କିଏ ହେବ ଅନାଥ ୩ ଛୁଆଙ୍କ ସାହା ବାପା ପରେ ମା’, ଉପାସରେ ୪୮ ଘଣ୍ଟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କୋରାପୁଟ

ମା’ ଆସିଲେ ଭାତ ଦେବ । ତା’ ହାତରୁ ଗୁନ୍ଦାଏ ଭାତ ଖାଇବା ପାଇଁ ୪୮ଘଣ୍ଟା ହେଲା ଭୋକ ଉପାସରେ ସେମାନେ । ୧୦ ବର୍ଷର ଝିଅ ସିନା ବୁଝିସାରିଲାଣି ସେଇ ଅଫେରନ୍ତା ରାଇଜରୁ ତା’ର ମା’ ଆଉ ଫେରିବନି, ହେଲେ ସେମାନଙ୍କୁ ବୁଝାଇବ କିପରି? ପେଟର ଭୋକକୁ ଚାପିରଖି ଦୁଇ ଭାଇ-ଭଉଣୀଙ୍କ ମୁନ୍ଦକୁ ଆଉଁଶି, ଥାପୁଡେଇ ନିଜେ ଗୁମୁରି ଗୁମୁରି କାନ୍ଦିବା ଛଡ଼ା ତା’ ପାଖରେ ନାହିଁ ଆଉ କିଛି ବିକଳ୍ପ । ଦୁନିଆ ଦାନ୍ଦରେ ବେସାହାରା ହୋଇପଡ଼ିଥିବା ଏହି ୩ ପିଲାଙ୍କ ପ୍ରତି ବିଧାତା କାହିଁକି ନିଷ୍ଠୁର ସାଜିଲା, କାହିଁକି ଦଇବ ଦୂରେଇ ନେଲା ସେମାନଙ୍କଠାରୁ ମା’ର ପଣତକାନି, ଏହି ପ୍ରଶ୍ନର ଉତ୍ତର ନାହିଁ କାହାରି ପାଖରେ । ୪୮ ଘଣ୍ଟା ବିତିବା ପରେ ଭୋକ ଉପାସରେ ଆଉଟ୍‌ପାଉଟ୍‌ ହେଉଥିବା ଏହି ଅନାଥ ପିଲାଙ୍କୁ ସାହା ଏବେ ହେବ କିଏ?
କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍‌ ମୁଖ୍ୟାଳୟ ନିକଟ ବଦଳିକୁଡୁମ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା । ଆଦିବାସୀ ଯୁବକ ଭାସ୍କର ନାଏକଙ୍କ ଦୁଇବର୍ଷ ତଳେ ମୃତୁ୍ୟ ହୋଇଥିଲା । ସ୍ୱାମୀଙ୍କ ମୃତୁ୍ୟରେ ଦେବକୀ ଭାଙ୍ଗିପଡ଼ିଥିଲେ ମଧ୍ୟ ଜନ୍ମିତ ଶିଶୁ ଓ ଅନ୍ୟ ଦୁଇ ପିଲାଙ୍କ ବିଷୟ ଚିନ୍ତାକରି ଅଣ୍ଟାଭିଡ଼ିବାକୁ ବାଧ୍ୟ ହୋଇଥିଲେ । ଏହି ତିନିପିଲାଙ୍କ ମୁହଁକୁ ଚାହିଁ ନିଜର ସବୁ କଷ୍ଟକୁ ଭୁଲିଯାଇଥିଲେ ଦେବକୀ । ଭଙ୍ଗାକୁଡ଼ିଆର ନିସ୍ତବ୍ଦ ରାତିରେ ୩ପିଲା ଶୋଇବା ପରେ ଝୁରୁଥିଲେ ଭାସ୍କରଙ୍କୁ । ମାସେ ନୁହେଁ ଦୁଇମାସ ନୁହେଁ ଦୁଇବର୍ଷ ଏଭଳି ପରିସ୍ଥିତିରେ ଗତି କରିଥିଲେ । ୧୦ ବର୍ଷର ଝିଅ ଭଗବତୀ, ୫ ବର୍ଷର ପୁଅ ଲକ୍ଷ୍ମଣ, ୨ ବର୍ଷର ଝିଅ ଲଳିତାକୁ ନିଜ ହାତରେ ଭାତ ଖୁଆଇ ସବୁଦିନ ଭଳି ଯାଇଥିଲେ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ । ହେଲେ ବାଟରେ ଅସୁସ୍ଥତା ଅନୁଭବ କରିବା ପରେ ଘରକୁ ଫେରିଆସିଥିଲେ । ଭଙ୍ଗା ଘର ଭିତରେ ମା’ର ଛଟପଟ ଏବଂ କଷ୍ଟକୁ ବୁଝିପାରି ଝିଅ ଭଗବତୀ ଦଉଡ଼ି ଯାଇ ପାଖପଡ଼ୋଶୀଙ୍କୁ ବଡ଼ କାକୁତିମିନତି ହୋଇଥିଲା । ପଡ଼ୋଶୀମାନେ ମଧ୍ୟ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ହେଲେ ଘରଭିତରେ ୫ବର୍ଷର ପୁଅ ଲକ୍ଷ୍ମଣ ଓ ୨ ବର୍ଷର ଝିଅ ଲଳିତାଙ୍କ ନିକଟରେ ଶୋଇପଡ଼ିଥିଲେ ଦେବକୀ । ଅନାଥ ହୋଇଗଲେ ୩ ଶିଶୁ । ଗାଁ’ଲୋକେ ଶବ ସକ୍ରାର କରିଦେଲେ, ପିଲାଙ୍କୁ କିଛି ସମୟ ବୁଝାଇଲେ, ଆଉଁଶିଲେ ଏବଂ ଫେରିଗଲେ । ଏବେ ଏହି ତିନିପିଲା ସମ୍ପୂର୍ଣ୍ଣ ଏକୁଟିଆ । ମା’ର ବିୟୋଗ ଦୁଃଖରେ ଗୁମୁରିଗୁମୁରି କାନ୍ଦୁଥିବା ଭଗବତୀ ଭାଇ ଓ ଭଉଣୀକୁ କିପରି ବୁଝାଇବ ଜାଣିପାରୁନାହିଁ । ବଞ୍ଚିବା ପାଇଁ ଭାତ ମୁଠାଏ ମଧ୍ୟ ନାହିଁ ସେମାନଙ୍କ ନିକଟରେ । ପାଖପଡ଼ୋଶୀ ଥରେ ସେମାନଙ୍କୁ ଖାଇବାକୁ ଦେଇଥିଲା ବେଳେ ସବୁବେଳେ ବା ଦେବ କିଏ? ୪୮ ଘଣ୍ଟା ଧରି ଉପାସରେ ଛଟପଟ ହେଉଥିବା ଏହି ୩ ଶିଶୁଙ୍କ ପାଇଁ ଦରଦ ନାହିଁ କାହାର? ଅଙ୍ଗନୱାଡ଼ି ଦିଦି ମଧ୍ୟ ଏହି ପିଲାଙ୍କ କଥାକୁ ଭୁଲିଯାଇଛନ୍ତି । ଗୁରୁବାର ଗାଁରେ କିଛି ସାମ୍ବାଦିକ ପହଞ୍ଚି ଘଟଣାକୁ ଜାଣିବା ପରେ ବିଡିଓଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଆଉ ବିଡିଓଙ୍କ ଉତ୍ତର ଥିଲା, ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଦିଆଯାଇଛି । ତେବେ ଏହି ୨ହଜାର ଟଙ୍କାରେ ୧୦, ୫, ୨ ବର୍ଷର ଶିଶୁ କ’ଣ କରିବେ ତାହା ବିଡିଓଙ୍କୁ ହିଁ ଜଣା । ତେଣୁ ପ୍ରଶ୍ନ ଉଠୁଛି କୋରାପୁଟ ଜିଲାର ଏହି ଦୁର୍ଗମ ଅଞ୍ଚଳର ୩ ପିଲାଙ୍କ ଓଠର ହସକୁ କେହି ଫେରାଇ ଦେବ କି? କିଏ ହେବ ସେମାନଙ୍କ ପାଇଁ ସାହା?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*