କରୋନା ଭାଇରସ୍‌: ଜାହାଜ ଭିତରେ ୩୫୦୦ ଲୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଟୋକିଓ

ମହାମାରୀର ରୂପ ନେଉଥିବା କରୋନା ଭାଇରସକୁ ନେଇ ପୂରା ବିଶ୍ୱ ଏବେ ଚିନ୍ତାରେ । ଏହାକୁ କିପରି ରୋକାଯାଇପାରିବ ସେ ଦିଗରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିଲା ବେଳେ ବିଭିନ୍ନ ଦେଶ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଜାପାନ ଏକ କ୍ରୁଜ୍‌କୁ କରୋନ ଭାଇରସ ଡରରେ ବନ୍ଦର ଭିତରେ ଅଟକ ରଖିଛି । ଏହା ଭିତରେ ଥିବା ୨୫୦୦ ଯାତ୍ରୀ ଏବଂ ୧ହଜାର କ୍ରୁ ମେମ୍ବରଙ୍କୁ ବାହାରକୁ ଛଡାଯାଉନାହିଁ ।
ଏହି ଜାହାଜ ଭିତରେ ହଂକଂର ଜଣେ ଯାତ୍ରୀଙ୍କ କରୋନା ଭାଇରସରେ ସଂକ୍ରମିତ ହେବା ଜଣାପଡିଥିଲା । ପରେ ବନ୍ଦରର ଅଧିକାରୀମାନେ ଜାହାଜକୁ ସମୁଦ୍ର ଭିତରେ ହିଁ ଅଟକ ରଖିବାର ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ସବୁ ଯାତ୍ରୀମାନଙ୍କୁ ନିଜ ନିଜ କୋଠରୀରେ ରହିବାର ପରାମର୍ଶ ଦିଆଯାଇଛି । ଏଥିସହ ଡାକ୍ତରମାନଙ୍କୁ ଜାହାଜ ଭିତରକୁ ଯାଇ ଚିକିତ୍ସା ସୁବିଧା ଯୋଗାଇ ଦେବାର ନିଦେ୍ର୍ଦଶ ଦିଆଯାଇଛି । ସୋମବାର ଏହି ଘଟଣା ଘଟିଥିଲା ବେଳେ ଜାହାଜ ଭିତରେ ଆଉ କେତେଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ତାହା ଜଣାପଡିନାହିଁ । ଏହି ଜାହାଜଟି ହଂକଂରୁ ୨୫ରେ ଟୋକିଓ ଅଭିମୁଖେ ଯାତ୍ରା ଯାତ୍ରା କରିଥିଲା । ଜାପାନରେ ବର୍ତ୍ତମାନ ସୁଦ୍ଧା ୨୦ଟି ମାମଲା ପଦାକୁ ଆସିଥିଲା ବେଳେ ସରକାରଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଜାହାଜରେ ଥିବା ଜଣେ ମହିଳା ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଛନ୍ତି ଯେ, ଆମ ସମସ୍ତଙ୍କୁ ନିଜନିଜ ରୁମ୍‌ରେ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି ଏବଂ ଟେଷ୍ଟିଂ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଛି । ଅନ୍ୟପଟେ ଜାପାନ ସରକାରଙ୍କ ପକ୍ଷରୁ ଚୀନରେ ରହୁଥିବା ନିଜ ଦେଶର ଲୋକଙ୍କ ନିମନ୍ତେ ଭିସା ଜାରି କରିବାର ବ୍ୟବସ୍ଥା ବନ୍ଦ କରାଯାଇଛି । କିଛିଦିନ ପାଇଁ ନିଜ ଦେଶର ଲୋକଙ୍କୁ ଦେଶକୁ ନଫେରିବାର ପରାମର୍ଶ ଦିଆଯାଇଛି ।

ଭାଇରସର ପ୍ରକୃତ ଫଟୋ

ସମଗ୍ର ବିଶ୍ୱ ଏବେ କରୋନାକୁ ନେଇ ଆତଙ୍କିତ । ବୈଜ୍ଞାନିକମାନେ ଦିନରାତି ଏକ କରି ଏହାକୁ ରୋକିବାର ଔଷଧ ଖୋଜିବାରେ ଲାଗିଛନ୍ତି । ଏବେ ମାଇକ୍ରୋସ୍କୋପ ମାଧ୍ୟମରେ ଏହି ଭୟଙ୍କର କରୋନା ଭାଇରସର ପ୍ରକୃତ ଚିତ୍ର ଆଗକୁ ଆସିଛି ।
ମାଇକ୍ରୋସ୍କୋପ ମାଧ୍ୟମରେ ଯେଉଁ ଚିତ୍ର ଆଗକୁ ଆସିଛି ସେଥିରେ ଏହି ଭାଇରସ ଏକ ମିଲିମିଟରର ୧ଲକ୍ଷ ଭାଗର ଛୋଟ ଅଂଶରେ ବିଭାଜିତ କରାଯାଇ ମାପିବାର ଚେଷ୍ଟା କରାଯାଇଛି । ଭାଇରସର ଆକାର ଏକ ମିଲିମିଟରର ହଜାର ଭାଗରୁ ଭାଗେ ରହିଛି । ଏହାର ବ୍ୟାସ ୨୦ ନାନୋ ମିଟର ମଧ୍ୟରେ ରହିଛି ।

ସାର୍ସ ଭଳି ଭୟଙ୍କର

ଚୀନରେ ମୃତ୍ୟୁ ସଂଖ୍ୟା ୫୦୦ ଛୁଇଁଥିଲା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବୈଜ୍ଞାନିକମାନେ କରୋନା ସାର୍ସ ଭଳି ଭୟଙ୍କର ବୋଲି ମତ ଦେଇଥିଲା ବେଳେ ବାଦୁଡି କାରଣରୁ ଏହା ସଂକ୍ରମିତ ହେଉଥିବାର ଆଶଙ୍କା ପ୍ରକାଶ କରିଛନ୍ତି । ନେଚର ନାମକ ଏକ ପତ୍ରିକାରେ କୁହାଯାଇଛି ଯେ, ଗବେଷଣାରୁ ଜଣାପଡିଛି ଯେ, ପ୍ରଥମେ ସାମୁଦ୍ରିକ ଖାଦ୍ୟରୁ ଏହା ସଂକ୍ରମିତ ହେଉଥିବା ଆଶା କରାଯାଉଥିଲା । ହେଲେ ଭୟଙ୍କର ସାର୍ସ ଭଳି କରୋନା ଭାଇରସ ମଧ୍ୟ ବାଦୁଡିରୁ ଆରମ୍ଭ ହୋଇଥିବା ଜଣାପଡୁଛି । ପ୍ରଥମେ ଏହି ଭାଇରସ୍‌ ବାଦୁଡିରେ ଥିବା ଦେଖାଯାଇଛି । ସାର୍ସ ଭାଇରସ୍‌ ଏବଂ କରୋନା ଭାଇରସ୍‌ ଗୋଟିଏ ସମୂହର ବୋଲି ସ୍ପଷ୍ଟ ମଧ୍ୟ ହୋଇଛି । ଏହି ଦୁଇ ଭାଇରସର ମଧ୍ୟରେ ଅନେକ ସମାନତା ଦେଖିବାକୁ ମିଳିଛି । ଅଦ୍ୟାବଧି ଗବେଷଣାରୁ ବାଦୁଡିକୁ ଛାଡି ଦେଲେ ଅନ୍ୟ କୌଣସି ଜୀବଜନ୍ତୁଙ୍କ ଦ୍ୱାରା ଏହା ସଂକ୍ରମିତ ହେଉଥିବାର ଠୋସ୍‌ ପ୍ରମାଣ ମିଳିନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*