କୁଆଡ଼େ ଗଲେ କରୋନା ମୁଖ୍ୟ ମୁଖପାତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କରୋନା ଆସିଲା ବେଳେ ହଠାତ୍‌ କରୋନା ମୁଖ୍ୟ ମୁଖପାତ୍ରଙ୍କୁ ନିଯୁକ୍ତି ଦେଲେ ସରକାର । ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଲା ସୁବ୍ରତୋ ବାଗ୍‌ଚୀଙ୍କୁ । ସୁବ୍ରତୋ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ । ତାଙ୍କୁ ମିଳିଚି କ୍ୟାବିନେଟ୍‌ ପାହ୍ୟା । ଅବଶ୍ୟ ମଝିରେ ଅର୍ଥାତ ଗତ ବର୍ଷ ମାର୍ଚ୍ଚ ବେଳକୁ ମାଇନ୍ଦଟ୍ରି ଝମେଲା ଯୋଗୁଁ ସରକାରୀ ଦାୟିତ୍ୱ ଛାଡ଼ି ଦେଇ ପଳେଇ ଯାଇଥିଲେ । ପୁଣି ମନ ହେଲାକୁ ଦକ୍ଷତା ବିକାଶ ଦାୟିତ୍ୱ ନେଲେ ।
ସୁବ୍ରତୋଙ୍କ ଜ୍ଞାନ, ଗାରିମା ଓ ଗୁଣକୁ ସମ୍ମାନ ଦେଇ କରୋନା ମୁଖ୍ୟ ମୁଖପାତ୍ର କରିଦେଲେ ମୁଖିଆ । ଯଥାଯୋଗ୍ୟ, ଯଥା ସମ୍ମାନ ।
ମାର୍ଚ୍ଚରେ ଆରମ୍ଭ ହେଲା ସରକାରଙ୍କ କରୋନା ସାମ୍ବାଦିକ ସମ୍ମିଳନୀ । ଏହା ଥିଲା ଅଭିନବ ସମ୍ମିଳନୀ । କେହି ସାମ୍ବାଦିକ ରହିବେ ନାହିଁ । ଆଗରୁ ରେକର୍ଡିଂ ହବ । କରୋନା ମୁଖ୍ୟ ମୁଖପାତ୍ର ବାଗ୍‌ଚୀ ମହୋଦୟ ପ୍ରଥମେ ସାମ୍ବାଦିକମାନଙ୍କୁ, ସତେ ଯେମିତି ସେମାନେ ଆଗରେ ବସିଚନ୍ତି, ନମସ୍କାର କରିବେ, ତା’ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ ।
ଆରମ୍ଭରୁ ଓଜନଦାର୍‌ ଓ ଧମକପୂର୍ଣ୍ଣ ପ୍ରବଚନ । ମୁଖ୍ୟ ମୁଖପାତ୍ର କହିଥିଲେ ଯେ ସେମାନେ ଯାହା କହିବେ, ଗଣମାଧ୍ୟମ ତାହା ଲେଖିବାକୁ ବାଧ୍ୟ । ଗଣମାଧ୍ୟମକୁ କ’ଣ କରିବାକୁ ହବ, କ’ଣ କରିବେ ନାହିଁ ଏସବୁ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ ଦେଇଥିଲେ ବାଗ୍‌ଚୀ । ପୁରାଣଠାରୁ ଆରମ୍ଭ କରି ଭୂଗୋଳ ଇତିହାସ ପର୍ଯ୍ୟନ୍ତ ସବୁ ବିଷୟରେ ବାୟୁଜୁ କ୍ଲାସ୍‌ ପରି ସବୁ ବିଷୟ ତରଳ ଓ ସରଳ ଭାବେ ବୁଝାଉ ଥିଲେ । ତାଙ୍କ ଭଳି ଜଗନ୍ନାଥ ଦର୍ଶନ ବୁଝେଇବା ଲୋକ ଆମ ଭଳି ନିନ୍ଦୁକମାନେ କଦାପି ଦେଖିନଥିଲୁ ।
ହଠାତ୍‌ ମୁଖ୍ୟ ମୁଖପାତ୍ର ଉଭାନ୍‌ ହେଇଗଲେ । କ’ଣ ହେଲା କେଜାଣି ମୁଖିଆଙ୍କ ରିଲିଫ୍‌ ପାଣ୍ଠିକୁ ଅଢେଇ କୋଟି ଟଙ୍କା ଦବା ପରେ ପୁଣି ମୁଖପାତ୍ର ଦାୟିତ୍ୱ ସମ୍ଭାଳିଲେ । ପୁଣି କ’ଣ ହେଲା ଯେ, ଯେ ଯାଇଚନ୍ତି ଆଉ ଫେରୁନାହାଁନ୍ତି । ଅବଶ୍ୟ ଏବେ ଆଉ ସାଢେ ଚାରିଟା ବେଳିଆ ସାମ୍ବାଦିକ ସମ୍ମିଳନୀ ହଉନାହିଁ । ମଝିରେ ମଝିରେ ତ୍ରିପାଠୀ ବାବୁ ନହେଲେ ଜେନା ବାବୁ ଗଣମାଧ୍ୟମକୁ ସୂଚନା ଦେଇ ପକଉଚନ୍ତି ।
ଅକ୍ଷୟ ମହାନ୍ତିଙ୍କର ଗୀତଟିଏ ମନେ ପଡ଼ୁଚି । କେବେ ତୁମେ ଅଛ, କେବେ ମୁଇଁ ନାହିଁ । ଠିକ୍‌ ସେମିତି କରୋନା ଅଛି । ବରଂ ଆଗ ଅପେକ୍ଷା ଭାରି ଉତ୍ପାତ କରୁଚି । ସରକାରଙ୍କ ଝାଳ ବାହାରିଗଲାଣି । ହସ୍ପିଟାଲରେ ବେଡ୍‌ ନାହିଁ । ଆମ୍ବୁଲାନ୍ସ ଡାକିଲେ ଆସୁନି । କିନ୍ତୁ କରୋନା ମୁଖ୍ୟ ମୁଖପାତ୍ର ବାଗ୍‌ଚୀ ବାବୁ କୁଆଡ଼େ ହଜିଗଲେଣି । ତାଙ୍କ ଉଭାନ୍‌ର କାରଣର କେହି କହିପାରୁନାହାଁନ୍ତି । ଆମେ ତାଙ୍କ ମୂଲ୍ୟବାନ ପ୍ରବଚନ ଶୁଣିବାରୁ ବଞ୍ଚôତ ହଉଚୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*