ଚାଷୀଙ୍କୁ ଭରସା ଦବାକୁ ବାଘେଲ୍‌ଙ୍କୁ ସାଥିରେ ଧରି ଆସୁଛନ୍ତି ରାହୁଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

୮ ତାରିଖ ଦିନ ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହା ହେବ ନୂଆ ବର୍ଷରେ ତାଙ୍କର ତୃତୀୟ ଓଡ଼ିଶା ଗସ୍ତ । ଜାନୁଆରୀ ୨୫ରେ ସେ ଆସିଥିଲେ ଭୁବନେଶ୍ୱର । ଫେବୃଆରୀ ୫ ତାରିଖରେ ଭବାନୀପାଟଣା ଓ ରାଉରକେଲା ସମାବେଶରେ ସେ ଯୋଗ ଦେଇଥିଲେ । ମାର୍ଚ୍ଚ ୮ ତାରିଖ ଦିନ ସେ ଯୋଗଦେବେ ଜୟପୁର ଏବଂ ବରଗଡ଼ ସମାବେଶରେ ।
ରାହୁଲ ଆସିବା ପୂର୍ବରୁ ଓଡ଼ିଶାରେ ଆସନ ବୁଝାମଣା ନେଇ କଂଗ୍ରେସର ଚିତ୍ର ସ୍ପଷ୍ଟ ହୋଇସାରିଥିବ । ଶନିବାର ଦିନ ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ଭାକପା) ସହ ଆସନ ବୁଝାମଣା ସଂକ୍ରାନ୍ତ କଥାବାର୍ତ୍ତା ହୋଇଛି । ରବିବାର ଦିନ ମାର୍କ୍ସବାଦୀ କମୁ୍ୟନିଷ୍ଟ ପାର୍ଟି (ମାକପା) ସହ ଆଲୋଚନା ହେବ । ୬ ତାରିଖ ଦିନ ନିର୍ବାଚନ କମିଟିର ବୈଠକ ବସିବ ଦିଲ୍ଲୀରେ । କଂଗ୍ରେସ ଆସନ ବୁଝାମଣା କରିବାକୁ ଯାଉଥିବା ଭାକପା, ମାକପା ଏବଂ ଝାମୁମୋକୁ କେଉଁକେଉଁ ଲୋକସଭା ଏବଂ ବିଧାନସଭା ଆସନ ଛାଡ଼ୁଛି ତାହା ଚୂଡ଼ାନ୍ତ ହୋଇସାରିଥିବ । ୧୦ ତାରିଖ ଦିନ କଂଗ୍ରେସ ତା’ର ପ୍ରଥମ ପ୍ରାର୍ଥୀ ସୂଚୀ ଜାରି କରିବାର ସମ୍ଭାବନା ଅଛି । ସୁତରାଂ ୮ ତାରିଖ ରାହୁଲ ଗାନ୍ଧୀଙ୍କର ଓଡ଼ିଶା ଗସ୍ତ ଅବସରରେ ସହଯୋଗୀ ଦଳଙ୍କ ସହ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବ କି ନାହିଁ, ସେନେଇ ଅଟକଳ ଆରମ୍ଭ ହୋଇଛି ।
ଫେବୃଆରୀ ୫ ଏବଂ ମାର୍ଚ୍ଚ ୮ ତାରିଖ ଭିତରେ ରାଜନୀତିକ ପାଣିପାଗ ବଦଳିଛି । ପୂର୍ବରୁ ରାଫେଲ୍‌କୁ ଏକ ନିର୍ବାଚନୀ ପ୍ରସଙ୍ଗ କରିବା ପାଇଁ ଜୋର୍‌ସୋର୍‌ରେ ଲାଗି ପଡ଼ିଥିଲେ ରାହୁଲ୍‌ ଓ କଂଗ୍ରେସ । କିନ୍ତୁ ପୁଲ୍‌୍‌ୱାମା ଆତଙ୍କବାଦୀ ଆକ୍ରମଣ ଓ ଭାରତୀୟ ବାୟୁସେନାର ଜବାବ୍‌ ବାତାବରଣକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଛି । ପ୍ରସଙ୍ଗ ବି ବଦଳୁଛି ଦ୍ରୁତଗତିରେ ।

ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତି କରିବା ସମୟରେ ପାକିସ୍ତାନର ଅଭଦ୍ର ଓ ଅଶୋଭନୀୟ ପଦକ୍ଷେପ ସାରା ଦେଶରେ ରାଷ୍ଟ୍ରବାଦକୁ ମୁଖ୍ୟ ବିନ୍ଦୁ ବନାଇ ଦେଇଛି । ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଲୋକଙ୍କ ଭରସା ଫେରି ପାଉଥିବା ଦେଖିବାକୁ ମିଳିଛି । ଏହା ହେଲା ଜାତୀୟ ପ୍ରେକ୍ଷାପଟ୍ଟ । ତେଣୁ ରାହୁଲ ରାଫେଲ କିମ୍ବା ଚୌକିଦାର୍‌ ଚୋର୍‌ ଘୋଷି ହେଲେ ବି ତାହା ଲୋକଙ୍କୁ ଏହି ମୁହୂର୍ତ୍ତରେ ବିଶେଷ ପ୍ରଭାବିତ କରିବ ନାହିଁ । ତେଣୁ କଂଗ୍ରେସକୁ ମୌଳିକ ପ୍ରସଙ୍ଗକୁ ଫେରିବାକୁ ପଡ଼ିବ ।
ଓଡ଼ିଶାରେ ଛତିଶଗଡ଼ ଫର୍ମୁଲା ପ୍ରୟୋଗ କରିବା ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସର ଏହି ଫର୍ମୁଲା ଛତିଶଗଡ଼ରେ ଦଳକୁ ବିପୁଳ ବିଜୟ ଦେଇଛି । ୯୦ ଆସନରୁ କଂଗ୍ରେସ ଜିଣିଛି ୬୮ । ଅନୁସୂଚିତ ଜାତିର ୧୦ଟି ଆସନରୁ କଂଗ୍ରେସ ଦଖଲ କରିଛି ୭ଟି । ବସ୍ତର ଇଲାକାରେ ୨୭ଟି ଆଦିବାସୀ ସିଟ୍‌ ମଧ୍ୟ ଯାଇଛି କଂଗ୍ରେସ ଖାତାକୁ । ଏହାର ବଡ଼ କାରଣ ହେଲା, ଚାଷୀ ଓ ଚାଷକୁ ପ୍ରଚାରର ମୁଖ୍ୟ ପ୍ରସଙ୍ଗ କରିଥିଲା କଂଗ୍ରେସ । ଏହାଛଡ଼ା ବେକାରୀ ସମସ୍ୟା ପାଇଁ କିଛି ପ୍ରତିଶ୍ରୁତି ଯୁବକଙ୍କୁ ଆକୃଷ୍ଟ କରିଥିଲା । ପ୍ରଥମ ଥର ପାଇଁ ଛତିଶଗଡ଼ରେ ଲୋକଙ୍କୁ ପଚାରି ଇସ୍ତାହାର ପ୍ରସ୍ତୁତ କରିଥିଲା କଂଗ୍ରେସ । ଫଳ ସ୍ୱରୂପ ୧୫ ବର୍ଷର ଭାଜପା ଶାସନ ଭାଙ୍ଗି ଦେଇପାରିଥିଲା ଏହି ଦଳ ।
ଓଡ଼ିଶାରେ ସମାନ ଫର୍ମୁଲା ପ୍ରୟୋଗ କରିବାକୁ ଯାଉଛି କଂଗ୍ରେସ । ୮ ତାରିଖ ଦିନ ରାହୁଲଙ୍କ ସହ ଆସୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଏହା ସ୍ପଷ୍ଟ କରିଦେଉଛି ଯେ, କଂଗ୍ରେସର ଉଦେ୍ଦଶ୍ୟ କ’ଣ? ଛତିଶଗଡ଼ରେ କୃଷିଋଣ ଛାଡ଼ ହୋଇଛି । ଧାନର ସହାୟକ ମୂଲ୍ୟ ଉପରେ ୭୫୦ ଟଙ୍କା ବୋନସ୍‌ ଦେବାଲାଗି ଘୋଷଣା କରିଛନ୍ତି ବାଘେଲ୍‌ ସରକାର । ଏବେ ନିଯୁକ୍ତି ଗ୍ୟାରେଣ୍ଟି ଭତ୍ତାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ସେଥିପାଇଁ ଜୟପୁର ଏବଂ ବରଗଡ଼କୁ ରାହୁଲ ସାଥିରେ ଆଣୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ । ବିଶେଷତଃ ପଶ୍ଚିମଓଡ଼ିଶାର ଚାଷୀ ଭୋଟରଙ୍କ ଉପରେ ବିଶେଷ ନଜର ରହିଛି କଂଗ୍ରେସର । ପଶ୍ଚିମାଞ୍ଚଳରେ ବିଜଦ ପରେ ଭାଜପାର ଦବ୍‌ଦବା ଅଛି । କିନ୍ତୁ କଂଗ୍ରେସର ମଧ୍ୟ ନିର୍ଦ୍ଦିଷ୍ଟ ଭୋଟ୍‌ ବ୍ୟାଙ୍କ ରହିଛି । ସବୁ ଦଳ ଚାଷୀଙ୍କୁ ଫୋକସ୍‌ କରୁଛନ୍ତି । ୧୯ ବର୍ଷ କ୍ଷମତାରେ ଥିବା ବିଜୁ ଜନତା ଦଳ କାଳିଆ ନାମରେ ଚାଷୀଙ୍କ ଭୋଟ ହାତେଇବା ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଚଳାଇଛି । ଭାଜପା ପିଏମ୍‌ କିଷାନ ଯୋଜନା ଆରମ୍ଭ କରିଛି । କିନ୍ତୁ ଦୁଇପାଦ ଆଗକୁ ଯାଇ କଂଗ୍ରେସ କୃଷି ଋଣ ଛାଡ଼ ସହ ଧାନର ସହାୟକ ମୂଲ୍ୟ ୨୬୫୦ ଟଙ୍କା କରିବା ସକାଶେ ପ୍ରତିଶ୍ରୁତି ଦେଇସାରିଛି । ତେଣୁ ପଶ୍ଚିମଓଡ଼ିଶାର ଚାଷୀ ଭୋଟରଙ୍କୁ ନେଇ ଯେଉଁ ଛକାପଞ୍ଝା ତିନି ଦଳ ଭିତରେ ଆରମ୍ଭ ହୋଇଛି, ସେଥିରେ ବାଜିମାତ୍‌ କେଉଁ ଦଳ କରିବ, ତାହା ଭୋଟ୍‌ ଫଳାଫଳରୁ ହିଁ ଜଣାପଡ଼ିବ ।
କିନ୍ତୁ ରାହୁଲ ପଶ୍ଚିମଓଡ଼ିଶାର ଦୁଇଟି ଅଞ୍ଚଳ ଭବାନୀପାଟଣା ଓ ରାଉରକେଲାରେ ସଭା କରି ଫେରିଯାଇଛନ୍ତି । ପୁଣି ଏଥିରେ ଯୋଡ଼ିହେବାକୁ ଯାଉଛି ବରଗଡ଼ । ସାଥିରେ ଛତିଶଗଡ଼ ଫର୍ମୁଲାର ମୁଖ୍ୟ ଭୂପେଶ ବାଘେଲ । ଏମିତିରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ାରେ କଂଗ୍ରେସର ସ୍ଥିତି ମନ୍ଦ ନୁହେଁ । କିନ୍ତୁ ମାଡ଼ ହେବ ପଶ୍ଚିମଓଡ଼ିଶାରେ । ଉପକୂଳ ଓଡ଼ିଶାରେ ବିଜଦର ସ୍ଥିତି ମଜଭୁତ । ତେଣୁ ସମସ୍ତେ ଆଖେଇଛନ୍ତି ପଶ୍ଚିମଓଡ଼ିଶା ଉପରେ । ଭାରତ-ପାକ୍‌ ବିବାଦ ପରେ ବଦଳି ଯାଉଥିବା ପାଣିପାଗରୁ କିଏ କେଉଁ ପ୍ରସଙ୍ଗ ଧରି କେମିତି ନିର୍ବାଚନ ବୈତରଣୀ ପାର୍‌ ହେବ, ତାହା ମୋଟାମୋଟି ଆଞ୍ଚଳିକ ସମସ୍ୟା ଉପରେ ଅଧିକ ନିର୍ଭର କରିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*