କରୋନା ଆଶ୍ୱସ୍ତି|ଜିଏସଟି ଦାଖଲ ତାରିଖ ବଢିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କରୋନା ଭାଇରସ୍‌ ପ୍ରକୋପ କାରଣରୁ ସମସ୍ୟା ଦେଇ ଗତି କରୁଥିବା ବ୍ୟବସାୟୀଙ୍କୁ ଆଶ୍ୱସ୍ତ ପ୍ରଦାନ ପାଇଁ ମଙ୍ଗଳବାର କେନ୍ଦ୍ର ସରକାର ଜିଏସଟି ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ ବଢାଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଏସଟି ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ ଜୁନ୍‌ ୩୦, ୨୦୨୦କୁ ବଢାଯାଇଥିବା ଘୋଷଣା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ୫କୋଟିରୁ ଅଧିକ ଟଙ୍କାର କାରବାର କରୁଥିବା କମ୍ପାନୀମାନଙ୍କୁ ଜିଏସଟି ରିଟର୍ଣ୍ଣ ଦାଖଲରେ ବିଳମ୍ବ ନେଇ କୌଣସି ବିଳମ୍ବ ଶୁଳ୍କ, ଜୋରିମାନା ଅଥବା ସୁଧ ଦେବାକୁ ପଡ଼ିବ ନାହିଁ । ସେହିପରି ୩ମାସ ପାଇଁ ବ୍ୟାଙ୍କରେ ଖାତାଧାରକଙ୍କୁ ସର୍ବନିମ୍ନ ବାଲାନ୍ସକୁ ନେଇଥିବା ନିୟମକୁ କୋହଳ କରାଯାଇଛି ।
ସୀତାରମଣ କହିଛନ୍ତି ଯେ, ୫କୋଟିରୁ ଅଧିକ ଟଙ୍କାର କାରବାର କରୁଥିବା କମ୍ପାନୀମାନଙ୍କୁ ୧୫ଦିନ ଭିତରେ ଜିଏସଟି ରିଟର୍ଣ୍ଣ ଦାଖଲ ନେଇ କୌଣସି ଶୁଳ୍କ କିମ୍ବା ଜୋରିମାନା ଲାଗିବ ନାହିଁ । ପୂର୍ବରୁ ବିଳମ୍ବ ପାଇଁ ୯ପ୍ରତିଶତ ସୁଧ ଦେବାକୁ ପଡୁଥିଲା । ସୀତାରମଣ ୨୦୧୮-୧୯ବର୍ଷର ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ଅନ୍ତିମ ସମୟ ସୀମାକୁ ଜୁନ୍‌ ୩୦କୁ ବଢାଯାଇଥିବା ସୂଚନା ଦେଇଛନ୍ତି । ଏ ଅବସରରେ ଉପସ୍ଥିତ ଥିଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ।
ମିନିମମ୍‌ ବ୍ୟାଙ୍କ ବାଲାନ୍ସ: ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୩ମାସ ପର୍ଯ୍ୟନ୍ତ ବ୍ୟାଙ୍କ ଖାତାଧାରକଙ୍କୁ ମିନିମମ୍‌ ବ୍ୟାଙ୍କ ବାଲାନ୍ସ ମେଣ୍ଟେନ୍‌ କରିବାକୁ ପଡ଼ିବ ନାହିଁ । ବର୍ତ୍ତମାନ ଗ୍ରାହକମାନଙ୍କୁ ନିଜ ବ୍ୟାଙ୍କ ଖାତାରେ ପ୍ରତିମାସରେ କିଛି ନିଶ୍ଚିତ ଅର୍ଥ ରାଶି ମେଣ୍ଟେନ କରିବାକୁ ପଡ଼ୁଛି । ପୂର୍ବରୁ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ନିଜ ସେଭିଙ୍ଗ୍‌ ବ୍ୟାଙ୍କ ଆକାଉଣ୍ଟ ହୋଲଡର୍ସଙ୍କ ପାଇଁ ମିନିମମ୍‌ ବାଲାନ୍ସ ମେଣ୍ଟେନ କରିବାର ବାଧ୍ୟତାକୁ ଉଠାଇ ଦେଇଥିଲା ।
ଅନ୍ୟ ଏଟିଏମରୁ ଉଠାଣ: ଆସନ୍ତା ୩ମାସ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଯେକୌଣସି ବ୍ୟାଙ୍କରୁ ଯେତେ ଥର ପର୍ଯ୍ୟନ୍ତ ଟଙ୍କା ଉଠାଣ କରିପାରିବେ । ସୀତାରମଣ କହିଛନ୍ତି ଯେ, ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ବର୍ତ୍ତମାନ ବ୍ୟାଙ୍କ ନିଜ ଏଟିଏମରୁ ୫ଥର ଏବଂ ଅନ୍ୟ ବ୍ୟାଙ୍କ ଏଟିଏମରୁ ୩ଥର ବିନା ଶୁଳ୍କରେ ଟଙ୍କା ଉଠାଣର ସୁବିଧା ଦେଉଛି ।
ଆର୍ଥିକ ପ୍ୟାକେଜ: ଅର୍ଥମନ୍ତ୍ରୀ କହିଛନ୍ତି ଯେ, କୋଭିଡ-୧୯ ପ୍ରଭାବିତ ଲୋକଙ୍କ ପାଇଁ ଖୁବଶୀଘ୍ର ଆର୍ଥିକ ପ୍ୟାକେଜ ଘୋଷଣା କରାଯିବ । ଏହା ଉପରେ କାମ ଚାଲୁଛି । କେନ୍ଦ୍ର ସରକାର ଏହି ଯୋଜନାର ଘୋଷଣା ଆଗାମୀ ଦିନରେ କରିପାରନ୍ତି ।
ପାନ – ଆଧାର ଲିଙ୍କ୍‌: ପାନକାର୍ଡକୁ ଆଧାର କାର୍ଡ ସହ ଲିଙ୍କ୍‌ କରିବାର ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇ ଜୁନ୍‌ ୩୦, ୨୦୨୦ କରାଯାଇଛି । ପୂର୍ବରୁ ସରକାର ୩୦ ମାର୍ଚ୍ଚ ସୁଦ୍ଧା ଲିଙ୍କ୍‌ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*