ଜନତା କର୍ଫ୍ୟୁର ସଫଳତା ପରେ ଏବେ ଦେଶରେ ଲକ୍‌ ଡାଉନ ହେଲା ଆରମ୍ଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ବିଶ୍ୱରେ କରୋନା ପ୍ରତି ମୁହୂର୍ତ୍ତରେ ବଢ଼ାଇ ଚାଲିଛି ନିଜର କରାଳ ରୂପ । ସହଜରେ ବୁଝା ପଡ଼ୁନଥିବା ଅବସ୍ଥାରେ ଏହା ଏତେ ଯେ, ବ୍ୟାପକ ହୋଇଯାଉଛି ତାହା ଦେଖି ବର୍ତ୍ତମାନ ଯୁଦ୍ଧକାଳୀନ ଅବସ୍ଥା ଭଳି ପ୍ରତିକ୍ରିୟା ପ୍ରଦାନ କରିବାର ସମୟ ଆସିଛି । ଉପଚାର ନିର୍ଦ୍ଦିଷ୍ଟ ନଥିଲା ବେଳେ କେବଳ ନୂଆ ରୋଗୀଙ୍କୁ ଆକ୍ରାନ୍ତ ହେବାରୁ ରୋକିବା ହିଁ ଏହାର ଏକ ମାତ୍ର ବର୍ତ୍ତମାନ ଚିକିତ୍ସା ଭାବେ ଉଭା ହୋଇଛି । ତେଣୁ କରୋନା ସଂକ୍ରମଣର ସେହି ଶୃଙ୍ଖଳକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ରବିବାର ସାରା ଦେଶ ଜନତା କର୍ଫୁ୍ୟ ସଫଳତାର ସହ ପାଳନ କରିଛି । ୩୪ ଘଣ୍ଟା କରୋନା ଭୂତାଣୁ ସଂକ୍ରମିତ ହେବାର ଶକ୍ତି ରଖୁଥିବାର ସାମାଜିକ ବ୍ୟବଧାନ ହିଁ ଏକମାତ୍ର ମାଧ୍ୟମ ବନିଛି ଏହାକୁ ରୋକିବା ସକାଶେ । ତେଣୁ ଜନତା କର୍ଫୁ୍ୟର ଅଭୂତପୂର୍ବ ସଫଳତା ପରେ ଏବେ ଆଉ ଏକ ବଡ଼ ପାଦ ଦେଶ ପକାଇବାକୁ ଯାଉଛି । ଦେଶରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏକରକମ୍‌ ଲକ୍‌ ଡାଉନର ଅବସ୍ଥା ସୃଷ୍ଟି କରାଯାଇ ସାମାଜିକ ବ୍ୟବଧାନ ସୃଷ୍ଟି କରିବା ସକାଶେ ଆରମ୍ଭ ହୋଇଛି ଉଦ୍ୟମ । ଲୋକେ କୁଆଡେ ଯିବେ ନାହିଁ । ବାହାରୁ କେହି ଆସିବେ ନାହିଁ । ସଭା ସମିତି ସବୁ ଏକାଠି ହେବାର କ୍ଷେତ୍ର ରହିବ ବନ୍ଦ ।
୩୧ ଯାଏଁ ପାସେଞ୍ଜର ଟ୍ରେନ୍‌ ବନ୍ଦ
ରେଳବାଇ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ଅଭୂତପୂର୍ବ ନିଷ୍ପତ୍ତି ଗ୍ରହଣ କରାଯାଇଛି ରବିବାର । ମାର୍ଚ୍ଚ ୨୨ ମଧ୍ୟରାତ୍ରରୁ ମାର୍ଚ୍ଚ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ କେବଳ ମାଲ ପରିବହନ କରୁଥିବା ଗୁଡ୍‌ସ ଟ୍ରେନ୍‌ ବ୍ୟତିତ ଅନ୍ୟ କୌଣସି ଯାତ୍ରିବାହୀ ଟ୍ରେନ୍‌ ଚାଲିବ ନାହିଁ ବୋଲି ଘୋଷଣା କରାଯାଇଛି । ଏଥି ସହ ବିଭିନ୍ନ ସହରରେ ଥିବା ସ୍ଥାନୀୟ ଯାତ୍ରୀ ଟ୍ରେନ୍‌ ସେବା ମଧ୍ୟ ବନ୍ଦ ରହିବ । ଅର୍ଥାତ୍‌ ମୁମ୍ବାଇର ସବରବାନ୍‌ ଟ୍ରେନ୍‌ ବ୍ୟବସ୍ଥା ମଧ୍ୟ ୩୧ ମାର୍ଚ୍ଚ ମଧ୍ୟରାତ୍ର ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରେଳବାଇ ପକ୍ଷରୁ ଘୋଷଣା ହୋଇଛି । କେବଳ ଯେଉଁ ଟ୍ରେନ୍‌ ଗୁଡ଼ିକ ରବିବାରର ଏହି ଘୋଷଣା ପୂର୍ବରୁ ନିଜ ଯାତ୍ରା ଆରମ୍ଭ କରି ସାରିଛନ୍ତି ସେମାନଙ୍କୁ ଗନ୍ତବ୍ୟ ସ୍ଥାନକୁ ଯିବାକୁ ଦିଆଯାଇଛି ଅନୁମତି । ରେଳବାଇର ଜଣେ ମୁଖପାତ୍ର କହିଛନ୍ତି ଜାତୀୟ ସ୍ୱାର୍ଥ ଏବଂ ଆବଶ୍ୟକତାକୁ ଦେଖି ସବୁ ପ୍ରମୁଖ ଏକ୍ସପ୍ରେସ୍‌, ମେଲ ସହ ପାସେଞ୍ଜର ଟ୍ରେନ୍‌ ମାର୍ଚ୍ଚ ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ନ ଚାଲିବାକୁ ନିଆଯାଇଛି ନିଷ୍ପତ୍ତି । ବିଭିନ୍ନ ସହରର ସ୍ଥାନୀୟ ରେଳସେବା ଏବଂ କୋଲକାତା ମେଟ୍ରୋ ରେଲ୍‌ ତଥା କଙ୍କୋଣ ରେଳବାଇ ମଧ୍ୟ ନିଜ ସେବା ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ବନ୍ଦ କରି ରଖିବ ବୋଲି ଏହି ଘୋଷଣାନାମାରେ କୁହାଯାଇଛି । ରବିବାର ଭୋର ୪ଟା ସମୟରେ ଯେଉଁ ଟ୍ରେନ୍‌ ଗୁଡ଼ିକ ବାହାରି ଯାଇଥିଲା ସେଗୁଡ଼ିକୁ ନିଜ ନିଜ ଷ୍ଟେସନ ପର୍ଯ୍ୟନ୍ତ ଯିବାକୁ ଦିଆଯାଇଛି । ତେବେ ଦେଶରେ ଯେପରି ସମସ୍ତ ଅତ୍ୟାବଶ୍ୟକ ଜିନିଷ ସବୁ ଜାଗାରେ ଉପଲବ୍ଧ ହୋଇ ରହିପାରିବ ସେଥି ସକାଶେ ମାଲବାହି ଟ୍ରେନ୍‌ ଏହି ସମୟ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଘୋଷଣା ହୋଇଛି । ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଟ୍ରେନ୍‌ ଗୁଡ଼ିକ ବାତିଲ ହୋଇଥିବାରୁ ଏଥିରେ ଯିବା ପାଇଁ ଯେଉଁମାନେ ଆଗୁଆ ଟିକେଟ କରିଛନ୍ତି ସେମାନେ ଜୁନ୍‌ ୨୧ ପର୍ଯ୍ୟନ୍ତ ପୂର୍ଣ୍ଣ ଟଙ୍କା ଫେରି ପାଇବେ । ଯେପରି ସେମାନେ ସୁବିଧାରେ ଟଙ୍କା ଫେରସ୍ତ ପାଆନ୍ତି ସେଥି ସକାଶେ ସମସ୍ତ ସୁବିଧା ରେଳବାଇ ପକ୍ଷରୁ କରାଯାଉଛି ବୋଲି ରେଳବାଇ ମୁଖପାତ୍ର କହିଛନ୍ତି ।
୭୫ ଜିଲ୍ଲାରେ
ଲକ୍‌ ଡାଉନ୍‌
୭୫ ଜିଲ୍ଲାରେ ଲକ୍‌ ଡାଉନ୍‌ ରେଳବାଇ ଲକ୍‌ଡାଉନର ସ୍ଥିତି ସଂକ୍ରମଣକୁ ରୋକିବା ଲାଗି କରିଥିଲା ବେଳେ ସୂଚନା ଅନୁସାରେ ୭୫ଟି ଜିଲ୍ଲାରେ ଏହି ଲକ୍‌ଡାଉନର ଅବସ୍ଥା ଘୋଷଣା କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଆଲୋଚନା ପରେ ଓଡ଼ିଶା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଭଳି ବହୁ ରାଜ୍ୟର ୬୭ଟି ଜିଲ୍ଲାରେ ଲକ୍‌ ଡାଉନର ସ୍ଥିତି ବାବଦରେ ଘୋଷଣା ହୋଇଛି । ଏଥି ସହ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ବସ୍‌ ସେବା ବନ୍ଦ କରିବାକୁ ମଧ୍ୟ ହୋଇଛି ଘୋଷଣା । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଦେଶର କ୍ୟାବିନେଟ୍‌ ସଚିବ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ମଧ୍ୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ଦେଶର ଯେଉଁ ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ସେହି ଜିଲ୍ଲାଗୁଡ଼ିକୁ ଲକ୍‌ ଡାଉନ୍‌ କରିବା ପାଇଁ କରାଯାଇଛି ଘୋଷଣା । ବର୍ତ୍ତମାନର ସମୟ ହେଉଛି କରୋନା ସଂକ୍ରମଣକୁ ସୀମିତ ରଖିବା । ତେଣୁ ଜରୁରୀ ହୋଇପଡ଼ିଛି ଅଯଥାରେ ଲୋକଙ୍କ ଆତଯାତକୁ ବନ୍ଦ କରିବା । ସେଇଥିପାଇଁ ଆନ୍ତଃରାଜ୍ୟ ବସ୍‌ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କେନ୍ଦ୍ର ଗୃହ ବିଭାଗ ଅଧିକାରୀ କହିଛନ୍ତି । ଯେଉଁ ସବୁ ରାଜ୍ୟର ଜିଲ୍ଲା ଗୁଡ଼ିକ ଏହି ୭୫ଟି ଲକ୍‌ ଡାଉନ୍‌ ଜିଲ୍ଲାରେ ସାମିଲ ଅଛି ସେହି ରାଜ୍ୟ ସରକାରମାନେ ସ୍ୱତନ୍ତ୍ର ନିଦେ୍ର୍ଦଶନାମା ଜାରି କରି କେବଳ ଜରୁରିକାଳୀନ ବ୍ୟବସ୍ଥା ଚଳାଇବାକୁ ଆଦେଶ ଦେବାକୁ କୁହାଯାଇଛି । ଓଡ଼ିଶା ଏବଂ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଦିଆଯାଇ ସାରିଲାଣି ନିଦେ୍ର୍ଦଶନାମା । ଏହି ରିପୋର୍ଟ ଲେଖା ଗଲା ବେଳକୁ ମିଳିଥିବା ଶେଷ ସୂଚନା ଅନୁସାରେ ଦିଲ୍ଲୀ ମେଟ୍ରୋ ସେବା ମଧ୍ୟ ରବିବାର ମଧ୍ୟରାତ୍ରରୁ ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦ ରହିବ ବୋଲି ସୂଚନା ମିଳିଛି ।
କରୋନା ପାଇଁ ସ୍ୱତନ୍ତ୍ର ଡାକ୍ତରଖାନା
ଦେଶରେ ଏବେ କରୋନା ମୁକାବିଲା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି । ତାରି ଅଧୀନରେ ରାଜ୍ୟଗୁଡ଼ିକୁ କିଛି ଡାକ୍ତରଖାନା କେବଳ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ କରିବା ସକାଶେ ଦିଆଯାଇଛି ନିଦେ୍ର୍ଦଶ । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ରବିବାର କହିଛି ରାଜ୍ୟମାନେ ନିଜ ଡାକ୍ତରଖାନା ଗୁଡ଼ିକ ଭିତରୁ କେତୋଟିକୁ କେବଳ କରୋନା ରୋଗୀଙ୍କ ଚିକିତ୍ସା ଲାଗି ବ୍ୟବହାର କରିବା ଦରକାର । ଯେହେତୁ ଦେଶରେ ଲକ୍‌ ଡାଉନର ବ୍ୟବସ୍ଥା ସଂକ୍ରମଣକୁ ରୋକିବା ଲାଗି ନିହାତି ଆବଶ୍ୟକ ହୋଇପଡ଼ିଛି ସେଥିପାଇଁ ଅନ୍ୟ ରୋଗୀ ରହୁଥିବା ଡାକ୍ତରଖାନାରେ କରୋନା ରୋଗୀଙ୍କୁ ସାମିଲ ନ କରିବା ଉଚିତ । ୭୫ଟି ଜିଲ୍ଲାରେ ଲକ୍‌ ଡାଉନ ଘୋଷଣା ହେବା ସହ ଏହି ସ୍ୱତନ୍ତ୍ର ମେଡ଼ିକାଲ ସୁବିଧା କେବଳ କରୋନା ରୋଗୀଙ୍କ ଲାଗି କରିବା ସକାଶେ ନିଦେ୍ର୍ଦଶନାମା ଜାରି ହୋଇଛି । ପ୍ରତ୍ୟେକ ରାଜ୍ୟ ନିଜର କିଛି ଡାକ୍ତରଖାନା ଗୁଡ଼ିକୁ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ପାଇଁ କେବଳ ବ୍ୟବହାର କରିବାକୁ ଏଥିରେ କୁହାଯାଇଛି । ଯେପରି ଦିଲ୍ଲୀର ଏମ୍ସ ଅଧୀନରେ ଥିବା ଜାତୀୟ କ୍ୟାନସର ପ୍ରତିଷ୍ଠାନ । ହରିଆନାର ଝାଞ୍ଜର ଠାରେ ଏହି ପ୍ରତିଷ୍ଠାନ ଥିଲା ବେଳେ ଏଥିରେ ୮୦୦ ରୋଗୀଙ୍କ ଚିକିତ୍ସାର ସୁବିଧା ରହିଛି । ଏହାକୁ କେବଳ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ । ୬୦ଟି ପ୍ରାଇଭେଟ୍‌ ଲ୍ୟାବକୁ କରୋନା ଟେଷ୍ଟ ପାଇଁ ଅନୁମତି ଦିଆଯାଇଥିଲା ବେଳେ ଦେଶରେ ନୂଆ ୧୨୦୦ ଭେଣ୍ଟିଲେଟର ତୁରନ୍ତ କିଣିବାକୁ ଅର୍ଡର ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*