କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଢୋ ହୋଇଗଲା ‘ମୋ ସରକାର’ ହସ୍ପିଟାଲ ଫୁଟ୍‌ପାଥରେ ମହିଳାଙ୍କ ପ୍ରସବ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

୨ତାରିଖ ଗାନ୍ଧୀ ଜୟନ୍ତୀରୁ କ୍ୟାପିଟାଲ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ‘ମୋ ସରକାର’ ଯୋଜନା । ସେହି କ୍ୟାପିଟାଲ ହସ୍ପିଟାଲରେ ନବୀନଙ୍କ ଏହି ବହୁ ପ୍ରଚାରିତ ମୋ ସରକାର ଯୋଜନାର ବାରୁଟା ବାଜିଗଲା । ଜଣେ ଆସନ୍ନ ପ୍ରସବ ମହିଳାଙ୍କୁ କି୍ରଟିକାଲ୍‌ କହି ଫେରାଇ ଦେଇଥିଲେ ଡାକ୍ତର । କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ରକ୍ତଭନ୍ଦାର ବାରନ୍ଦାରେ ମହିଳା ଜଣକ ଜନ୍ମ ଦେଲେ ଗୋଟିଏ ଶିଶୁ ପୁତ୍ରକୁ । ମୋ ସରକାର ଯୋଜନା ଯେ, କେବଳ ନାଟକ ପାଇଁ ଉଦ୍ଦିଷ୍ଟ, ତାହାକୁ ଏହି ମହିଳା ଜଣକ ସମସ୍ତଙ୍କ ସାମ୍ନାରେ ପ୍ରମାଣ କରି ଦେଖାଇ ଦେଲେ ।
ମୋ ସରକାରର ପ୍ରଚାର ପାଇଁ ଅଚାନକ ବାହାରି ପଡିଥିଲେ ୫-ଟି ସଚିବ ଭିକେ ପାନ୍ଦିଆନ । ଦକ୍ଷିଣର ଉପାନ୍ତ ଜିଲ୍ଲାକୁ ଉଡିଗଲେ ହେଲିକପ୍ଟରରେ । ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମତୁଲ୍ୟ ସମର୍ଦ୍ଧନାର ବ୍ୟବସ୍ଥା କରାଗଲା । ଡାକ୍ତରଖାନା ବୁଲି ବହୁ ପରାମର୍ଶ ଦେଇ ଫେରିଆସିଛନ୍ତି ପାନ୍ଦିଆନ । କିନ୍ତୁ ଖୋଦ୍‌ ରାଜଧାନୀରେ ନବୀନ ଓ ପାନ୍ଦିଆନଙ୍କ ଚିନ୍ତା ପ୍ରସୂତ ‘ମୋ ସରକାର’ ବିଫଳ ହୋଇଗଲା ଗୋଟିଏ ଦିନରେ । ଶୁକ୍ରବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଘଟିଥିବା ଏହି ଘଟଣାଟି ସରକାରଙ୍କର ଏବଂ ଯୋଜନାର ଅସଲ ଚିତ୍ର ଲୋକଙ୍କ ପାଖରେ ଧରାପକାଇ ଦେଲା ।
୫-ଟି କୁ କାର୍ଯ୍ୟକାରୀ କରାଗଲେ ସାଧାରଣ ଜନତାର କୌଣସି ସମସ୍ୟା ରହିବ ନାହିଁ ବୋଲି ଦାବି କରି ସରକାର ଏହାର ବ୍ୟାପକ ପ୍ରଚାର କଲେ । ଶୁକ୍ରବାର ବିଳମ୍ବିତ ରାତିରେ ସାଲିଆସାହି ଅଞ୍ଚଳର ଆଦିବାସୀ ମହିଳା ପାନା ମୁର୍ମୁ ପ୍ରସବ ବେଦନା ନେଇ ହସ୍ପିଟାଲରେ ପହଞ୍ଚିଲେ । ଅତ୍ୟଧିକ ପ୍ରସବ ବେଦନା ହେଉଥିବା ଦର୍ଶାଇ ମହିଳା ଓ ପ୍ରସୂତୀ ବିଭାଗରେ ଭର୍ତ୍ତି ହେଲେ । ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସମାନେ ଗର୍ଭବତୀଙ୍କୁ ଲେବର ରୁମ୍‌କୁ ନେଇ ପରୀକ୍ଷା ନିରୀକ୍ଷା କଲେ । ଡାକ୍ତର ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଏବେ ପ୍ରସବ ହେବ ନାହିଁ ବୋଲି କହିଲେ । ମହିଳାଙ୍କ ପରିବାର ଆଜି ପ୍ରସବ ତାରିଖ ଥିବାରୁ ଏହା କିପରି ସମ୍ଭବ ବୋଲି ଯୁକ୍ତି କଲେ । ଏଥିରେ ରାଗିଯାଇ ଡାକ୍ତର ଓ ସେବିକା ତାଙ୍କୁ କଟକ ରେଫର କରିଦେବାକୁ ଚେତାବନୀ ଦେଲେ । ଏପରିକି ଘରକୁ ଫେରିଯାଅ, ପ୍ରସବ ବେଦନା ଆସିଲେ ଡାକ୍ତରଖାନା ଆସିବ ବୋଲି ଜଣାଇଦେଲେ । ପାନା ମୁର୍ମୁ ଜଣେ ଆଦିବାସୀ ମହିଳା ହୋଇଥିବା ବେଳେ କାମଧନ୍ଦା କରି ଜୀବିକା ନିର୍ବାହ କରୁଥିଲେ । ପାଖରେ ଟଙ୍କା ପଇସା ନଥିବାରୁ କଟକ ଯିବା ସମ୍ଭବ ନୁହେଁ ବୋଲି କହିଥିଲେ । ତାଙ୍କୁ ଲେବର ରୁମ୍‌ରୁ ବାହାର କରିଦିଆଯିବାରୁ ସେ ନିଜ ପରିବାରଙ୍କ ସହ ହସ୍ପିଟାଲ ବାହାରକୁ ଆସୁଥିଲେ ।
ଅସହ୍ୟ ପ୍ରସବ ବେଦନା ସହ ଏହି ମହିଳା ଜଣଙ୍କ ହସ୍ପିଟାଲ ପରିସରରୁ ବାହାରକୁ ଆସିପାରିନଥିଲେ । ବ୍ଲଡ୍‌ ବ୍ୟାଙ୍କ୍‌ ସମ୍ମୁଖ ଫୁଟପାଥ ଉପରେ ସେ ବସିପଡିଥିଲେ । ଅସହ୍ୟ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉହେଉ ଫୁଟପାଥ ଉପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ କଲେ । ଏହା ଦେଖିବା ପରେ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏନେଇ ନିଜର ରୋଷ ପ୍ରକାଶ କରିଥିଲେ । ଡାକ୍ତରଖାନା କର୍ମଚାରୀମାନେ ଏହି ମହିଳା ଓ ତାଙ୍କ ଶିଶୁ ପୁତ୍ରକୁ ପ୍ରସୂତୀ ବିଭାଗକୁ ଆଣିବାକୁ କହିଥିଲେ । ଏହାପରେ ତାଙ୍କର ଚିକିତ୍ସା ହୋଇଥିଲା । ଘଟଣାକୁ ନେଇ ଶନିବାର ସକାଳେ ପ୍ରସୂତୀ ବିଭାଗରେ ଉତ୍ତୋଜନା ପ୍ରକାଶ ପାଇଥିଲା । ରୋଗୀ ଓ ସମର୍ଥକମାନେ କର୍ତ୍ତୃପକ୍ଷ ଖାମଖିଆଲ ମନୋଭାବକୁ ନେଇ ପ୍ରବଳ ଆପତ୍ତି ଉଠାଇଥିଲେ । ରାଜଧାନୀର ଏହି ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ମିଳୁନଥିବା ବେଳେ ମୋ ସରକାର ଯୋଜନା ଏବେ କେଉଁ ଦିଗରେ ଯାଉଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ନକରି ଡାକ୍ତରଖାନା ଅଧିକାରୀମାନେ ତାଙ୍କୁ ଫେରାଇ ଦେବା ଘଟଣା ଉପରେ ଜୋରଦାର ଆଲୋଚନା ହେଲା । ହସ୍ପିଟାଲ ଅଧିକ୍ଷକ ଏ ସମ୍ପର୍କରେ ଗଣମାଧ୍ୟମରେ ପାଲଟା ସଫେଇ ରଖିଲେ । ତାଙ୍କ ନିକଟରେ ଗର୍ଭବତୀ ମହିଳାଙ୍କ ପକ୍ଷରୁ ଏଯାଏଁ ଅଭିଯୋଗ ହୋଇନଥିବା କହିଲେ । ଏହି ମହିଳା ଜଣଙ୍କ ଗତ ରାତିରେ ହସ୍ପିଟାଲ ଆସିଥିଲେ । ଡାକ୍ତରମାନେ ଲେବର ରୁମ୍‌ରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେଠାରୁ ତାଙ୍କୁ ଫେରାଇ ଦିଆଯାଇଥିବା ଘଟଣାକୁ ସ୍ୱୀକାର କରିଥିଲେ ମଧ୍ୟ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସମ୍ପର୍କରେ ସେ କିଛି ଜାଣିନାହାନ୍ତି ବୋଲି କହିଥିଲେ । ୫-ଟିରେ କାର୍ଯ୍ୟ କରିବାକୁ ସବୁ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଥିଲା । ୫-ଟି ସଚିବ ଭି.କେ ପାନ୍ଦିଆନ୍‌ ବିଭିନ୍ନ ଜିଲ୍ଲା, ହସ୍ପିଟାଲ ବୁଲି ସ୍ୱାସ୍ଥ୍ୟସେବା ଠିକ୍‌ ଚାଲିଛି ବୋଲି କହିଲେ । ଡାକ୍ତରଖାନା ବୁଲି ଖୁସି ହୋଇ ଆହର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଇଲେ । ଅସଲରେ ରୋଗୀ ସେବା କିପରି ଚାଲିଛି ତାହା କ୍ୟାପିଟାଲ ହସ୍ପିଟାଲ ଘଟଣାରୁ ଏହା ଧରାପଡିଛି । ଜଣେ ଗରିବ ଆଦିବାସୀ ଗର୍ଭବତୀ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସେବା ମିଳିନଥିବା ଯେତିକି ଦୁର୍ଭାଗ୍ୟ ଜନକ, ତାହା ମୋ ସରକାର କାର୍ଯ୍ୟକ୍ରମ ଉପରେ ଏକ ବଡ଼ ସନେ୍ଦହ ସୃଷ୍ଟି କରିଛି । ସରକାର କେବଳ ପ୍ରଚାର ଉପରେ ଭରସା କରୁଛନ୍ତି । ଲୋକଙ୍କ ସେବାକୁ ପଛ କରି କେବଳ ପ୍ରଚାରରେ ମାତିଥିବା ସରକାର ଲୋକମାନଙ୍କୁ ସହାୟତା ଦେଇପାରୁନଥିବା ଏଥିରୁ ସ୍ପଷ୍ଟ ହେଉଛି । ୫-ଟି ଓ ମୋ ସରକାର କେବଳ ପ୍ରହସନ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଭିତ୍ତିଭୂମୀ ନଥାଇ ୫-ଟି ଓ ମୋ ସରକାର କିପରି ଚାଲିବ ବୋଲି ଚାରିଆଡେ ଆଲୋଚନା ହେଉଛି ।
ଡାହା ମିଛ
ଧରାପଡ଼ିଲା : ଭାଜପା
କ୍ୟାପିଟାଲ ହସ୍ପିଟାଲର ଏହି ନଗ୍ନ ଛବି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସାରା ରାଜ୍ୟରେ ଲଜ୍ଜା ବଢ଼ିଯାଇଛି ବୋଲି ଭାଜପା ରାଜ୍ୟ ମହିଳା ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି । ଏହି ସରକାରଙ୍କ ୫ଟି ଏବଂ ମୋ ସରକାର ଯୋଜନା କେତେ ଡାହା ମିଛ ରାଜଧାନୀରେ ତାହା ଧରାପଡ଼ିଛି । ୫ଟିର ଅଧ୍ୟକ୍ଷ ରାଜ୍ୟବ୍ୟାପୀ ବୋଲି ହସ୍ପିଟାଲର ସ୍ୱାସ୍ଥ୍ୟସେବା ବୁଝୁଛନ୍ତି । ଏଠି ରାଜଧାନୀ ହସ୍ପିଟାଲ ଫୁଟ୍‌ଫାଥରେ ଗର୍ଭବତୀ ପ୍ରସବ କରୁଛି । ଏହି ୫ଟି ଓ ମୋ ସରକାର ଯୋଜନା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ୫ଟି ସଚିବ ଓ ଦାୟୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଭାତୀ ଦାବି କରିଛନ୍ତି ।
ସରକାରୀ ଯୋଜନା କେବଳ
ପ୍ରହସନ : କଂଗ୍ରେସ
କ୍ୟାପିଟାଲ ହସ୍ପିଟାଲର ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ କଡା ପ୍ରତିକ୍ରିୟା ରଖାଯାଇଛି । ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଏହି ରାଜ୍ୟରେ ଜନସାଧାରଣ କୌଣସି ପ୍ରକାର ନ୍ୟାୟ ପାଉନାହାନ୍ତି । ଏହାକୁ ନେଇ କଂଗ୍ରେସ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଇନାହିଁ । ରାଜଧାନୀ ଘଟଣା ସମାଜର ଆଖି ଖୋଲି ଦେଇଛି । ଆଦିବାସୀ ମହିଳା ବିଶେଷ କରି ଗର୍ଭବତୀଙ୍କ ପାଇଁ ଏହି ସରକାରର କୌଣସି ଦୟା ନାହିଁ । ୫ଟି କେବଳ ଲୋକ ଦେଖାଣିଆ ପ୍ରହସନ । ମୋ ସରକାର ଯୋଜନା କେବଳ ଓଡ଼ିଶା ସରକାରଙ୍କ ନିଜସ୍ୱ ପ୍ରଚାର ବୋଲି ନରସିଂହ କଟାକ୍ଷ କରିଛନ୍ତି । କୌଣସି ବ୍ୟବସ୍ଥା ନଥାଇ ମୋ ସରକାର ଯୋଜନାର ମାନେ ଓଡ଼ିଶା ସରକାରଙ୍କୁ ମୋର କହିବା ଛଡା ଆଉ କିଛି ମାନେ ନାହିଁ ବୋଲି ନରସିଂହ କହିଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*