କି ତଦନ୍ତ, କି ରିପୋର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କୁନ୍ଦୁଲି ନାବାଳିକାକୁ ୨୦୧୭ ଅକ୍ଟୋବରରେ ଗଣ ଧର୍ଷଣ କରାଗଲା ବୋଲି ଅଭିଯୋଗ ଉଠିଲା । ବଳାକ୍ରାରୀମାନେ ସୁରକ୍ଷାବାହିନୀର ଜବାନ ଥିଲେ ବୋଲି ନାବାଳିକା ଜଣଙ୍କ ଅଭିଯୋଗ କଲେ । ପ୍ରଥମେ ସରକାର ଏହାକୁ ଦବାଇବା ପାଇଁ ଚେଷ୍ଟା କଲେ । କିନ୍ତୁ ପ୍ରବଳ ରାଜନୈତିକ ସ୍ୱର ଉଠିବା କାରଣରୁ ନଭେମ୍ବରରେ କୋରାପୁଟ ଜିଲା ଜଜ୍‌ଙ୍କୁ ତଦନ୍ତ କରିବା ପାଇଁ କମିଶନ ଭାବେ ନିଯୁକ୍ତ କରିଥିଲେ ନବୀନ ସରକାର । ବିଚାରବିଭାଗୀୟ ତଦନ୍ତ କମିଶନ ନିଯୁକ୍ତି ପାଇବାର ତିନିମାସ ଭିତରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କଲେ । ଘଟଣା ଆହୁରି ଜଟିଳ ହେଇଗଲା । ଯାହା ହଉ କମିଶନ ତାଙ୍କ ରିପୋର୍ଟ ସରକାରଙ୍କୁ ଦେଇଥିଲେ । ହାଇକୋର୍ଟରେ ପୁଣି ଘଣ୍ଟାଘଣ୍ଟି ଆରମ୍ଭ ହୋଇଯିବାରୁ ସରକାର ବିଧାନସଭାରେ ତଦନ୍ତ ରିପୋର୍ଟ ଦାଖଲ କରିଦେଲେ । ପର୍ବତର ମୁଷିକ ପ୍ରସବ ଯାହା, ଏହି ତଦନ୍ତ ରିପୋର୍ଟଟି ସେଇଆ । ଏଥିରେ କିଛି ନାହିଁ କହିଲେ ଚଳେ । ଗୋଟିଏ ବାକ୍ୟରେ କୁହାଯାଇପାରିବ ଯେ, କି ତଦନ୍ତ ଆଉ କି ରିପୋର୍ଟ ।
କମିଶନ ତିନିଟି ସୁପାରିଶ କରିଚନ୍ତି । ପ୍ରଥମ ସୁପାରିଶଟି ହେଲା ପୀଡିତାଙ୍କ ପରିଚୟ ଗୁପ୍ତ ରଖାଯାଉ । ଏହା କି ପ୍ରକାର ସୁପାରିଶ? ସୁପି୍ରମକୋର୍ଟ ବହୁ ପୂର୍ବରୁ କହିସାରିଚନ୍ତି ଯେ, ଦୁଷ୍କର୍ମ ପୀଡିତାଙ୍କର ପରିଚୟ ପ୍ରଘଟ କରାଯାଇପାରିବ ନାହିଁ । ଦିଲ୍ଲୀ ନିର୍ଭୟା କାନ୍ଦରେ ଅଭିଯୁକ୍ତମାନେ ଫାଶି ପାଇବା ଯାଏଁ କଥା ଗଲାଣି । କିନ୍ତୁ କେହି ପୀଡିତାଙ୍କ ନାମ ଧରୁନାହାଁନ୍ତି । ତେବେ କୁନ୍ଦୁଲି କମିଶନ କଉଁ ନୂଆ ସୁପାରିଶ କରିପକାଇଲେ କି?
ଦ୍ୱିତୀୟ ସୁପାରିଶଟି ହେଲା ତଦନ୍ତ ଶେଷ ପୂର୍ବରୁ ତଥ୍ୟ ପ୍ରଘଟ ନହେଉ । ତଦନ୍ତ ଶେଷ ହବା ନଯାଏଁ କଉଁ ସରକାର ତଥ୍ୟ ପ୍ରଘଟ କରେ କି? କିନ୍ତୁ କମିଶନଙ୍କ ରିପୋର୍ଟରେ ପୁଲିସର ତଥ୍ୟ ପ୍ରଘଟ ସମ୍ପର୍କରେ କାହିଁକି କିଛି ନାହିଁ? କମିଶନ ତଦନ୍ତ କରୁଥିବା ବେଳେ ବହୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ ପୁଲିସ ଅଧିକାରୀ । ବଳାକ୍ରାର ହେଇନାହିଁ ବୋଲି କହିଥିଲେ । ଏଭଳି ଅଧିକାରୀଙ୍କ ସମ୍ପର୍କରେ ମନ୍ତବ୍ୟ ଦେବା ଉଚିତ୍‌ ନଥିଲା କି କମିଶନରଙ୍କର?
ପୀଡିତାଙ୍କ ମୂର୍ତ୍ତି ଛକରୁ ହଟାଇ ଦେବା ପାଇଁ କମିଶନଙ୍କ ସୁପାରିଶକୁ ଗ୍ରହଣ କରିନାହାଁନ୍ତି ସରକାର । ତେବେ କୋରାପୁଟ ଜିଲା ଜଜ୍‌ଙ୍କ ତଦନ୍ତ ରିପୋର୍ଟରେ ପ୍ରକୃତରେ ଅଛି କ’ଣ? ସେ କହିଚନ୍ତି ଘଟଣା ରହସ୍ୟମୟ । ଏହା ଉପରୁ ପରଦା ହଟିବା ଉଚିତ୍‌ । ଅଧିକ ତଦନ୍ତ ହବା ଦରକାର । ସାରା ରାଜ୍ୟ ଜାଣିଚି ଯେ, କୁନ୍ଦୁଲି ଗଣବଳାକ୍ରାର ଘଟଣାଟି ଅତ୍ୟନ୍ତ ରହସ୍ୟଜନକ । ଫୋରେନସିକ୍‌ ରିପୋର୍ଟ ମଧ୍ୟ ରହସ୍ୟକୁ ଅଧିକ ଜଟିଳ କରିଥିଲା । ଚାରିଆଡୁ ତାଡନା ସହି ନପାରି ପୀଡିତା ଆତ୍ମହତ୍ୟା କରିଥିଲେ । ତେଣୁ ତଦନ୍ତ କମିଶନ ଅଧିକ କହିଲେ କ’ଣ?
ରାଜନୈତିକ ଦଳଗୁଡିକ ପରିସ୍ଥିତିକୁ ଜଟିଳ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି । ବିରୋଧୀ ଦଳ ଗୁଡିକ ସରକାରଙ୍କ ପାଇଁ ସଂକୀର୍ତ୍ତନ କରିଥାନ୍ତେ କି? ପ୍ରତିଟି ବଳାକ୍ରାର ବା ଆଇନଶୃଙ୍ଖଳା ଘଟଣାରେ ସରକାରଙ୍କୁ ଘେରିବା ବିରୋଧୀ ଦଳର କାର୍ଯ୍ୟ । ତେଣୁ ତଦନ୍ତ କମିଶନ ନୂଆକଥା କ’ଣ କହିଚନ୍ତି ସରକାର ତାଙ୍କ ଆଡୁ ଓଡ଼ିଶାବାସୀଙ୍କୁ ଜଣାଇବା ଉଚିତ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*