ଚୀନ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ଗୃହକୁ କଲେ ଆଶ୍ୱସ୍ତ ଏଲଏସିରେ ସବୁପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଲୋକସଭାରେ ଲଦାଖରେ ଜାରି ଭାରତ-ଚୀନ ବିବାଦ ଉପରେ ବୟାନ ରଖିଥିଲେ । ସେ କହିଥିଲେ ଯେ, ଚୀନ ସେନା ଗତ ଅଗଷ୍ଟ ୨୯-୩୦ ରାତିରେ ପୁଣିଥରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା ଏବଂ ସ୍ଥିତାବସ୍ଥାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା । ହେଲେ ପୁଣିଥରେ ଭାରତୀୟ ଯବାନ ଚୀନ ସେନାର ଏପ୍ରକାର ପ୍ରୟାସକୁ ବିଫଳ କରିଦେଇଥିଲେ । ସେହିପରି ସୀମା ବିବାଦର ସମାଧାନ ପାଇଁ ଲଗାତାର ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି । କିନ୍ତୁ ସୀମାର ପାରମ୍ପାରିକ ସ୍ଥିତିକୁ ମାନିବାକୁ ଚୀନ ପ୍ରସ୍ତୁତ ନଥିବାରୁ ଏପର୍ଯ୍ୟନ୍ତ ବିବାଦର ସମାଧାନ ହୋଇପାରିନାହିଁ ବୋଲି ରାଜନାଥ କହିଥିଲେ । ଅନ୍ୟପଟେ ବିରୋଧୀ ଦଳ ଚୀନ ପ୍ରସଙ୍ଗରେ ସେମାନଙ୍କୁ କିଛି କହିବାର ସୁଯୋଗ ଦିଆଯାଉନଥିବା ଅଭିଯୋଗ କରି ସଦନ ପରିତ୍ୟାଗ କରିଥିବା ଜଣାପଡିଛି ।
ଚୀନ ସବୁ ବୁଝାମଣାର କରୁଛି ଉଲଂଘନ
ରାଜନାଥ ଲୋକସଭାରେ ଆହୁରି କହିଥିଲେ ଯେ, ଏଲଏସିରେ ବିପୁଳ ସଂଖ୍ୟାରେ ଯବାନଙ୍କୁ ମୁତୟନ କରି ୧୯୯୩ ଏବଂ ୧୯୯୬ ବୁଝାମଣାର ଉଲଂଘନ କରୁଛି । ଚୀନ ବୁଝାମଣାକୁ ସମ୍ମାନ କରୁନାହିଁ । ଚୀନ ସେନାର କାର୍ଯ୍ୟାନୁଷ୍ଠାନ କାରଣରୁ ଏଲଏସି ନିକଟରେ ଗତିରୋଧ ଜାରି ରହିଛି । ଉକ୍ତ ବୁଝମଣା ଦ୍ୱୟରେ ବିବାଦର ସମାଧାନ ପାଇଁ ମଧ୍ୟ ପ୍ରକ୍ରିୟା ରହିଛି । ହେଲେ ଚୀନ ବୁଝାମଣାକୁ ମାନିବାକୁ ନାରାଜ । ବର୍ତ୍ତମାନ ସ୍ଥିତିରେ ଚୀନ ଏଲଏସି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ବହୁ ସଂଖ୍ୟାରେ ଏହାର ସୈନିକଙ୍କୁ ମୁତୟନ କରିଛି ଏବଂ ଗୋଳାବାରୁଦ ଜମା କରି ରଖିଛି । ଆମେ ବି ଏହାର ଜବାବରେ ବିନ୍ନ୍ ପଦକ୍ଷେପ ଗ୍ରହଣ କରିଛୁ । ଆମର ସେନା ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ରାଜନାଥ ଲୋକସଭାରେ ଦୃଢୋକ୍ତି ପ୍ରକାଶ କରିଥିଲେ ।
ସେନା ପାଇଁ ଆମେ ଗର୍ବିତ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଅବସରରେ ସେନା ଲଦାଖରେ ଉପୁଜିଥିବା ଚ୍ୟାଲେଞ୍ଜର ମୁକାବିଲା କରିପାରିବ ବୋଲି ସମସ୍ତେ ଆଶ୍ୱସ୍ତ ରହିବା ଦରକାର ବୋଲି କହିଥିଲେ । ସେନାକୁ ନେଇ ଆମେ ଗର୍ବିତ । ଏବେ ବି ସ୍ଥିତିରେ ସମ୍ବେଦନଶୀଳ ପ୍ରସଙ୍ଗ ସାମିଲ ରହିଛି, ଏଥିପାଇଁ ଏନେଇ ଅଧିକ ତଥ୍ୟ ଦେଇପାରିବି ନାହିଁ । ହେଲେ କରୋନା କାଳରେ ସେନା ଏବଂ ଆଇଟିବିପି ଯବାନଙ୍କୁ ଏଲଏସିରେ ଦ୍ରୁତଗତିରେ ମୁତୟନ କରାଯାଇଛି ବୋଲି ସେ କହିବା ସହ ସରକାର କିଛି ବର୍ଷ ହେବ ସୀମା ଭିତ୍ତିଭୂମି ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ସରକାର ଏହାର ବଜେଟ ଦୁଇ ଗୁଣାରୁ ଅଧିକ ବୃଦ୍ଧି କରିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ ।
ରାଜନାଥ ମଙ୍ଗଳବାର ଲୋକସଭାରେ ମୁଖ୍ୟତଃ ୫ଟି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ସେ କହିଥିଲେ ଯେ, ଭାରତ-ଚୀନ ମ୍ୟରେ ଉପୁଜିଥିବା ସୀମା ବିବାଦ ଏପର୍ଯ୍ୟନ୍ତ ସମାଧାନ ହୋଇପାରିନଥିବା ସଦନ ଜାଣିଛି ବୋଲି କହିଥିଲେ । ଭାରତ-ଚୀନ ସୀମାର ପାରମ୍ପାରିକ ବଣ୍ଟନକୁ ଚୀନ ମାନୁନାହିଁ । ଉଭୟ ଦେଶ ଭୌଗୋଳିକ ସ୍ଥିତି ସହ ସଂପୂର୍ଣ୍ଣ ଅବଗତ । ଚୀନ ଅନୁସାରେ, ଇତିହାସରେ ଯାହା ସ୍ଥିର ହୋଇଥିଲା, ସେନେଇ ଉଭୟ ଦେଶରେ ଭିନ୍ନ ଭିନ୍ନ ବାଖ୍ୟା ରହିଛି । ତେଣୁ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ଆପୋଷ ବୁଝାମଣା ହୋଇପାରିନାହିଁ । ଲଦାଖ ବ୍ୟତୀତ ଚୀନ ଅରୁଣାଚଳ ପ୍ରଦେଶର ୯୦ହଜାର ବର୍ଗ କିମି ଅଞ୍ଚଳକୁ ମଧ୍ୟ ନିଜର କହୁଛି । ସୀମାକୁ ନେଇ ପ୍ରଶ୍ନ ଏକ ଜଟିଳ ପ୍ରସଙ୍ଗ ଅଟେ, ଏହା ପାଇଁ ଧୈର୍ଯ୍ୟର ଆବଶ୍ୟକତା ଅଛି । ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନ ବାହାରିବା ନିତାନ୍ତ ଆବଶ୍ୟକ ।
ଚୀନ ସୀମାରେ ଶାନ୍ତି ପ୍ରତିଷ୍ଠା ଜରୁରୀ ବୋଲି ମାନିଛି । ଉଭୟ ଦେଶ ମଧ୍ୟରେ ବହୁ ପ୍ରୋଟୋକଲ ମଧ୍ୟ ରହିଛି । ଏଲଏସିରେ କୌଣସି ବି ଗମ୍ଭର ସ୍ଥିତି ଉଭୟ ଦେଶର ସଂପର୍କରେ ମଧ୍ୟ ଗଭୀର ପ୍ରଭାବ ପକାଇବ । ୧୯୯୦ରୁ ୨୦୦୩ ଯାଏ ଉଭୟ ଦେଶର ପୂର୍ବ ବୁଝାମଣାକୁ ମାନିଛନ୍ତି । ହେଲେ ଚୀନ ଆଗକୁ ଆଉ ବୁଝାମଣା କରିବାକୁ ସହମତ ହୋଇନଥିଲା । ଏହି କାରଣରୁ ଏଲଏସିକୁ ନେଇ ମତଭେଦ ରହିଛି ବୋଲି ରାଜନାଥ କହିଥିଲେ ।
ଭାରତ ସୀମାରେ ଶାନ୍ତି ଚାହେଁ ବୋଲି ନିକଟରେ ମୁଁ ମସ୍କୋଠାରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଥିଲି ଏବଂ ଭାରତର ପକ୍ଷ ରଖିଥିଲି ବୋଲି ରାଜନାଥ କହିଥିଲେ । ସୀମାରେ ଶାନ୍ତି ପାଇଁ ଚୀନ ସହ ଭାରତ ମିଳିମିଶି କାମ କରିବାକୁ ଚାହେଁ ବୋଲି ମୁଁ ତାଙ୍କୁ ଜଣାଇଥିଲି । ହେଲେ ଭାରତ ନିଜର ଅଖନ୍ଦତା ରକ୍ଷା କରିବାକୁ ବଦ୍ଧପରିକର ବୋଲି ମଧ୍ୟ ମୁଁ ମୋର ଚୀନ ପ୍ରତିପକ୍ଷଙ୍କୁ ସ୍ପଷ୍ଟ ଜଣାଇଥିଲି ବୋଲି ରାଜନାଥ କହିଥିଲେ । ପୂର୍ବରୁ ସୀମାର ସ୍ଥିତିଠାରୁ ବର୍ତ୍ତମାନ ସ୍ଥିତି ଖୁବ୍ ଭିନ୍ନ ଅଟେ ବୋଲି ରାଜନାଥ କହିଥିଲେ । ପୂର୍ବରୁ ବି ବିବାଦ ଉପୁଜୁଥିଲା, ଯାହାର ସମାଧାନ ଆଲୋଚନା ମାଧ୍ୟମରେ ହୋଇପାରୁଥିଲା । ହେଲେ ବର୍ତ୍ତମାନ ସ୍ଥିତି ଭିନ୍ନ ଅଟେ । ଚୀନ ଲଗାତାର ଅନୁପ୍ରବେଶ ପାଇଁ ଚେଷ୍ଟା କରୁଛି । ତଥାପି ଆମେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଚେଷ୍ଟା କରୁଛୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*