କରୋନା ବିପକ୍ଷ ଲଢେଇରେ ସାମିଲ ଅଛନ୍ତି ଓଡ଼ିଶାର ଷ୍ଟାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଭୁବନେଶ୍ୱରରୁ ସମ୍ବିତ୍‌ ମହାପାତ୍ର

କିଛି ସପ୍ତାହ ତଳ ଯାଏ ରଶ୍ମି ରଞ୍ଜନ ପରିଡା ଥିଲେ ଭିନ୍ନ ଅବତାରରେ । ଓଡ଼ିଶା ରଣଜୀ ଦଳର କୋଚ୍‌ ଭାବେ ରଶ୍ମି ତୁଲାଉଥିଲେ ଦାୟିତ୍ୱ । ଦଳର ଜର୍ସି ଓ ଟି- ସାର୍ଟ ପିନ୍ଧି ଦଳକୁ ଐତିହାସିକ ସିଜିନରେ ଆଗକୁ ବଢାଇବାରେ ଲାଗିଥିଲେ ସେ । ଦମଦାର ପ୍ରଦର୍ଶନ କରିଥିବା ତାଙ୍କ ଦଳ ଓଡ଼ିଶା କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଯାଇ ସେଠାରେ ସଂଘର୍ଷ କରିଥିଲେ ମଧ୍ୟ ଭାଗ୍ୟଦେବୀଙ୍କ ଟିକିଏ ସହଯୋଗ ନପାଇ ଯାଇପାରି ନଥିଲା ସେମିଫାଇନାଲକୁ । ହେଲେ ଏବେ ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ଅଛନ୍ତି ରଶ୍ମି । ଦେଶ ଆଜି କରୋନା ଭାଇରସ୍‌ ବିରୋଧରେ ଲଢେଇ କରୁଥିଲା ବେଳେ ଏୟାର ଇନ୍ଦିଆର ଜଣେ ସତ୍ୟନିଷ୍ଠ ଅଧିକାରୀ ଭାବରେ ଏହି ସଂଘର୍ଷରେ ସାମିଲ ହୋଇଛନ୍ତି ରଶ୍ମି ରଞ୍ଜନ ପରିଡ଼ା । ଓଡ଼ିଶା କ୍ରୀଡ଼ା ଇତିହାସରେ କିମ୍ବଦନ୍ତୀ ପୁରୁଷ ହେବାର ଯୋଗ୍ୟତା ହାସଲ କରିସାରିଛନ୍ତି ରଶ୍ମି । କାରଣ ସେ ହିଁ ଏକମାତ୍ର ଓଡ଼ିଆ ଯିଏ ରଣଜୀ ଟ୍ରଫି ଚମ୍ପିଆନ୍‌ ହେବାର ପାଇଛନ୍ତି ସୌଭାଗ୍ୟ । ତା’ସହ ଓଡ଼ିଶା ବାଦ ଏକାଧିକ ରଣଜୀ ଦଳରୁ ଖେଳିବା ସହ ଆସାମର କ୍ୟାପଟେନ୍‌ ମଧ୍ୟ ବନିଛନ୍ତି ଅତିତରେ । ଏବେ ରଶ୍ମି ରଞ୍ଜନ ପରିଡା ଏୟାର ଇନ୍ଦିଆର କାର୍ଗୋ ଦାୟିତ୍ୱରେ ରହିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ମାଲ୍‌ ପରିବହନ ଦାୟିତ୍ୱ ଏୟାର ଇନ୍ଦିଆର ଯେଉଁ ଦାୟିତ୍ୱ ସମ୍ପନ୍ନ କର୍ମଚାରୀମାନେ ବର୍ତ୍ତମାନର ସ୍ଥିତିରେ ମଧ୍ୟ ଜାରି ରଖାଇପାରିଛନ୍ତି ସେଥିରେ ସାମିଲ ଅଛନ୍ତି ରଶ୍ମି । ସୋମବାର ନିର୍ଭୟ ସହ କଥା ହେଲା ବେଳେ ରଶ୍ମି କହିଥିଲେ ଏଠାରେ ଖେଳ ପଡିଆ ଭଳି ଟିମ୍‌ ସ୍ପିରିଟରେ ହେଉଛି କାମ । ଆମେ ଏୟାର ଇନ୍ଦିଆ ଷ୍ଟାଫ୍‌ ମାନେ ପୂରା ଦେଶବାସୀଙ୍କ ସେବାରେ ସମର୍ପିତ ଅଛୁ । ଏହି ଜରୁରୀ ସମୟରେ ଆମେ ଖେଳାଳି ହୋଇମଧ୍ୟ କେବେ କର୍ତ୍ତବ୍ୟର ଆହ୍ୱାନକୁ ଏଡାଇ ନାହୁଁ । ଏୟାର ଇନ୍ଦିଆର ଷ୍ଟାଫମାନେ ଆମର ଯାହା ଦାୟିତ୍ୱ ତାହା ଆମେ ସମସ୍ତ ସୁରକ୍ଷା ସତର୍କତା ଗ୍ରହଣ କରୁଛୁ । ନିୟମିତ ରଶ୍ମି ତାଙ୍କ ସରକାରୀ ପୋଷାକ ସହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରୋଜ କରୁଛନ୍ତି ତାଙ୍କ କାମ । ସେ ସମସ୍ତ ଓଡ଼ିଶାବାସୀଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛନ୍ତି । ରଶ୍ମିଙ୍କ ଭଳି ଆଉ ଜଣେ ବଡ଼ ଓଡ଼ିଆ ଖେଳାଳି ହେଲେ ସ୍ୱୟାଂଶୁ ସତ୍ୟପ୍ରଜ୍ଞ । ଏୟାର ଇନ୍ଦିଆରେ କାର୍ଯ୍ୟରତ ଏହି ବିଶିଷ୍ଟ ଚେସ୍‌ ଖେଳାଳି ଭୁବନେଶ୍ୱର ସିଟି ରିର୍ଜଭେସନ୍‌ ଅଫିସରେ ତାଙ୍କ କାମ କରିଚାଲିଛନ୍ତି । ବର୍ତ୍ତମାନର ବିମାନ ବାତିଲ ହେଉଥିବା ସମୟରେ ବହୁ ବିଦେଶୀଙ୍କ ସହ ସାଧାରଣ ଭାରତୀୟ ଯାତ୍ରୀ ମଧ୍ୟ ତାଙ୍କ ଅଫିସକୁ ଆସୁଛନ୍ତି କାମରେ । ହେଲେ କର୍ତ୍ତବ୍ୟାର ଆହ୍ୱାନରେ ସତ୍ୟପ୍ରଜ୍ଞ ତାଙ୍କ ଅଫିସର ଅନ୍ୟମାନଙ୍କ ସହ ସାମିଲ ଅଛନ୍ତି ସେବା ଜାରି ରଖିବାରେ । ସେହିପରି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ବିମାନ ବନ୍ଦରରେ ନିଜ ଦାୟିତ୍ୱ କରୁଛନ୍ତି ନିର୍ବାହ । ଖେଳାଳି ହୋଇ ମଧ୍ୟ ସେମାନେ ନିଜକୁ ଦୂରେଇ ଦେଇନାହାଁନ୍ତି ବର୍ତ୍ତମାନ ସମୟରେ ଦାୟିତ୍ୱ ସମ୍ପାଦନ କରିବା ପାଇଁ । ଏହି ଖେଳାଳିମାନେ ସୋମବାର ନିର୍ଭୟ ସହ କଥା ହେଲା ବେଳେ କହିଥିଲେ ଯିଏ ସବୁଠାରୁ ବଡ଼ ସେବା ଏୟାର ଇନ୍ଦିଆ ପ୍ରଦାନ କରୁଛି ସେମାନେ ଅଲିମ୍ପିକକୁ ବର୍ତ୍ତମାନ ସମୟରେ ଘୁଞ୍ଚାଇ ଦେବା ପାଇଁ କରିଥିଲେ ଦାବି । ରଶ୍ମି କହିଥିଲେ ବର୍ତ୍ତମାନ ସମୟରେ ଅଲିମ୍ପିକ କରିବା ଆଦୌ ସମ୍ଭବ ନୁହେଁ । ଖେଳାଳିମାନେ ଫିଟନେସ୍‌ରେ ନାହାଁନ୍ତି ତଥା ସେମାନଙ୍କ ଉପରେ ରହିଛି ବଡ଼ ମାନସିକ ଚାପ । ସେହିପରି ଚେସ୍‌ ତାରକା ସତ୍ୟପ୍ରଜ୍ଞ ଅଲିମ୍ପିକ୍‌ ସ୍ଥଗିତ ରଖିବା ଉପରେ ଜୋର ଦେଲା ବେଳେ ଋଷରେ ତାଙ୍କରି ଖେଳର ଏକ ବଡ଼ ପ୍ରତିଯୋଗିତା ଆୟୋଜିତ ହେଉଥିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଏୟାର ଇନ୍ଦିଆ ଭାରତୀୟ ରେଳବାଇ ବିଭିନ୍ନ ରାଜ୍ୟର ପୁଲିସ୍‌ ବିଭାଗରେ କାର୍ଯ୍ୟ କରୁଥିବା ବହୁ ଖେଳର ବଡ଼ ତାରକା ମାନେ ଏବେ କରୋନାର ଲଢେଇରେ ନିଜକୁ ସାମିଲ କରିଛନ୍ତି । ଭାରତୀୟ ସିନିୟର ହକି ଦଳର ମୁଖ୍ୟକୋଚ୍‌ ଦାୟିତ୍ୱ ତୁଲାଇ ସାରିଥିôବା ହରେନ୍ଦ୍ର ସିଂ ଏବେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରର ସବୁଠାରୁ ବ୍ୟସ୍ତ ଟର୍ମିନାଲ-୩ ର ଦାୟିତ୍ୱରେ ଅଛନ୍ତି । ସେ ଏୟାର ଇନ୍ଦିଆର କମର୍ସିୟାଲ ଭାବେ ଦାୟିତ୍ୱ ତୁଲାଉଛନ୍ତି । ହେରେନ୍ଦ୍ର ଏବଂ ତାଙ୍କ ଟିମ୍‌ ୭୨ଘଣ୍ଟା ଲଗାତାର କାମ କରି କରୋନା ବିପକ୍ଷରେ ଦେଉଛନ୍ତି ଯୋଗଦାନ । ଓଡିଆ ତାରକା ହୁଅନ୍ତୁ ବା ଅନ୍ୟ ଖେଳାଳିମାନେ ସମସ୍ତେଙ୍କ ଭିତରେ ଆଜି ଗୋଟିଏ ଭାବନା ଯେ, ଦେଶ ଆବଶ୍ୟକ କରୁଛି ଆମକୁ । ଆମେ ଏବେ କ୍ରୀଡ଼ାବିତ୍‌ ନୁହେଁ ଆମେ ଏବେ ସୈନିକ । କରୋନା ଲଢେଇରେ, ଦେଶର ଡାକରେ ଏବେ ଆମେ ସୈନିକ ଭାବେ ଦେଉଛୁ ଯୋଗଦାନ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*