯେ, ବୟସରେ ବଡ ଅନେକ ଲୋକ ହୋଇଥାନ୍ତି, ତେବେ କାମରେ ଯିଏ ବଡ ହୋଇଥାନ୍ତି, ତାଙ୍କଠାରୁ ବଡ ହେବା ବହୁତ ବଡ କଥା ହୋଇଥାଏ ।
ମନ୍‌ କୀ ବାତ୍‌ବେଳେ ପ୍ରଧାନମନ୍ତ୍ରୀ ତମାଖୁସେବନ ଖୁବ୍‌ କ୍ଷତିକାରକ ହୋଇଥାଏ ବୋଲି ଦେଶର ଯୁବପିଢିଙ୍କୁ କହିଥିଲେ । ଏହାର ସେବନ ଦ୍ୱାରା କ୍ୟାନସର, ଡାୟବେଟିସ୍‌ ସମେତ ବହୁ ରୋଗ ହୋଇଥାଏ । ତମାଖୁ ନିଶା ଛାଡିବା ଯୁବକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥାଏ । ନିକଟରେ ସରକାର ଇ-ସିଗରେଟ ଉପରେ ବ୍ୟାନ୍‌ ଲଗାଇଛନ୍ତି । ଏହାକୁ ନେଇ ଭୁଲ ଧାରଣା ସୃଷ୍ଟି କରାଯାଉଛି । କୁହାଯାଉଛି ଯେ, ଇ-ସିଗରେଟ ଦ୍ୱାରା କୌଣସି କ୍ଷତି ହୋଇନଥାଏ । ଦୁର୍ଗନ୍ଧ ନହେବା ପାଇଁ ଏଥିରେ କିଛି ଫ୍ଲେବର୍ସ ମିଶାଯାଇଥାଏ । ହେଲେ ଏସମ୍ବନ୍ଧରେ ସଚେତନତାର ଅଭାବ କାରଣରୁ ଅନେକ ବାର୍‌ ଏହା ଘରେ ପ୍ରବେଶ କରିଥାଏ । ଏହାକୁ ଯାଦୁ କହି ପିଲାମାନେ ଏହାକୁ ଘରେ ପହଞ୍ଚାଇ ଦେଇଥାନ୍ତି । ଏଥିରେ ମଧ୍ୟ ଅନେକ ହାନିକାରକ ରାସାୟନିକ ପଦାର୍ଥ ମିଶ୍ରଣ କରାଯାଇଥାଏ । ହେଲେ ସାଧାରଣ ସିଗରେଟରୁ ଯେଉଁଭଳି ଦୁର୍ଗନ୍ଧ ବାହାରିଥାଏ, ଇ-ସିଗରେଟରୁ ସେପରି ବାହାରୁନଥିବାରୁ ଲୋକେ ଏହାକୁ କ୍ଷତିକାରକ ବୋଲି ଭାବୁନାହାନ୍ତି ବୋଲି ସେ କହିଛନ୍ତି । ଯୁବ ପିଢି ଦେଶର ଭବିଷ୍ୟ ଅଟନ୍ତି । ଏହି ନୂଆପ୍ରକାରର ନିଶା ଆମର ଦେଶର ଯୁବପିଢିଙ୍କୁ ନଷ୍ଟ କରିନଦେଉ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଏହାକୁ ରୋକିବା ସକାଶେ ସରକାର ଏହା ଉପରେ ବ୍ୟାନ୍‌ ଲଗାଇଛନ୍ତି ବୋଲି କହିଥିଲେ ।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଦେଶବାସୀ ସିଙ୍ଗଲ୍‌ ୟୁଜ୍‌ ପ୍ଳାଷ୍ଟିକ୍‌ରୁ ମୁକ୍ତ ହେବା ନେଇ ସଂକଳ୍ପ ନେଇଛନ୍ତି । ମୋର ବିଶ୍ୱାସ ମଧ୍ୟ ଅଛି ଆସନ୍ତା ଅକ୍ଟୋବର ୨ ତାରିଖରେ ସମସ୍ତେ ଅଭିଯାନର ଅଂଶ ହେବେ । ଦେଶର ଜଣେ ଯୁବକ ରିପୁଦମନ ବେଲୱି ଏହି ଦିଗରେ ନିଆରା ପ୍ରୟାସ କରୁଛନ୍ତି । ସେ ପ୍ଲୋଗିଙ୍ଗ(ଦୌଡି ଦୌଡି ମଇଳା ସଫା କରିବା) କରୁଛନ୍ତି । ତେଣୁ ଅକ୍ଟୋବର ୨ରେ ସମସ୍ତେ ୨ କିମି ଯାଏ ପ୍ଲୋଗିଙ୍ଗ୍‌ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।
ନବରାତ୍ରୀ ସହ ପାର୍ବଣର ଋତୁ ମନରେ ନୂଆ ଉତ୍ସାହ ଜାଗ୍ରତ କରିଥାଏ । ସମସ୍ତେ ଗରବା, ଦୁର୍ଗାପୂଜା, ଦଶହରା, ଦୀପାବଳି, ଭୈୟାଦୁଜ, ଛଠ ପୂଜା ଆଦି ଉତ୍ସବ ମନାଇଥାନ୍ତି । ହେଲେ ଆମ ଆଖପାଖରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଏହି ସବୁ ପର୍ବପର୍ବାଣୀରୁ ଦୂରରେ ରହି ଯାଇଥାନ୍ତି । ଗୋଟିଏପଟେ ହସଖୁସି, ଆଲୋକର ମାହୋଲ ଥିବାବେଳେ ଅନ୍ୟପଟେ ଅନ୍ଧାର ଥାଏ । କିଛି ଘରେ ମିଠା ଖରାପ ହୋଇଯାଉଥିବାବେଳେ ଆଉ କିଛିଙ୍କ ଘରେ ଲୋକେ ମିଠା ପାଇଁ ଡହଳବିକଳ ହୋଇଥାନ୍ତି । ଏହାକୁ ଦୀପ ତଳ ଅନ୍ଧାର କୁହାଯାଇପାରିବ । ପର୍ବପର୍ବାଣୀର ପ୍ରକୃତ ଆନନ୍ଦ ସେତେବେଳେ ଥାଏ, ଯେତେବେଳେ ଏହି ଅନ୍ଧାର ହଟିଯିବ । ତେଣୁ ଆମ ଘରକୁ ଯେତେବେଳେ ପର୍ବପର୍ବାଣୀରେ ସମାଗ୍ରୀ ଆସିବ, ସେତେବେଳେ ଆମେ ଅନ୍ୟକୁ କିଛି ଦେବା କଥା ମଧ୍ୟ ଚିନ୍ତା କରିବା ଉଚିତ୍‌ ବୋଲି ସେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*