କାଲିଠୁ ପିଙ୍କ ବଲ ଟେଷ୍ଟ: ସନ୍ଧ୍ୟାରେ ଅଭ୍ୟାସ କଲା ଭାରତ ପିଚ୍‌ ଓ ମାହୋଲକୁ ନେଇ ଉତ୍ସାହିତ ବୋର୍ଡ ସଭାପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କୋଲକାତା

ଭାରତରେ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ତାହା ପୁଣି ଗୋଲାପୀ ବଲ୍‌ରେ ଶୁକ୍ରବାର ହେବାକୁ ଯାଉଛି । ଦିନକ ପରେ ଏହି ଐତିହାସିକ ମ୍ୟାଚ୍‌ ଇଡେନ ପଡିଆରେ ଖେଳା ଯିବାକୁ ଥିଲା ବେଳେ ଏକ ଅପୂର୍ବ ମାହୋଲ ବନିସାରିଛି ସହରରେ । ସବୁଠି ଏବେ କେବଳ ଏହି ଗୋଲାପୀ ବଲ୍‌ ଟେଷ୍ଟ ମ୍ୟାଚ୍‌କୁ ନେଇ ଜୋର ଚର୍ଚ୍ଚା । ଏହି ବିଶେଷ ମ୍ୟାଚର ଆୟୋଜନରେ ଯାହାଙ୍କର ସବୁଠାରୁ ବଡ଼ ଯୋଗଦାନ ରହିଛି ସେହି ସୌରଭ ଗାଙ୍ଗୁଲୀ, ଭାରତୀୟ କି୍ରକେଟ ବୋର୍ଡର ସଭାପତି ଅତ୍ୟନ୍ତ ଉତ୍ସାହିତ ମଣିଷ ହୋଇଯାଇଛନ୍ତି ଦିନକ ଆଗରୁ । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲୀ କି୍ରକେଟ ବୋର୍ଡର ଦାୟିତ୍ୱ ସମ୍ଭାଳିବା ଦିନ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର କଥା କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ତୁରନ୍ତ ବିରାଟଙ୍କ ସହ କଥା ହୋଇ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ମ୍ୟାଚକୁ ଦିବାରାତ୍ର କରିବା ଲାଗି ରାଜି କରାଇଦେଇଥିଲେ ।
ବୁଧବାର ଦିନ ସୌରଭ ଇଡେନ ପଡିଆରେ ସାମ୍ବାଦିକମାନଙ୍କ ସହ କଥା ହେଲା ବେଳେ ନିଜେ ଉତ୍ସାହିତ ହୋଇସାରିଥିବା କଥା ବତାଇଥିଲେ । ପିଚ୍‌ ନଜର କରି ଆସିବା ପରେ ସୌରଭଙ୍କ କଥାରେ ବିଶେଷ ଆଗ୍ରହ ଓ ଚମକ ଝଲକି ଥିଲା । ସୌରଭ କହିଥିଲେ ପିଚ୍‌ ଖୁବ୍‌ ସୁନ୍ଦର ଦେଖାଯାଉଛି । ପୂରା ମାହୋଲ ବଢିଆ ଭାବରେ ତିଆରି ହୋଇସାରିଛି । ବହୁବର୍ଷ ପରେ କୌଣସି ଟେଷ୍ଟ ମ୍ୟାଚର ପ୍ରଥମ ୪ଦିନର ଟିକେଟ ସମ୍ପୂର୍ଣ୍ଣ ବିକି୍ର ହୋଇସାରିଛି । ଏହା ଅଧିକ ଉତ୍ସାହିତ କରିଛି ବୋଲି ହସିହସି କହିଥିଲେ ସୌରଭ । କାରଣ ନିକଟ ଅତିତରେ ସେ ମିଡିଆକୁ କହିଥିଲେ ଖାଲି ଷ୍ଟାଡିୟମରେ ମହାନ୍‌ ଭାରତୀୟ କି୍ରକେଟରମାନେ ଖେଳିବା ଆଦୌ ଶୋଭାପାଉନାହିଁ । ଏହି ଅବସରରେ ସେ ଦିବାରାତ୍ର ମ୍ୟାଚ୍‌ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଶୁଭଙ୍କରଙ୍କ ସହ ଫଟୋ ଉଠାଇଥିଲେ ।
ଆଶାରେ ଅଶ୍ୱିନ
ସିନିୟର ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ର ଅଶ୍ୱିନ ବୁଧବାର କହିଛନ୍ତି ଏହି ଦିବାରାତ୍ର ମ୍ୟାଚ୍‌ ପାରମ୍ପାରିକ ଟେଷ୍ଟ କି୍ରକେଟ ପାଇଁ ଜୀବନ ବଟିକା ହେବ । ନୂଆ ଧାରା କି୍ରକେଟରେ ଆରମ୍ଭ କରାଇବ ଏହି ଗୋଲାପୀ ବଲ୍‌ ଟେଷ୍ଟ । ଏଥିସହ ମ୍ୟାଚର ସମୟକୁ ନେଇ ମଧ୍ୟ ସେ ବଡ଼ ପ୍ରୀତ ଅଛନ୍ତି । ପ୍ରଥମ କରି ଟେଷ୍ଟ ଆରମ୍ଭ ହେଲା ବେଳକୁ ଆମେ ଭର୍ତ୍ତି ଷ୍ଟାଡିୟମ ପାଇଥିବା ବୋଲି ଆଶା କରିଛନ୍ତି ଅଶ୍ୱିନ । ଏଠାରେ ଉଲ୍ଲେଖଯୋଗ୍ୟ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚର ଦୈନିକ ଖେଳ ଦିନ ଗୋଟାଏରେ ଆରମ୍ଭ ହୋଇ ରାତି ୮ଟା ଯାଏଁ ଚାଲିବ ।
ନାଲି ବଲରୁ ଅଲଗା ହେଉ ଗୋଲାପୀ ମ୍ୟାଚ୍‌
ଭାରତରେ ପ୍ରଥମ କରି ଗୋଲାପୀ ବଲ୍‌ରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ହେବାକୁ ଯାଉଥିଲା ବେଳେ ସୁନୀଲ ଗାଭାସ୍କର ଏହାକୁ ନାଲିବଲ୍‌ ସିରିଜ ସହ ନ ମିଶାଇବା ପାଇଁ ଦାବି କରିଛନ୍ତି । ପ୍ରଥମେ ଯେତେବେଳେ ଦିବାରାତ୍ର କି୍ରକେଟ ଆରମ୍ଭ ହେଲା ସେତେବେଳେ କେହି ଏହାର ପ୍ରସାରକୁ ନେଇ ଆଶାବାଦୀ ନଥିଲେ । ହେଲେ ଏବେ ତାହା କି୍ରକେଟର ଅସଲ ରୂପ ହୋଇସାରିଛି । ତେଣୁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ମଧ୍ୟ ଜନସମର୍ଥନ ନ ପାଇବ ବୋଲି କହିହେବ ନାହିଁ । ହେଲେ ମୋର ଗୋଟିଏ ଅନୁରୋଧ ନାଲିବଲ୍‌ କି୍ରକେଟ ସିରିଜ୍‌ ସହ ଗୋଲାପୀ ବଲ୍‌ ମ୍ୟାଚ୍‌ ନ ମିଶାଯାଉ । ଅଲଗା ଗୋଲାପୀ ବଲ୍‌ ସିରିଜ କରିବା ଉଚିତ୍‌ ବୋଲି ସୁନୀଲ କହିଛନ୍ତି ।
ଅଭ୍ୟାସ କଲେ ଦଳ
ବୁଧବାର ଦିନ ଦୁଇ ଦଳର ଖେଳାଳି ଇଡେନ ମାଟିରେ ଜୋରଦାର ଅଭ୍ୟାସ କରିଛନ୍ତି । ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମା ଲମ୍ବା ସମୟ ନେର୍ଟ୍ସରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଘରୋଇ କି୍ରକେଟର ରିଦ୍ଦିମାନ ଶାହା ମଧ୍ୟ ନେଟ୍ସରେ ବ୍ୟାଟିଂ କରିଛନ୍ତି ଅନେକ ସମୟ । ମହମ୍ମଦ ସାମି ପୂରା ଲୟରେ ବୋଲିଂ କରୁଥିବା ଦେଖାଯାଇଛି । ଅଭ୍ୟାସ ପାଇଁ ଆସିଲା ବେଳେ ଭାରତୀୟ ଖେଳାଳିମାନେ କିଛି ସମୟ ମ୍ୟାଚର ଅମ୍ପାୟାରମାନଙ୍କ ସହ କଥା ହୋଇଥିଲେ । ବାଂଲାଦେଶ ଦଳ ମଧ୍ୟ ଏହି ମ୍ୟାଚ୍‌ ସକାଶେ ବଡ଼ ଉତ୍ସାହରେ ପ୍ରସ୍ତୁତି କରୁଥିଲା ଅବସ୍ଥାରେ ଦଳକୁ ଲାଗିଛି ଝଟକା । ଏହି ମ୍ୟାଚ୍‌ରେ ଖେଳିବାର ସୁଯୋଗ ପାଇବେ ବୋଲି ଯେଉଁ ଖେଳାଳି-ସୈଫ୍‌ ହାସନଙ୍କୁ କୁହାଯାଉଥିଲା ସେ ଆଘାତ ପାଇଛନ୍ତି । ତାଙ୍କ ଆଙ୍ଗୁଳିରେ ଲାଗିଥିବା ଆଘାତ ପୂରା ଭଲ ହୋଇନଥିବାରୁ ସେ ଏଠାରେ ସୁଯୋଗ ପାଇବେ ନାହିଁ । ଶୁକ୍ରବାର ଉଦ୍‌ଘାଟନୀ ଉତ୍ସବରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ଗୃହମନ୍ତ୍ରୀ ଆସିବାକୁ ଥିବାରୁ ସେଥିପାଇଁ ମଧ୍ୟ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*