କରୋନା ସହ ରଥକୁ ଭିଡୁଚ କିଆଁ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ରଥଯାତ୍ରା ହେଲା ଜୁନ୍‌ ୨୩ରେ । ନିଳାଦ୍ରୀବିଜେ ସରିଲା ଜୁଲାଇ ୪ ରେ । ଅଥାତ୍‌ ରଥଯାତ୍ରା ସରିଲାଣି ଅଢେଇ ମାସ ହେଲା । ଏବେ ପୁରୀରେ ସେବାୟତମାନଙ୍କୁ କରୋନା ହବା ଘଟଣାକୁ ନେଇ କିଛି ମହଲ ରଥଯାତ୍ରା ସହ ଏହାକୁ ଯୋଡିବା ପାଇଁ ଭାରି ଉତ୍ସାହିତ ହେଇପଡିଚନ୍ତି । ସତେ ଯେମିତି ରଥଯାତ୍ରା ମୁଖିଆଙ୍କ ମର୍ଜି ଅନୁସାରେ ହେଇନଥିଲେ ପୁରୀରେ ଜମାରୁ କରୋନା ହେଇନଥାନ୍ତା!
ଜୁଲାଇ ମାସରେ ଯଦି ସେବାୟତମାନଙ୍କ ଭିତରେ କରୋନା ଲକ୍ଷଣ ପ୍ରକାଶ ପାଇଥାନ୍ତା, ତେବେ ଆମେ ଅବଶ୍ୟ ଯୁକ୍ତି କରିଥାନ୍ତେ ଯେ, ରଥ ଟାଣିଲ, ଫଳ ପାଇଲ । ହେଲେ ସେପ୍ଟେମ୍ବରରେ ଯଦି କରୋନା ବାହାରୁଚି, ତେବେ ରଥଯାତ୍ରା ସହିତ କରୋନାର କି ସମ୍ପର୍କ?
ଅବଶ୍ୟ ଜଗୁନି ପରିକା ଦଇତାମାନଙ୍କୁ ବହେ ଶୋଧିବାକୁ ଇଚ୍ଛା ହଉଚି । ଏମିତିକା ଜଗାଙ୍କ ଆତ୍ମ ଘୋଷିତ ଭାଇମାନେ ଉଡନ୍‌ ଛୁଁ କଥା ହେଇଥାନ୍ତି । ସେମାନେ କହିଥିଲେ ଯେ, ଥରେ କାଳିଆ ବଡ଼ଦାନ୍ଦକୁ ଆସିଲେ, କରୋନା କୁଆଡ଼େ ଛାଡି ପଳେଇବ । କିନ୍ତୁ ଏବେତ ସେବାୟତମାନଙ୍କୁ କରୋନା ମାଡ଼ିବସିଲାଣି । ୧୦୦ ରୁ ଉପରେ ଆକ୍ରାନ୍ତ ହେଲେଣି । ତେଣୁ ଜଗୁନି ପରିକା ଦଇତାମାନଙ୍କୁ ବିଶ୍ୱାସ କରିବା ଉଚିତ୍‌ ନୁହେଁ ।
ହେଲେ କଥା ହଉଚି ଯେ, ରଥଯାତ୍ରା ହେଲା ବୋଲି କରୋନାରେ ପଡିଲେ ସେବାୟତ ବୋଲି ଯଉଁ ଚର୍ଚ୍ଚା ହଉଚି, ଏହି ଚର୍ଚ୍ଚାକାରୀମାନେ ଓଡ଼ିଶା କଥା ଜମାରୁ ଦେଖୁ ନାହାଁନ୍ତି । ଅନ୍ୟ ଜିଲା କଥା ଛାଡନ୍ତୁ । ରାଜଧାନୀ ଭୁବନେଶ୍ୱରରେ କେତେ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ନହେଇଚି ସତେ! ପୁଣି ରାତି ବେଳିଆ କର୍ଫୁ୍ୟ ବି ହେଇଚି । କିନ୍ତୁ ଭୁବନେଶ୍ୱରରେ କରୋନା କମିବ କ’ଣ, ରାକ୍ଷସ ଭଳିଆ ମାଡି ଗଲାଣି । ଡେଲି ତ ୫୦୦ ଉପରେ ଯାଉଚି ସଂଖ୍ୟା । ଏଥିପାଇଁ କାହାକୁ ଦାୟୀ କରାଯାଇପାରିବ? ପୁଲିସ୍‌ ଏଇଟି । କଡ଼ା କାନୁନ୍‌ ବି ଅଛି । ତଥାପି ଏବେ ଗଳି ଗଳିରେ କରୋନା । ରାଜଧାନୀରେ ତ ରଥ ଟଣା ହେଇନଥିଲା?
ସମସ୍ୟା ଲୋକଙ୍କ ଠେଇଁ । ଲୋକେ ଯଦି ସୁରକ୍ଷା କଥା ଭୁଲି ଯାଇ ମାତିଯିବେ, କରୋନା ସେମାନଙ୍କୁ ଛାଡିବ କି? ସିଏ ସେବାୟତ ହୁଅନ୍ତୁ କି ସାଧାରଣ ଜନତା । ଜୁଲାଇ ଆରାମ୍‌ରେ ଚାଲିଯିବା ପରେ, ସେବାୟତମାନେ ଭାବି ନେଇଥିବେ ଯେ, ଆଉ କିଛି ହବାର ନାହିଁ । କାଳିଆ ଅଛନ୍ତି । ତେଣୁ ବେପରୁଆ ହେଇ ସବୁ ସୁରକ୍ଷା ବ୍ୟବସ୍ଥା ଏଡାଇ ଥିବାରୁ ସେପ୍ଟେମ୍ବରରେ କୀଳା ନେଇଚନ୍ତି । ଶୁଣାଯାଉଚି ଯେ, ଭୋଜି କଲା ଭଳି ଅବଢା ଖାଇ ଏମିତି ଅବସ୍ଥା ସେବାୟତଙ୍କର ।
ରାଇଜସାରା ଅବସ୍ଥା ସଂଗୀନ । ସରକାର ଛାନିଆ ହେଇ ଆଉ ବେଶି ଟେଷ୍ଟ କରୁନାହାଁନ୍ତି । ପୁରୀ ସେବାୟତଙ୍କୁ ଦୋଷ ଦେଇ ଲାଭ ବା କ’ଣ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*