ଟ୍ରାନ୍ସଫର୍‌ମେସନ୍‌ ଆଡ଼କୁ ଦଳ ସେକ୍ରେଟାରୀ ଜେନେରାଲ୍‌’ରୁ ଜେନେରାଲ୍‌ ସେକ୍ରେଟାରୀ (ଓ)

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଫାଇଭ୍‌-ଟି’କୁ ଏବେ ଯାଛା ତା ଚର୍ଚ୍ଚା । ଏମିତି କି ଖଟିରେ ଏବଂ ପାନ ଦୋକାନରେ ଚର୍ଚ୍ଚା ହେଉଛି ଟି’କୁ ନେଇ । ଏମିତି କି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟି’ ସଚିବ ବୋଲି ଡାକିଲେଣି ଲୋକେ । ଏହି ପାଞ୍ଚ-ଟି ଭିତରୁ ଗୋଟିଏ ହେଲା ଟ୍ରାନ୍ସଫର୍‌ମେସନ୍‌ । ନୂଆକରି ଏହାକୁ ଯୋଡ଼ିଛନ୍ତି ନବୀନ ପଟନାୟକ । ଟିମ୍‌ ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍ସପରେନ୍ସି, ଟାଇମ୍‌’ର ସଫଳ ପ୍ରୟୋଗରେ ଆସିବ ଟ୍ରାନ୍ସଫରମେସନ୍‌ । ତେଣୁ ସବୁ ଟି’ ଭିତରେ ଏହି ଟ୍ରାନ୍ସଫର୍‌ମେସନ୍‌ ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦଳରେ ପ୍ରୟୋଗ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସଭାପତି ନବୀନ ପଟନାୟକ ।
କିନ୍ତୁ ଗତ ୨୦ ବର୍ଷ ଭିତରେ ଦଳ କୋଉଠୁ ଆସି କୁଆଡ଼କୁ ଯାଉଛି? ଦଳରେ ସେକ୍ରେଟାରୀ ଜେନେରାଲ ବା ମହାସଚିବ ପଦ ଥିଲା । ମାତ୍ର ଏବେ ତାହା ସଂଗଠନ ସାଧାରଣ ସମ୍ପାଦକ ପର୍ଯ୍ୟନ୍ତ ଖସିଆସିଲାଣି । କାହିଁ ପ୍ରସନ୍ନ ଆଚାର୍ଯ୍ୟ ଏବଂ କାହିଁ ଏବେ ପ୍ରଣବ ପ୍ରକାଶ ଦାସ? ଯୁବପିଢ଼ିକୁ ଦାୟିତ୍ୱ ଓ କ୍ଷମତା ହସ୍ତାନ୍ତର କରିବା ପ୍ରକି୍ରୟା ଆରମ୍ଭ ହୋଇଯାଇଛି ବିଜୁ ଜନତା ଦଳ ଭିତରେ ।
୧୯୯୭ରେ ବିଜୁ ଜନତା ଦଳ ଗଢ଼ା ହେବା ପରେ ଏହାର ପ୍ରଥମ ମହାସଚିବ ବା ସେକ୍ରେଟାରୀ ଜେନେରାଲ୍‌ ଥିଲେ ପ୍ରସନ୍ନ ଆଚାର୍ଯ୍ୟ । ବିଜଦ ଗଠନରେ ଦିଲୀପ ରାୟଙ୍କ ସହ ପ୍ରସନ୍ନଙ୍କର ମଧ୍ୟ ଏକ ବଡ଼ ଭୂମିକା ଥିଲା । ଦଳର ସମ୍ବିଧାନ ଅନୁସାରେ କେତେଜଣ ସାଧାରଣ ସମ୍ପାଦକ ଥିଲେ । ମାତ୍ର ସେମାନଙ୍କ ଉପରେ ଥିଲା ସେକ୍ରେଟାରୀ ଜେନେରାଲ୍‌ ବା ମହାସଚିବ ପଦ ।
ପ୍ରସନ୍ନଙ୍କ ପରେ ଏହି ପଦବୀରେ ଅବସ୍ଥାପିତ ହୋଇଥିଲେ ଅଭିଜ୍ଞ ଡାକ୍ତର ଦାମୋଦର ରାଉତ । ବିଜଦ ଗଠନରେ ଦାମଙ୍କ ଭୂମିକା କିଛି ନଥିଲା । ୨୦୦୦ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଜନତା ଦଳ ଛାଡ଼ି ଯେଉଁ ୧୪ଜଣିଆ ଗୋଷ୍ଠୀ ବିଜଦକୁ ଆସିଥିଲେ ସେମାନଙ୍କ ଭିତରେ ଥିଲେ ଡାକ୍ତର ରାଉତ । ଡାକ୍ତର ରାଉତଙ୍କୁ ଯେତେବେଳେ ସେକ୍ରେଟାରୀ ଜେନେରାଲ୍‌ କରାଯାଇଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀଙ୍କର ଏକ ଗୁପ୍ତ ଉଦେ୍ଦଶ୍ୟ ରହିଥିଲା । ଉଦେ୍ଦଶ୍ୟଟି ହେଲା, ମୂଳ ଜନତା ଦଳର ବରିଷ୍ଠ ନେତାମାନଙ୍କୁ ଦଳରୁ ବିଦା କରିବା । ଏଥିରେ ମୋହରା ସାଜିଥିଲେ ଡାକ୍ତର ରାଉତ ।
ପ୍ରସନ୍ନ ଏବଂ ଦାମଙ୍କ ପରେ ମହାସଚିବ ପଦ ଉଠିଗଲା । କେବଳ ଗୁଡ଼ାଏ ସାଧାରଣ ସମ୍ପାଦକ ରହିଲେ । ସବୁ କ୍ଷମତାର କେନ୍ଦ୍ରବିନ୍ଦୁ ପାଲଟିଗଲେ ସଭାପତି ନବୀନ ପଟନାୟକ । ଦଳର କାର୍ଯ୍ୟକାରିଣୀ ଏବଂ ସଭାପତି ଓ ସାଧାରଣ ସମ୍ପାଦକ ନାମ୍‌କେ ବାସ୍ତେ ପଦବୀରେ ପରିଣତ ହୋଇଗଲା । ଏଥିପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପ୍ୟାରୀମୋହନ ମହାପାତ୍ର । ଦଳର ପୁରୁଖା ଲୋକଙ୍କୁ ସାଇଡ୍‌ ମାରିବା ଲାଗି ଯୁବ ନେତାମାନଙ୍କୁ ଆଣିଲେ ସାମ୍ନାକୁ । ଏହି ଧାରା ଏବେ ବି ବଜାୟ ରହିଛି ।
ପଞ୍ଚମ ପାଳିରେ ନବୀନ ଯେଉଁ ସରକାର ଗଢ଼ିଛନ୍ତି, ସେଥିରେ ପୁରୁଖା କହିଲେ ପଦ୍ମନାଭ ବେହେରା ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମୁଖ୍ୟମନ୍ତ୍ରୀ ପୁରୁଖାଙ୍କ ଅପେକ୍ଷା ନୂତନମାନଙ୍କୁ ଗୁରୁତ୍ୱ ଏବଂ ଦାୟିତ୍ୱ ଦେଉଛନ୍ତି । ଏବେ ଦଳରେ ଯେଉଁ ସାଂଗଠନିକ ପୁନର୍ବିନ୍ୟାସ ଆରମ୍ଭ ହୋଇଛି, ତାହା ସେହି ଆଡ଼କୁ ମୁହାଁଉଛି । ପ୍ରଥମ ଥର ପାଇଁ ସଂଗଠନ ସମ୍ପାଦକ ପଦ ତିଆରି କରାଗଲା । ଏକଦା ମହାସଚିବ ପଦବୀ ଥିଲା । ପରବର୍ତ୍ତୀ ସମୟରେ ଏହା ଉଚ୍ଛେଦ ହୋଇଗଲା । ଏବେ ସଂଗଠନ ସମ୍ପାଦକ ପଦ ତିଆରି କରି ଯୁବ ବିଧାୟକ ବବି ଦାସଙ୍କୁ ଅବସ୍ଥାପିତ କରାଯାଇଛି । କ୍ଷମତାକେନ୍ଦ୍ରର ନିକଟତର ହୋଇଥିବାରୁ ବବି ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବାରେ ସଫଳ ଭୂମିକା ନେଇଆସୁଛନ୍ତି । କିନ୍ତୁ ତାଙ୍କର ସାଂଗଠନିକ ଦକ୍ଷତା ଅପେକ୍ଷା ତାଙ୍କ ଉପରେ ଥିବା ପାନ୍ଦିଆନ୍‌ଙ୍କ ଆଶୀର୍ବାଦ ହିଁ ଏଭଳି ସଫଳତା ଲାଗି ଅଧିକ ଦାୟୀ । ତେଣୁ ପାନ୍ଦିଆନ୍‌ଙ୍କ ହାତମୁଠାକୁ ଅଧିକ ଟାଣ କରିବା ଲାଗି ନୂଆକରି ସଂଗଠନ ସାଧାରଣ ସମ୍ପାଦକ ପଦ ଗଠନ କରାଯାଇଛି ଏବଂ ଏଥିରେ ସ୍ଥାନ ପାଇଛନ୍ତି ତାଙ୍କର ସବୁଠୁ ବିଶ୍ୱସ୍ତ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି ।
ସାଂଗଠନିକ ଦକ୍ଷତା ପ୍ରଦର୍ଶନରେ ବବିଙ୍କ ଠାରୁ ସଞ୍ଜୟ ଏବଂ ଅତନୁ ଯଥେଷ୍ଟ ଆଗରେ ଥିଲେ ହେଁ, ସେମାନଙ୍କୁ ଏତେ ଗୁରୁତ୍ୱ ଦେଉନାହାନ୍ତି ସଭାପତି । ସଞ୍ଜୟଙ୍କ ପରି ଜଣେ ପୂର୍ବତନ ଯୁବ ସଭାପତି ତଥା ପୂର୍ବତନ ମନ୍ତ୍ରୀ ରହିବେ କାର୍ଯ୍ୟାଳୟ ସାଧାରଣ ସମ୍ପାଦକ ଭାବେ । ଏହା ଏକ ତୁଷ୍ଟୀକରଣ ପଦବୀ ଛଡ଼ା ଅନ୍ୟ କିଛି ନୁହେଁ ।
ଯେଉଁ ଦିଗକୁ ଦଳ ଯାଉଛି, ଅନୁମାନ କରାଯାଇପାରେ ଯେ, ଖୁବ୍‌ଶୀଘ୍ର ଦଳରେ ଜଣେ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହେବେ । ସାଂଗଠନିକ କାମରେ ନବୀନ ଅଧିକ ସମୟ ଦେଇପାରୁ ନଥିବାରୁ ବଡ଼ଧରଣର ସାଂଗଠନିକ ପରିବର୍ତ୍ତନର ସୂଚନା ମିଳୁଛି ।
ସଭାପତି ନିର୍ବାଚନ ସରିଗଲେ ଦଳୀୟ ଟ୍ରାନ୍ସଫର୍‌ମେସନ୍‌ ପୂର୍ଣ୍ଣାଙ୍ଗ ହେବ ବୋଲି ଯେଉଁ ଅନୁମାନ କରାଯାଉଛି, ତାହା ହୁଏତ ନିରାଧାର ନୁହେଁ । ପ୍ରସନ୍ନରୁ ଦଳ ବବି ପର୍ଯ୍ୟନ୍ତ ଆସିଲାଣି । ଆଗକୁ ରୂପାନ୍ତରର ଅନେକ ବିଚିତ୍ର ଦୃଶ୍ୟ ଦେଖାଯିବା ବିଚିତ୍ର ନୁହେଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*