କୁଆଡ଼େ ଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, କୋଭିଡ୍‌ ମୁଖ୍ୟ ପରିଚାଳକ କାହିଁକି ଚୁପ୍‌? ହଟ୍‌ସ୍ପଟ ତାଲିକାରେ ଖୋର୍ଦ୍ଧା, କଟକ ବଢ଼ାଇବ ଚିନ୍ତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କେନ୍ଦ୍ର ସରକାର ଯେଉଁ ୩୬ଟି କୋଭିଡ୍‌ ହଟ୍‌ସ୍ପଟ୍‌ ଚିହ୍ନଟ କରିଛନ୍ତି ସେହି ତାଲିକାରେ ୨୧ତମ ସ୍ଥାନରେ ଅଛି ଖୋର୍ଦ୍ଧା । କେବଳ ସେତିିକି ନୁହେଁ, ଆଗକୁ ଯେଉଁ କେତୋଟି ସହର କରୋନା ପାଇଁ ମୁନ୍ଦବ୍ୟଥାର କାରଣ ହେବାକୁ ଯାଉଛି ତା ଭିତରେ ଅଛି ଓଡ଼ିଶାର କଟକ । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ କଟକ ରହିଥିବାରୁ, ଭୁବନେଶ୍ୱର ପରେ କଟକ ସରକାରଙ୍କର ଏବଂ ଲୋକଙ୍କ ଚିନ୍ତା ବଢ଼ାଇବ ।
କିନ୍ତୁ ଲଗାତାର ଭାବେ ବିଏମ୍‌ସି କେବଳ ବାହାଦୂରୀ ନେବା ପାଇଁ ମିଛ ଆଶ୍ୱାସନା ଶୁଣାଇ ଆସୁଛି । ସମାନ ଅବସ୍ଥା ସିଏମ୍‌ସିର । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ଆରମ୍ଭ କରିଛି ବୋଲି ୩ ଦିନ ତଳୁ କହିଥିଲେ ହେଁ ଏ ପର୍ଯ୍ୟନ୍ତ ତା’ର କୌଣସି ସ୍ପଷ୍ଟ ଆଭାସ ମିଳିନାହିଁ ।
କେନ୍ଦ୍ର ହଟ୍‌ସ୍ପଟ ତାଲିକାରେ ମହାରାଷ୍ଟ୍ରର ପୁନେ ନମ୍ବର ୱାନ୍‌ରେ ଅଛି । କେବଳ ସେପ୍ଟେମ୍ବର ମାସର ୧ରୁ ୨୦ ତାରିଖ ଭିତରେ ପଜିଟିଭ୍‌ ସଂଖ୍ୟା ୧ଲକ୍ଷ ୨୦ ହଜାର ଟପିଛି । ପ୍ରତିଦିନ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଓଡ଼ିଶାରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ଏହି ସମୟ ଭିତରେ ସଂକ୍ରମିତ ହୋଇଛନ୍ତି ୧୪ ହଜାର ୨୭ ଜଣ । ହାରାହାରି ପ୍ରତିଦିନ ୭୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଂକ୍ରମଣ ହାର କମାଇବାକୁ ଅଧିକ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଛି ।
କଟକ ସ୍ଥିତି ଦ୍ରୁତ ବିଗିଡ଼ିବାରେ ଲାଗିଛି । ଆଗକୁ ଏହା ଆଉ ଏକ ବଡ଼ ସଂକ୍ରମଣର ଉତ୍ସ ହୋଇ ଉଠିବାକୁ ଯାଉଛି । ସେପ୍ଟେମ୍ବର ପହିଲାରୁ ୨୦ ତାରିଖ ଭିତରେ କଟକରେ ସଂକ୍ରମିତଙ୍କ ସଂଖ୍ୟା ୮ ହଜାରରୁ ଅଧିକ ହୋଇଛି । ଏବେ ସାରା ସହରକୁ ବିଛେଇ ଯାଇ ସାରିଲାଣି କରୋନା । ଯଦି ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିହିତ ପଦକ୍ଷେପ ନିଆନଯାଏ ତେବେ ଭୁବନେଶ୍ୱର ପରି ଏହା ମଧ୍ୟ ବଡ଼ ଚିନ୍ତାର କାରଣ ହେବ ।

କେବଳ ଭୁବନେଶ୍ୱର ପରିସ୍ଥିତି ସଙ୍ଗୀନ ୧୯ ତାରିଖରେ ୩୪୨, ୨୦ରେ ୩୨୫, ୨୧ରେ ୩୦୬, ୨୨ରେ ୩୪୫ ଏବଂ ୨୩ରେ ୩୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ କେବଳ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୫୪୪ ହେଲାଣି ।
କେବଳ କୁ ପରିଚାଳନା ଯୋଗୁଁ ଏବଂ ବିଶେଷ କରି ବିଏମ୍‌ସି କାରଣରୁ ରାଜଧାନୀରେ କରୋନା ଦୁର୍ଦ୍ଦଶା ଓ ଆତଙ୍କ ବଢ଼ିଛି । ଠିକ୍‌ ସମୟରେ ପରୀକ୍ଷା ରିପୋର୍ଟ ଆସୁନାହିଁ । ପ୍ରାଣ ହରାଉଥିବା ଆକ୍ରାନ୍ତଙ୍କ ସମ୍ପର୍କରେ ଠିକ୍‌ ସମୟରେ ସୂଚନା ଦିଆଯାଉ ନାହିଁ, ଏବଂ ହସ୍ପିଟାଲରେ ଭର୍ତ୍ତି କରିବାକୁ ନେଇ କେହି କାହା କଥା ଶୁଣୁ ନାହାନ୍ତି । ଜଣେ ସରକାରୀ କର୍ମଚାରୀ ସେପ୍ଟେମ୍ବର ୧୩ ତାରିଖରେ ସ୍ୱାବ୍‌ ଟେଷ୍ଟ କରାଇଥିଲେ । ୧୮ ତାରିଖ ସୁଦ୍ଧା ତାଙ୍କର କୌଣସି ରିପୋର୍ଟ ଆସିଲା ନାହିଁ । ୧୯ ତାରିଖ ଦିନ ନିଜ ପ୍ରଚେଷ୍ଟାରେ ଖୋଳତାଡ଼ କରି ଜାଣିବାକୁ ପାଇଲେ ଯେ, ତାଙ୍କୁ କରୋନା ହୋଇଛି । ଏହି ୬ ଦିନ ସେ ଆଉ କେତେ ଜଣଙ୍କୁ ରୋଗୀ କରାଇବାରେ ସହାୟକ ହୋଇଥିବେ, ତାହା କିଏ ଜାଣେ?
ଜଣେ ରୋଗୀ କରୋନାରେ ପ୍ରାଣ ହରାଇବାର ୧୦ ଦିନ ପରେ ବିଏମ୍‌ସିରୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ ଫୋନ୍‌ ଆସିଲା । ଅନ୍ୟ ଜଣେ ରୋଗୀଙ୍କ ମୃତୁ୍ୟର ଦୀର୍ଘ ଦିନ ପରେ ତାଙ୍କ ଆତ୍ମୀୟମାନେ ଜାଣିବାକୁ ପାଇଲେ ଯେ, ଡାକ୍ତରଖାନାରେ ତାଙ୍କର ମୃତୁ୍ୟ ଘଟିଛି । ତା ଛଡ଼ା ଯେଉଁମାନେ ଘରେ ସଙ୍ଗରୋଧରେ ଅଛନ୍ତି ସେମାନେ ବର୍ଜ୍ୟବସ୍ତୁ କେଉଁଠି ପକାଇବେ ତାହା ମଧ୍ୟ ଜାଣି ପାରୁ ନାହାନ୍ତି । ପଜିଟିଭ୍‌ ଚିହ୍ନଟ ହେବା ପରେ କୌଣସି ଫୋନ୍‌ ବିଏମ୍‌ସି ପକ୍ଷରୁ ଆସୁନାହିଁ ।
ପ୍ରଥମତଃ ପରୀକ୍ଷା ସଂଖ୍ୟା ବଢ଼ୁନାହିଁ । ଚାରିଆଡୁ ସମାଲୋଚନା ହେବା ପରେ ସରକାର ସ୍ପଷ୍ଟୀକରଣ ଦେଲେ ଯେ, ହସ୍ପିଟାଲରେ ବେଡ୍‌ ଓ ଆଇସିୟୁ ବେଡ୍‌ ଅଛି । ତେବେ ରାଜଧାନୀ ଏବଂ କଟକରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ୨ ମହାନଗର ନିଗମ ଦାୟୀ ବୋଲି କହିବାକୁ ପଡ଼ିବ । ଅଥଚ ଏହା ସ୍ୱୀକାର କରିବାକୁ ଅଧିକାରୀମାନେ ନାରାଜ୍‌ ।
ତେବେ କାହାକୁ କହିବେ ଲୋକ? ମୁଖ୍ୟ ସେନାପତି ମୁଖ୍ୟମନ୍ତ୍ରୀ ନବୀନ ବାବୁ ୭ ମାସ ହେଲା ଆତ୍ମଘୋଷିତ ସଙ୍ଗରୋଧରେ । ବୟସ ଦୃଷ୍ଟିରୁ ତାଙ୍କୁ ଦୋଷ ଦିଆଯାଇ ନ ପାରେ । କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଗଲେ କୁଆଡେ? କରୋନାକୁ ନେଇ ତାଙ୍କର କୌଣସି ସ୍ୱର ଶବ୍ଦ ଶୁଭୁନାହିଁ । ନିକଟରେ ଝାରସୁଗୁଡ଼ା କୋଭିଡ୍‌ ହସ୍ପିଟାଲରେ ସଙ୍ଗରୋଧ ୱାର୍ଡରେ ଦୁଇଟି ଶବ ପଡ଼ି ରହିଥିବା ଭିଡ଼ିଓ ଭାଇରାଲ ହେବା ସତ୍ତ୍ୱେ କୌଣସି ପ୍ରତିକ୍ରିୟା ଦେଲେ ନାହିଁ ନବ ।
କୋଭିଡ୍‌ ପରିଚାଳନାର ମୁଖ୍ୟ ହେଉଛନ୍ତି ୫-ଟି ସଚିବ ଭିକେ ପାନ୍ଦିଆନ୍‌ । ମାତ୍ର ସେ ଆଶ୍ଚର୍ଯ୍ୟଜନକ ନୀରବତା ଅବଲମ୍ବନ କରୁଛନ୍ତି । ଅଥଚ ଜୁନ୍‌ ମାସରେ ସେବଡ଼ ବଡ଼ ଖବରକାଗଜର ସମ୍ପାଦକମାନଙ୍କୁ ଆମନ୍ତ୍ରଣ କରି କୋଭିଡ୍‌ ରଣନୀତି ସମ୍ପର୍କରେ ସୂଚନା ଦେଇଥିଲେ । ଏବେ ସେ ଅନ୍ତତଃ ରାଜଧାନୀ ପରିସ୍ଥିତି ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତି । ସେହିପରି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କୁ ନିଷ୍କ୍ରିୟ କରି ଦିଆଯାଇଛି । ଅଥଚ ଅତିରିକ୍ତ ମୁଖ୍ୟ ସଚିବ (ସ୍ୱାସ୍ଥ୍ୟ) ପ୍ରଦୀପ୍ତ ମହାପାତ୍ର ଆଉ ସାମ୍ନାକୁ ଆସୁନାହାନ୍ତି । ବଡ଼ ବିଚିତ୍ର ଅବସ୍ଥା ଭୁବନେଶ୍ୱରର । ଆଗକୁ କଟକ ଅବସ୍ଥା ମଧ୍ୟ ଠିକ୍‌ ଏମିତି ହେବାକୁ ଯାଉଛି । ଲୋକେ କେବଳ ଭଗବାନଙ୍କ ଭରସାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*