କାଳିଆ ହିତାଧିକାରୀ ତାଲିକା କାହାର ମୂଳରୁ ନାହିଁ ତ, ଆଉ କାହାର ୨୨ଥର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କାଳିଆ ଯୋଜନା ଗେମ୍‌ ଚେଞ୍ଜର ହେବ ବୋଲି ଭାବିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା ମାଧ୍ୟମରେ ନିର୍ବାଚନୀ ବୈତରଣୀ ପାର ହେବାର ଲକ୍ଷ୍ୟ ରଖିଥିଲେ । ମାତ୍ର ଆରମ୍ଭରୁ ହିଁ ଝୁଣ୍ଟିଥିଲା କାଳିଆ । ପ୍ରଥମେ ହିତାଧିକାରୀଙ୍କ ତାଲିକାରେ ମନ୍ତ୍ରୀ, ବିଧାୟକ, ବିଜୁ ଜନତା ଦଳର ନେତା ଓ କର୍ମୀମାନଙ୍କର ନାମ ରହିଥିଲା । ଏହାପରେ ନାମ ସଂଶୋଧନ କରାଗଲା ବୋଲି କୁହାଗଲା । ମାତ୍ର ଏହି ହିତାଧିକାରୀ କ୍ଷେତ୍ରରେ ମଧ୍ୟ ହୋଇଛି ବଡ଼ ଘୋଟାଲା । ଖୋର୍ଦ୍ଧା ଜିଲ୍ଲାରେ ଏପରି ଜଣେ ହିତାଧିକାରୀ ଅଛନ୍ତି ଯାହାଙ୍କ ନାମ ଯାହାଙ୍କ ନାମ ୨୨ଥର ରହିଛି ତାଲିକାରେ । ୨୨ଟି ସିରିଏଲ୍‌ ନମ୍ବର ରହିଛି ଏହି ହିତାଧିକାରୀଙ୍କ ନାମ । ଆଉ ଅଭିଯୋଗ ମଧ୍ୟ ହୋଇଛି ଏହି ହିତାଧିକାରୀଙ୍କ ଗୋଟିଏ ଆକାଉଣ୍ଟକୁ ବାରମ୍ବାର ୫ହଜାର ଟଙ୍କା ଆସିଛି ।
ବାରମ୍ବାର କାଳିଆରେ ସାମିଲ ହେବାକୁ ଥିବା ହିତାଧିକାରୀ ସଂଖ୍ୟାକୁ ସରକାର ବଢାଇ ଚାଲିଛନ୍ତି । ମଙ୍ଗଳବାର ଆଉ ୧୦ଲକ୍ଷ ସାମିଲ ହେବେ ବୋଲି ଘୋଷଣା ମଧ୍ୟ କରାଯାଇଛି । ଲୋକେ ତାଲିକାରେ ନିଜ ନାଁ ଅଛି କି ନାହିଁ, ତାହା ଖୋଜୁଛନ୍ତି । ଅନେକ ପ୍ରକୃତ ଚାଷୀ ନିଜ ନାମକୁ ନପାଇ କ୍ଷୁବ୍ଧ ଥିଲାବେଳେ ଖୋର୍ଦ୍ଧାର ଏହି ଘଟଣା ଏକ ବଡ଼ ଘୋଟାଲାର ସଙ୍କେତ ଦେଉଛି । ଏହି ଚୟନରେ ମଧ୍ୟ ଦୁର୍ନୀତି ଓ ବିଭ୍ରାଟ ହୋଇଛି ତାହା ଏହି ତାଲିକାରୁ ସ୍ପଷ୍ଟ ଜଣାପଡୁଛି ।
ଖୋର୍ଦ୍ଧା ଜିଲ୍ଲାର ମଙ୍ଗଳଯୋଡ଼ି ଗ୍ରାମ ପଞ୍ଚାୟତର ରାହୁଳ ସାହିର ମୀନା ସ୍ୱାଇଁ ହେଉଛନ୍ତି ଏହି ସୌଭାଗ୍ୟମତୀ ହିତାଧିକାରୀ । କାଳିଆ ହିତାଧିକାରୀ ତାଲିକାରେ ଭିନ୍ନଭିନ୍ନ ସିରିଏଲ ନମ୍ବରରେ ୨୨ଥର ତାଙ୍କ ନାମ ରହିଛି । ତାଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ଦିଆଯାଇଛି । ତେବେ ଏହା କିପରି ହେଲା ତାହା ଉତ୍ତର ଦେବାକୁ କେହି ଆସୁନାହାଁନ୍ତି । ମଙ୍ଗଳଯୋଡ଼ି ପଞ୍ଚାୟତ ପକ୍ଷରୁ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦିଆଯାଇନଥିଲାବେଳେ ଟାଙ୍ଗି ବ୍ଲକ ଅଧ୍ୟକ୍ଷ ଜାଣିନଥିବା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଯଦି ଏହି ଲୋକ ପାଖକୁ ବାରମ୍ବାର ଟଙ୍କା ଯାଇଥାଏ, ତେବେ ତାଙ୍କ ଆକାଉଣ୍ଟକୁ ସିଜ୍‌ କରାଯିବ । ହେଲେ କହୁନାହାନ୍ତି, କହିବାର ସାହସ କରୁନାହାନ୍ତି କିପରି ଏତେବଡ଼ ବିଭ୍ରାଟ ଘଟିଲା । ତେବେ ଏହା ଗୋଟିଏ ଘଟଣା ନୁହେଁ । ଅନେକ ହିତାଧିକାରୀଙ୍କ ନାମ ଦୁଇଦୁଇ ଥର ମଧ୍ୟ ଥିବାର ଦେଖିବାକୁ ମିଳିଲାଣି । ଏହି ଘଟଣାରୁ ଏହି ଯୋଜନାରେ ଏକ ବଡ଼ ଘୋଟାଲା ହୋଇଥିବାର ଆଭାସ ମିଳିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*