ଖସିଲା ଟିକସ : ନୂଆ ଘର କିଣିବା ହେବ ସହଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ନିଜର ସ୍ୱପ୍ନର ଘର ପାଇଁ ଆଶା ରଖିଥିବା ଲୋକଙ୍କୁ ରବିବାର ବଡ଼ ଉପହାର ଦେଇଛି ଜିଏସ୍‌ଟି ପରିଷଦ । ଘର ଉପରେ ଲାଗୁଥିବା ଟିକସ ଦରକୁ ପରିଷଦ ହ୍ରାସ କରିବାର ନିଷ୍ପତ୍ତି ନେଇଛି । ନିର୍ମାଣାଧିନ ପ୍ରକଳ୍ପର ଘର ଉପରେ ଜିଏସ୍‌ଟି ଦରକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ (ବିନା ଇନ୍‌ପୁଟ୍‌ ଟିକସ କ୍ରେଡିଟ୍‌) ହ୍ରାସ କରାଯାଇଛି । ସେହିପରି ଶସ୍ତା ଘର ଉପରେ ଜିଏସ୍‌ଟି ଦରକୁ ୮ ପ୍ରତିଶତରୁ ୧ ପ୍ରତିଶତକୁ (ଇନ୍‌ପୁଟ୍‌ ଟିକସ କ୍ରେଡିଟ୍‌ ବିନା) ହ୍ରାସ କରାଯାଇଛି । ତେବେ ଜିଏସ୍‌ଟିର ଏହି ନୂଆ ଦର ପରେ ବିଲ୍‌ଡର୍ସମାନେ ଇନ୍‌ପୁଟ୍‌ ଟ୍ୟାକ୍ସ କେଡି୍ରଟ୍‌ ପାଇବାର ଦାବି କରିପାରିବେ ନାହିଁ ।
ଜିଏସ୍‌ଟି ପରିଷଦର ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି ଯେ ଆମେ ରିଅଲ୍‌ ଇଷ୍ଟେଟ୍‌ ସେକ୍ଟରକୁ ସହଯୋଗ ପାଇଁ ପଦକ୍ଷେପ ନେଇଛୁ । ଶସ୍ତା ଘରର ପରିଭାଷାକୁ ମଧ୍ୟ ବଦଳା ଯାଇଛି । କିପରି ଅଧିକରୁ ଅଧିକ ଲୋକ ନିଜର ସ୍ୱପ୍ନର ଘର ପାଇପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ । ସେ କହିଥିଲେ ଯେ ବେଙ୍ଗାଲୁରୁ, ଚେନାଇ, ଦିଲ୍ଲୀ-ଏନ୍‌ସିଆର୍‌, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଆଦି ମେଟ୍ରୋ ସହରରେ ୬୦ ବର୍ଗ ମିଟର କାର୍ପେଟ ଏରିୟା ପର୍ଯ୍ୟନ୍ତ ଘରକୁ ଶସ୍ତା ଘର ଭାବେ କୁହାଯାଉଥିଲା ବେଳେ ଅଣମେଟ୍ରୋ ସହରମାନଙ୍କରେ ଏହା ୯୦ ବର୍ଗମିଟର ଅଟେ । ଏହି ଶସ୍ତା ଘରର ମୂଲ୍ୟ ସର୍ବାଧିକ ୪୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ । ନୂଆ ଦର ଏପ୍ରିଲ୍‌ ୧, ୨୦୧୯ରୁ ଲାଗୁ ହେବ । ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୦ ତାରିଖରେ ଜିଏସ୍‌ଟି ପରିଷଦର ୩୩ତମ ବୈଠକରେ ଏହି ରିଅଲ୍‌ ଇଷ୍ଟେଟ୍‌ ପ୍ରସଙ୍ଗ ଉପରେ କୌଣସି ନିଷ୍ପତ୍ତି ନିଆଯାଇନଥିଲା ବେଳେ ରବିବାର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଲଟେରୀ ଉପରେ ଜିଏସ୍‌ଟି ସମ୍ପର୍କରେ ନିଷ୍ପତ୍ତି ଅଟକି ରହିଛି । ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଲଟେରୀ ଯୋଜନା ଉପରେ ୧୨ ପ୍ରତିଶତ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତ ଲଟେରୀ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*