ଟ୍ରକ୍‌କୁ ପଛରୁ ପିଟିଲା ଟୁରିଷ୍ଟ୍ ଭ୍ୟାନ୍‌ ୩ ମୃତ, ୬ ଗୁରୁତର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବାଲେଶ୍ୱର

ମୟୂରଭଂଜର ଦେବକୁନ୍ଦକୁ ଯାଉଥିବା ପୁରୀ ଅଞ୍ଚଳର ଏକ ଟୁରିଷ୍ଟ୍ ଭ୍ୟାନ୍ ୧୬ ନଂ ଜାତୀୟ ରାଜପଥର ଶେରଗଡ଼ଠାରେ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ୩ ଜଣଙ୍କର ଶୋଚନୀୟ ମୃତୁ୍ୟ ହୋଇଛି । ଅନ୍ୟ ୧୫ ଆହତ ଯାତ୍ରୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତନ୍ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି । ପୁରୀ ଜିଲ୍ଲା ବାଲିସାହି ଅଞ୍ଚଳରୁ ୨୫ଜଣ ଯାତ୍ରୀଙ୍କୁ ନେଇ ଓଡି-୦୨/ଏୱାଇ-୬୩୧୬ ନଂର ଶନିବାର ସଂଧ୍ୟାରେ ଯାତ୍ରା ଆରମ୍ଭ କରିଥିଲା । ରବିବାର ଭୋର ପ୍ରାୟ ୫ଟା ବେଳେ ଟୁରିଷ୍ଟ ଗାଡ଼ିଟି ଜାତୀୟ ରାଜପଥର ଶେରଗଡ଼ ଅଞ୍ଚଳ ଅତିକ୍ରମ କରୁଥିଲା । ତେବେ ଶେରଗଡ଼ ଶ୍ରୀଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ବାଲେଶ୍ୱର ଆଡ଼କୁ ମୁହଁ କରି ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଏହି ଟୁରିଷ୍ଟ ଗାଡ଼ି ହଠାତ୍ ଧକ୍କା ଦେଇଥିଲା । ଧକ୍କା ପରେ ଗାଡ଼ି ଭିତରୁ ଏକ ସଙ୍ଗରେ ଏକାଧିକ ଲୋକଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର ଆହତ ଓ ଗୁରୁତର ଯାତ୍ରୀଙ୍କୁ ଏନଏଚଏଆଇ ଆମ୍ବୁଲାନ୍ସ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଗାଡ଼ିର ଆଗରେ ବସିଥିବା ଗଙ୍ଗାଧର ଦାସ(୮୦) ଓ ତାଙ୍କ ପୁତ୍ର ଶ୍ରୀନାଥ ଦାସ(୪୫) ଏବଂ ବାପି ମିଶ୍ର (୪୦)ଙ୍କୁ ଡାକ୍ତର ମୃତ ଘୋଷଣା କରଥିଲେ । ଦୁର୍ଘଟଣାରେ ଗାଡ଼ିର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଆଗରେ ବସିଥିବା ଏହି ୩ ଜଣଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଯାଇଥିବା ଅନୁମାନ କରାଯାଇଛି । ତେବେ ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିବା ୧୫ ଜଣ ଆହତଙ୍କ ମଧ୍ୟରେ ଗୁରତର ଥିବା ୬ ଜଣଙ୍କ ସମେତ ମୋଟ ୧୩ ଜଣଙ୍କୁ ସଂଧ୍ୟାରେ ପୁରୀ ପଠାଇ ଦିଆଯାଇଥିଲା । ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାରରେ ସହଯୋଗ କରିବା ସହ ୩ ଯାତ୍ରୀଙ୍କ ମୃତଶରୀର ପଞ୍ଚନାମା କରିଛି । ପରେ ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି ।ଏନେଇ ଏକ ମାମଲା ରୁଜୁ ସହ ପୁଲିସ ଅନୁଧ୍ୟାନ ଜାରି ରଖିଛି । ଡ୍ରାଇଭରଙ୍କୁ ନିଦ ଆସିବା କାରଣରୁ ଆଗରେ ଛିଡ଼ା ହୋଇଥିବା ଟ୍ରକ୍କୁ ହଠାତ ଦେଖିନପାରିବା ସହ ଭାରସାମ୍ୟ ହରାଇ ପଛରୁ ପିଟି ଦେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାର ସ୍ୱାସ୍ଥ୍ୟସେବା, ଆହାର କେନ୍ଦ୍ରର ଖାଦ୍ୟ ଓ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ ପାଇଁ ମୁଖ୍ୟ ଡାକ୍ତରଖାନା ପରିଦର୍ଶନରେ ଆସିଥିବା ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଚିକିତ୍ସା ଅବସ୍ଥା ଅନୁଧ୍ୟାନ କରିଥିଲେ । ବ୍ୟବଚ୍ଛେଦ ପରେ ୩ ମୃତ ଶରୀର ସେମାନଙ୍କ ପରିବାରକୁ ପଠାଇବା ବନେ୍ଦାବସ୍ତ କରିବା ସହ ଶେଷକୃତ୍ୟ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*