କରୋନାରୁ ଭଲ ହେଲେ ନବୀନ ଜୟ ଜୟକାର, ଆଉ ମଲେ…?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଯେମିତି କଂଗ୍ରେସରେ ଗାନ୍ଧୀ-ଭଡ୍ରା ପରିବାର ବିନା କିଛି ହୁଏନି, ଠିକ୍‌ ସେମିତି ଓଡ଼ିଶାରେ ନବୀନ ବାବୁଙ୍କ ବିନା ବିଜୁ ଜନତା ଦଳରେ କିଛି ହବାର ଚାନ୍ସ ବି ନାହିଁ । ଶଙ୍ଖ ବଣରେ ଫୁଲ ବି ଫୁଟେ ନବୀନଙ୍କ ଅନୁମତି ନେଇ । ଗଛରେ ପତ୍ର କଅଁଳେ ନବୀନ ହଁ କହିଲେ । ପବନ ବି ବହେ ତାଙ୍କ ମର୍ଜିରେ ।
ଯଉଁମାନେ ମୁନ୍ଦ ଉଠେଇ ଆଖିରେ ଆଖି ମିଳେଇ କଥା କହିପାରିଥାନ୍ତେ, ସେମାନଙ୍କୁ କଉଁ ଦିନରୁ ନବୀନ ବାବୁ ଦଳରୁ ବିଦା କରିଦେଇଚନ୍ତି । ଦଳ ଯଉଁମାନେ ଗଢିଥିଲେ, ନିଅଁ ପକାଇଥିଲେ, ସେମାନେ ସବୁ ଆଉଟ୍‌ । ଯଉଁମାନଙ୍କର ଦଳରେ ନେଣଦେଣା ନଥିଲା, ଯଉଁମାନେ ବିଜୁ ବାବୁଙ୍କୁ ବିରୋଧ କରୁଥିଲେ, ସେମାନେ ଏବେ ଦଳରେ ଗୋଟେ ଗୋଟେ ମୁନ୍ଦି ।
ଏବେ ଯଉଁମାନେ ଅଛନ୍ତି ସେମାନଙ୍କ ମେରୁଦନ୍ଦ ଶଙ୍ଖ ଲକରରେ ବନ୍ଧା ପଡିଚି । ତେଣୁ ଯାହା ହଉଚି, ଯାହା ହବ ସବୁଥିରେ ଜୟ ଜୟକାର ପଡିବ ନବୀନଙ୍କର । ଏହାର ଖିଲାପ ହେଲେ ଦଳରୁ ବିଦା । ଏବେ ଅବଶ୍ୟ ମୁଖ୍ୟମନ୍ତ୍ରୀ ଶାସନ କରିବାକୁ ଜଣେ ଅଫିସରଙ୍କୁ କା’ ଦେଇଚନ୍ତି । ନବୀନ ନ ଚାହିଁଲେ ବି ଏହି କା’ ସିଏମ୍‌ ନ ଚାହିଁଲେ କିଛି ହବାର ନାହିଁ ଦଳରେ ।
ନବୀନ ନିଜେ କୋଭିଡ୍‌ ପରିଚାଳନା କରୁନାହାଁନ୍ତି । ଆଗରୁ ଥୋଡେ ଅଫିସର ମିଳିମିଶି ମ୍ୟାନେଜ କରୁଥିଲେ । ସେତେବେଳେ ସ୍ଥିତି ହାତ ମୁଠାରେ ଥିଲା । ଏବେ ନବୀନଙ୍କ ନିଜ ଜିଲା ଗଞ୍ଜାମ ଅବସ୍ଥା ବାରନ୍ଦା ଦି’କଡ଼ା । କିଛିଦିନ ଆଗରୁ କୋଭିଡ୍‌ ପରିଚାଳନା ଭାର ସିଏମ୍‌ ମୋ ସରକାରଙ୍କ ହାତକୁ ଟେକି ଦେଇଚନ୍ତି । ତଥାପି ଦଳର ନେତାମାନେ ତେଲମରା କଥା କହିବାକୁ ଭୁଲି ନାହାଁନ୍ତି । ଯିଏ କରୋନା ବେମାରୀରୁ ଭଲ ହେଲା, ସେଇଟା କୁଆଡ଼େ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ କୋଭିଡ୍‌ ପରିଚାଳନା ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗୁ ହେଲା । ଏକଥା ବିଜୁ ଜନତା ଦଳ ସୋସିଆଲ ମିଡିଆରେ ଲାଗିପଡି ପ୍ରଚାର କରୁଚି ।
କନ୍ଧମାଳର ୮୧ବର୍ଷର ଗୋପିନାଥ ଡାଳୁଆ କରୋନା ସଂକ୍ରମଣରୁ ଆରୋଗ୍ୟ ହେବା ପରେ ଶଙ୍ଖ ପାର୍ଟି ଟୁଇଟ୍‌ରେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଚି । ଫଟୋ ସହ ଦଳ କହିଚି ଯେ, ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ କୋଭିଡ୍‌ ପରିଚାଳନା ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗୁ ଗୋପିନାଥ ଡାଳୁଆ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ସ୍ଥାପିତ କୋଭିଡ୍‌ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସେବା ସ୍ୱାସ୍ଥ୍ୟରକ୍ଷା ସୁନିଶ୍ଚିତ କରିଚି ।
ଭାରି ଭଲ କଥା । ଯିଏ ଭଲ ହେଲା ସେଥିପାଇଁ ନବୀନ ନିବାସରୁ ଚାରିମାସ ହେଲା ପ୍ରାୟତଃ ବାହାରୁ ନଥିବା ନବୀନ ବାବୁଙ୍କ ଦକ୍ଷ ପରିଚାଳନା ଦାୟୀ । କିନ୍ତୁ ୟା’ ଭିତରେ କରୋନାରେ ୭୭ ଏବଂ ସଂକ୍ରମିତ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ୨୨ଜଣଙ୍କ ପାଇଁ କାହାକୁ ଦାୟୀ କରାଯାଇପାରିବ? ଯଦି ଲାଭ ନବାକୁ ଏତେ ଛନଛନ ମନ , ଶଙ୍ଖ ଦଳ କ୍ଷତିର ଦୋଷ କାହା ମୁନ୍ଦ ଉପରେ ଢାଳୁ ତ? କରୋନା ସମୟରେ ସ୍ୱାସ୍ଥ୍ୟ ସେବାକୁ ନେଇ ଚାରିଆଡ଼େ ହଇଚଇ । ଏକଥା ସମସ୍ତେ ଦେଖୁଚନ୍ତି । ଶଙ୍ଖ ଦଳ ଆଖିରେ ପଟି ବାନ୍ଧି ଏବେ ଆଉ ତେଲ ମାରିଲେ ଦୋଷ ହବ କି ଘୋଡେଇ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*