କଂଗ୍ରେସର ଅନ୍ୟ ନାମ ମେଳି ନାଟକ ପୁଣି ନିରଞ୍ଜନ ହଟାଅ ମୋକିମଙ୍କୁ ଆଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କଂଗ୍ରେସ ଏପରି ଏକ ଦଳ, ଯିଏ ଅନେକ ସମୟରେ ଭିନ୍ନ ଭିନ୍ନ ବିଷୟକୁ ନେଇ ନାଟକ କରିଛି । ହେଲେ କଂଗ୍ରେସ ଉପରେ ଯେତେ ନାଟକ କଲେ ମଧ୍ୟ ତାହା କମ୍‌ ହେବ । ଆଜି ବିଦ୍ରୋହ, କାଲି ସାଲିସ୍‌, ପୁଣି ଆଜି ବିଦ୍ରୋହ, କାଲି ଦିଲ୍ଲୀ ଦରବାର । ଏହା ହେଉଛି କଂଗ୍ରେସ ରାଜନୀତିର ଏକ ଅଙ୍ଗ । ଗଣତନ୍ତ୍ରର ଅଙ୍ଗ ହେଉଛି ଜନମତ । ସରକାରଙ୍କ ଅଙ୍ଗ ହେଉଛି ସ୍ୱଚ୍ଛ ଶାସନ । ଠିକ୍‌ ସେମିତି କଂଗ୍ରେସର ଅଙ୍ଗ ହେଉଛି ମେଳି ନାଟକ ।
ବୁଧବାର ଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ଭୁବନେଶ୍ୱର ପାନ୍ଥ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଧାୟକ ମହମ୍ମଦ ମୋକିମଙ୍କୁ ଆଗକୁ ଆଣିବା ପାଇଁ କିଛି ଅସନ୍ତୁଷ୍ଟ ନେତା ନିଷ୍ପତ୍ତି ନେଇଥିଲେ । ହେଲେ ଏହାର ଦିନକ ପରେ ବିଦ୍ରୋହୀମାନେ ୟୁଟର୍ଣ୍ଣ ମାରି ନିରଞ୍ଜନଙ୍କ ପାଖରେ ସରେନ୍ଦର କରିଥିଲେ । ତାଙ୍କୁ ଦଳର ପିତାମହ ଭୀଷ୍ମ ବୋଲି କହିବାକୁ ଭୁଲି ନଥିଲେ । ଲାଗିଲା ସତେ ଯେପରି ସବୁ ଘଟଣାର ଇତି ହୋଇଗଲା । କଥାରେ ଅଛି ପ୍ରକୃତି ନୈବ ମୁଚ୍ୟତେ । ଯାହାର ଅଭ୍ୟାସ ଯାହା ତାହା ହିଁ ହେବ । ପୁଣି ରବିବାର ଦିନ ଅସନ୍ତୁଷ୍ଟ ଗୋଷ୍ଠୀ ଆଉ ଏକ ମେଳି କରିଛନ୍ତି । ଭୁବନେଶ୍ୱର ଏକ ଘରୋଇ ହୋଟେଲରେ ଅସନ୍ତୁଷ୍ଟ ଗୋଷ୍ଠୀ ବୈଠକ କରିବା ସହ ଭବିଷ୍ୟତ ପନ୍ଥା ନେଇ ବିଚାର କରିଥିଲେ । ଏବେ ବାହାରିଛନ୍ତି ଦିଲ୍ଲୀ ଯାଇ ସୋନିଆଙ୍କୁ ଭେଟିବେ । ସେହି ଗୋଟିଏ କଥା ନିରଞ୍ଜନ ହଟନ୍ତୁ, ମୋକିମ ହୁଅନ୍ତୁ ।
ରାଜ୍ୟ କଂଗ୍ରେସର ତୃତୀୟ ଧାଡିରେ ଥିବା କେତେକ ନେତା ଏକାଠି ହୋଇ ଗତ ୧ସପ୍ତାହ ମଧ୍ୟରେ ୨ଥର ବୈଠକ ବସାଇଲେଣି । ୧୫ ରୁ ୨୦ଜଣ ଏହି ଶ୍ରେଣୀର ନେତାମାନେ ବୈଠକ କରି ବିଧାୟକ ମହମ୍ମଦ ମୁକିମ୍‌ଙ୍କୁ ସଭାପତି କରିବା ପାଇଁ ଅଡି ବସିଛନ୍ତି । ରବିବାର ବୈଠକର ନିଷ୍ପତ୍ତି ଅନୁଯାୟୀ ଅସନ୍ତୁଷ୍ଟ ପ୍ରତିନିଧିଙ୍କ ଏକ ଦଳ ନଭେମ୍ବର ୧୦ତାରିଖ ଦିନ ନୂଆଦିଲ୍ଲୀ ଗସ୍ତରେ ଯିବାକୁ ସୂଚନା ଦେଇଛନ୍ତି । ଏହି ଅସନ୍ତୁଷ୍ଟମାନେ ନୂଆଦିଲ୍ଲୀରେ ଦଳର ଅନ୍ତରିଣ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟି ପିସିସି ପରିବର୍ତ୍ତନ ପାଇଁ ଦାବି ଜଣାଇବେ ।
ନିରଞ୍ଜନଙ୍କ ସ୍ଥାନରେ ମୁକିମ୍‌ଙ୍କୁ ସଭାପତି କରିବାକୁ ସେମାନେ ପ୍ରସ୍ତାବ ରଖିବେ । ନିର୍ବାଚନରେ ଦଳର ପରାଜୟ ହୋଇଥିବାରୁ ରାହୁଳ ଗାନ୍ଧୀ ଯେମିତି ଓହରି ଯାଇଛନ୍ତି ସେହି ନୀତିରେ ନିରଞ୍ଜନ ନିଜଆଡୁ ପଦ ଛାଡିଦେବାକୁ ଏହି ନେତାମାନେ କହିବାକୁ ଭୁଲି ନାହାନ୍ତି । ଅସନ୍ତୁଷ୍ଟଙ୍କ ଏହି ପଦକ୍ଷେପ ଉପରେ ପ୍ରତିକ୍ରିୟା ରଖି ବିଧାୟକ ମୁକିମ କହିଛନ୍ତି ସେଭଳି ସମୟ ଆସିନାହିଁ । ସମୟ ଆସିଲେ ଏନେଇ ସେ ପ୍ରତିକ୍ରିୟା ରଖିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।
ଅସନ୍ତୁଷ୍ଟଙ୍କ ଏଭଳି ପଦକ୍ଷେପକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଡା ନିନ୍ଦା କରିଛନ୍ତି । ଦଳରେ ଶୃଙ୍ଖଳା ନରହିଲେ ଏହା ଆଗକୁ ଯାଇପାରିବ ନାହିଁ । ଯେଉଁ ଦଳରେ ଶୃଙ୍ଖଳା ରହିଛି ସେମାନେ ଲୋକଙ୍କ ସଦ୍ଧାଭାଜନ ହୋଇପାରୁଛନ୍ତି । କଂଗ୍ରେସରେ ଚାଲିଥିବା ଏହିଭଳି ପରମ୍ପରା ଦଳକୁ ଅଧିକ କ୍ଷତି ପହଞ୍ଚାଉଛି । ବ୍ୟାକ୍‌ଫୁଟରେ ଥିବା ଦଳକୁ କିପରି ଆଗକୁ ନିଆଯିବ ସେଥିପ୍ରତି ଧ୍ୟାନ ଦିଆନଯାଇ କେବଳ ସଭାପତି ପରିବର୍ତ୍ତନରେ ଲାଗି ପଡ଼ୁଥିବା କର୍ମମାନେ ଦଳର ଭବିଷ୍ୟତ ଚାହାନ୍ତି ନାହିଁ ବୋଲି ସେ ଟିପ୍ପଣୀ ରଖିଛନ୍ତି । ବିଶୃଙ୍ଖଳିତ ହେଉଥିବା ନେତା ଓ କର୍ମୀମାନଙ୍କ ପାଇଁ ଦଳର ପ୍ରଭୃତ୍ୱ କ୍ଷତି ଘଟୁଛି । କଂଗ୍ରେସ କର୍ତ୍ତୃପକ୍ଷ ଏନେଇ ନିଷ୍ପତ୍ତି ନେବେ ବୋଲି ନିରଞ୍ଜନ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ଏହା କହିଛନ୍ତି । ଅସନ୍ତୁଷ୍ଟଙ୍କ ଏଭଳି ପଦକ୍ଷେପକୁ ନେଇ ବିଧାୟକ ସୁର ରାଉତରାୟ ଏହାକୁ ପ୍ରତାଖ୍ୟାନ କରିଛନ୍ତି । ପିସିସି ସଭାପତି କିଏ ହେବ ତାହା ଏଆଇସିସି ଉପରେ ନିର୍ଭର କରୁଛି । ଯେଉଁମାନେ ଦଳ ଭିତରେ ଏଭଳି ଦାବି ଉଠାଉଛନ୍ତି ତାହା କଂଗ୍ରେସ ପାଇଁ ଶୁଭଙ୍କର ହେଉଁନାହିଁ । କଂଗ୍ରେସକୁ ଆଗାମୀ ଦିନରେ ଆଗକୁ ନେବା ପାଇଁ ଏଆଇସିସି କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯିବ । ଦଳ ଭିତରେ ସବୁ ସମୟରେ ଅସନ୍ତୁଷ୍ଟମାନେ ଏଭଳି ବିବାଦୀୟ ଭୂମିକା ଆପଣାଉଥିବାରୁ ଏହା ଉପରେ କଂଗ୍ରେସ ହାଇକମାନ୍ଦ କଠୋର ପଦକ୍ଷେପ ନିଅନ୍ତୁ ବୋଲି ସୁର ଦାବି କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*