କଂଗ୍ରେସ-ଭାକପା ଭିତରେ ତିନି ଆସନକୁ ନେଇ ଛିଡୁନି ଅଡୁଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଭାକପା ବା ଭାରତୀୟ କମୁ୍ୟନିଷ୍ଟ ପାର୍ଟି କଂଗ୍ରେସ ଠାରୁ ଗୋଟିଏ ଲୋକସଭା ଏବଂ ୫ଟି ବିଧାନସଭା ଆସନ ପାଇବାକୁ ଅଡ଼ି ବସିଛି । ରବିବାର ମାର୍କ୍ସବାଦୀ କମୁ୍ୟନିଷ୍ଟ ପାର୍ଟି (ମାକପା) ସହିତ ଆଲୋଚନା କରିବ କଂଗ୍ରେସ । କିନ୍ତୁ ଯେଉଁ ଅଡ଼ୁଆ ଆରମ୍ଭ ହୋଇଛି ଭାକପା ଦାବିରୁ, ରବିବାର ଦିନ ଏହା ମାକପାର ଦାବି ପରେ ବଢ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରୁନାହିଁ ।
ଶନିବାର ଦିନ ଆସନ ବଣ୍ଟାବଣ୍ଟି ସଂକ୍ରାନ୍ତ ପ୍ରଥମ ବୈଠକ ହୋଇଥିଲା କଂଗ୍ରେସ ଏବଂ ଭାକପା ଭିତରେ । କଂଗ୍ରେସ ଟିମ୍‌ର ନେତୃତ୍ୱ ନେଇଥିଲେ ବିପକ୍ଷ ନେତା ନରସିଂହ ମିଶ୍ର । ଏଥିରେ ଥିଲେ ପିସିସି ସଭାପତି ନିରଞ୍ଜନ ପଟନାୟକ, ଜଗନ୍ନାଥ ପଟନାୟକ ଏବଂ ଅନନ୍ତ ସେଠୀ । ଭାକପା ପକ୍ଷରୁ ଭାଗ ନେଇଥିଲେ ଆଶିଷ କାନୁନ୍‌ଗୋ, ଦିବାକର ନାୟକ ଏବଂ ରାମକୃଷ୍ଣ ପନ୍ଦା । ଆଲୋଚନା ହୋଇଥିଲା ବିରୋଧୀ ଦଳ ନେତାଙ୍କ ସରକାରୀ ବାସଭବନରେ । ଭାକପା ଗୋଟିଏ ଲୋକସଭା ଆସନ ସହ ୧୨ଟି ବିଧାନସଭା ଆସନ ଦାବି କରିଥିଲା । ପରବର୍ତ୍ତୀ କାଳରେ ଏହା ୫ଟି ବିଧାନସଭା ଆସନକୁ ଖସି ଆସିଥିଲା । ଭାକପାର ଦାବି ଅନୁସାରେ ଆସିକା ଲୋକସଭା ଆସନକୁ ଛାଡ଼ିବା ପାଇଁ କଂଗ୍ରେସ ରାଜି ହୋଇଯାଇଥିଲା । କିନ୍ତୁ ଯେଉଁ ୫ଟି ବିଧାନସଭା ଆସନ ପାଇଁ ଅଡ଼ି ବସିଥିଲା ଭାକପା, ତାହାହିଁ କଂଗ୍ରେସର ଚିନ୍ତା ବଢ଼ାଇ ଥିଲା । ଏହି ଆସନ ହେଲା ଛତ୍ରପୁର, ବୌଦ୍ଧ, ବ୍ରଜରାଜନଗର, ଏରସମା-ବାଲିକୁଦା ଓ ଚିତ୍ରକୋନ୍ଦା । ଛତ୍ରପୁର, ବୌଦ୍ଧ ଏବଂ ଚିତ୍ରକୋନ୍ଦା ଆସନ ଛାଡ଼ିବାରେ କଂଗ୍ରେସର ଆପତ୍ତି ନଥିବା ସୂଚନା ମିଳିଛି । କିନ୍ତୁ ସମସ୍ୟା ବ୍ରଜରାଜନଗର ଏବଂ ବାଲିକୁଦା-ଏରସମାକୁ ନେଇ । ବାଲିକୁଦା-ଏରସମାରେ କଂଗ୍ରେସ ବିଦ୍ରୋହୀ ବିଧାୟକ ଦାମୋଦର ରାଉତଙ୍କୁ ସମର୍ଥନ କରିବାର ସମ୍ଭାବନା ଅଛି । ସେହିପରି ବ୍ରଜରାଜନଗରରେ ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ଜିଣିଜିଣି ଆସୁଥିବାରୁ ଏହାକୁ ଭାକପା ହାତକୁ ଛାଡ଼ିଦେବା ପାଇଁ କଂଗ୍ରେସ ରାଜି ନୁହେଁ । ଗତ ନିର୍ବାଚନରେ କଂଗ୍ରେସ ଏଠାରୁ ପ୍ରାର୍ଥୀ କରିଥିଲା ବରିଷ୍ଠ କିଶୋର ଚନ୍ଦ୍ର ପଟେଲ୍‌ଙ୍କୁ । ଆସନ ଜିଣିଥିଲେ ଭାଜପାର ରାଧାରାଣୀ ପନ୍ଦା । କିନ୍ତୁ ଭାକପା ପ୍ରାର୍ଥୀ ଗଜାନନ ସାହୁଙ୍କୁ ମିଳିଥିଲା ମାତ୍ର ୬,୪୩୬ ଖନ୍ଦ ଭୋଟ । ତେଣୁ ବ୍ରଜରାଜନଗର ଆସନ ଭାକପାକୁ ନଛାଡ଼ିବାକୁ ଯୁକ୍ତି କରିଛି କଂଗ୍ରେସ । ସୁନ୍ଦରଗଡ଼ ଆସନକୁ ନେଇ ମଧ୍ୟ ଦୁଇ ଦଳ ଭିତରେ ବିରାଟ ମତପାର୍ଥକ୍ୟ ଅଛି । ତେବେ ୭ ତାରିଖ ଦିନ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ ପରେ ବାମପନ୍ଥୀଙ୍କ ସହ ଆସନ ବୁଝାମଣା ସୁନିଶ୍ଚିତ ହୋଇଯିବ ବୋଲି ଭାକପା ନେତା ଆଶିଷ କାନୁନ୍‌ଗୋ କହିଛନ୍ତି ।
ମାକପା ସହ ଆଲୋଚନା ବେଳେ ନିର୍ଦ୍ଦିଷ୍ଟ କେତେକ ଆସନକୁ ନେଇ ଅଡ଼ୁଆ ସୃଷ୍ଟି ହୋଇପାରେ । ବଣେଇରେ ଏବେ ମାକପା ବିଧାୟକ ଲକ୍ଷ୍ମଣ ମୁନ୍ଦା ଅଛନ୍ତି । ଗତଥର ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଭୀମସେନ ଚୌଧୁରୀ ତୃତୀୟ ସ୍ଥାନରେ ଥିଲେ । ସେ ବିଜଦ ପ୍ରାର୍ଥୀ ଦୟାନିଧି କିଷାନଙ୍କ ସହ ସମାନ ଭୋଟ ବାଣ୍ଟି ନେଇଥିଲେ । ତେଣୁ ମାକପାର ଲକ୍ଷ୍ମଣଙ୍କ ଠାରୁ କଂଗ୍ରେସର ଭୀମସେନ ଚୌଧୁରୀଙ୍କ ଭୋଟ ବ୍ୟବଧାନ ୨ହଜାରରୁ ବି କମ୍‌ ଥିଲା । ତେଣୁ ଭୀମସେନ ଏହି ଆସନ ମାକପାକୁ ଯାଉ ବୋଲି ଚାହୁଁ ନାହାନ୍ତି । ଭୀମସେନ ପୂର୍ବରୁ ଭାଜପା ବିଧାୟକ ଥିଲେ । ତେବେ କଂଗ୍ରେସ ମାକପା ସହ ମେଣ୍ଟ ପାଇଁ ଭୀମସେନ୍‌ଙ୍କୁ ବଳି ଦେଇପାରେ ।
ନୀଳଗିରି ଆସନକୁ ନେଇ ମାକପା ଏବଂ କଂଗ୍ରେସ ମଧ୍ୟରେ ବିବାଦ ଉଠିବାର ସମ୍ଭାବନା ରହିଛି । ଏହି ଆସନ ପୂର୍ବରୁ ବାମ ଦଳର ଦୁର୍ଗ ଥିଲା । ମାକପାର ପକେଟ୍‌ ଭୋଟ୍‌ ମଧ୍ୟ ଅଛି । କିନ୍ତୁ ଏହି ଆସନରୁ ନୀଳଗିରି ରାଣୀଙ୍କୁ ଛିଡ଼ା କରାଇବ କଂଗ୍ରେସ । ଆପାତତଃ ଏହି ନିଷ୍ପତ୍ତି ହୋଇସାରିଛି । ତେଣୁ ମାକପାର ନୀଳଗିରି ଦାବିକୁ କଂଗ୍ରେସ କେମିତି ଗ୍ରହଣ କରୁଛି, ତାହା ଦେଖିବାକୁ ଅଛି । ତେବେ ମାକପାକୁ ଭୁବନେଶ୍ୱର ଲୋକସଭା ଆସନ ଛାଡ଼ିଦେବାରେ କଂଗ୍ରେସର ଆପତ୍ତି ରହିବ ନାହିଁ ବୋଲି ସୂଚନା ମିଳିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*