ଜମି ମହାଦୁର୍ନୀତିରେ ମହାରଥୀ ୧୦୦ କୋଟି ଟଙ୍କାର ସରକାରୀ ଜମି ମିଶେଇଛନ୍ତି ନିଜ ଫାର୍ମରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ପିପିଲିର ଆଉ ଜଣେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ବିରୋଧରେ ଭାଜପା ଏକ ବଡ ଜମି ଦୁର୍ନୀତିର ଅଭିଯୋଗ ଆଣିଛି । ଏହି ଦୁର୍ନୀତି କୋଟିଏ କି ଦୁଇକୋଟିର ନୁହେଁ । ଉଭୟ ନେତା ୪୦୦କୋଟିରୁ ଅଧିକ ମୂଲ୍ୟର ସରକାରୀ ଜମି ହଡପ କରି ନେଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଗୁରୁତର ଅଭିଯୋଗ ଆଣିଛନ୍ତି ଆଶି୍ରତ ପଟ୍ଟନାୟକ ।
ଆଶ୍ରିତ ତାଙ୍କ ଅଭିଯୋଗର ସତ୍ୟତା ଦର୍ଶାଇବାକୁ ବହୁ ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ ଦସ୍ତାବିଜ୍‌ ସାମ୍ବାଦିକଙ୍କ ସାମ୍ନାରେ ଥୋଇଥିଲେ । ଯୁଧିଷ୍ଠିର କଂଗ୍ରେସ ହୋଇଥିବାବେଳେ ପ୍ରଦୀପ ବିଜୁ ଜନତା ଦଳର । କଂଗ୍ରେସ କ୍ଷମତାରେ ଥିଲାବେଳେ ଯୁଧିଷ୍ଠିର ଗୋଚର ଜମି ଦୁର୍ନୀତି କରିଥିଲେ, ପ୍ରଦୀପ ବିଜଦ ସରକାରଙ୍କ ଅମଳରେ ସମାନ ଧରଣର ଦୁର୍ନୀତିରେ ଜଡିତ ଥିଲେ ବୋଲି ଆଶ୍ରିତ ଅଭିଯୋଗ କରିଥିଲେ । ମହାରଥୀ ୧୦୦କୋଟି ଟଙ୍କାର ଜମି ଦୁର୍ନୀତିରେ ଏବଂ ସାମନ୍ତରାୟ ୩୦୦କୋଟି ଟଙ୍କାର ଦୁର୍ନୀତିରେ ଜଡିତ ବୋଲି ସେ ଦର୍ଶାଇଥିଲେ ।
ପୂର୍ବତନ ମନ୍ତ୍ରୀ ତଥା ଏବେର ବିଧାୟକ ମହାରଥୀ ପିପିଲି ନିର୍ବାଚନମନ୍ଦଳୀର ପୋଢ଼ାଗୁଣ ଓ ପାଣିଦୋଳ ଗ୍ରାମର ସରକାରୀ ପ୍ଳଟକୁ ନିଜ ହୁଙ୍କେଇପୁର ଫାର୍ମହାଉସରେ ମିଶାଇ ଦେଇଛନ୍ତି । ନବୀନ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ଥିଲାବେଳେ ସେ ସର୍ବସାଧାରଣଙ୍କ ସମ୍ପତ୍ତି, କେନାଲ ଜମି, ଗୋଚର, ଚକନାଳୀ, ସଂରକ୍ଷିତ ଜଙ୍ଗଲ, ଅନାବାଦୀ, ଚକରାସ୍ତାକୁ ମିଶେଇ ଦେଇଛନ୍ତି ନିଜ ଫାର୍ମ ହାଉସ ସହ । ଅନ୍ୟ ଚାଷୀମାନଙ୍କ ଚାଷ କାମରେ ବାଧା ସୃଷ୍ଟି କରୁଛନ୍ତି ମହାରଥୀ । ସବୁ ଆଡେ ଫାଇଭ୍‌-ଟି ଲଗାଉଛନ୍ତି ସରକାର । ଏହି ଆଧାରରେ ସରକାରୀ ଜମି ହଡପକାରୀ ମହାରଥୀଙ୍କ ବିରୋଧରେ ସରକାର ନିରବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଭାଜପା ମୁଖପାତ୍ର ଗୋଲକ ମହାପାତ୍ର ।
ସେ ଦର୍ଶାଇଥିଲେ ଯେ, ମହାରଥୀଙ୍କ ବେଆଇନ ଜମି ଜବରଦଖଲ ବିରୋଧରେ ପୂର୍ବତନ ବିଧାୟକ ହାଇକୋର୍ଟରେ ଏକ ମକଦ୍ଦମା କରିଥିଲେ । ହାଇକୋର୍ଟ ୨୦୧୬ ଫେବୃୟାରୀ ୨୩ତାରିଖରେ ଏହି ଅଭିଯୋଗ ଉପରେ ଦୁଇ ମାସ ଭିତରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ଆଦେଶ ଦେଇଥିଲେ । କିନ୍ତୁ କାହିଁକି ଜିଲ୍ଲାପାଳ ଏ ସମ୍ପର୍କରେ ନିଷ୍ପତ୍ତି ନେଇନାହାନ୍ତି, ତାହାର ଜବାବ ସରକାର ଦେବା ଉଚିତ । ସେହି ସମୟରେ ଦୁଇ ବିରୋଧୀ ନେତା ସଚିବାଳୟରେ କୋଳାକୋଳି ହେଉଥିବା ଦୃଶ୍ୟ ରାଜ୍ୟବାସୀ ଦେଖିଛନ୍ତି । ଯିଏ ମହାରଥୀଙ୍କ ବିରୋଧରେ ଜମି ହଡପ ଅଭିଯୋଗ ଆଣିଥିଲେ, ସେହି ସାମନ୍ତରାୟ ନିଜେ ୩୦୦କୋଟି ଟଙ୍କା ମୂଲ୍ୟର ସରକାରୀ ଜମି ହଡପ କରିଦେଇଛନ୍ତି ।
ଗତଥର ପିପିଲିରୁ ଭାଜପା ପ୍ରାର୍ଥୀ ହୋଇଥିବା ଆଶି୍ରତ ଦର୍ଶାଇଥିଲେ ଯେ, ଯୁଧିଷ୍ଠିର ନିଜ ଘନିଷ୍ଠ ସହଯୋଗୀଙ୍କ ବାପା ରାଜକିଶୋର ମହାପାତ୍ର ଓ ନିଜ ଭାଇଙ୍କ ଶ୍ୱଶୁରଙ୍କ ନାମରେ ପିପିଲି ତହସିଲର ୫୬ ଏକରରୁ ଊଦ୍ଧ୍ୱର୍ ଗୋଚର ଜମି କରାଇ ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୩୦୦କୋଟି ଟଙ୍କା ହେବ । ବିଭିନ୍ନ ସମୟରେ ସରକାରୀ ରେକର୍ଡ ପତ୍ରରେ ଏହା ଗୋଚର ବୋଲି ଉଲ୍ଲେଖ ଥିଲା । ୨୦୧୦ରେ ତକ୍ରାଳୀନ ଜିଲ୍ଲାପାଳ ଏହି ଜମି ହଡପ ଘଟଣାକୁ ଧରିଥିଲେ ଏବଂ ରାଜସ୍ୱ ପର୍ଷଦରେ ଏକ ମକଦ୍ଦମା ମଧ୍ୟ ଦାଏର ହୋଇଥିଲା । କାହିଁକି ଆଜି ପର୍ଯ୍ୟନ୍ତ ଏହାର ବିଚାର ହେଲା ନାହିଁ ବୋଲି ପ୍ରଶ୍ନ କରିଥିଲେ ଆଶ୍ରିତ ଏବଂ ଗୋଲକ ।
ଚଞ୍ଚକତା କରି ସରକାରୀ ଜମି ହଡପ କରାଯାଇଥିବାରୁ ଜିଲ୍ଲାପାଳ ଏହାର ରିଭୁ୍ୟ କରି ଜମିକୁ ସରକାରୀ ଖାତାକୁ ଫେରାଇ ଆଣନ୍ତୁ ବୋଲି ଦାବି କରିଥିଲେ ଆଶ୍ରିତ ପଟ୍ଟନାୟକ । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*