‘ଗ୍ରେଟ୍‌ ଡିପ୍ରେସନ୍‌’କୁ ୯୦ ବର୍ଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବିଶ୍ୱବ୍ୟାପୀ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥାର ମାହୋଲ । ପ୍ରତି ଦେଶର ସରକାର ଚାହିଦା ବୃଦ୍ଧି ସହ ମାନ୍ଦାବସ୍ଥାରୁ ନିଜ ଦେଶକୁ ମୁକୁଳାଇବାର ଭରପୂର ପ୍ରୟାସ କରୁଛନ୍ତି । ଭାରତୀୟ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଧାରାକୁ ଫେରାଇ ଆଣିବା ପାଇଁ ଆରବିଆଇ ଏବଂ କେନ୍ଦ୍ର ସରକାର ଟିକସ ବ୍ୟବସ୍ଥାରେ କିଛି କୋହଳ ପଦକ୍ଷେପ ନେଉଛନ୍ତି । ତେବେ ପ୍ରଥମ ଥର ପାଇଁ ଅର୍ଥ ବ୍ୟବସ୍ଥାରେ ଏଭଳି ମାନ୍ଦାବସ୍ଥା ଦେଖିବାକୁ ମିଳିନାହିଁ । ୨୦୦୮-୦୯ ମସିହାର ବିଶ୍ୱ ମାନ୍ଦାବସ୍ଥା ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଥିଲା । ହେଲେ ଇତିହାସରେ ଯଦି ସବୁଠୁ ବଡ଼ କୌଣସି ମାନ୍ଦାବସ୍ଥାର ଆଲୋଚନା ହୁଏ ତେବେ ସେଥିରେ ଆଗରେ ରହିବ ୧୯୨୯ ମସିହାରେ । ଏହି ମାନ୍ଦାବସ୍ଥାକୁ ମହାମାନ୍ଦାବସ୍ଥା ଅର୍ଥାତ୍‌ ‘ଗ୍ରେଟ ଡିପ୍ରେସନ୍‌’ ନାମ କରଣ କରାଯାଇଛି । ଏହି କାରଣରୁ ପାଖାପାଖି ୨ କୋଟି ଲୋକ ନିଜ କର୍ମନିଯୁକ୍ତିରେ ହରାଇବାକୁ ବାଧ୍ୟ ହୋଇଥିଲେ । ଏହାର ଶୁଭାରମ୍ଭ ଅକ୍ଟୋବର ୨୯ ମଙ୍ଗଳବାର ଆରମ୍ଭ ହୋଇଥିଲା । ଅର୍ଥାତ୍‌ ୯୦ ବର୍ଷ ତଳେ ମଙ୍ଗଳବାର ଏହି ମହାମାନ୍ଦାବସ୍ଥା ତାର କାୟାବିସ୍ତାର କରିଥିଲା । ତେଣୁ ଏହାକୁ କଳା ମଙ୍ଗଳବାର ବୋଲି ମଧ୍ୟ କୁହାଯାଏ ।
କଳା ମଙ୍ଗଳବାର : ୨୯ ଅକ୍ଟୋବର ୧୯୨୯ ଅର୍ଥାତ୍‌ ୯୦ବର୍ଷ ତଳେ ହଠାତ୍‌ ଆମେରିକାର ସେୟାର ବଜାରରେ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା । ସେହିଦିନ ମଧ୍ୟ ମଙ୍ଗଳବାର ଥିଲା । ଏହି ହ୍ରାସର ପ୍ରଭାବ ତୁରନ୍ତ ବିଶ୍ୱର ଅନ୍ୟ ସେୟାର ବଜାରରେ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ଥିଲା ଯେ, ଏହି ମାନ୍ଦାବସ୍ଥାର ଚକ୍ରରେ ବିଶ୍ୱର ସମସ୍ତ ରାଷ୍ଟ୍ର ୧୦ବର୍ଷ ଧରି ପଡିରହିଥିଲେ ।
ସେୟାର ବଜାରରେ ହ୍ରାସ ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ, ଲୋକେ ଖର୍ଚ୍ଚ ହ୍ରାସ କରିବାରେ ଲାଗିପଡିଥିଲେ । ନୂଆ ନିବେଶ ତ ଦୂରର କଥା କମ୍ପାନୀମାନେ ଖର୍ଚ୍ଚ ହ୍ରାସ ଉପରେ ମଧ୍ୟ ଜୋର ଦେବା ଆରମ୍ଭ କରିଥିଲେ । ବ୍ୟାଙ୍କରେ ଜମା କରିବା ପରିବର୍ତ୍ତେ ଲୋକେ ଟଙ୍କା ଉଠାଇବା ଆରମ୍ଭ କରିବାରୁ ବ୍ୟାଙ୍କ ମାନଙ୍କର ଋଣ ଦେବା କ୍ଷମତା ହ୍ରାସ ପାଇଲା । ପରେ ପରେ ଅନେକ ବ୍ୟାଙ୍କ ଦେବାଳିଆ ହୋଇଥିଲେ । ଏହି ସମୟରେ ଅର୍ଥାତ୍‌ ୧୯୩୦ରେ ଆମେରିକାରେ ମରୁଡି ପରିସ୍ଥିତି ସୃଷ୍ଟି ହେବାରୁ କୃଷି କ୍ଷେତ୍ର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା । ଆମେରିକାର ଆର୍ଥିକ ସ୍ଥିତି ଦୁର୍ବଳ ହେବାର ପ୍ରଭାବ ଧିରେଧିରେ ଅନ୍ୟ ଦେଶରେ ଅନୁଭୂତ ହେଲା । ଆଉ ବିଶ୍ୱର ପ୍ରତିଟି ଦେଶ ମାନ୍ଦାବସ୍ଥାର ଶିକାରେ ହେବାରେ ଲାଗିଲା । ବିଶ୍ୱବ୍ୟାପୀ ବଜାରରେ ଚାହିଦା ହ୍ରାସ କାରଣରୁ ୧୯୨୯ ରୁ ୧୯୩୨ ମଧ୍ୟରେ ଔଦ୍ୟୋଗିକ ଉତ୍ପାଦନ ହାର ୪୫ ପ୍ରତିଶତ ହ୍ରାସ ପାଇଥିଲା । ପାଖାପାଖି ୧କୋଟି ୮୦ଲକ୍ଷ ଲୋକ ବେରୋଜଗାର ହେଲେ, ୫ ହଜାର ବ୍ୟାଙ୍କ ବନ୍ଦ ହୋଇଗଲା । ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ସହ ଏହାର ପ୍ରଭାବ ଧିରେଧିରେ କମିବାରେ ଲାଗିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*