ଗୋଲି ମାରୋ ଦିଲ୍ଲୀ ନିର୍ବାଚନରେ ଭାଜପାର କ୍ଷତି ଘଟାଇଲା: ଶାହା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦିଲ୍ଲୀ ନିର୍ବାଚନ ଫଳାଫଳ ଘୋଷଣା ହେବାର ଦୁଇଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅମିତ ଶାହା ନିଜ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ବରିଷ୍ଠ ଭାଜପା ନେତା ତଥା ପ୍ରାୟ ୨୦୦ରୁ ବେଶୀ ଭାଜପା ସାଂସଦ ଏକ ହାଇଭୋଲଟେଜ୍‌ ପ୍ରଚାର କରିଥିଲେ ମଧ୍ୟ ଅରବିନ୍ଦ କେଜି୍ରୱାଲଙ୍କ ଝଡ଼ ଆଗରେ ଏହା କୌଣସି ପ୍ରଭାବ ଦେଖାଇପାରିନଥିଲା । ଆପ୍‌ର ଝାଡୁ ଏପରି ଓଳେଇଦେଲା ଯେ ଭାଜପାର ୪୮ ଆସନ ଜିତିବାର କଥା ଆଶାରେ ରହିଗଲା । ଦଳ କେବଳ ୮ ଆସନରେ ବିଜୟଲାଭ କରିଥିଲା ବେଳେ ଆପ୍‌ ୬୨ ଆସନ ଜିତି ଲଗାତାର ତୃତୀୟଥର ପାଇଁ ସରକାର ଗଢ଼ିବାକୁ ଯାଉଛି । ମଙ୍ଗଳବାରଠାରୁ ଭାଜପା ଭିତରେ ପରାଜୟକୁ ନେଇ ଏକାଧିକ ବୈଠକ ହୋଇସାରିଲାଣି । ତେବେ ଗୁରୁବାର ଅମିତ ଶାହାଙ୍କ ପକ୍ଷରୁ ଆସିଥିବା ବୟାନ ବଡ଼ ଚର୍ଚ୍ଚାରେ ରହିଛି । ଭାଜପା ନେତାମାନେ ଅନ୍ୟକୁ ଆଘାତ ଦେଲା ଭଳି ଗୋଲି ମାରୋ କିମ୍ବା ଭାରତ-ପାକିସ୍ତାନ ମ୍ୟାଚ୍‌ ଭଳି ଶବ୍ଦର ବ୍ୟବହାର କରିବା ଉଚିତ୍‌ ନଥିଲା । ସେହି ବକ୍ତବ୍ୟଗୁଡ଼ିକ ଦଳର ପରାଜୟର କାରଣ ବନିଥାଇପାରେ ବୋଲି ଅମିତ ଶାହା କହିଛନ୍ତି । ତେବେ ଭାଜପା କେବଳ ଜିତିବା ପାଇଁ ନିର୍ବାଚନ ଲଢ଼ିନଥାଏ । ଦଳର ଆଦର୍ଶ ନିର୍ବାଚନ ମାଧ୍ୟମରେ ବଢ଼ାଇବା ଦଳର ଲକ୍ଷ୍ୟ ଥାଏ ବୋଲି ମଧ୍ୟ ଶାହା କହିଛନ୍ତି । ଟେଲିଭିଜନ ଚ୍ୟାନେଲ ଟାଇମ୍ସ ନାଓର ଏକ କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖିଲା ବେଳେ ଅମିତ ଶାହା କହିଛନ୍ତି ଆମ ନେତାମାନଙ୍କୁ ଭାରତ-ପାକ୍‌ ମ୍ୟାଚ୍‌ କିମ୍ବା ଗୁଳିମାର ଶବ୍ଦର ବ୍ୟବହାର କରିବାର ନଥିଲା । ଆମ ଦଳ ସେଭଳି ମନ୍ତବ୍ୟରୁ ନିଜକୁ ଦୂରେଇ ସାରିଛି ।

କିଛି ନେତାଙ୍କ ବକ୍ତବ୍ୟ ଦିଲ୍ଲୀ ନିର୍ବାଚନରେ ଦଳର କ୍ଷତି ଘଟାଇଥାଇପାରେ ବୋଲି କହି ପରୋକ୍ଷରେ ଅସୂୟା ମନ୍ତବ୍ୟ ଦଳର ପରାଜୟର କାରଣ ବନିଥିବା ସ୍ୱିକାର କରିଛନ୍ତି । ଦିଲ୍ଲୀ ନିର୍ବାଚନ ବାବଦରେ ତାଙ୍କ ଗଣନା ଭୁଲ୍‌ ହୋଇଥିବା ସ୍ୱୀକାର କରିଥିଲା ବେଳେ ସେ କିନ୍ତୁ ଖନ୍ଦ କରିଥିଲେ ଯେ ନିର୍ବାଚନ ଫଳାଫଳ ସିଏଏ କିମ୍ବା ଏନ୍‌ଆର୍‌ସି ଉପରେ ଜନାଦେଶ ନୁହେଁ । ଯେକୌଣସି ବ୍ୟକ୍ତି ସିଏଏ ବାବଦରେ ଆଲୋଚନା କରିବାକୁ ଚାହିଁଲେ ମୋ’ ଅଫିସ ସହ ଯୋଗାଯୋଗ କରିପାରିବେ । ତିନିଦିନ ମଧ୍ୟରେ ଆମେ ତାଙ୍କୁ ସମୟ ଦେବୁ ବୋଲି ଶାହା କହିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଦେଇଥିବା ବକ୍ତବ୍ୟରେ ଦେଶର ବିଭାଜନ ଧର୍ମର ଆଧାରରେ କରାଯାଇଥିବାରୁ ଏହାର ଦୋଷ କଂଗ୍ରେସ ଉପରେ ଲଗାଇଥିଲେ ।
ସତର୍କ କଲେ ସାଥୀ
ଭାରତୀୟ ଜନତା ପାର୍ଟିର ବହୁଦିନର ସହଯୋଗୀ ତଥା ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟରେ ସାମିଲ ଥିବା ବଡ଼ ଦଳ ଶିରୋମଣି ଅକାଳୀ ଦଳ ଗୁରୁବାର ଏକରକମ ସତର୍କ କରିଛି ଭାଜପାକୁ । ଦଳର ପ୍ରମୁଖ ପ୍ରକାଶ ସିଂ ବାଦଲ ଗୁରୁବାର ଏକ ଜନସଭାରେ ନିଜ ବକ୍ତବ୍ୟ ଦେଲାବେଳେ କହିଛନ୍ତି ଏକ ସଫଳ ସରକାର ଚଳାଇବାକୁ ହେଲେ ସଂଖ୍ୟାଲଘୁମାନଙ୍କୁ ମଧ୍ୟ ସାଥୀରେ ନେଇ ଯିବାକୁ ହୋଇଥାଏ । ସବୁ ଧର୍ମକୁ ଉଚିତ୍‌ ସମ୍ମାନ ମଧ୍ୟ ପ୍ରଦାନ କରାଯିବା ଦରକାର । ଅମୃତସରରେ ଆୟୋଜିତ ଏକ ଜନସଭାରେ ଭାଷଣ ଦେଲାବେଳେ ବର୍ତ୍ତମାନର ଦେଶର ଅବସ୍ଥାକୁ ବାଦଲ ଅତି ସାଂଘାତିକ ବୋଲି ଦର୍ଶାଇଥିଲେ । ବର୍ତ୍ତମାନ ଦେଶର ଅବସ୍ଥା ଆଦୌ ଭଲ ନାହିଁ । ସବୁ ଧର୍ମକୁ ସମ୍ମାନ ଦିଆଯିବା ସହ ସଂଖ୍ୟାଲଘୁମାନଙ୍କ ମଧ୍ୟ ସାଙ୍ଗରେ ନେଇ ଯିବାକୁ ପଡ଼ିବ । ତା’ହେଲେ ଯାଇ ଦେଶର ସମସ୍ତ ନାଗରିକ ଭାଇମାନେ ଗୋଟିଏ ପରିବାରର ବୋଲି ମନେ କରିବେ ବୋଲି ସେହି ସଭାରେ କହିଥିଲେ ବାଦଲ । ଏଠାରେ ଉଲ୍ଲେଖଯୋଗ୍ୟ ନାଗରିକତା ସଂଶୋଧନ ଆଇନ୍‌ରେ ମୁସଲମାନଙ୍କୁ ସାମିଲ କରିବା ପାଇଁ ପୂର୍ବରୁ ଦାବି କରିସାରିଛି ଶିରୋମଣି ଅକାଳୀ ଦଳ । ଯେଉଁମାନେ କେନ୍ଦ୍ରରେ ସରକାର ଗଢ଼ିବେ ଆଉ ଯେଉଁମାନେ ରାଜ୍ୟରେ ସରକାର ଗଢ଼ିବେ ସେମାନେ ସମସ୍ତେ ନିଷ୍ଠାର ସହ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ଭାବନାକୁ ନେଇ କାର୍ଯ୍ୟ କରିବା ଦରକାର ବୋଲି ବାଦଲ ଦର୍ଶାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*