‘ଗ୍ୟାସ୍‌ ଚାମ୍ବରରେ ରଖିବା ଅପେକ୍ଷା ଥରକେ ଲୋକଙ୍କୁ ମାରିଦିଅ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଗତ କିଛିମାସ ଧରି ଦେଶର ରାଜଧାନୀ ବାୟୁ ପ୍ରଦୂଷଣର ଚରମ ଅବସ୍ଥା ଭୋଗ କରୁଛି । ଦିଲ୍ଲୀବାସୀଙ୍କ ଲାଗି ଏହି ବାୟୁ ପ୍ରଦୂଷଣ ଭୟାବହ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିସାରିଛି । ସୂର୍ଯ୍ୟଙ୍କ ତେଜ ମଧ୍ୟ ପ୍ରଦୂଷଣଯୁକ୍ତ ବାୟୁକୁ କାଟିପାରି ନାହିଁ । ଲୋକେ ବଡ଼ କଷ୍ଟକର ଅବସ୍ଥା ଦେଇ ଗତି କରୁଛନ୍ତି । ଯାନବାହନ ଚଳାଚଳରୁ ପ୍ରଦୂଷଣ କେବଳ ନୁହେଁ ପଡ଼ୋଶୀ ପଞ୍ଜାବ, ହରିଆଣାର ଚାଷୀମାନଙ୍କ ଦ୍ୱାରା ଫସଲ କଟା ପରେ ଜମିରେ ବଳିଥିବା ଅଂଶଗୁଡ଼ିକରେ ନିଅାଁ ଲଗାଇଦେବା କାରଣରୁ ଏହି ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି । ଏଇ ଭୟାବହ ବାୟୁ ପ୍ରଦୂଷଣ ଉପରେ ଆସିଥିବା ଏକ ମାମଲାର ଶୁଣାଣି କଲାବେଳେ ସୋମବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଜୋରଦାର ବର୍ଷିଛନ୍ତି । ପଞ୍ଜାବ, ହରିଆଣା ସରକାରଙ୍କୁ କଠୋର ଶବ୍ଦରେ ଘେରିଛନ୍ତି ସୁପ୍ରିମ୍‌କୋର୍ଟ । ଦିଲ୍ଲୀର ଅଧିବାସୀମାନଙ୍କୁ ବାୟୁ ପ୍ରଦୂଷଣ କାରଣରୁ ମରିଯିବାକୁ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ । ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଏକ ଖନ୍ଦପୀଠ ମାମଲାର ଶୁଣାଣି କଲା ବେଳେ କହିଥିଲେ, ଦିଲ୍ଲୀ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଦେଖାଦେଇଥିବା ବାୟୁ ପ୍ରଦୂଷଣ କାରଣରୁ ଶ୍ୱାସରୁଦ୍ଧ ଅବସ୍ଥାରେ ଥିବା ଲୋକଙ୍କ ବଞ୍ଚିବାର ସମୟ କମିଯାଉଛି ବୋଲି ବଡ଼ କ୍ଷୋଭର ସହ କହିଥିଲେ । ଆପଣମାନେ କ’ଣ ଲୋକମାନଙ୍କ ପ୍ରତି ଏଭଳି ବ୍ୟବହାର କରିବେ କି? ତଥା ସେମାନଙ୍କୁ ପ୍ରଦୂଷଣରେ ମରିଯିବାକୁ ଦେବେ କି? ବୋଲି ପଞ୍ଜାବ ଓ ହରିଆଣା ସରକାରଙ୍କୁ ପ୍ରଶ୍ନ କରିଥିଲେ ଖନ୍ଦପୀଠ । କୋର୍ଟରେ ଉପସ୍ଥିତ ଥିବା ପଞ୍ଜାବର ମୁଖ୍ୟ ଶାସନ ସଚିବଙ୍କୁ ଜୋରଦାର ଘେରି ଖନ୍ଦପୀଠ ପଚାରିଥିଲେ ଆମେ ଆଦେଶ ଦେଇଥିବା ସତ୍ତ୍ୱେ କାହିଁକି ଗଛମୂଳ ପୋଡ଼ା ଯିବା ବଢ଼ିଲା? କାହିଁକି ଆପଣମାନେ ଗଛ ମୂଳ ପୋଡ଼ାକୁ ରୋକିଲେ ନାହିଁ? ଏହା କ’ଣ ଆପଣଙ୍କ ବିଫଳତା ନୁହେଁ କି? ବୋଲି ପ୍ରଶ୍ନ ପଚାରିଥିଲେ ଖନ୍ଦପୀଠ । ଆପଣଙ୍କ ରାଜ୍ୟ ଶାସନ କଳର ସମସ୍ତଙ୍କୁ ଆମେ ଏଥିପାଇଁ ଦାୟୀ କରୁଛୁ ବୋଲି ବଡ଼ ବିରକ୍ତ ହୋଇ ପଞ୍ଜାବର ମୁଖ୍ୟ ଶାସନ ସଚିବଙ୍କୁ କହିଥିଲେ ସୁପ୍ରିମ୍‌କୋର୍ଟ । ଆପଣମାନେ ଦିଲ୍ଲୀ ଲୋକଙ୍କୁ ଏପରି ଅବସ୍ଥା ସୃଷ୍ଟି କରି ମାରିପାରିବେ ନାହିଁ । ଏହାପରେ ଖନ୍ଦପୀଠଙ୍କ ସ୍ୱର ଆହୁରି କଠୋର ହୋଇଥିଲା । ଖନ୍ଦପୀଠ ପ୍ରଶ୍ନ କରିଥିଲେ, ଦିଲ୍ଲୀବାସୀଙ୍କୁ କାହିଁକି ଗ୍ୟାସ୍‌ ଚାମ୍ବରରେ ରହିବା ଲାଗି ବାଧ୍ୟ କରାଯାଉଛି? ତା’ ଅପେକ୍ଷା ଭଲ ହେବ ଥରକେ ସମସ୍ତଙ୍କୁ ମାରିଦେବା । ୧୫ ବସ୍ତା ବିସ୍ଫୋରକ ଏଥିପାଇଁ ନେଇଆସିବା ଭଲ ବୋଲି ବଡ଼ ରାଗରେ କହିଥିଲେ । ଉପସ୍ଥିତ ଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଲକ୍ଷ୍ୟ କରି ଜଷ୍ଟିସ୍‌ ଅରୁଣ ମିଶ୍ର କହିଥିଲେ, ପ୍ରଦୂଷଣକୁ ନେଇ ପରସ୍ପର ଦୋଷାରୋପ କୌଣସି ସମାଧାନର ସୂତ୍ର ନୁହେଁ । ବାହାରର ଲୋକେ ଆମ ଉପରେ ହସୁଛନ୍ତି । ସେମାନେ କହୁଛନ୍ତି ଏପରି ଦେଶ ଯିଏ ନଡ଼ାପୋଡ଼ାକୁ ରୋକିପାରୁ ନାହିଁ । ପ୍ରଦୂଷଣକୁ ନେଇ ପରସ୍ପର ଉପରେ ଦୋଷାରୋକ୍ତ ଦିଲ୍ଲୀ ଲୋକଙ୍କର କିଛି ସେବା କରୁନାହିଁ । ପଞ୍ଜାବ ମୁଖ୍ୟ ଶାସନ ସଚିବ ସୁପ୍ରିମ୍‌କୋର୍ଟଙ୍କୁ କହିଥିଲେ ହଜାରେ ଏଫ୍‌ଆଇଆର୍‌ ପୋଡ଼ା ଘଟଣା ପାଇଁ ରୁଜୁ ହୋଇସାରିଛି ତଥା ୧କୋଟି ଟଙ୍କାରୁ ଅଧିକ ଫାଇନ୍‌ ଲଗାଯାଇଛି । ଜଷ୍ଟିସ୍‌ ଅରୁଣ ମିଶ୍ର ଆଗକୁ କହିଥିଲେ, ଗଛମୂଳ ପୋଡ଼ିବା ସେମାନଙ୍କ ଅଧିକାର ବୋଲି କୌଣସି ଚାଷୀ କହିପାରିବେ ନାହିଁ । ପରବର୍ତ୍ତୀ ଚାଷ ସକାଶେ ସମୟ କମ୍‌ ଥିବାରୁ ଏପରି ଭାବରେ ଏହାକୁ ନଷ୍ଟ କରିବା ସେମାନେ କରିପାରିବେ ନାହିଁ । ଏହା ସେମାନଙ୍କ ପାଇଁ ବାଧ୍ୟବାଧକତା ହୋଇପାରେ, ହେଲେ ସେମାନେ ସମ୍ବିଧାନର ୨୧ ଧାରା ଭଙ୍ଗ କରୁଛନ୍ତି । ସେମାନେ ଏପରି ନଡ଼ାପୋଡ଼ି ଅନ୍ୟମାନଙ୍କୁ କହୁଛନ୍ତି ତୁମେ ସବୁ ମରିପାର, ଆମର ସେଥିପ୍ରତି ଟିକିଏ ବି ସମବେଦନା ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*