କରୋନା ବେଳ, ଲୁଟେରାଙ୍କ ଖେଳ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କଥାରେ ଅଛି ନଇଁ ପଡିଥିବୁ ଯେତିକି ବେଳେ, ବିଧାୟେ ମାରିବୁ ସେତିକି ବେଳେ । ଅକଳରେ ପଡିଥିବା ମଣିଷକୁ ଲୁଟିବା ମଜା ଓ ସଉକ କିଛି ଲୋକଙ୍କର ଓ ସରକାରୀ ଅଫିସରଙ୍କ ଅଛି । କରୋନା ଦେଇଚି ସୁବର୍ଣ୍ଣ ସୁଯୋଗ । କିଏ ଶୁଣୁଚି କାହା କଥା । ତମେ ଗୁହାରି କରିବ ଯାହାକୁ, ଆମେ ଘଇତା କରିଚୁ ତାହାକୁ । ଚାରିଆଡ଼େ ଏବେ ଲୋକଙ୍କୁ ଲୁଟିବା ପାଇଁ ବାହାରି ପଡିଚନ୍ତି ଲୋକେ ।
ପ୍ରଥମ ଖବରଟି ଆସିଚି ବାଲେଶ୍ୱର ଜିଲାରୁ । ଆମ ଓଡ଼ିଶାରେ କାମ କରୁଥିବା ବଙ୍ଗାଳୀ ଶ୍ରମିକମାନେ ଆଉ ଖାଇବା ପିଇବା ନପାଇ ସାଇକେଲରେ ବାହାରିଲେ ଘରକୁ । ଏମାନଙ୍କୁ ଆମ ମୁଖିଆ କହୁଥିଲେ ଅତିଥି ଶ୍ରମିକ । କରୋନା ବେଳରେ ଅତିଥି କିଏ ନା ଫତିଥି କିଏ? ଏଣେ କେନ୍ଦ୍ର ଦେଇଥିଲା ଟଙ୍କା ପ୍ରବାସୀ ଶ୍ରମିକଙ୍କୁ ଖୁଆଇ ପିଆଇ ରଖିବା ପାଇଁ । ମୁଖିଆ କୁଆଡ଼େ ୨୭୦୦ କେନ୍ଦ୍ରରେ ୯୦ହଜାର ଏମିତି ଅତିଥି ଶ୍ରମିକଙ୍କୁ ରଖେଇ ଖାଇବା ପିଇବା ଦଉଥିଲେ । ବିଶ୍ୱାସ ହଉଚି ଟି? ଯଦି ଖାଉଥିଲେ ଓ ପିଉଥିଲେ, ତେବେ ସାଇକେଲରେ ବା ଚାଲିଚାଲି ନିଜ ଘରକୁ ପଳାଇ ଯିବାକୁ କାହିଁକି ଚାହୁଁଥିଲେ?
ଡିଜି ସାହବ ପୁଲିସ୍‌ବାଲାଙ୍କୁ କହିଲେ ଏମିତି ଯାଉଥିବା ଅତିଥି ଶ୍ରମିକମାନଙ୍କୁ ଟ୍ରକରେ ବସେଇ ଛାଡି ଦିଅ ତାଙ୍କ ରାଜ୍ୟରେ । ଏମିତି ପ୍ରାୟ ୧୦୦ ଶ୍ରମିକଙ୍କ ଆନ୍ଧ୍ର ଟ୍ରକ୍‌ରେ ବସେଇ ପୁଲିସ୍‌ ବାଲା ଲକ୍ଷ୍ମଣନାଥ ରୋଡ୍‌ରେ ଓହ୍ଲେଇ ଦେଲେ । ସେପଟକୁ ଛାଡିବା ବଦଳରେ ଏପଟେ ରଖି ଧରେଇ ଦେଇଚନ୍ତି ବିସ୍କୁଟ ଓ ଦିନରେ ଦଉଚନ୍ତି ଭାତ-ଡାଲମା । ଏହାର ବଡ଼ କାରଣ ହେଲା ଲମ୍ବା ବିଲ୍‌ କରି ପଇସା ଲୁଟିବା ସାର । ସେମାନଙ୍କୁ ଆରପଟେ ଛାଡି ଦେଇଥିଲେ ଦିଦିଙ୍କ ପୁଲିସ୍‌ ସେମାନଙ୍କୁ କେମିତି ନବା କଥା ନେଇଥାନ୍ତେ । ଯାହାର ସାଇକଲ ଅଛି ସେମାନେ ନିଜେ ପଳେଇଯାଇଥାନ୍ତେ । ଏପଟେ ସେମାନଙ୍କୁ ରଖି ଯେଉଁ ତାମ୍‌ସା କରାଯାଉଚି, ତାହାର ଉଦେ୍ଦଶ୍ୟ କ’ଣ? ଦେ ଭାଇ ଲୁଟି ଚାଲ । ମଉକା ପଡିଚି ଜମାରୁ ଛାଡନି ।
ଦ୍ୱିତୀୟ ଖବରଟି ଆସିଚି ଜଗତ୍‌ସିଂହପୁରରୁ । କିଛି ଦିନ ଆଗରୁ ତୁମ୍ବ ଅନେ୍ଦଇସାହି ପଞ୍ଚାୟତର ବିରେନ୍ଦ୍ରଙ୍କ କଥା ଲେଖିଥିଲୁ । ଏବାବୁ ଜଣେ ପ୍ରବାସୀ ଶ୍ରମିକ । ଚଢେଇ ଗାଁ ସଂଗରୋଧ କେନ୍ଦ୍ରରେ ରହିଚନ୍ତି । କିନ୍ତୁ ତାଙ୍କର ନମୁନା ପରୀକ୍ଷା ହଉନି । କହିଲେ ଓଲଟି ବିଡିଓ କହୁଚନ୍ତ ଯେ, ଆହୁରି ୨୧ଦିନ ରଖିଦେବି ଯେ, ପାଇବୁ ମଜା ।
ଏବେ ବିରେନ୍ଦ୍ର ସେଠାରେ ରହିବା ୧୫ ଦିନ ରହିଲେଣି । କିନ୍ତୁ କେହି ଶୁଣିବାକୁ ନାହାଁନ୍ତି । ଆଉ ଏ କେନ୍ଦ୍ରର ଅବସ୍ଥା ଦେଖିଲେ ଜାଣି ହଉଚି ଯେ, ଖାଲି ଲୁଟିବା ପାଇଁ ଏସବୁ କେନ୍ଦ୍ର କରାଯାଇଚି । ସବୁ କାଗଜପତ୍ରରେ ଦେଖାଇ ତଳୁ ଉପରଯାଏ କ୍ୱାରେଣ୍ଟାଇନ୍‌ ସେଣ୍ଟର ନାଁ ରେ ଲୁଟି ଚାଲିଚନ୍ତି । ଏଭଳି ସେଣ୍ଟରରେ ଅଧିକ ଦିନ ରହିଲେ କରୋନା ହବ କି ନହବ ଦୂରର କଥା କିନ୍ତୁ ମାନସିକ ରୋଗରେ ପଡିବା ଥୟ । ବିରେନ୍ଦ୍ରଙ୍କ ପରି ହଟ୍ଟାକଟ୍ଟା ଯୁବକ ବାଇକ୍‌ରେ ଛତିଶଗଡରୁ ଆସିଥିଲେ । ନମୁନା ପରୀକ୍ଷା ନହବା ଯୋଗୁ ମାନସିକ ବିଷାଦ ଭୋଗିଲେଣି । ଭଗବାନ ନକରନ୍ତୁ, ସେ ପାଗଳ ହେଇନଯାଆନ୍ତୁ ।
କ୍ୱାରେଣ୍ଟାଇନ୍‌ ସେଣ୍ଟର ଜିନିଷ ପତ୍ର କିଣାରେ ବଡ଼ବାବୁ କେତେ ନେଇଚନ୍ତି ସେକଥା ଭଗବାନ ଜାଣିଥିବେ । ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଦିଆଯିବା ଶୁଣିଥିଲୁ । ସେଥିରୁ ମଧ୍ୟ କିଏ କେତେ ଖାଇଥିବେ ତାହା ମଧ୍ୟ ସେହି ଭଗବାନ ଜାଣିଥିବେ । ଏମିତି ଲୁଟେରାଙ୍କୁ କରୋନା ହେଇଯାଉ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*