କଂଗ୍ରେସର ଶତ୍ରୁ କିଏ? କିଏ ଲାଗିଛି ଦେଶକୁ କଂଗ୍ରେସ ମୁକ୍ତ କରିବାକୁ?

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail
  •  ପ୍ରଚାର ଆଗରୁ ରାହୁଳ ଗାଏବ?
  • ବିଦେଶ ଯାଆନ୍ତି କ’ଣ ପାଇଁ?
  • ୩୭୦ ଧାରା ଉଚ୍ଛେଦ ପରେ ଦେଶ ବିରୋଧୀ ବୟାନ କାହିଁକି?
  • ସୋନିଆ ଓ ରାହୁଳ ଗୋଷ୍ଠୀ ମଧ୍ୟରେ ଖୋଲା ଲଢେଇ
  • ୱାର୍କିଂ କମିଟିକୁ ନିଷ୍କ୍ରିୟ କଲା କିଏ?


ନିର୍ଭୟ ମିଡିଆ:ଭୁବନେଶ୍ୱର

ଏଥିପାଇଁ କିଛି ମହଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାଜପା ଅଧ୍ୟକ୍ଷ ଅମିତ ଶାହାଙ୍କୁ ଦାୟୀ କରିଥାନ୍ତି । କାରଣ ହେଲା, ମୋଦୀ ୨୦୧୪ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ମୁକ୍ତ ଭାରତ ପାଇଁ ଆହ୍ୱାନ ଦେଇଥିଲେ । ଲୋକେ ଉପା ସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ଅସହାୟ ପ୍ରଧାନମନ୍ତ୍ରୀଙ୍କୁ ଦେଖି କଂଗ୍ରେସକୁ ବେଶ ବଡ଼ ଝଟକା ଦେଇଥିଲେ । ମୋଦୀଙ୍କ କଂଗ୍ରେସ ମୁକ୍ତ ଭାରତ ଆହ୍ୱାନ ପାଇଁ ସବୁଠୁ ପୁରୁଖା ଦଳ କଂଗ୍ରେସର ଏଭଳି ଦୁର୍ଦ୍ଦଶା ଘଟିଲା ବୋଲି ହୁଏତ ସମାଲୋଚକମାନଙ୍କର ଧାରଣା ହୋଇଥାଇପାରେ । ମାତ୍ର ୨୦୧୯ ନିର୍ବାଚନରେ ଭାଜପା କଂଗ୍ରେସ ମୁକ୍ତ କଥା ଉଠାଇ ନଥିଲା । ଏହି ନିର୍ବାଚନ ହୋଇଥିଲା ଏନଡିଏ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ ଓ ବାଲାକୋର୍ଟ ଏବଂ କଂଗ୍ରେସର ଚୌକିଦାର ଚୋର ହୈ ନାରାକୁ ନେଇ । କିନ୍ତୁ ଏଇ ନିର୍ବାଚନରେ ମଧ୍ୟ କଂଗ୍ରେସର ବିପର୍ଯ୍ୟୟ ଘଟିଲା । ରାହୁଳଙ୍କ ନେତୃତ୍ୱକୁ ଲୋକେ ପ୍ରତ୍ୟାଖ୍ୟାନ କଲେ ।
ତେବେ କଂଗ୍ରେସର ଲଗାତାର ଦୁର୍ଦ୍ଦଶା ସକାଶେ ଦାୟୀ କିଏ?
ମୋଦୀ ଓ ଶାହା? ଏବେ କଂଗ୍ରେସର ଶତ୍ରୁ କଂଗ୍ରେସ । ସବୁଠୁ ବଡ଼ ଶତ୍ରୁ ସାଜିଛନ୍ତି ରାହୁଳ ଓ ସୋନିଆ । ଏହି ଦଳ ଧୂଳିସାତ ହେବାକୁ ନିଜେ ପଣ କରିସାରିଛି ।
ମୁମ୍ବାଇ ନଗର କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ସଂଜୟ ନିରୁପମ, ହରିଆଣା ପ୍ରଦେଶ ସଭାପତି ଅଶୋକ ତନୱାର ଏବଂ ମହାରାଷ୍ଟ୍ର ଓ ହରିଆଣାର ……. ରାହୁଳ ଅନୁଗତଙ୍କ ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ଦଳରେ ଏବେ ସୋନିଆ ଓ ରାହୁଳପନ୍ଥୀଙ୍କ ମଧ୍ୟରେ ଖୋଲା ସଂଘର୍ଷ ଚାଲିଛି । ଯାହା ସ୍ୱାର୍ଥରେ ସାମାନ୍ୟ ଆଞ୍ଚ ଆସୁଛି, ସିୟେ ଦଳ ବିରୋଧରେ ଖୋଲା ମତ ଦେଇଛି । କଂଗ୍ରେସ ଡୁବିଯିବ ବୋଲି ଯଦି ଏହାର ନେତାମାନେ ଖୋଲା ବୟାନ ଜାରି କରନ୍ତି, ତେବେ ଏଥିପାଇଁ ମୋଦୀ-ଶାହାଙ୍କୁ କେମିତି ଦାୟୀ କରାଯିବ ।
ଭାଜପା ବିରୋଧରେ ଦୁଇଟି ରାଜ୍ୟ ନିର୍ବାଚନ ଆଉ ଦୁଇ ସପ୍ତାହ ନାହିଁ । ଠିକ୍‌ ଏତିକି ବେଳକୁ ରାହୁଳ ଗାଏବ ହୋଇଯିବା ଦଳୀୟ କର୍ମୀଙ୍କୁ ହତୋତ୍ସାହିତ କରିଛି । ରାହୁଳ ଅନୁଗତ ନେତାମାନେ ବେସାହାରା ହୋଇପଡିଛନ୍ତି । ସୋନିଆ ଅନୁଗତ ପୁରୁଖା ନେତାମାନେ କ୍ଷମତା ଜାହିର କରିବାରେ ଲାଗି ପଡିଥିବାରୁ, ଯୁବ ଗୋଷ୍ଠୀ ସେମାନଙ୍କୁ ଖୋଲା ବିରୋଧ କରୁଛନ୍ତି । ସୋନିଆ ପ୍ରଚାରରେ ଅଧିକ ସମୟ ଦେଇପାରିବେ ବୋଲି ମନେ ହେଉନାହିଁ । ରାହୁଳ ଯେ ନେତୃତ୍ୱ ନେବାକୁ ଅସମର୍ଥ, ତାହା ବାରବାର ପ୍ରମାଣିତ ହେଉଛି । ତେଣୁ ଜନତା କଂଗ୍ରେସଠୁ ଦୂରେଇ ଭାଜପା ଓ ଅନ୍ୟ ଦଳ ଆଡକୁ ଚାଲିଯାଉଛନ୍ତି । ବିଭିନ୍ନ ରାଜ୍ୟରୁ କଂଗ୍ରେସ ନେତାମାନେ ଯେପରି ଦଳ ଛାଡୁଛନ୍ତି, ତାହା କଂଗ୍ରେସ ମୁକ୍ତ ଭାରତର ଆଉ ଏକ ବଳିଷ୍ଠ ପ୍ରମାଣ । କାଶ୍ମୀର, ୩୭୦ ଓ ୩୫ (କ) ଧାରା ନିରସ୍ତ ପରବର୍ତ୍ତୀ କାଳରେ କଂଗ୍ରେସ ହାଇକମାନ୍ଦଙ୍କ ବିବୃତି ଓ ଟୁଇଟର ମନ୍ତବ୍ୟ, କଂଗ୍ରେସକୁ ସାଧାରଣରେ ଆହୁରି ଅପଦସ୍ତ କରିବ । ଦୀର୍ଘ ସମୟ ଧରି ୱାର୍କିଂ କମିଟୀକୁ ନିଷ୍କି୍ରୟ କରି ଦିଆଯାଇଛି । କଂଗ୍ରେସ ୱାର୍କିଂ କମିଟୀ ବୈଠକରେ କୌଣସି ପ୍ରସଙ୍ଗରେ ଆଲୋଚନା ହେଉନାହିଁ । ହାଇକମାନ୍ଦ ଜନ ଭାବନା ବିରୋଧରେ ଯାଇଁ ଟୁଇଟରରେ ମନ୍ତବ୍ୟ ଦେଇଛନ୍ତି । ଗୁଲାମନବୀ ଆଜାଦ ଓ ଅହମ୍ମଦ ପଟେଲ ଏବେ ଦଳ ଚଳାଉଛନ୍ତି ବୋଲି ଧାରଣା ହେଲାଣି ।
କଂଗ୍ରେସର ପୁରୁଖା ନେତାଙ୍କୁ ଯୁବ ଭୋଟର ଗ୍ରହଣ କରିପାରୁ ନାହାଁନ୍ତି । ରାହୁଳଙ୍କ ନେତୃତ୍ୱ ଗ୍ରହଣୀୟ ହେଉନାହିଁ । ପ୍ରତିଦିନ ପରସ୍ପର ବିରୋଧୀ ସମାଲୋଚନା ଅପୂରଣୀୟ କ୍ଷତି ଘଟାଇ ଚାଲିଛି । କଂଗ୍ରେସ ହିଁ ଏବେ କଂଗ୍ରେସର ପରମ ଶତ୍ରୁ । ମୋଦୀ ଓ ଶାହାଙ୍କ କଂଗ୍ରେସ ମୁକ୍ତ ଭାରତ ଯୋଜନାକୁ କଂଗ୍ରେସ ନେତୃତ୍ୱ ହିଁ ପ୍ରକୃତରେ କାର୍ଯ୍ୟକାରୀ କରୁଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*