ଜିଲ୍ଲାରେ ୯୨୦୬ ହେକ୍ଟର ଜମିର ଚାଷ ନଷ୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବାଲେଶ୍ୱର

ଓଡ଼ିଶା ଉପରୁ ସାମୁଦ୍ରିକ ବାତ୍ୟା ଅମ୍ଫାନର ବିପଦ ଟଳି ଯାଇଥିଲେ ବି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବିଶେଷ କ୍ଷୟକ୍ଷତି ହୋଇଥିବା ଲକ୍ଷ୍ୟ କରାଯାଇଛି । ବାତ୍ୟାର ପ୍ରଭାବରେ ୧୯ ତାରିଖ ରାତି ପ୍ରାୟ ୧୨ଟାରୁ ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୭୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଘଣ୍ଟା ପ୍ରତି ସର୍ବାଧିକ ୯୧ କିଲୋମିଟର ବେଗର ପବନ ସମଗ୍ର ପରିବେଶକୁ ବିପଦମୁଖୀ କରାଇଥିଲା । ଏଥିଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ, ବିଦୁ୍ୟତ ଖୁଣ୍ଟ ଉପୁଡ଼ିବା, କଚ୍ଚା ଘର ମାଟିରେ ମିଶିବା ଓ ଶହ ଶହ ହେକ୍ଟର ଜମିର ଚାଷ କ୍ଷତି ହୋଇଥିବା ଜଣାପଡ଼ିଛି । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ପ୍ରସ୍ତୁତି ହୋଇଥିଲା । ଏକାଧିକ ଏନଡିଆରଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ଟିମ ଜିଆରେ ଜିଲ୍ଲାର ୫ଟି ଉପକୂଳବର୍ତ୍ତୀ ବ୍ଲକ ଅଞ୍ଚଳରୁ ପ୍ରାୟ ୪୯ ହଜାରରୁ ଅଧିକ ଲୋକଙ୍କୁ ୪୦୪ଟି ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ଆଶ୍ରୟସ୍ଥଳରେ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା । ୨୦ ତାରିଖ ଅପରାହ୍ନରେ ବର୍ଷା ଓ ପବନର ବେଗ ହ୍ରାସ ସହ ବାତ୍ୟା ବାଲେଶ୍ୱର ଅତିକ୍ରମ କରିବା ପରେ ବିଭିନ୍ନ ସ୍ଥାନରେ ଘର ଉପରେ ପଡ଼ିଥିବା ଓ ରାସ୍ତା ଉପରେ ପଡ଼ିଥିବା ଗଛକୁ କାଟି ଓଡ୍ରାଫ୍ ଓ ଏନଡିଆରଏଫ ଟିମ୍ ସଫା କରିଥିଲେ । ଅନ୍ୟ ପକ୍ଷରେ ବିଭିନ୍ନ ସ୍ଥାନରେ ବିଦୁ୍ୟତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବିଦୁ୍ୟତ ସରବରାହ ହୋଇ ପାରିନଥିଲା । ନେସ୍କୋ କର୍ତ୍ତୃପକ୍ଷଙ୍କ ଉଦ୍ୟମରୁ ରାତି ୯ଟା ସୁଦ୍ଧା ସହରର କେତେକ ସ୍ଥାନରେ ପରୀକ୍ଷାମୂଳକ ଭାବେ ବିଦୁ୍ୟତ ସଂଯୋଗ ଦିଆଯାଇଥିଲା । ତେବେ ଓଡ଼ିଶାର ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିଦେ୍ର୍ଦଶ କ୍ରମେ ଅମ୍ଫାନରେ ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେରଣ କରାଯାଇଛି । ପୌରାଞ୍ଚଳ ସମେତ ଜିଲ୍ଲାର ୧୨ଟି ବ୍ଲକରେ ଅଳ୍ପ ବହୁତ କ୍ଷତି ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଏହି ବାତ୍ୟାରେ ବାଲେଶ୍ୱର ଜିଲ୍ଲାର ଜିଲ୍ଲାର ୨୩୧ଟି ପଞ୍ଚାୟତର ୨୮୯୮ ଗାଁ ଓ ୪ଟି ପୌରାଞ୍ଚଳର ୪୪ଟି ୱାର୍ଡ଼ ବିଶେଷ ଭାବେ ପ୍ରଭାବିତ ହୋଇଛି । ଜିଲ୍ଲାରେ ୯୨୦୬ ହେକ୍ଟର ଜମିର ଚାଷ ନଷ୍ଟ ହୋଇଥିବା ବେଳେ ୩୫ଟି କଚ୍ଚା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସେହିଭଳି ୩୭ଟି ପକ୍କା ଘର, ୩୬୭୧ଟି କଚ୍ଚା ଘର ଆଂଶିକ, ୭୦୫ କୁଡିଆ ଏବଂ ୨୯୪ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଛି । ଏହି ବାତ୍ୟାରେ ୪୫.୮୬ କୋଟି ଟଙ୍କାର ବିଦୁ୍ୟତ୍ ଭିତ୍ତିଭୂମି ନଷ୍ଟ ହୋଇଥିବା ବେଳେ ଅନ୍ୟାନ୍ୟ କ୍ଷୟକ୍ଷତିର ଆକଳନ ଏବେ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*