କିତାକିତା ହିସାବ ଦେଲେ ଧର୍ମେନ୍ଦ୍ର,କରୋନା ସମୟରେ ଓଡ଼ିଶା ପାଇଛି ୨୨,୨୬୭.୬୬ କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ନୂଆଦିଲ୍ଲୀ

କରୋନା ମୁକାବିଲା ଭିତରେ ଅନେକ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଓଡ଼ିଶା ସରକାର । ସାମଗ୍ରୀ କିଣା ଦୁର୍ନୀତି, ଭେଣ୍ଟିଲେଟର ଅଭାବ, ଶଯ୍ୟା ଅଭାବ ଏମିତି ଅନେକ ଅଭିଯୋଗ ଆସିଛି ନବୀନ ସରକାରଙ୍କ ବିରୋଧରେ । ଅର୍ଥ ଅଭାବ ଯୋଗୁଁ ଏଭଳି ହୋଇଛି କି? ଏହି ପ୍ରଶ୍ନ ଉଠିଥିବା ବେଳେ ଏଠାରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାକୁ ମୋଦୀ ସରକାର ଦେଇଥିବା କରୋନା ସାହାଯ୍ୟ ବାବଦରେ ସ୍ପଷ୍ଟ କରିଦେଇ ନବୀନ ସରକାରଙ୍କୁ ଏକ ମୃଦୁ ଝଟ୍‌କା ଦେଇଛନ୍ତି । ଏହାର ଜବାବ ରଖିବାକୁ ଯାଇ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ ଆମ ହକ୍‌ ଆମକୁ ଦେଲେ, ଏଥିରେ କହିବାର କ’ଣ ଅଛି ବୋଲି ସଫେଇ ଦେଇଥିବା ଆମ ଭୁବନେଶ୍ୱର ପ୍ରତିନିଧି ଜଣାଇଛନ୍ତି ।
କରୋନା ସମୟରେ ଓଡ଼ିଶାକୁ ମୋଦୀ ସରକାର ଦେଇଛନ୍ତି ୨୨,୨୬୭ କୋଟି ୬୬ ଲକ୍ଷ ଟଙ୍କା । ଏହି ରାଶି କିଛି କମ୍‌ ନୁହେଁ । ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ରାଜ୍ୟକୁ ବିପୁଳ କେନ୍ଦ୍ରୀୟ ସହାୟତା ମିଳିଛି । ଏହାର ସଦୁପୋଯୋଗ ହେବା ଜରୁରୀ । ଏଥିପାଇଁ ରାଜ୍ୟ ସରକାର ଯତ୍ନଶୀଳ ହୋଇ କାମ କରିବା ଦରକାର । ଧର୍ମେନ୍ଦ୍ର କେନ୍ଦ୍ରୀୟ ସାହାଯ୍ୟର ଏକ ହିସାବ ମଧ୍ୟ ରଖିଛନ୍ତି ସାମ୍ବାଦିକମାନଙ୍କ ଆଗରେ ।
ରାଜ୍ୟର ୩କୋଟି ୧୭ ଲକ୍ଷ ହିତାଧିକାରୀଙ୍କୁ ଚାଉଳ ମିଳିଛି ୭ଲକ୍ଷ ୫୧ହଜାର ୯୩୦ ଟନ୍‌ । ୯୨.୮୫ ଲକ୍ଷ ପରିବାରକୁ ଡାଲି ଦିଆଯାଇଛି ୪୪ହଜାର ୧୩୦ ଟନ୍‌ । ୬୮.୭୯ ଲକ୍ଷ ମାଗଣା ଏଲ୍‌ପିଜି ସିଲିନ୍ଦର ଯୋଗାଣ ପାଇଁ ଖର୍ଚ୍ଚ ହୋଇଛି ୪୪୦ କୋଟି । ୨୦ ଲକ୍ଷ ୮୩ହଜାର ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବାବଦରେ ଦିଆଯାଇଛି ୩୧୨ କୋଟି ୪୯ ଲକ୍ଷ ଟଙ୍କା । କୋଭିଡ-୧୯ ପରିଚାଳନା ପାଇଁ ଓଡ଼ିଶା ପାଇଛି ୧୨୦ କୋଟି ଟଙ୍କା । ଜିଏସ୍‌ଟି କ୍ଷତିପୂରଣ ପାଇଁ ୨୦୧୯-୨୦ ଲାଗି ୫ହଜାର ୧୨୨କୋଟି ଏବଂ ୨୦୨୦-୨୧ ପାଇଁ ଜିଏସ୍‌ଟି ୨ହଜାର ୨୫୮ କୋଟି ଟଙ୍କା ଦିଆଯାଇଛି ।
ଧର୍ମେନ୍ଦ୍ର ବୁଝେଇବାକୁ ଚେଷ୍ଟା କରିଥିଲେ ଯେ, କଠିନ ସମୟରେ ବି ଓଡ଼ିଶାକୁ ସମସ୍ତ ପ୍ରକାର ସହଯୋଗ କରିଛି କେନ୍ଦ୍ର । ସେ ପୁଣି ଥରେ ଆୟୁଷ୍ମାନ୍‌ ଭାରତ ଯୋଜନା ଲାଗୁ ପାଇଁ ନବୀନ ସରକାରଙ୍କୁ ନିବେଦନ କରିଛନ୍ତି । ପୂର୍ବରୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଏକ ପତ୍ର ମଧ୍ୟ ଲେଖିଥିଲେ । ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀ ଏହାର ପ୍ରତିଉତ୍ତର ଦେଇ ନାହାନ୍ତି ।
ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଲ୍‌ଟିସି କ୍ୟାସ୍‌ ଭାଉଚର୍‌ ସ୍କିମ୍‌ ଘୋଷଣା କରିଛନ୍ତି । ଓଡ଼ିଶା ସରକାର ନିଜ କର୍ମଚାରୀ ତଥା ପିଏସ୍‌ୟୁ କର୍ମଚାରୀଙ୍କ ଲାଗି ସ୍ୱତନ୍ତ୍ର ପ୍ରୋତ୍ସାହନ ଭାବେ ଏଲ୍‌ଟିସି କ୍ୟାସ୍‌ ଭାଉଚର ଯୋଜନା ଆରମ୍ଭ କରିବାକୁ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।
ଏପି୍ରଲ୍‌ରୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ ଓ ଡାଲି ଛଡ଼ା ଜନଧନ ଆକାଉଣ୍ଟଧାରୀ ମହିଳାଙ୍କ ପାଇଁ କେନ୍ଦ୍ର ଯେଉଁ ୧୫୦୦ ଟଙ୍କା ସହାୟତା ରାଶି ଘୋଷଣା କରିଥିଲା, ତାହା ଫଳରେ ଓଡ଼ିଶାର ୮୫ଲକ୍ଷ ୨୦ ହଜାର ହିତାଧିକାରୀ ଲାଭ ପାଇଥିବା ଦର୍ଶାଇ ଥିଲେ । ଓଡ଼ିଶା ପାଇଁ ୧୨୫୮ କୋଟିରୁ ଅଧିକ ଅର୍ଥ ଏବାବଦରେ ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ ଯାଇଛି ।

ଜାତୀୟ ସାମାଜିକ ସୁରକ୍ଷା ଭତ୍ତା ଯୋଗୁଁ ୨୦ ଲକ୍ଷ ୨୭ ହଜାର ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ବିଧବା ଉପକୃତ ହୋଇଛନ୍ତି । ସେମାନଙ୍କୁ ୨୦୨ କୋଟି ୭୦ ଲକ୍ଷ ଟଙ୍କା ମିଳିଛି । ପିଏମ୍‌ କିଶାନ ସମ୍ମାନନିଧି ଯୋଜନାରେ ୨୦ ଲକ୍ଷ ୩୦ ହଜାର ଚାଷୀ ୪୦୦ କୋଟି ୬୩ ଲକ୍ଷ ଟଙ୍କା ପାଇଛନ୍ତି ।
କେବଳ ସେତିକିରେ ସହାୟତା ସରି ନାହିଁ, ନନ୍‌ ମିଲିୟନ ପ୍ଲସ୍‌ ସିଟିକୁ ୨୭୧.୭୫ କୋଟି, ଡିଏମ୍‌ଏଫ୍‌ ପାଣ୍ଠିରୁ ୨୦୧୨ କୋଟି, ଏନ୍‌ଡିଆର୍‌ଏଫ୍‌ ପାଣ୍ଠିରୁ ୧୭୯.୬୪ କୋଟି ମିଳିଛି ଓଡ଼ିଶାକୁ । ଲକ୍‌ଡାଉନ୍‌ ସମୟରେ ବିଜୁଳି କିଣିବା ପାଇଁ ଓଡ଼ିଶା ରିହାତି ପାଇଛି ୮୪.୯୩ କୋଟି । ଜଳଜୀବନ ମିଶନରୁ ଓଡ଼ିଶାକୁ ମିଳିଛି ୮୧୨ କୋଟି । ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ସ୍ୱନିଧି ଯୋଜନାରେ ମଞ୍ଜୁର କରାଯାଇଛି ୮.୨ କୋଟି ।
କୋଭିଡ୍‌-୧୯ ପରିଚାଳନା ପାଇଁ ଓଡ଼ିଶା ୧୦୨ କୋଟି କେନ୍ଦ୍ରରୁ ପାଇଛି । ତା’ଛଡ଼ା ୮.୫୦ ଲକ୍ଷ ଏନ୍‌-୯୫ ମାସ୍କ, ୨.୫୩ ଲକ୍ଷ ପିପିଇ କିଟ୍‌, ୧୩.୫ ଲକ୍ଷ ଏଚ୍‌ସିକୁ୍ୟ ଡୋଜ୍‌ ଏବଂ ୫୬୭ ଭେଣ୍ଟିଲେଟର ଓଡ଼ିଶାକୁ ମିଳିଥିବା ଧର୍ମେନ୍ଦ୍ର ସୂଚନା ଦେଇଥିଲେ । ସେ ପୁଣି ଥରେ ନୂଆ କୃଷି ଆଇନକୁ ଜୋର୍‌ଦାର ସମର୍ଥନ କରିବା ସହ ଏହାଦ୍ୱାରା ଓଡ଼ିଶାର ଚାଷୀ ଉପକୃତ ହେବେ ବୋଲି ଆଶା ପ୍ରକାଶ କରିଥିଲେ ।
ଓଡ଼ିଶାରୁ ଭାରତର ବିଭିନ୍ନ ରାଜ୍ୟକୁ ୨୪୭ରୁ ଅଧିକ ସ୍ପେଶାଲ ଟ୍ରେନ୍‌ ଚାଲିବା ଯୋଗୁଁ ୪ଲକ୍ଷ ୪୦ ହଜାର ଯାତ୍ରୀ ଉପକୃତ ହୋଇଛନ୍ତି । ବନେ୍ଦ ଭାରତ ମିଶନରେ ଦୁବାଇରେ ଫସିଥିବା ଓଡ଼ିଆଙ୍କୁ ଭୁବନେଶ୍ୱର ଅଣାଯାଇଛି ବୋଲି କହିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*