କେନ୍ଦ୍ରମନ୍ତ୍ରୀଙ୍କ ୩-୨ ଫର୍ମୁଲା ଶରଦ-ସୋନିଆ ଭେଟ ପରେ ବି ବାହାରିଲାନି ସରକାର ଗଠନର ବାଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ପ୍ରାୟ ମାସେ ହେବାକୁ ବସିଲାଣି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା । ତଥାପି ସରକାର ଗଠନର ବାଟ ବାହାରିପାରୁ ନାହିଁ । ଅନୁମାନ କରାଯାଉଥିଲା ସୋମବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ଏବଂ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ସାକ୍ଷାତ ହେବା ପରେ ଶିବସେନା ସହ ମିଶି ତ୍ରି-ଦଳୀୟ ମେଣ୍ଟ ସରକାର ଗଠନର ବାଟ ଫିଟିଯିବ । ହେଲେ ତାହା ହୋଇନାହିଁ । ଫଳରେ ମହାରାଷ୍ଟ୍ରରେ ସରକାର ଗଠନ ଝୁଲା ଅବସ୍ଥାରେ ସେମିତି ରହିଥିବା ବେଳେ ଶିବସେନା ସକାଶେ ଏହା ବଡ଼ ଅପମାନର କଥା ହୋଇଛି ।
ସୋମବାର ୧୦ଜନପଥ ଥିବା ସୋନିଆଙ୍କ ବାସଭବନକୁ ସାକ୍ଷାତ ସକାଶେ ଯାଇଥିଲେ ଶରଦ ପାୱାର । ସେହି ଭେଟଭାଟ ଉପରେ ବଡ଼ ରାଜନୈତିକ ଗୁରୁତ୍ୱ ରହୁଥିବାରୁ ସମସ୍ତଙ୍କ ନଜର ଏହି ସାକ୍ଷାତ ଉପରେ ରହିଥିଲା । ବହୁ ସଂଖ୍ୟାରେ ମିଡିଆ କର୍ମୀ ମଧ୍ୟ ଉପସ୍ଥିତ ଥିଲେ ସେଠାରେ । ହେଲେ ଶରଦ ପାୱାର ସୋନିଆଙ୍କୁ ଭେଟି ଆସିବା ପରେ ସାମ୍ବାଦିକମାନଙ୍କୁ ଯାହା କହିଥିଲେ ତାହା ଶିବସେନା ସକାଶେ କିନ୍ତୁ କିଛି ଉତ୍ସାହଜନକ ବିଷୟ ନଥିଲା । ମହାରାଷ୍ଟ୍ରରେ ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଜାରି ହୋଇଛି । ଭାଜପା ଓହରିଯିବା ପରେ ଶିବସେନା, ରାକପା ଓ କଂଗ୍ରେସ ସହ ମିଶି ସରକାର ଗଢ଼ିବା ଲାଗି ପ୍ରୟାସରେ ଥିବାରୁ ସୋମବାରର ଶରଦ-ସୋନିଆ ଭେଟ ଉପରେ ସ୍ୱାଭାବିକ ଭାବେ ସମସ୍ତଙ୍କ ନଜର ଥିଲା । ହେଲେ ସୋନିଆଙ୍କୁ ସାକ୍ଷାତ କରି ବାହାରିବା ପରେ ପାୱାର କହିଥିଲେ ସରକାର ଗଠନ ବାବଦରେ କୌଣସି ଆଲୋଚନା ହୋଇନାହିଁ । ଏପରିକି ଗତ ୩-୪ଦିନ ଧରି ଯେଉଁ ସର୍ବନିମ୍ନ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା କଥା କୁହାଯାଉଛି ସେ ବିଷୟରେ ବି ଚର୍ଚ୍ଚା ହୋଇନଥିବାର କଥା ପାୱାର କହିଥିଲେ । ସୋନିଆଙ୍କ ସହ ମୁଁ ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ବାବଦରେ ଆଲୋଚନା କରିଥିଲି । ସେହି ଆଲୋଚନା ବେଳେ ଏ କେ ଆଣ୍ଟୋନି ମଧ୍ୟ ଉପସ୍ଥିତ ଥିଲେ । ତେବେ ଦୁଇ ନେତାଙ୍କ ଭିତରେ ସର୍ବନିମ୍ନ କାର୍ଯ୍ୟକ୍ରମ କିମ୍ବା ସରକାର ଗଠନର ରୂପରେଖ ଉପରେ ଆଦୌ ଚର୍ଚ୍ଚା ହୋଇନଥିବା କହିଥିଲେ । ଏପରିକି ସମନ୍ୱୟ କମିଟି ଗଠନ ବାବଦରେ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ବି ସେ ଖାରଜ କରିଥିଲେ । ଦୁଇ ଦଳର ନେତାମାନଙ୍କ ମଧ୍ୟରେ ସରକାର ଗଠନ ପାଇଁ ଅଧିକ ଆଲୋଚନାର ଆବଶ୍ୟକତା ରହିଥିବା କହିଥିଲେ ଶରଦ । ଆଗାମୀ ଦିନେ ଦୁଇଦିନ ଭିତରେ ରାକପା ଓ କଂଗ୍ରେସର ପ୍ରତିନିଧିମାନେ ଦିଲ୍ଲୀରେ ଏକାଠି ହୋଇ ମହାରାଷ୍ଟ୍ରରେ ସରକାର ଗଠନର ପ୍ରକ୍ରିୟା ଆଗକୁ ବଢ଼ାଇବା ବିଷୟରେ ଆଲୋଚନା କରିବେ ବୋଲି କଂଗ୍ରେସର ମୁଖପାତ୍ର ରଣଦୀପ ସିଂ ସୂର୍ଯେୱାଲା ପ୍ରକାଶ କରିଛନ୍ତି । ଶରଦ ଓ ସୋନିଆଙ୍କ ଭେଟ ପରେ କୌଣସି ନିର୍ଦ୍ଦିଷ୍ଟ ଢାଞ୍ଚା ତିଆରି ହୋଇନଥିବାରୁ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟା ଆହୁରି ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଏସବୁ ଶିବସେନାକୁ ଅସ୍ୱସ୍ତିକର ଅବସ୍ଥାକୁ ଠେଲିଦେବ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଉଛନ୍ତି । ଶରଦ ପାୱାର ସୋମବାର ସକାଳେ ଦିଲ୍ଲୀରେ ପହଞ୍ଚିବା ପରେ ମିଡିଆ ସହ କଥା ହେଲା ବେଳେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ମଧ୍ୟ ବଡ଼ ସଂଶୟ ସୃଷ୍ଟି କରିଛି । ଶିବସେନା ସହ ରାକପା ଓ କଂଗ୍ରେସର ପ୍ରସ୍ତାବିତ ମେଣ୍ଟକୁ ନେଇ ତାଙ୍କ ମନରେ ଏବେବି ସ୍ଥିରତା ଆସିନାହିଁ ବୋଲି ସେହି ବୟାନରୁ ବୁଝାପଡ଼ିଥିଲେ । ସେ କହିଥିଲେ ରାକପା ଓ କଂଗ୍ରେସ ଏବଂ ଶିବସେନା ଓ ଭାଜପା ଅଲଗା ପଥର ପଥିକ । ସେହିପରି ରାକପା ସହ ସରକାର ଗଠନ ବିଷୟରେ ଶିବସେନା ଯାହା କହୁଛି ସେ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ମତ ଶରଦ ଦେଇନଥିଲେ ।
କେନ୍ଦ୍ରମନ୍ତ୍ରୀ ଦେଲେ ନୂଆ ଫର୍ମୁଲା
ସରକାର ଗଠନରେ ୫୦-୫୦ ଫର୍ମୁଲାକୁ ନେଇ ଶିବସେନା ଅଡିବସିବାରୁ ଭାଜପା ସହ ମିଶି ମେଣ୍ଟ ସରକାର ହୋଇପାରିନାହିଁ । ଜନମତ ଭାଜପା ଓ ଶିବସେନା ମେଣ୍ଟ ପ୍ରତି ରହିଥିଲେ ବି ତାହା କାର୍ଯ୍ୟକାରୀ ହେଲା ନାହିଁ । ଇତିମଧ୍ୟରେ ଶିବସେନା ଏନ୍‌ଡିଏରୁ ଓହରିସାରିଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ କଂଗ୍ରେସ ସହ ମିଶି ସରକାର ଗଢ଼ିବାର ବଡ଼ ପ୍ରୟାସରେ ସେନା ରହିଛି । ତେବେ ଏଭଳି ଅବସ୍ଥାରେ ମଧ୍ୟ ଆଉ ଥରେ ଭାଜପା-ଶିବସେନା ଏକାଠି ହୋଇ ମହାରାଷ୍ଟ୍ରରେ ସରକାର ଗଠନ କରିବାର ସମ୍ଭାବନା ବତାଇଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ସୋମବାର ଦିନ ତାଙ୍କର ଏକ ବୟାନ ରାଜନୈତିକ ମହଲରେ ବିସ୍ଫୋରଣ ଭଳି ହୋଇଛି । ଶିବସେନାର ବରିଷ୍ଠ ନେତା ସଂଜୟ ରାଉତଙ୍କ ସହ ବୁଝାମଣାର ମଧ୍ୟମ ବାଟ ବାହାର କରିବା ଉପରେ ମୁଁ କଥା ହୋଇଛି ବୋଲି ରାମଦାସ ସାମ୍ବାଦିକମାନଙ୍କୁ କହିଛନ୍ତି । ମୁଁ ରାଉତଙ୍କୁ ୩-୨ ଫର୍ମୁଲା ଗ୍ରହଣ କରିବାକୁ କହିଛି । ଏହି ଫର୍ମୁଲା ଅନୁସାରେ ଭାଜପା ମୁଖ୍ୟମନ୍ତ୍ରୀ ୩ ବର୍ଷ ଓ ଶେଷ ଦୁଇବର୍ଷ ଶାସନ କାଳରେ ଶିବସେନା ମୁଖ୍ୟମନ୍ତ୍ରୀ ରହିବେ । ଏହାର ଜବାବରେ ସଂଜୟ ରାଉତ ଦଳ ଏହି ନୂଆ ଫର୍ମୁଲା ଉପରେ ଆଲୋଚନା କରିପାରେ ବୋଲି ତାଙ୍କୁ କହିଥିବା ଅଠାୱାଲେ ମିଡିଆଙ୍କୁ କହିଛନ୍ତି । ନିଜର ଏହି ଫର୍ମୁଲା ନେଇ ସେ ଖୁବ୍‌ଶୀଘ୍ର ଭାଜପାର ନେତାମାନଙ୍କ ସହ ଆଲୋଚନା କରି ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ଗତିରୋଧକୁ ଦୂର କରିଦେବେ ବୋଲି ବଡ଼ ଆତ୍ମବିଶ୍ୱାସ ଦେଖାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*