ତଣ୍ଟିଆମରା ଘଟଣା : ବିଧାୟକଙ୍କ ଗିରଫ ଦାବିରେ ବିକ୍ଷୋଭ, କୁଶପୁତ୍ତଳିକା ଦାହ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

ସହିଦ ଯବାନଙ୍କ ସମ୍ପର୍କୀୟଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ମାଡ଼ ଓ ଦୁର୍ବ୍ୟବହାର କରିବା ପ୍ରତିବାଦରେ ବିଧାୟକଙ୍କ ଗିରଫ ଦାବି କରି ବିଭିନ୍ନ ସଂଗଠନ ଓ ଦଳ ପକ୍ଷରୁ ବିକ୍ଷୋଭ, ଶୋଭାଯାତ୍ରା କରାଯିବା ସହ ଥାନାରେ ଏତଲା ମଧ୍ୟ ଦିଆଯାଇଛି ।
ନଗର କଂଗ୍ରେସର ସାଧାରଣ ସମ୍ପାଦକ ମାନସ କୁମାର ପରିଡାଙ୍କ ନେତୃତ୍ୱରେ ୨୯ ଓ ୩୦ ନଂ ୱାର୍ଡର ଝାଞ୍ଜିରୀମଙ୍ଗଳା ଗଡା ଓ ପିଠାପୁର ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ସହିଦଙ୍କ ସମ୍ପର୍କୀୟଙ୍କ ପ୍ରତି ବିଧାୟକଙ୍କର ଏଭଳି କାର୍ଯ୍ୟକୁ କଂଗ୍ରେସ ତୀବ୍ର ସମାଲୋଚନା କରିବା ସହ ଏହି ଘଟଣାରେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି । ଯଦି ତାଙ୍କୁ ଗିରଫ କରାନଯାଏ ତେବେ ଆଗକୁ ଆନେ୍ଦାଳନ ଆହୁରି ତୀବ୍ରତର କରାଯିବ ବୋଲି ନଗର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଜେନା, ଅମି୍ରତା ଦାସ, ବରଦା ଚରଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।
ସେହିପରି ଏହି ଘଟଣାରେ ବାରବାଟୀ କଟକ ଭାଜପା ପକ୍ଷରୁ ଶତାଧିକ କର୍ମୀ ଗୌରୀଶଙ୍କର ପାର୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ଘଟଣାରେ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କୁ ଦଳରୁ ବହିଷ୍କାର କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ନଗର ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମେୟର ନିବେଦିତା ପ୍ରଧାନ, ପ୍ରଦୀପ ସ୍ୱାଇଁ, ଦୟାନିଧି ଲେଙ୍କା, ଲିଲି ମହାପାତ୍ରଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ । ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସୂଚନା ଅଧିକାର କର୍ମୀମାନେ ବିଧାୟକଙ୍କ ଗିରଫ ଦାବି କରିବା ସହ ସହିଦ ପରିବାରର ସଂପର୍କୀୟଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ରାଜ୍ୟ ତଥା ଦେଶକୁ ନିନ୍ଦିତ କରିଥିବା ନେତାଙ୍କୁ ତୁରନ୍ତ ବହିଷ୍କାର କରିବା ଦାବି କରିଥିଲେ । ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ବାଦାମବାଡି ଥାନାରେ ଏତଲା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁଧାଂଶୁ ପରିଡା, ଭୀମସେନ ବିଶ୍ୱାଳ, ଅର୍ଚ୍ଚନା ମହାନ୍ତି, ବ୍ୟୋମକେଶ କାନୁନଗୋ ପ୍ରମୁଖ ଯୋଗଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*