କେତେ ଦିନ ଜମି ସମସ୍ୟାରେ ଛନ୍ଦି ହେଉଥିବ କେନ୍ଦ୍ରାପଡ଼ା କଲେଜ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ାର ସାଂସଦ ଓ ବିଧାୟକ ହୁଅନ୍ତୁ ବା ଜିଲ୍ଳାପାଳ ହୁଅନ୍ତୁ କେନ୍ଦ୍ରାପଡ଼ା କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଇବା ନିଜନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହା କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ହେବ ସବୁଠାରୁ ବଡ଼ ଉପଲବ୍ଧି ଏବଂ ଗୌରବର କଥା । କିନ୍ତୁ ଏ କ୍ଷେତ୍ରରେ ମୁଖ୍ୟ ବାଧକ ଥିବା କଲେଜର ଜମି ସମସ୍ୟାର ସମାଧାନ ଯେ ପ୍ରଥମେ ଆବଶ୍ୟକ ତାହା ଉଭୟ ଜନନେତା ଓ ପ୍ରଶାସକ ବୁଝିବା ଜରୁରୀ । ଜମି ସମସ୍ୟାର ସମାଧାନ ବିନା ବିଶ୍ୱ ବିଦ୍ୟାଳୟ ସ୍ୱପ୍ନ ସାକାର ହେବା ଏତେ ସହଜ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା କଲେଜ ୮୧ ଏକର ୫୬ ଡିସିମିଲ ଜମି ଉପରେ ପ୍ରତିଷ୍ଠା ଲାଭ କରିଥିଲା । ଯେଉଁଥିରେ ଥିଲା କିଛି କିଣାଜମି,କିଛି ଦାନ ଜମି ଓ ଅବଶିଷ୍ଟ ସରକାରୀ ଜମି । କଲେଜ କର୍ତ୍ତୃପକ୍ଷଙ୍କ ଅବହେଲା ହେଉକି ସରକାରୀ ଉଦାସୀନତା କାରଣରୁ ହେଉ କଲେଜନାମରେ ସରକାରୀ ଜମିତକ ରେକର୍ଡ଼ କରାଯାଇ ପାରିନଥିଲା । ଯାହାର ସୁଯୋଗ ନେଇ ଜମି ମାଫିଆମାନେ ପୂର୍ବରୁ ଆଳି ଇଷ୍ଟେଟ୍‌ ଅଧିନରେ ଥିବା କାରଣରୁ ଜାଲ ହାତପଟ୍ଟା ବଳରେ ପ୍ରାୟ ୨୫ରୁ ୩୦ ଏକର ସରକାରୀ ଜମିକୁ ନିଜନାମରେ କରିନେଲେ ଏବଂ ଧରାପଡିବା ଭୟ ହେଉ କିମ୍ବା ସତ୍ତ୍ୱକୁ ଅଧିକ ବଳବତ୍ତର କରିବା ହେଉ ଅନ୍ୟ ନାମରେ ବିକ୍ରି କବଲା କରିଦେଲେ ।
ସବୁଠାରୁ କୌତୁହଳ କଥା ଯେ ଅନେକ କ୍ଷେତ୍ରରେ ହାତପଟ୍ଟାଧାରୀଙ୍କର କୌଣସି ପରିଚୟ ନଥିଲେ ମଧ୍ୟ ସେମାନଙ୍କଠାରୁ କିଣି ଥିବାର ଦେଖାଇ ଜମିକୁ ଦଖଲ କରିନେଲେ । କେତେକ ଏହି ବିକ୍ରି କବଲାକୁ ଦେଖାଇ ନିଜ ନାମରେ ରେକର୍ଡ ବି କରିଦେଲେ । ଆଉ କିଛି କେବଳ କବଲାରେ ଏଯାଏଁ ବି ବିକ୍ରିଖର୍ଦ୍ଧି ଚାଲିଛି । ଏହି ଜମି ସମସ୍ୟା ଦଶନ୍ଧୀ ଦଶନ୍ଧୀ ଧରି କେନ୍ଦ୍ରାପଡ଼ା କଲେଜ ଛାତ୍ର ସଂସଦ ରାଜନୀତିକୁ ବି ପ୍ରଭାବିତ କରିଥିଲା । ତେବେ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଏଥିନେଇ ବିଜୁବାବୁ ଆରଡିସି ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ କଲେଜ ପ୍ରତିଷ୍ଠିତ ସରକାରୀ ଜମି କଲେଜ ନାଁରେ ନଥିବାରୁ ଜମି ମାଫିଆମାନେ ପ୍ରଭାବତି ହୋଇ ଆରଡିସି କଲେଜ ଜମିକୁ କେହି ଜବଦରଦଖଲ କରିନାହାଁନ୍ତି ବୋଲି ଏକ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଦେବାରୁ ସରକାର ତାକୁ ଗ୍ରହଣ କଲେ ନାହିଁ କିମ୍ବା ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ତେବେ କଲେଜ ସଂଲଗ୍ନ ଥିବା ସରକାରୀ ଜମିର ଦାଖଲ ଖାରଜ ଉପରେ ଆରଡିସି ରୋକ ଲଗାଇବା ଯୋଗୁଁ ତଦନ୍ତ ପରେ ଆଉ କେହି ପଟ୍ଟା ପାଇପାରିଲେ ନାହିଁ । ତଥାପି ଗଳାବାଟ ଦେଇ ହୋଇଥିବା କିଛି ପଟ୍ଟା ବିରୋଧରେ କଲେଜ ନ୍ୟାୟାଳୟକୁ ଯାଇ ସେ ସବୁକୁ ରଦ୍ଦ କରାଇବାରେ ସମର୍ଥ ହୋଇଛି ।
ଏହିଭଳି ଏକ ପରିସ୍ଥିତିରେ କଲେଜ ଜମି ସମସ୍ୟାର ସମାଧାନ ନହେଉଣୁ ପ୍ରାଚେରୀ ନିର୍ମାଣକୁ ନେଇ ଗତ କିଛି ଦିନତଳେ ବିବାଦ ଦେଖାଦେଇଥିଲା । ଶେଷରେ କଲେଜ କର୍ତ୍ତୃପକ୍ଷ,ଅବସରପ୍ରାପ୍ତ କିଛି ଶିକ୍ଷାବିତ୍‌, ପୂର୍ବତନ ଛାତ୍ରନେତା ଓ ବର୍ତ୍ତମାନ ଛାତ୍ର ନେତାଙ୍କ ସମେତ ଅନେକ ସ୍ଥାନୀୟ ସଚେତନ ବ୍ୟକ୍ତି ବସି ଏହି ସମସ୍ୟାର ସମାଧାନ ନହେବା ଯାଏ ବିବାଦୀୟ ଉତ୍ତର ପାଶ୍ୱର୍ର ପାଚେରୀ ନିର୍ମାଣକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ । ତେବେ କଲେଜର ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଏହି ପାଶ୍ୱର୍ରେ ସ୍ଥାୟୀ ପାଚୋରୀ ପରିବର୍ତ୍ତେ ଅସ୍ଥାୟୀ ତାରବାଡ ଦେବାକୁ ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି । ହେଲେ ପ୍ରଶ୍ନ ଉଠୁଛି ଜିଲ୍ଲାର ଏହି ମର୍ଯ୍ୟାଦାଜନକ କଲେଜ ଇତିମଧ୍ୟରେ ପ୍ଳାଟିନ୍‌ମ ଜୁବୁଲି ପାଳନ କରିସାରିଥିବା ଏବଂ ଏହାକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ସରକାର ବିଚାର କରୁଥିବା ବେଳେ ଏହାର ଜମି ସମସ୍ୟାର ସମାଧାନ କେବେ ହେବ?
ସରକାର ବିଭିନ୍ନ ଅନୁଷ୍ଠାନର ସମ୍ପ୍ରସାରଣ ପାଇଁ ଲୋକଙ୍କୁ ବ୍ୟକ୍ତିଗତ ଜାଗାରୁ ହେଉ ବା ସରକାରୀ ଜାଗାରୁ ହେଉ ଉଚ୍ଛେଦ କରି ଦେଉଥିବା ବେଳେ କେନ୍ଦ୍ରାପଡ଼ା କଲେଜ ପାଇଁ ମୁଷ୍ଟିମେୟ ଜମି ମାଫିଆକୁ ଉଚ୍ଛେଦ କରାଇବାରେ ବାଧକ କେଉଁଠି? ସ୍ଥାନୀୟ ଜନନେତା ହୁଅନ୍ତୁ ବା ଜିଲ୍ଳାପାଳ ହୁଅନ୍ତ ତୁରନ୍ତ ଏହି ପ୍ରଶ୍ନର ସମାଧାନ କରାଇପାରିଲେ କେବଳ ଯେ ଜିଲ୍ଲାବାସୀଙ୍କର ବାହାବା ପାଇବେ ତାହା ନୁହେଁ କେନ୍ଦ୍ରାପଡ଼ା କଲେଜ ଇତିହାସ ସେମାନଙ୍କୁ ସବୁଦିନେ ମନେ ରଖିବ ବୋଲି କୁହାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*