କାଳିଆ ଦଶା ଭୋଗିବେ ବିଜୁ?ବିଜୁ ପକ୍କାଘର ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ ହେବ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କାଳିଆର ଆତ୍ମ ସମର୍ପଣ ପରେ ନବୀନ ସରକାରଙ୍କ ମତିଗତିର ରୋଚକ ଦିଗ ସାମ୍ନାକୁ ଆସୁଛି । ଏକ ସମୟରେ ରାଜନୈତିକ ଫାଇଦା ପାଇବା ପାଇଁ ନବୀନ ପଟନାୟକ ବାପା ବିଜୁଙ୍କ ନାମକୁ ଅସଂଖ୍ୟ ବାର ଉପଯୋଗ କରିଛନ୍ତି । ନବୀନ ଜାଣିଥିଲେ ଯେ, ବିଜୁ ତାଙ୍କ ଭଳି ରେକର୍ଡ଼ ସମୟ ପାଇଁ କ୍ଷମତାରେ ନଥିଲେ ହେଁ ଲୋକଙ୍କ ହୃଦୟରେ ଥିଲେ । ସେଥିପାଇଁ ପ୍ରାୟ ୯୦ ଭାଗ ଯୋଜନା ବିଜୁଙ୍କ ନାମରେ ଲୋକଙ୍କ ପାଖକୁ ଠେଲି ଦେଇଥିଲେ ନବୀନ ପଟନାୟକ । ଏବେ ବିଜୁ ନାମକୁ ନେଇ ସୃଷ୍ଟି ହୋଇଥିବା ଅନେକ ଯୋଜନା ଅପମୃତୁ୍ୟର ଶିକାର ହେବାକୁ ଯାଉଛି ।
ଯେଉଁଠି ଓଡ଼ିଆ ଜାତିର ଆରାଧ୍ୟ କାଳିଆର ବିସର୍ଜନ ଲାଗି ନବୀନ ସରକାର ମନସ୍ଥିର କରିସାରିଲେଣି, ସେଠାରେ ବିଜୁ କିଏ?
ପ୍ରଥମ ବିସର୍ଜନର ପାଳି ପଡ଼ିବାକୁ ଯାଉଛି ବିଜୁ ପକ୍କାଘରର । ୨୦୧୫ ମସିହାରେ ନବୀନ ସରକାର ବିଜୁ ପକ୍କାଘର ଯୋଜନା ଘୋଷଣା କରିଥିଲେ । କେନ୍ଦ୍ର ସରକାର ତାହା ପୂର୍ବରୁ ଇନ୍ଦିରା ଆବାସ ଚାଲୁ କରିଥିଲେ ସାରା ଦେଶରେ । ମୋଦୀ ସରକାର ଆସିବା ପରେ ଆରମ୍ଭ ହେଲା ପିଏମ୍‌ ଆବାସ ଯୋଜନା । ପିଏମ୍‌ ଆବାସରେ ସମସ୍ତଙ୍କୁ ପକ୍କାଘର ଯୋଗାଇବାର ବ୍ୟବସ୍ଥା ରହିଲା । ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ, ୨୦୨୨ ସୁଦ୍ଧା ସମସ୍ତଙ୍କ ପାଖରେ ରହିବା ପାଇଁ ପକ୍କାଘରଟିଏ ଥିବ ।
ପିଏମ୍‌ ଆବାସ ଯୋଜନା ଯୋଗୁଁ ଓଡ଼ିଶାରେ ଭାଜପାକୁ ବିରାଟ ଲାଭ ମିଳିବ ଆଶଙ୍କା କରି ୨୦୧୫ରେ ସମାନ ଉଦେ୍ଦଶ୍ୟ ନେଇ ନବୀନ ସରକାର ମଧ୍ୟ ବିଜୁ ପକ୍କାଘର ଯୋଜନା ଆରମ୍ଭ କରିଦେଲେ । ଆଉ କଚ୍ଚାଘର ରହିବ ନାହିଁ । କାହାକୁ ଡର ରହିବ ନାହିଁ ବନ୍ୟା ଓ ବାତ୍ୟାକୁ । କିନ୍ତୁ ଏଥିରେ ବିଜୁଙ୍କ ନାମ ଯୋଡ଼ି ଦେଇଥିଲେ । ୨୦୧୭ ସୁଦ୍ଧା ୧୦ଲକ୍ଷ ଏବଂ ୨୦୧୯ ସୁଦ୍ଧା ୨୦ ଲକ୍ଷ ଲୋକଙ୍କୁ ବିଜୁ ପକ୍କାଘର ମିଳିଗଲାଣି ବୋଲି ବାହାସ୍ଫୋଟ ମାରିଥିଲେ ମୁଖ୍ୟମନ୍ତ୍ରୀ ବିଜ୍ଞାପନ ଜରିଆରେ । କିନ୍ତୁ କାଗ୍‌୍‌ ରିପୋର୍ଟରୁ ଜଣାପଡ଼ିଲା ଯେ, ପିଏମ୍‌ ଆବାସକୁ ବିଜୁ ପକ୍କାଘର ଭାବେ ଦେଖାଇବାକୁ ଚେଷ୍ଟା କରୁଛନ୍ତି ସରକାର ।
ଫୋନି ନବୀନ ସରକାରଙ୍କ ବିଜୁ ପକ୍କାଘର ମିଛ ଧରାଇ ଦେଲା । ସମସ୍ତଙ୍କୁ ପକ୍କାଘର ମିଳିସାରିଛି ବୋଲି କହୁଥିବା ସରକାର ମାନିବାକୁ ବାଧ୍ୟହେଲେ ଯେ, ଅନେକ କଚ୍ଚାଘର ଅଛି ଏବଂ ସେଥିପାଇଁ ପିଏମ୍‌ ଆବାସ ସକାଶେ କେନ୍ଦ୍ର ଅର୍ଥ ଦେଉ । ଏବେ ପିଏମ୍‌ ଆବାସ ପାଖରେ ବିଜୁ ପକ୍କାଘର ଆତ୍ମ ସମର୍ପଣ କରିବାକୁ ଯାଉଛି । ଆଉ ନିଜ ଆଡ଼ୁ ବିଜୁ ପକ୍କାଘର ନକରି ନିଜ କର୍ମୀମାନଙ୍କୁ ପିଏମ୍‌ ଆବାସ ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର ।

ସେଥିପାଇଁ ବହୁସ୍ଥାନରେ ଆବାସ ଦୁର୍ନୀତିରେ ବିଜୁ ଜନତା ଦଳର ବିଧାୟକ ଓ ନେତାମାନେ ଛନ୍ଦି ହୋଇସାରିଲେଣି ।
ବିଜୁ ପକ୍କାଘରର ଆୟୁ ଆଉ ବେଶୀଦିନ ନୁହେଁ । କିନ୍ତୁ ଏହାପରେ ପାଳି ପଡ଼ିବାକୁ ଯାଉଛି ଆଉ ଏକ ବିଜୁ ନାମକୁ ନେଇ ତିଆରି ହୋଇଥିବା ଯୋଜନା । ଯୋଜନାଟି ହେଲା- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । କିଛିଦିନ ତଳେ ଏହି ଯୋଜନାକୁ ଏସ୍‌କେଓସିଏଚ୍‌ ସ୍ୱାସ୍ଥ୍ୟ ଭାରତ ସ୍ୱର୍ଣ୍ଣ ପୁରସ୍କାର ମିଳିଥିଲା । ତେବେ ଏହି ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ପାଖରେ ଆତ୍ମ ସମର୍ପଣ କରିବ ବୋଲି କାହିଁକି ଆଶଙ୍କା କରାଯାଉଛି?
୨୦୧୮ ଅଗଷ୍ଟ ୧୫ ତାରିଖ ଦିନ ଓଡ଼ିଶା ସରକାର ବିଜୁଙ୍କ ନାମରେ ସ୍ୱାସ୍ଥ୍ୟବୀମା ଯୋଜନା ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଘୋଷଣା ଅନୁସାରେ ୭୫ ଲକ୍ଷରୁ ଅଧିକ ପରିବାର ଏହି ଯୋଜନାର ସୁଫଳ ପାଇବେ । ପ୍ରତିବର୍ଷ ପ୍ରତି ପରିବାରକୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ କଭରେଜ୍‌ ମିଳିବ । ରାଜ୍ୟର କୋଟିଏ ପରିବାରରୁ ଯଦି ୭୦ଲକ୍ଷ ପରିବାର ଏକ ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି, ତେବେ ଏହାଠୁ ଭଲ କଥା କିଛି ଥାଇ ନପାରେ । ମାତ୍ର ନିର୍ବାଚନ କାରଣରୁ ଏହି ଯୋଜନା ଘୋଷିତ ହୋଇଥିବାରୁ ନବୀନ ସରକାର କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଇ ଦେଲେ ନାହିଁ । କାଳିଆ ପରି ସରକାରଙ୍କର ଯୁକ୍ତି ହେଲା, ଆୟୁଷ୍ମାନ ଭାରତ ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ।
କିନ୍ତୁ ଏପର୍ଯ୍ୟନ୍ତ ୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଇପାରିଲେ ନାହିଁ ସରକାର । ଘରୋଇ ନର୍ସିଂହୋମ୍‌ଗୁଡ଼ିକ ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି । ଯୋଜନାର ଅବସ୍ଥା ଭାରି ସାଙ୍ଘାତିକ । ବହୁ ଗ୍ରାମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ପହଞ୍ଚô ନାହିଁ । ଯେଉଁମାନଙ୍କ ପାଖରେ ପହଞ୍ଚôଛି, ସେମାନଙ୍କୁ ନର୍ସିଂହୋମ ଚିକିତ୍ସା ସୁବିଧା ଯୋଗାଇବାକୁ ମନା କରିଦେଉଛନ୍ତି । ଅବସ୍ଥା ଏବେ ଏମିତି ଯେ, ଯେକୌଣସି ଦିନ ବିଜୁ ନାମଧାରୀ ଏହି ସ୍ୱାସ୍ଥ୍ୟବୀମା ଯୋଜନାକୁ ସ୍ୱାହା କରିଦେବେ ନବୀନ ସରକାର ।
ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରୁନାହାନ୍ତି ସରକାର । ଅର୍ଥାତ୍‌ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ଲାଭ ଓଡ଼ିଶାର ଲୋକଙ୍କୁ ମିଳୁ ନାହିଁ । ଏଣେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଫ୍ଲପ୍‌ ମାରିସାରିଛି । କେନ୍ଦ୍ର ଯୋଜନାକୁ ବିରୋଧ କରୁଥିବା ନବୀନ ସରକାର ଇତିମଧ୍ୟରେ ଆୟୁଷ୍ମାନ ଭାରତ ପାଣ୍ଠିରୁ ପ୍ରାୟ ୧୧୪ କୋଟି ଟଙ୍କା ଆଣି ସାରିଛନ୍ତି । ଏସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଲୋକସଭାକୁ ଜଣାଇବା ପରେ ବିଚିତ୍ର ବାହାନା ଦେଖାଇବାକୁ ପଡ଼ିଲା ରାଜ୍ୟ ସରକାରଙ୍କୁ । ହର୍ଷବର୍ଦ୍ଧନ କହିଥିଲେ ଯେ, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା ଏବଂ ଜନ ଆରୋଗ୍ୟ ଯୋଜନା ସକାଶେ ୨୦୧୮-୧୯ରେ ଓଡ଼ିଶା ୪୮ କୋଟି ୪୩ ଲକ୍ଷ ଏବଂ ୨୦୧୯-୨୦ରେ ୬୫କୋଟି ୨୨ଲକ୍ଷ ନେଇସାରିଛି । ସତ ଧରାପଡ଼ିଯିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କହିବାକୁ ପଡ଼ିଲା ଯେ, ତାଲିମ କାର୍ଯ୍ୟକ୍ରମ ପାଇଁ ଏହି ଅର୍ଥ କେନ୍ଦ୍ରରୁ ପାଇଛୁ । ଆୟୁଷ୍ମାନ ଭାରତ ଯୋଜନାରୁ ଆମ ଅର୍ଥ ନେଇନାହୁଁ । ଏହା ମଧ୍ୟ ଡାହା ମିଛ ।
ପୂର୍ବରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀମାନେ ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ନିର୍ଭୟର ସୂଚନା ମୁତାବକ ଆସନ୍ତାବର୍ଷ ପ୍ରାରମ୍ଭରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବାକୁ ଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପଡ଼ିବ ପୂର୍ଣ୍ଣଚ୍ଛେଦ ।
ଏହାପରେ ଆଉ କେତେ ଯେ ବିଜୁ ଯୋଜନାର ପରିସମାପ୍ତି ଘଟିବ, କିଏ ଜାଣେ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*