କରୋନା ମୁକାବିଲା ପାଇଁ ଅଭୂତପୂର୍ବ ନିର୍ଦ୍ଦେଶ ୨୧ଦିନ ପାଇଁ ଦେଶ ବନ୍ଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ମହାମାରୀର ରୂପ ନେଇସାରିଥିବା କରୋନା ସଂକ୍ରମଣ ଯେପରି ଭାବରେ ବିକଟାଳ ଚେହେରା ବନାଇସାରିଛି ତାହାର ମୁକାବିଲା ସକାଶେ ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ୱ ରକ୍ଷା ବା ଅନ୍ୟ ଅର୍ଥରେ କହିଲେ ନିଜକୁ ଓ ପରିବାରକୁ ଏକାନ୍ତରେ ରଖିବା । ଫଳରେ ଗତ ରବିବାର ଦିନ ଜନତା କର୍ଫୁ୍ୟ ପାଳନ ପାଇଁ ଅନୁରୋଧ କରି ସେହି ସାମାଜିକ ଦୂରତ୍ୱର କଥାକୁ ଗମ୍ଭୀରତାର ସହ ବତାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ହେଲେ ଏବେ ସ୍ଥିତି ଆହୁରି ବିଗିଡ଼ି ଯାଉଥିବା ଅବସ୍ଥାରେ ମଙ୍ଗଳବାର ସନ୍ଧ୍ୟାରେ ଜାତି ଉଦେ୍ଦଶ୍ୟରେ ଭାଷଣ ଦେଲା ବେଳେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ମଧ୍ୟରାତ୍ରରୁ ୨୧ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ସାରା ଦେଶରେ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କର୍ଫୁ୍ୟ ଭଳି ସ୍ଥିତି ଜାରି ରହିବ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ସାମାଜିକ ଦୂରତା ରକ୍ଷା ହିଁ ଏକମାତ୍ର ମୁକାବିଲାର ବାଟ ବୋଲି ଏକାଧିକବାର ବୁଝାଇବାକୁ କହିଥିଲେ ଚେଷ୍ଟା । ସେ ତାଙ୍କ ଭାଷଣରେ କହିଥିଲେ ଆଗାମୀ ୨୧ ଦିନ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତ ଯେ ୨୧ଦିନ ନିହାତି ଆବଶ୍ୟକ କରୋନା ଭୂତାଣୁ ସଂକ୍ରମଣର ଚକ୍ରକୁ ଭଙ୍ଗ କରିବାର ବୋଲି କହିଥିଲେ ମୋଦୀ । ସେ ହାତ ଯୋଡ଼ି ଦେଶବାସୀଙ୍କୁ ନିଜ ଘରେ ୨୧ଦିନ ପର୍ଯ୍ୟନ୍ତ ଅବସ୍ଥାନ କରିବାକୁ ଅନୁରୋଧ କରିଥିଲେ । ନିଜ ଦୁଆର ଆଗରେ ଲକ୍ଷ୍ମଣରେଖା ଟାଣିଦେଇ ତାକୁ ପାର୍‌ ହେବା ପାଇଁ କେହି ଚିନ୍ତା ନକରିବା ସକାଶେ ସେ କରିଥିଲେ ଅପିଲ୍‌ । ସେ କହିଥିଲେ ଯେ, ଆମକୁ ମନେରଖିବାକୁ ପଡ଼ିବ ଜଣେ ଭୂତାଣୁ ସଂକ୍ରମିତ ବ୍ୟକ୍ତି ପ୍ରଥମେ ସ୍ୱାସ୍ଥ୍ୟବାନ ମନେହୁଅନ୍ତି । ତାଙ୍କୁ ସଂକ୍ରମଣ ହୋଇଛି ନା ନାହିଁ ତାହା ବୁଝାପଡ଼ିନଥାଏ ପ୍ରଥମରୁ । ତେଣୁ ଏକମାତ୍ର ସତର୍କତା ହେଉଛି ଘରେ ନିଜକୁ ବନ୍ଦ କରି ରଖିବା । ସେ କହିଥିଲେ ପ୍ରଥମ ୧ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହେବା ପାଇଁ ୬୭ଦିନ ଲାଗିଥିଲା । ହେଲେ ଏହାପରେ ପରବର୍ତ୍ତୀ ୧ଲକ୍ଷ ଲୋକ କେବଳ ୧୧ ଦିନରେ ଆକ୍ରାନ୍ତ ହୋଇଯାଇଥିଲେ । ହେଲେ ତା’ଠାରୁ ଅଧିକ ଆତଙ୍କିତ କଲାଭଳି ତଥ୍ୟଟି ହେଉଛି ୩ଲକ୍ଷରେ ପହଞ୍ଚିବା ପାଇଁ କେବଳ ୪ଦିନର ଆବଶ୍ୟକତା ପଡ଼ିଥିଲା । ଅର୍ଥାତ୍‌ ୪ଦିନ ଭିତରେ ୨ଲକ୍ଷରୁ ସଂକ୍ରମଣ ରୋଗୀଙ୍କ ସଂଖ୍ୟା ହୋଇଯାଇଥିଲା ୩ଲକ୍ଷ ବୋଲି ପ୍ରଧାନମନ୍ତ୍ରୀ ବୁଝାଇ କହିଥିଲେ । ସେ ଦେଶବାସୀଙ୍କୁ ଅବଗତ କରାଇଥିଲେ ଯେ ଭାରତ ଆଜି ମୁକାବିଲାର ଯେଉଁ ଅବସ୍ଥାରେ ଛିଡ଼ା ହୋଇଛି ଯେଉଁ କଠୋର ନିଷ୍ପତ୍ତି ଆଜି ନେବ ତାହା ଏକ ବଡ଼ ବିପର୍ଯ୍ୟୟରେ ରକ୍ଷା କରିବାରେ ସହାୟକ ହୋଇପାରିବ । ଆମକୁ ଏହି ସମୟରେ ସମସ୍ତ ଶକ୍ତି ପ୍ରଦର୍ଶନ କରିବା ଦରକାର । ବର୍ତ୍ତମାନର ସମୟରେ ଅଧିକ ଦିନ ଦେଶକୁ ଲକ୍‌ଡାଉନ୍‌ରେ ରହିବାକୁ ପଡୁଥିବାରୁ ଆମକୁ ଶୃଙ୍ଖଳା ଏବଂ ଧୈର୍ଯ୍ୟର ବଡ଼ ଆବଶ୍ୟକତା ରହିଛି । ଆମେ ଯଦି ଏହି ୨୧ ଦିନ ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ୍‌ ନହେବା ତା’ହେଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ । ଯେଉଁ ପରିବାରର ଲୋକେ ଏହାକୁ ନମାନିବେ ସେମାନଙ୍କ ପରିବାର ୨୧ ବର୍ଷର ବିପର୍ଯ୍ୟୟ ଦେଖିଲା ଭଳି ସ୍ଥିତିକୁ ଚାଲିଯିବ ବୋଲି ସତର୍କ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ।ସେ ତାଙ୍କ ଭାଷଣରେ ଆଗକୁ କହିଥିଲେ ଯେ, ଦେଶବାସୀ ମନେପକାନ୍ତୁ ସେଇ ଲକ୍ଷ ଲକ୍ଷ ବ୍ୟକ୍ତିମାନଙ୍କୁ ଯେଉଁମାନେ ଜରୁରିକାଳୀନ ସେବା ଦେବାରେ ନିୟୋଜିତ ଅଛନ୍ତି । ଯେଉଁମାନେ କରୋନା ବିପକ୍ଷ ଲଢ଼େଇରେ ଆଗୁଆ ପଦାତିକ ସୈନିକର ଭୂମିକା ନିଭାଉଛନ୍ତି । ଆପଣମାନେ ଚିନ୍ତା କରନ୍ତୁ ସେହି ଡାକ୍ତରମାନଙ୍କୁ, ସେହି ନର୍ସମାନଙ୍କୁ, ସେହି ପାରା ମେଡିକାଲ ଷ୍ଟାଫ୍‌ମାନଙ୍କୁ ଏବଂ ସେହି ପାଥୋଲୋଜିଷ୍ଟମାନଙ୍କୁ ଯେଉଁମାନେ ଦିନରାତି ଜୀବନ ବଞ୍ଚାଇବା ପାଇଁ କାମକରି ଚାଲିଛନ୍ତି । ଆପଣମାନେ ପ୍ରାର୍ଥନା କରନ୍ତୁ ସଫେଇ କାମରେ ଲାଗିଥିବା ସେହି କର୍ମଚାରୀମାନଙ୍କ ପାଇଁ ଯେଉଁମାନେ ଆପଣଙ୍କ ଜନବସତି ଅଞ୍ଚଳକୁ ସଫାସୁତୁରା କରିବା ସକାଶେ କାମରେ ଲାଗିଛନ୍ତି । ଆପଣ ମଧ୍ୟ ଚିନ୍ତା କରନ୍ତୁ ନିଜ ଜୀବନ ଯିବା ଭଳି ପରିବେଶରେ ମଧ୍ୟ ମିଡିଆ କର୍ମଚାରୀମାନେ ୨୪ ଘଣ୍ଟା ସଠିକ୍‌ ଖବର ପ୍ରସାରଣ ପାଇଁ କାମ କରୁଛନ୍ତି ।
୧୫ ହଜାର କୋଟି ଘୋଷଣା
କରୋନା ଭାଇରସ୍‌ର ମୁକାବିଲା ପାଇଁ ୧୫ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ ପ୍ରଦାନ କରାଯାଉଥିବା ବିଷୟ ତାଙ୍କ ଭାଷଣରେ କହିଥିଲେ । ଏହି ୧୫ହଜାର କୋଟି ଟଙ୍କା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଖର୍ଚ୍ଚ ହେବ । କେନ୍ଦ୍ର ସରକାର ଆଜି ଏହି ୧୫ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ମୋଦୀ କହିଥିଲେ । ଏହି ଅର୍ଥରେ ଅଧିକ ଟେଷ୍ଟ ସେଣ୍ଟର ଖୋଲାଯିବ । ମେଡିକାଲ କର୍ମଚାରୀମାନଙ୍କ ଲାଗି ସୁରକ୍ଷା ଇକୁ୍ୟଭ୍‌ମେଣ୍ଟ କିଣାଯିବ, ନିର୍ଜନ ୱାର୍ଡ ଗଠନ କରାଯିବ । ତା’ ସହ ଆଇସିୟୁ ବୋର୍ଡ ଏବଂ ଭେଣ୍ଟିଲେଟର କିଣାଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ଏହି ୨୧ଦିନ ଭିତରେ କୌଣସି ପ୍ରକାରର ଗୁଜବ ପ୍ରତି ଧ୍ୟାନ ନଦେବା ସକାଶେ ସେ ଅନୁରୋଧ କରିଥିଲେ । ଏହି ସମୟ ଭିତରେ କୌଣସି ପ୍ରକାର ଆବଶ୍ୟକତା ପଡ଼ିଲେ କେବଳ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ମେଡିସିନ ନେବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ।
ତାଙ୍କ ଭାଷଣ ବେଳେ ପ୍ରଧାନମନ୍ତ୍ରୀ ସୋସାସିଆଲ୍‌ ମିଡିଆରେ ସୁରକ୍ଷା ସତର୍କତା ପାଇଁ ବିଭିନ୍ନ ବ୍ୟାନର ଓ ପୋଷ୍ଟର ଛଡ଼ାଯାଉଥିବା ବିଷୟ ଚର୍ଚ୍ଚା କରି ଗୋଟିକୁ ଦେଖାଇଥିଲେ । ଯେଉଁଥିରେ ଲେଖାଥିଲା ‘କୋରୋନା’ । କୋ- କୋଇ, ରୋ ରୋଡ୍‌ ପର୍‌, ନା- ନା ନିକ୍‌ଲେ । ଅର୍ଥାତ୍‌ କରୋନା ମୁକାବିଲା ପାଇଁ କେହି ବି ରାସ୍ତାକୁ ନଆସନ୍ତୁ । ତେବେ ଏହି ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକତ ସାମଗ୍ରୀ ଉପଲବ୍ଧ କରାଯିବା ବିଷୟ ସୁନିଶ୍ଚିତ ପ୍ରଶାସନ ପକ୍ଷରୁ କରାଯିବ ବୋଲି ସୂଚନା ମିଳିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*