ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଯୋଜନା ବିଜଦ ସହ ହାତ ମିଳାଇଛନ୍ତି ଭାଜପାର ବିଭୀଷଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାରିପଦା

୨୦୧୭ ମସିହାରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ନିର୍ବାଚନରେ ବିଜଦର ବିପର୍ଯ୍ୟୟ ଘଟିଥିଲା । ସେତେବେଳେ ଜିଲ୍ଲାର ସମସ୍ତ ୯ଜଣ ବିଧାୟକ ଓ ଲୋକସଭା ସାଂସଦ ବିଜଦର ରହିଥିଲେ । ସେହିପରି ବିଜଦର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ରହିଥିଲେ । ଏହା ସତ୍ତ୍ୱେ ଜିଲ୍ଲା ପରିଷଦର ୫୬ଟି ଆସନରୁ ମାତ୍ର ୫ଟି ଆସନ ଲାଭ କରିଥିଲା ବିଜଦ । ବିଜଦର ଏପରି ବିପର୍ଯ୍ୟୟକୁ ଦଳର ସୁପି୍ରମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଜରେ ଗ୍ରହଣ କରିପାରିନଥିଲେ । ବିଜଦର ଏପରି ବିପର୍ଯ୍ୟୟ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଅପରପକ୍ଷରେ ଭାଜପାର ଐତିହାସିକ ବିଜୟ ହୋଇଥିଲା । ୫୬ଟି ଆସନ ମଧ୍ୟରୁ ଭାଜପା ୪୯ଟି ଆସନ ଲାଭ କରି ସୁଜାତା ମୁର୍ମୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇପାରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ପରିଷଦ ନିର୍ବାଚନରେ ଭାଜପାର ଏପରି ଉଲ୍ଲେଖନୀୟ ବିଜୟକୁ ସେତେବେଳେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଥିଲେ । ସେହିପରି ଚଳିତ ବର୍ଷ ଜାନୁଆରୀ ମାସ ୫ତାରିଖ ଦିନ ବାରିପଦାର ଛଉପଡ଼ିଆଠାରେ ଆୟୋଜିତ ବିଶାଳ ଜନସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିବା ଅବସରରେ ଜିଲ୍ଲା ପରିଷଦର ଭାଜପା ସଦସ୍ୟମାନଙ୍କ ସହିତ ସ୍ୱତନ୍ତ୍ର ଭାବେ ଆଲୋଚନା କରିଥିଲେ । ଜିଲ୍ଲା ପରିଷଦ ନିର୍ବାଚନରେ ଭାଜପାର ସଫଳତାର ପ୍ରଭାବ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା । ମୟୂରଭଞ୍ଜ ଜିଲ୍ଲାରେ ଲୋକସଭା ଆସନ ଓ ୬ଟି ବିଧାନସଭା ଆସନକୁ ବିଜଦ ହରାଇଛି । ଅପରପକ୍ଷରେ ଭାଜପା ଲୋକସଭା ଆସନ ଓ ୬ଟି ବିଧାନସଭା ଆସନରେ ବିଜୟ ଲାଭ କରିଛି । ଓଡ଼ିଶାରେ ବିଜଦ ବିଧାନସଭା ନିର୍ବାଚନରେ ସଫଳତା ଲାଭ କରି ୫ମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ବିଜଦର ବିଫଳତା ଚର୍ଚ୍ଚାର ବିଷୟ ହୋଇଥିଲା ।
ମୟୂରଭଞ୍ଜ ଜିଲ୍ଲା ପରିଷଦ ନିର୍ବାଚନ ଏବଂ ବିଧାନସଭା ଓ ଲୋକସଭା ନିର୍ବାଚନରେ ଜିଲ୍ଲାରେ ଭାଜପାର ସଫଳତାକୁ ସହଜରେ ଗ୍ରହଣ କରିପାରୁନାହିଁ ବିଜଦ । ସୁଯୋଗକୁ ଅପେକ୍ଷା କରିଥିଲା ବିଜଦ । ବର୍ତ୍ତମାନ ଜିଲ୍ଲା ଭାଜପାରେ ବିଭୀଷଣ ସୃଷ୍ଟି ହୋଇଛନ୍ତି । ଭାଜପା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କୁ ହଟାଇ ବିଜଦ ଜିଲ୍ଲା ପରିଷଦ ଗଠନ କରିବାକୁ ଭାଜପାର କେତେକ ବିଭୀଷଣ ସକି୍ରୟ ହୋଇ ଉଠିଛନ୍ତି ।
ଭାଜପାର ବିଭୀଷଣ ହାତ ମିଳାଇଛନ୍ତି ବିଜଦ ସହିତ । ଅନାସ୍ଥା ପ୍ରସ୍ତାବ ଆଣି ଭାଜପା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କୁ ହଟାଇ ବିଜଦ ଜିଲ୍ଲା ପରିଷଦ ଅଧ୍ୟକ୍ଷା କରିବାକୁ ଅଭିଯାନ ଆରମ୍ଭ ହୋଇଛି । ଭାଜପାର ଜଣେ ଜିଲ୍ଲା ପରିଷଦ ସଦସ୍ୟଙ୍କ ମୃତ୍ୟ ପରେ ଉପନିର୍ବାଚନରେ ବିଜଦ ସଦସ୍ୟ ବିଜୟୀ ହୋଇଥିଲେ । ବର୍ତ୍ତମାନ ଭାଜପାର ୪୮ଜଣ ଜିଲ୍ଲା ପରିଷଦ ସଦସ୍ୟ ଥିବାବେଳେ ବିଜଦର ୬ଜଣ ଅଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ୫୬ଜଣ ସଦସ୍ୟଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅର୍ଥାତ ୧୯ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ୬ଜଣ ବିଜଦ ସଦସ୍ୟଙ୍କ ସହିତ ଭାଜପାର ୧୩ ଜଣ ସଦସ୍ୟଙ୍କ ସମର୍ଥନରେ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରିବ । ଅନାସ୍ଥା ପ୍ରସ୍ତାବ ଗ୍ରହଣ ହୋଇ ଭୋଟ ଗ୍ରହଣ କରାଗଲେ ୫୬ ଜଣ ଜିଲ୍ଲା ପରିଷଦ ସଦସ୍ୟ, ୨୬ଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଜିଲ୍ଲାର ୯ଜଣ ବିଧାୟକ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଲୋକସଭା ସାଂସଦ ଏବଂ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଭୋଟ ଦେବାର ଅଧିକାର ରହିଛି ।
ଅନାସ୍ଥା ପ୍ରସ୍ତାବ ପାଇଁ ଆବଶ୍ୟକ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମର୍ଥନ ଭାଜପାର ବିଭୀଷଣ ସହାୟତାରେ ବିଜଦ ହାସଲ କରିପାରିଥିଲା । ଭାଜପାର ସଦସ୍ୟମାନଙ୍କୁ ଜିଲ୍ଲା ପରିଷଦର ଅଧ୍ୟକ୍ଷା କରାଇବା ଏବଂ ୩ରୁ ୫ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇ ବିଜଦ ଏପରି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ସମର୍ଥନ ହାସଲ କରିଥିଲା । ଭାଜପାର ୪ଜଣ ସଦସ୍ୟାଙ୍କୁ ଜିଲ୍ଲା ପରିଷଦର ଅଧ୍ୟକ୍ଷା କରିବାର ପ୍ରଲୋଭନ ବିଜଦ ଦେଇଥିବା ‘ନିର୍ଭୟ’କୁ ସୂଚନା ମିଳିଛି ।
ବିଜଦର ଏପରି ଅପରେସନ ସୂଚନା ପାଇବା ପରେ ଭାଜପା କାଉଣ୍ଟର ଅପରେସନ ଆରମ୍ଭ କରିଛି । ନିଜ ଦଳର ବିଭୀଷଣଙ୍କୁ ସହାୟତାରେ ବିଜଦର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ସ୍ୱାକ୍ଷର କରିଥିବା ଭାଜପା ଜିଲ୍ଲା ପରିଷଦ ସଦସ୍ୟମାନଙ୍କ ମଧ୍ୟରୁ ଅର୍ଧେକଙ୍କୁ ଭାଜପା ନିଜ ସପକ୍ଷକୁ ଫେରାଇ ଆଣିବାକୁ ସକ୍ଷମ ହୋଇଥିବା ସୂଚନା ମିଳିଛି । ବିଜଦର ଅନାସ୍ଥା ପ୍ରସ୍ତାବ ଅପରେସନ ଏବଂ ଭାଜପାର କାଉଣ୍ଟର ଅପରେସନ ମଧ୍ୟରୁ କିଏ ସଫଳ ହେଉଛି ତାହା ଅଳ୍ପ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ବିଭୀଷଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଭାଜପାକୁ ଆଗାମୀ ଦିନରେ ମହଙ୍ଗା ପଡ଼ିବ । ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭାଜପା ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ କେତେକ ନେତା ଖୋଲା ଖୋଲି କାର୍ଯ୍ୟ କରିଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଚର୍ଚ୍ଚାର ବିଷୟ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*