କ୍ଷମତା ଏବଂ ସିନ୍ଧିଆ/ ୬୩ ବର୍ଷର ରାଜନୈତିକ ଯାତ୍ରା,ରାଜନୀତିରେ ମାଷ୍ଟରଷ୍ଟ୍ରୋକ୍‌ ପାଇଁ ପରିଚିତ ରାଜପରିବାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ସ୍ୱାଧୀନ ଭାରତର ରାଜନୀତିରେ ରାଜପରିବାରର ରାଜନୈତିକ ପ୍ରତିଷ୍ଠା ଓ ଆଧିପତ୍ୟ ବେଶ ରୋଚକ । ଆଉ ଏହି ଧାରାରେ ସବୁବେଳେ ଚର୍ଚ୍ଚାରେ ମଧ୍ୟପ୍ରଦେଶର ଗୋଆଲିୟର-ଗୁନାର ସିନ୍ଧିଆ ପରିବାରର କାହାଣୀ । ଏହି କାହାଣୀରେ ରାଜନୈତିକ ଘମାସାନର ସେହିସବୁ ଝଲକ ମିଳେ ଯାହା ଚୌକି ଲଢେଇରେ ଦେଖିବାକୁ ମିଳିଥାଏ । ମହାରାଷ୍ଟ୍ରର ସାତାରା ଜିଲାର କେହ୍ନୋରଖେଡ ଗ୍ରାମର ପାଟିଲ ଜାନକୋଜୀରାଓର ବଂଶଜମାନେ ଆଜି ପର୍ଯ୍ୟନ୍ତ ରାଜନୈତିକ କ୍ୟାରିୟରରେ ୨୭ଥର ସାଂସଦ ଏବଂ ୯ ଥର ବିଧାନସଭା ସଦସ୍ୟ ରହିଛନ୍ତି । ରାଜାମାତାଙ୍କଠାରୁ ଆରମ୍ଭ କରି ଜ୍ୟୋତିରାଦିତ୍ୟଙ୍କ ପର୍ଯ୍ୟନ୍ତ କ୍ଷମତାର ଏହି ଲଢେଇ ଭିତରେ ଏହି ରାଜ ପରିବାରର ମାଷ୍ଟାରଷ୍ଟ୍ରୋକ୍‌ ସବୁବେଳେ କ୍ଷମତାରେ ଥିବା ସରକାରକୁ ଭାରି ପଡିଛି ।
୧୮ ବର୍ଷ ଧରି କଂଗ୍ରେସ ସହ ସଂପୃକ୍ତ ରହିବା ପରେ ବାପାଙ୍କ ୭୫ତମ ପୂଣ୍ୟତିଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଘୋଷଣା କରିବା ସମସ୍ତଙ୍କୁ ଚକିତ କରିଛି ସତ, ଏଥିସହ କ୍ଷମତାର କାହାଣୀରେ ସିନ୍ଧିଆ ପରିବାର ଯୋଡିବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ । ଜ୍ୟୋତିରାଦିତ୍ୟଙ୍କ ଏହି ନିଷ୍ପତ୍ତିକୁ ସିନ୍ଧିଆ ପରିବାରର ସମସ୍ତେ କରିଛନ୍ତି ଜୋରଦାର ସ୍ୱାଗତ ।
୧. ରାଜମାତାଙ୍କ କାହାଣୀ:
ଦେଶରେ ରାଜତନ୍ତ୍ରର ବିଲୟ ପରେ ରାଜମାତାଙ୍କ ସ୍ୱାମୀ ଜିବାଜୀ ରାଓ ସ୍ୱାଧୀନ ଭାତରରେ ସିନ୍ଧିଆ ପରିବାରର ପ୍ରତିଷ୍ଠାକୁ ବଢାଇବାରେ ଲାଗିପଡିଥିଲେ । ରାଜନୀତିରେ ଜିବାଜୀଙ୍କର ଆଗ୍ରହ ନଥିଲା ବେଳେ ଏହି ରାଜଘରର ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି କଂଗ୍ରେସର ବଡ଼ ନେତାମାନେ ଲାଗିଥିଲେ ତାଙ୍କୁ ରାଜନୀତିକୁ ଆଣିବା ପାଇଁ । ଶେଷରେ ଜିବାଜୀ ରାଓ ପତ୍ନୀ ରାଜମାତା ବିଜୟା ରାଜେଙ୍କୁ ରାଜନୀତିରେ ପ୍ରବେଶର ଦେଇଥିଲେ ଅନୁମତି । ୪ ଝିଅ ଏବଂ ଗୋଟିଏ ପୁଅ ମାଧବରାଓଙ୍କ ମା’ ବିଜୟା ରାଜେ ପ୍ରଥମ ଥର ୧୯୫୭ରେ ଗୁନାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ ।
ଏହାପରେ ଲୋକଙ୍କ ଭିତରେ ରାଜମାତାଙ୍କ ଛବି ଆହୁରି ମଜବୁତ ହୋଇଥିଲା ଏବଂ ଏଥିସହ କଂଗ୍ରେସରେ ସିନ୍ଧିଆ ପରିବାରର ଭାରତୀୟ ରାଜନୀତିରେ ଔପଚାରିକ ପ୍ରବେଶ ଆରମ୍ଭ ହୋଇଥିଲା । ରାଜମାତା ଦୁଇଥର କଂଗ୍ରେସ, ଗୋଟିଏ ଥର ଜନସଂଘ, ଥରେ ଜନତାପାର୍ଟି, ତିନିଥର ଭାଜପାର ଟିକେଟରେ ଏବଂ ଥରେ ସ୍ୱାଧୀନ ଭାବେ ଲୋକସଭା ନିର୍ବାଚନ ଲଢି ମୋଟ୍‌ ୮ ଥର ଭାରତୀୟ ସଂସଦରେ ପ୍ରବେଶ କରିଛନ୍ତି । ରାଜମାତା ପ୍ରଥମେ କଂଗ୍ରେସକୁ ଝଟକା ଦେଇଥିଲେ । ପରେ ତାଙ୍କ ପୁଅ ମାଧବ ରାଓ ଏବଂ ଏବେ ନାତି ଜ୍ୟୋତିରାଦିତ୍ୟ ମଧ୍ୟ ଏପରି କରି ଇତିହାସକୁ ଦୋହରାଇଛନ୍ତି ।
୨. ମାଧବରାଓଙ୍କ କାହାଣୀ :
ରାଜମାତାଙ୍କ ସକି୍ରୟ ରାଜନୈତିକ କ୍ୟାରିୟର ଭିତରେ ହିଁ ରାଜନୀତିକୁ ଓହ୍ଲାଇଥିଲେ ମାଧବ ରାଓ । ୧୯୭୧ରେ ମା’ଙ୍କ ରାସ୍ତାରେ ଚାଲି ଗୁନାରୁ ଜନସଂଘର ଟିକେଟରେ ନିର୍ବାଚନ ଲଢିବା ସହ ୧୯୯୯ ପର୍ଯ୍ୟନ୍ତ ଲଗାତର ୯ଥର ଲୋକସଭା ନିର୍ବାଚନ ଜିତି ଏକ ରେକର୍ଡ ହାସଲ କରିଥିଲେ । ରାଜମାତା ଚାରୋଟି ଦଳରେ ନିଜ କ୍ୟାରିୟର କରିଥିଲା ବେଳେ ପୁଅ ମାଧବରାଓ ଜନସଂଘ, ସ୍ୱାଧୀନ, କଂଗ୍ରେସ ଏବଂ ପରେ ନିଜ ଦମ୍‌ରେ ମଧ୍ୟପ୍ରଦେଶ ବିକାଶ କଂଗ୍ରେସ ପାର୍ଟି ଗଠନ କରି ରାଜନୀତି କରିଥିଲେ ।
୧୯୮୦ରେ ସଂଜୟ ଗାନ୍ଧୀଙ୍କ ସହ ବନ୍ଧୁତା ଆରମ୍ଭରୁ ମାଧବରାଓ ଜନତା ଦଳ ଏବଂ ମା’ଙ୍କ ସହ ରାଜନୈତିକ ସମ୍ପର୍କ ଛିନ୍ନ କରି କଂଗ୍ରେସରେ ସାମିଲ ହୋଇଥିଲେ । ୧୯୯୬ରେ ସେ କଂଗ୍ରେସ ସହ ବିରୋଧ କରିଥିଲେ ମଧ୍ୟ ପୁଣି ଥରେ ଫେରିଆସିଥିଲେ ଏହି ଦଳକୁ । ୨୦୦୧ରେ ଦୁର୍ଘଟଣାରେ ତାଙ୍କର ମୃତୁ୍ୟ ହୋଇଥିଲା । ୧୯୮୪ରେ ଅଟଳ ବିହାରୀ ବାଜପେୟୀଙ୍କୁ ଗୋଆଲିୟରରୁ ହରାଇ ମାଧବରାଓ ଜିତିବା ଭାରତୀୟ ରାଜନୀତିରେ ତାଙ୍କ ଗୁରୁତ୍ୱକୁ ଆହୁରି ମଜବୁତ କରିଥିଲା ।
୩. ବସୁନ୍ଧରା ରାଜେଙ୍କ କାହାଣୀ:
ରାଜମାତାଙ୍କ ୪ର୍ଥ ସନ୍ତାନ ତଥା ମାଧବରାଓଙ୍କ ଠାରୁ ୮ ବର୍ଷ ସାନ ବସୁନ୍ଧରା ମା’ଙ୍କୁ ସାଥ୍‌ ଦେଇ ଭାଜପାରେ ସାମିଲ ହୋଇଥିଲେ ଏବଂ ୧୯୮୪ରେ ଭିନ୍ଦରୁ ଲଢିଥିଲେ ପ୍ରଥମ ନିର୍ବାଚନ । ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ମାହୋଲ ବଦଳିଥିବାରୁ ସେ ହାରିଯାଇଥିଲେ । ଏହାପରେ ବସୁନ୍ଧରା ନିଜ ଶଶୂର ଘର ରାଜସ୍ଥାନ ଅଭିମୁଖେ ଯାତ୍ରା କରି ସେଠାରେ ଆରମ୍ଭ କରିଥିଲେ ନିଜ ରାଜନୈତିକ କ୍ୟାରିୟର । ବସୁନ୍ଧରା ସିନ୍ଧିଆ ପରିବାରର ଏକମାତ୍ର ସଦସ୍ୟ ଯିଏ ୫ ଥର ବିଧାନସଭା ଏବଂ ୫ଥର ଲୋକସଭା ନିର୍ବାଚନ ଜିତିଛନ୍ତି । କୁହାଯାଏ ଯେ, ବସୁନ୍ଧରା ନିଜ ପୁତୁରା ଜ୍ୟୋତିରାଦିତ୍ୟଙ୍କୁ ଅଧିକ ଭଲ ପାଅନ୍ତି ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ ।
୪.ଯଶୋଧରା ରାଜେଙ୍କ କାହାଣୀ:
ସିନ୍ଧିଆ ପରିବାରର ସବୁଠୁ କମ୍‌ ରାଜନୈତିକ ସଫଳତା ଯାଏ ସଭା ସାନଝିଅ ଯଶୋଧରାଙ୍କୁ । ଅତି ଶାନ୍ତ ଥିବା ଯଶୋଧରା ବସୁନ୍ଧରାଙ୍କ ଠାରୁ ଏକବର୍ଷ ସାନ । ଗୋଟିଏ ଦଳରେ ଥିଲେ ମଧ୍ୟ ଉଭୟଙ୍କ ରାଜନୈତିକ କ୍ୟାରିୟର ଥିଲା ଭିନ୍ନ । ଯଶୋଧରା ଶିବପୁରୀରୁ ୧୯୯୮ଏବଂ ୨୦୦୩ ରେ ନିର୍ବାଚନ ଲଢି ବିଧାନସଭା ଯାଇଛନ୍ତି । ଶିବରାଜ ସରକାରରେ ସେ ମଧ୍ୟ ମନ୍ତ୍ରିପଦ ସମ୍ଭାଳିଛନ୍ତି ।
୫. ଜ୍ୟୋତିରାଦିତ୍ୟ:
ଜାନୁଆରୀ ୧, ୧୯୭୧ରେ ଜନ୍ମିତ ମାଧବରାଓଙ୍କ ପୁଅ ଜ୍ୟେତିରାଦିତ୍ୟ ଖାଲି ଯେ, ଅଚଳାଚଳ ସମ୍ପତ୍ତିର ଅଧିକାରୀ ଥିଲେ ତାହା ନୁହେଁ ବରଂ ଉତ୍ତରାଧିକାରୀ ସୂତ୍ରରୁ ମଧ୍ୟ ପାଇଥିଲେ ରାଜନୈତିକ ଭୂମିକା । ୨୦୦୧ରେ ମେନପୁରୀରେ ଏକ ବିମାନ ଦୁର୍ଘଟଣାରେ ବାପାଙ୍କ ମୃତୁ୍ୟ ତାଙ୍କୁ ରାଜନୀତିକୁ ଟାଣିଆଣିଥିଲା । ୨୦୦୨ରେ ସେ ନିଜ କ୍ୟାରିୟର ବାପାଙ୍କ ପସନ୍ଦର ଦଳରୁ ଆଗକୁ ନେଇଥିଲେ ।
କଂଗ୍ରେସ ଟିକେଟରେ ୨୦୦୨ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୪ ଥର ଲୋକସଭା ନିର୍ବାଚନ ଜିତିଥିଲେ । ୨୦୧୯ରେ ଗୁନାର ନିଜ ପରିବାରିକ ଆସନରୁ ହାରିଯାଇଥିଲେ ଯେ, । ଏହାପରେ କଂଗ୍ରେସରେ ନିଜର ଭୂମିକା ନେଇ ଲଢେଇ ଜାରି ରଖିଥିବା ଜ୍ୟୋତିରାଦିତ୍ୟ ନିଜର ଗୁରୁତ୍ୱ ହ୍ରାସ ପାଉଥିବା ଅନୁଭବ କରି ଇସ୍ତଫା ଦେଇଛନ୍ତି ଦଳରୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*