ଡେଭିସ୍‌ କପ୍‌ : ପାକ୍‌କୁ ଅପମାନିତ ଢଙ୍ଗରେ ହରାଇ ବିଶ୍ୱ ଗ୍ରୁପ୍‌ରେ ଭାରତ: ପେସଙ୍କ ୪୪ତମ ଡବଲ୍ସ ବିଜୟ: ୪-୦ ବିଜୟ ପରେ ନାଚିଲେ ଭାରତୀୟ ଖେଳାଳି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୁର-ସୁଲତାନ

ଡେଭିସ୍‌ କପ୍‌ ଇତିହାସରେ ନିଜ ଦ୍ୱାରା ପ୍ରସ୍ତୁତ ରେକର୍ଡକୁ ଆଉ ଥରେ ନୂଆ କରି ଲେଖିବା ସହ ଲିଆନ୍ଦର ପେସ୍‌ ଭାରତୀୟ ଦଳକୁ ଡେଭିସ୍‌ କପ୍‌ର ବିଶ୍ୱ ଗ୍ରୁପ୍‌ ପର୍ଯ୍ୟାୟକୁ ଉର୍ଣ୍ଣିତ କରାଇଦେଇଛନ୍ତି । ୨୦୨୦ ଯୋଗ୍ୟତା ପର୍ଯ୍ୟାୟ ସକାଶେ ଏବେ ଭାରତକୁ ମିଳିଯାଇଛି ବାଟ । ଶନିବାର କାଜାକସ୍ଥାନର ରାଜଧାନୀରେ ଦୁର୍ବଳ ପାକିସ୍ତାନ ଦଳକୁ ଅପମାନିତ ଢଙ୍ଗରେ ୪-୦ରେ ପରାଜିତ କରି ଭାରତ ଡେଭିସ୍‌ କପ୍‌ ଇତିହାସରେ ଏକ ବଡ଼ ବିଜୟ ହାସଲ କରିଛି । ଶନିବାର ଡବଲ୍ସ ବିଜୟ ସହ ରିଭର୍ସ ସିଙ୍ଗିଲ୍ସରେ ମଧ୍ୟ ଭାରତ ବିଜୟ ଲାଭ କରିବାରୁ ୪-୦ର ସ୍କୋର ଲାଇନ୍‌ ତିଆରି ହୋଇଥିଲା । ଯେହେତୁ ଡବଲ୍ସ ମ୍ୟାଚ୍‌ ପରେ ଭାରତ ଏହି ଟାଇରେ ବିଜୟ ଲାଭ କରିସାରିଥିଲା ତେଣୁ କେବଳ ନିୟମ ମୁତାବକ ଗୋଟିଏ ରିଭର୍ସ ସିଙ୍ଗିଲ୍ସ ଖେଳିବାକୁ ଦୁଇଦଳ ଚାହିଁଥିଲେ ।
ଶୁକ୍ରବାର ଦିନ ପ୍ରଥମ ଦୁଇଟି ସିଙ୍ଗିଲ୍ସ ମ୍ୟାଚ୍‌ ଜିତି ୨-୦ର ଅଗ୍ରଣୀ ନେଇସାରିଥିବା ଭାରତକୁ ରୋକିବାକୁ ହେଲେ ଶନିବାର ପାକିସ୍ତାନର ଡବଲ୍ସ ଯୋଡିକୁ ମ୍ୟାଚ୍‌ ଜିତିବାର ଥିଲା । ତା’ ହୋଇଥିଲେ ମ୍ୟାଚ୍‌ ରିଭର୍ସ ସିଙ୍ଗିଲ୍ସକୁ ଯାଇଥାନ୍ତା ତାଜା ରହି । ହେଲେ ଅନୁଭବୀ ଲିଆନ୍ଦର ପେସ୍‌ ଏବଂ ପଦାର୍ପଣ ମ୍ୟାଚ୍‌ ଖେଳୁଥିବା ଜୀବନଙ୍କ ଯୋଡି ଆଗରେ ପାକିସ୍ତାନ ଯୋଡି ସୋଏବ ଏବଂ ରହମାନ୍‌ ଆଦୌ ତାଳ ଦେଇପାରିନଥିଲେ । ଭାରତୀୟ ଯୋଡି ମାତ୍ର ୫୩ ମିନିଟର ସମୟ ସିନ୍ଥେଟିକ୍‌ କୋର୍ଟରେ ବିତାଇ ୬-୧ ଓ ୬-୩ରେ ମ୍ୟାଚ୍‌ ଜିତିବା ସାଙ୍ଗକୁ ୩-୦ର ଅପରାଜୟ ଲିଡ୍‌ ନେଇ ଟାଇ ମଧ୍ୟ ଦଳ ପାଇଁ ଜିତାଇ ଦେଇଥିଲେ । ୪୬ବର୍ଷିୟ ଲିଆନ୍ଦର ପେସ୍‌ଙ୍କର ଡେଭିସ୍‌ କପ୍‌ ଇତିହାସରେ ଏହା ୪୪ତମ ଡବଲ୍ସ ବିଜୟ । ଗତବର୍ଷ ସେ ଇଟାଲୀୟ ଖେଳାଳିଙ୍କୁ କାଟିଥିଲେ ୪୩ ବିଜୟ ସହ । ପ୍ରଥମ କରି ଜୀବନଙ୍କ ସହ ପେସ୍‌ ଖେଳି ଯୁବା ଖେଳାଳିଙ୍କୁ ବଡ଼ ପ୍ରଶଂସା କରିଛନ୍ତି । ୫୭ତମ ଡେଭିସ୍‌ କପ୍‌ ଟାଇରେ ୪୪ତମ ବିଜୟ ପେସ୍‌ଙ୍କୁ ଏକ ଭିନ୍ନ ବର୍ଗରେ ସାମିଲ କରିଛି । ଶନିବାର ଦିନ ମଧ୍ୟ ରିଭର୍ସ ସିଙ୍ଗିଲ୍ସର ପ୍ରଥମ ମ୍ୟାଚ୍‌ ଖେଳାଯାଇଥିଲା । ସୁମିତ ନାଗଲ ପାକିସ୍ତାର ୟୁସୁଫିଙ୍କୁ ଅତି ସହଜରେ ୬-୧,୬-୦ରେ ହରାଇ ଦେଇଥିଲେ । ଭାରତ ପାଖରେ ୪-୦ର ଲିଡ୍‌ ପରେ ପାକିସ୍ତାନ ଆଉ ଅନାବଶ୍ୟକ ୫ମ ମ୍ୟାଚ୍‌ ଖେଳିବାକୁ ଚାହିଁନଥିଲା । ୨୦୧୪ ଫେବୃଆରୀ ପରେ ଭାରତର ଏହା ଡେଭିସ୍‌ କପ୍‌ରେ ସବୁ ମ୍ୟାଚ୍‌ ବିଜୟ । ଭାରତ ବର୍ତ୍ତମାନ ବିଶ୍ୱ ଗ୍ରୁପ୍‌ ପର୍ଯ୍ୟାୟ ଭିତରେ ପ୍ରବେଶ କରିବାକୁ ମାର୍ଚ୍ଚ ୬ ଓ ୭ ତାରିଖରେ କ୍ରୋଏସିଆ ବିପକ୍ଷରେ ଖେଳିବ । ବିଶ୍ୱର ଦୁଇ ନମ୍ବର ଦଳ କ୍ରୋଏସିଆ ବିପକ୍ଷରେ ଖେଳିବା ଭାରତ ଲାଗି ବଡ଼ ଚ୍ୟାଲେଞ୍ଜ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*