କଂଗ୍ରେସକୁ ସାବରକର୍‌ ଅଡୁଆ: ଦଳ ଭିତରେ ବିବାଦ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କଂଗ୍ରେସ ନେତୃତ୍ୱ ଜାଣତରେ ହେଉ କି ଅଜାଣତରେ ମୋଦୀ-ଶାହାଙ୍କ ଚାଲ୍‌ରେ ଛନ୍ଦି ହୋଇଯାଉଛି । ଆଗ ପଛ ବିଚାର ନକରି କଂଗ୍ରେସ ସଙ୍ଗେସଙ୍ଗେ ବିବାଦକୁ ଡେଇଁ ପଡ଼ୁଛି । ଏହାଦ୍ୱାରା ଜନମାନସରେ ଦଳ କେତେ ଯେ ନିନ୍ଦିତ ହେଉଛି, ତାହାର ହିସାବ ରଖୁନାହାନ୍ତି କଂଗ୍ରେସର ନେତାମାନେ । ଫଳରେ ଭାଜପାକୁ ଯେଉଁ ରାଜନୈତିକ ଫାଇଦା ମିଳିବା କଥା, ତାହା ମିଳିଯାଉଛି । ସବୁ କଥାରେ ମୋଦୀଙ୍କୁ ବିରୋଧ କରିବାକୁ ଯାଇ ଅଧିକରୁ ଅଧିକ କ୍ଷତି ସହୁଛି କଂଗ୍ରେସ ।
ପୁଲୱାମାରେ ଆତଙ୍କୀ ଆକ୍ରମଣ ପରେ ମୋଦୀ ସରକାରଙ୍କୁ ସମାଲୋଚନା କରିବାକୁ ତତ୍ପର ହୋଇ ଉଠିଥିଲେ ରାହୁଳ ଗାନ୍ଧୀ । ଏହାପରେ ସ୍ୱର ମିଳାଇ ଅନ୍ୟ କଂଗ୍ରେସ ନେତାମାନେ ମୋଦୀଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରିଥିଲେ । କିନ୍ତୁ ବାଲାକୋଟ ଜବାବ ପରେ ସେହି କଂଗ୍ରେସ ମୋଦୀଙ୍କୁ ହିସାବ ମାଗିଥିଲା । ପାକିସ୍ତାନ ଏଭଳି ଆକ୍ରମଣକୁ ସ୍ୱୀକାର କରିବା ସତ୍ତ୍ୱେ କଂଗ୍ରେସ ନେତୃତ୍ୱ କିନ୍ତୁ ପ୍ରଶ୍ନ ପରେ ପ୍ରଶ୍ନ ଉଠାଇ ଚାଲିଥିଲା । ଏହାର ଫଳ କ’ଣ ହେଲା ନିର୍ବାଚନରୁ ଜାଣିସାରିଛି କଂଗ୍ରେସ । ଲୋକସଭାରେ କଂଗ୍ରେସକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କଲେ ଲୋକ ।
୩୭୦ ଧାରା ନିରସ୍ତ୍ର ହେବା ପରେ ପାକିସ୍ତାନ ପରି ରାହୁଳ-ଆଜାଦ୍‌-ଅହମ୍ମଦ ବାଉଳି ହୋଇଗଲେ । ସାରା ଦେଶ ଏହାକୁ ପ୍ରଶଂସା କଲା ବେଳେ କଂଗ୍ରେସ ନେତୃତ୍ୱ ପାକିସ୍ତାନକୁ ସୁହାଇଲା ଭଳି ସମାଲୋଚନା କଲେ ମୋଦୀ ସରକାରଙ୍କୁ । ତେବେ ୩୭୦ ଧାରାକୁ ନେଇ କଂଗ୍ରେସ ଭିତରେ ବଡ଼ ମତ ପ୍ରାର୍ଥକ୍ୟ ସୃଷ୍ଟି ହେଲା । ଅନେକ ନେତା ମୋଦୀ ସରକାରଙ୍କୁ ସମର୍ଥନ କଲେ । ରାହୁଳଙ୍କ ପାଇଁ ଏହା ବଡ଼ ଅଡ଼ୁଆ ସ୍ଥିତି ସୃଷ୍ଟି କରିଥିଲା । କାଶ୍ମୀର ପ୍ରଭାବ ଦୁଇ ରାଜ୍ୟ ନିର୍ବାଚନ ଉପରେ ମଧ୍ୟ ପଡ଼ିବାକୁ ଯାଉଛି ବୋଲି ଅନୁମାନ କରାଯାଉଛି ।
ଏବେ ଆଉ ଏକ ଘଟଣାରେ କଂଗ୍ରେସ ଛନ୍ଦି ଗଲା ମୋଦୀଙ୍କ ଜାଲରେ । ମହାରାଷ୍ଟ୍ରକୁ ନିର୍ବାଚନ ପ୍ରଚାରକୁ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବୀର ସାବରକର୍‌ଙ୍କୁ ଭାରତରତ୍ନ ମିଳିବା ଉଚିତ ବୋଲି କହିଥିଲେ । ଭାଜପା ନିର୍ବାଚନ ଇସ୍ତାହାରରେ ମଧ୍ୟ ଏହା ସ୍ଥାନ ପାଇଥିଲା । କିନ୍ତୁ ହଠାତ୍‌ କଂଗ୍ରେସ ମୋଦୀଙ୍କର ଏହି ଦାବିକୁ ସମାଲୋଚନା କରି ନାଥୁରାମ ଗଡ଼୍‌ସେଙ୍କ ସହ ସାବରକର୍‌ଙ୍କୁ ତୁଳନା କରି ବସିଲା । ନିଜେ ରାହୁଳ ସାବରକର୍‌ଙ୍କୁ ସମାଲୋଚନା କଲେ । ଗାନ୍ଧୀବାଦ୍‌ ନା ସାବରକର୍‌ବାଦ୍‌ କାହାକୁ ମୋଦୀ ସମର୍ଥନ କରୁଛନ୍ତି ବୋଲି ପ୍ରଶ୍ନ କଲେ ରାହୁଳ । କିନ୍ତୁ ଭାଜପା କଂଗ୍ରେସ ସମାଲୋଚନାର ଜବାବ ନଦେଇ ସେହି ଦଳରେ ଦ୍ୱନ୍ଦ୍ୱ ବଢାଇ ଦେଲା ।
ସାବରକର୍‌ଙ୍କ ସମ୍ମାନରେ ଇନ୍ଦିରା ଗାନ୍ଧୀ ସରକାର ସ୍ମାରକୀ ଡାକ ଟିକଟ ପ୍ରଚଳନ କରିଥିଲେ । ଏକଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସ୍ୱୀକାର କରି ରାହୁଳଙ୍କ ଭୁଲକୁ ସୁଧାରିବାକୁ ଚେଷ୍ଟା କରିଥିଲେ । ତେବେ କିଛି ନେତା ରାହୁଳଙ୍କୁ ସମର୍ଥନ କରି ମୋଦୀ ଏବଂ ସବରକର୍‌ଙ୍କୁ ସମାଲୋଚନା କରିବା ଜାରି ରଖିଥିଲେ । ଫାଇଦା ଭାଜପାକୁ ମିଳିଲା ।
ଏବେ କଂଗ୍ରେସର ବରିଷ୍ଠ ନେତା ମନୁ ସିଙ୍ଗଭି କହିଛନ୍ତି ଯେ ସାବରକର୍‌ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ । ବି୍ରଟିଶ ସରକାରଙ୍କୁ ବିରୋଧ କରି ସେ ଅନେକ ଥର ଜେଲ ଯାଇଥିଲେ । ଦଳିତଙ୍କ ପାଇଁ ତାଙ୍କ ସଂଗ୍ରାମ ଉଲ୍ଲେଖନୀୟ ବୋଲି କହିଛନ୍ତି ମନୁ ।
ପୂର୍ବରୁ କପିଲ ସିବଲ୍‌ ମଧ୍ୟ ସାବରକର୍‌ଙ୍କୁ ପ୍ରଶଂସା କରିଥିଲେ । କାଶ୍ମୀର ନୀତିକୁ ନେଇ କଂଗ୍ରେସ ନେତୃତ୍ୱ ଯେଭଳି କ୍ଷତି ପହଁଚାଇଥିଲେ ଦଳର, ଠିକ୍‌ ସେହିପରି ସାବରକର୍‌ଙ୍କୁ ନେଇ ରାହୁଳଙ୍କ ସମାଲୋଚନା ମହାରାଷ୍ଟ୍ରରେ କଂଗ୍ରେସକୁ କ୍ଷତି କରିବ ବୋଲି ଆଲୋଚନା କରାଯାଉଛି । ଦଳ ଭିତରେ ସାବରକର୍‌ଙ୍କୁ ନେଇ ମଧ୍ୟ ବଡ଼ ବିବାଦ ମୁନ୍ଦ ଟେକିଲାଣି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*