ଓଡ଼ିଶା ପୁଲିସ ଗାଲରେ ଛତିଶଗଡ଼ୀ ଚଟକଣା ହତ୍ୟା ଅଭିଯୁକ୍ତ ସାଏଙ୍କୁ ବହିଷ୍କାର କଲା ବିଜଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଝାରସୁଗୁଡ଼ା

ଧରାପଡ଼ିଲେ ଚୋର । ଧରା ନପଡ଼ିବା ପର୍ଯ୍ୟନ୍ତ ସନ୍ଥ । ଏହା ବିଜୁ ଜନତା ଦଳର ଏକ ନିଷ୍ଠାବାନ୍‌ ନୀତି । ଦୁଇଜଣ ମହିଳାଙ୍କ ହତ୍ୟାକାନ୍ଦରେ ସମ୍ପୃକ୍ତ ଅଭିଯୋଗରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ ନେତା ଅନୁପ ସାଏ ଗିରଫ ହେବା ପରେ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିଷ୍କାର କରିଛି ଏବଂ ସମ୍ପର୍କ ଛିନ୍ନ କରିଦେଇଛି । ଅର୍ଥାତ୍‌ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ପଦ ହରାଇଛନ୍ତି ସାଏ ।
କିନ୍ତୁ ଏହି ଘଟଣାଟି ଆଉଥରେ ରାଜ୍ୟ ପୁଲିସର ମୁଖା ଖୋଲିଦେଇଛି । ରାଜ୍ୟ ପୁଲିସର ତଦନ୍ତ ଶୈଳୀକୁ ନେଇ ପ୍ରଶ୍ନ ଉଠିଛି । ୨୦୧୪ରେ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଲେ ବିଧାୟକ ଅନୁପ ସାଏ । କିନ୍ତୁ ନିର୍ବାଚନ ହାରିଗଲେ । ଭାଜପାର ରାଧାରାଣୀ ପନ୍ଦାଙ୍କ ଠାରୁ ସେ ହାରିଥିବାରୁ ତାଙ୍କୁ ତୁରନ୍ତ ଥଇଥାନ ନୀତିରେ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ କରିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।
୨୦୧୬ ମେ’୭ରେ ଦୁଇଜଣ ମା’-ଝିଅ କଳ୍ପନା ଦାସ ଓ ପ୍ରଭାତୀ ଦାସ ହଠାତ୍‌ ନିଖୋଜ ହୋଇଗଲେ । ଏ ସଂକ୍ରାନ୍ତରେ ବ୍ରଜରାଜନଗର ଥାନାରେ ଏକ ଏତଲା ରୁଜୁ କରାଯାଇଥିଲା । କଳ୍ପନାଙ୍କ ବୟସ ଥିଲା ୩୨ ଓ କନ୍ୟା ପ୍ରଭାତୀଙ୍କର ୧୪ । କଳ୍ପନାଙ୍କ ସହ ତାଙ୍କ ସ୍ୱାମୀଙ୍କର ସମ୍ପର୍କ ତିକ୍ତ ହୋଇସାରିଥିଲା । ବିଜଦ ନେତା ଅନୁପ ସାଏଙ୍କ ସହିତ ତାଙ୍କ ସମ୍ପର୍କ ଥିବା ଆଲୋଚନା ହେଉଥିଲା ।
ମା’-ଝିଅ ନିଖୋଜ ହୋଇଯିବା ଘଟଣାର କିଭଳି ତଦନ୍ତ କରୁଥିଲା ଓଡ଼ିଶା ପୁଲିସ? ଯଦି ଠିକ୍‌ ଭାବେ ତଦନ୍ତ କରାଯାଇଥାନ୍ତା, ତେବେ ଛତିଶଗଡ଼ ପୁଲିସ ଦ୍ୱାରା ଗିରଫ ହୋଇଥାନ୍ତେ କି ସାଏ? ଛତିଶଗଡ଼ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରମାଣିତ କରିଦେଲା ଯେ, ଓଡ଼ିଶା ପୁଲିସ ଶାସକ ଦଳର ଗୋଡ଼ାଣିଆ । ଶାସକ ଦଳ ଚାହିଁଲେ ପୁଲିସ ହତ୍ୟା ଭଳି ସାଙ୍ଘାତିକ ଘଟଣାର ସଠିକ ତଦନ୍ତ କରିପାରିବ । ନହେଲେ ନାହିଁ ।
କଳ୍ପନା ଓ ପ୍ରଭାତୀଙ୍କ ଶବ ମିଳିଥିଲା ରାୟଗଡ଼ ଜିଲାର ଚକ୍ରଧରନଗର ଠାରେ । ରାୟଗଡ଼ ଝାରସୁଗୁଡ଼ା ଜିଲାକୁ ଲାଗିଛି । ଦୁଇ ଜଣ ମହିଳାଙ୍କ ଶବ ମିଳିବା ପରେ ଛତିଶଗଡ଼ ପୁଲିସ ତନାଘନା ଆରମ୍ଭ କରିଥିଲା । ଶବ ଦୁଇଟିର ପରିଚୟ ମଧ୍ୟ ପାଇଥିଲା ଛତିଶଗଡ଼ ପୁଲିସ । ଏହାସତ୍ତ୍ୱେ ବ୍ରଜରାଜନଗର ପୁଲିସ ଚୁପ୍‌ ହୋଇ ବସିଥିଲା । କାରଣ ଅନୁପ ସାଏ ବିଜୁ ଜନତା ଦଳର ନେତା ହେବା ସହ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ମଧ୍ୟ ଥିଲେ । କଳ୍ପନା ଏବଂ ପ୍ରଭାତୀଙ୍କ ଶବ ଚିହ୍ନଟରେ ବିଳମ୍ବ ହେବାରୁ ସେମାନଙ୍କର ଡିଏନ୍‌ଏ ଟେଷ୍ଟ କରାଯାଇଥିଲା ।

ଏଥିରୁ ହିଁ ତାଙ୍କ ପରିଚୟ ମିଳିଥିଲା । ପରେ ଅନୁପଙ୍କ ଡିଏନ୍‌ଏ ଟେଷ୍ଟରୁ ସମ୍ପର୍କର ପ୍ରମାଣ ମିଳିଥିଲା ବୋଲି କୁହାଯାଉଛି । ପ୍ରଥମେ ମା’ ଝିଅଙ୍କୁ ଆକ୍ରମଣ କରି ଗୁରୁତର କରିଦିଆଯିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଗାଡ଼ି ଚଢ଼ାଇ ଦିଆଯାଇଥିଲା । ୨୦୧୮ରେ ହିଁ କଳ୍ପନା ଏବଂ ପ୍ରଭାତୀଙ୍କ ପରିଚୟ ଜାଣିବାକୁ ପାଇଥିଲା ଛତିଶଗଡ଼ ପୁଲିସ ।
କଳ୍ପନାଙ୍କ ବାପାଘର ହେଉଛି ଅନୁପଙ୍କ ଘରଠାରୁ ୩୦୦ ମିଟର ଦୂର ରାଜପୁରରେ । କଳ୍ପନାଙ୍କ ସ୍ୱାମୀ ହେଉଛନ୍ତି ସୁନୀଲ ଶ୍ରୀବାସ୍ତବ । କିନ୍ତୁ ଅନୁପଙ୍କ ସହ ସମ୍ପର୍କକୁ ନେଇ ସେମାନଙ୍କ ଛାଡ଼ପତ୍ର ହୋଇଯାଇଥିବା ଜଣାପଡ଼ିଛି । ଅନୁପଙ୍କ ତାଙ୍କ ଘରପାଖ ସାଇ ମନ୍ଦିର ପରିସରରୁ ଛତିଶଗଡ଼ ପୁଲିସ ଉଠାଇନେବା ପରେ କଳ୍ପନାଙ୍କ ବାପାଘରୁ ସମସ୍ତେ ଚାଲିଯାଇଛନ୍ତି । ସେ ଘରେ ତାଲା ଝୁଲୁଛି ।
ଝିଅ ଓ ନାତୁଣୀ ନିଖୋଜ ହେବା ଘଟଣା ବାବଦରେ ପୁଲିସରେ ଏତଲା ଦେଇଥିଲେ କଳ୍ପନାଙ୍କ ବାପା । କିନ୍ତୁ ଓଡ଼ିଶା ପୁଲିସର ତଦନ୍ତ ଆଗକୁ ବଢ଼ି ନଥିଲା । ଚର୍ଚ୍ଚା ହେଉଛି ଯେ, କଳ୍ପନାଙ୍କ ପରିବାରକୁ ମ୍ୟାନେଜ୍‌ କରିନେଇଥିଲେ ବିଜଦ ନେତା ଅନୁପ ସାଏ । ଶବ ଚିହ୍ନଟ ହେବା ପରେ ମଧ୍ୟ ରାୟଗଡ଼ ପୁଲିସ ସହ କାହିଁକି ବ୍ରଜରାଜନଗର ପୁଲିସ ଯୋଗାଯୋଗ କରି ନଥିଲେ, ତାହା ମଧ୍ୟ ଅନେକ ପ୍ରଶ୍ନ ଛିଡ଼ା କରାଇ ଦେଇଛି ।
କଳ୍ପନା ଓ ପ୍ରଭାତୀଙ୍କ ଶବ ଚିହ୍ନଟ ପରେ ରାୟଗଡ଼ ପୁଲିସ ତାଙ୍କ ପରିବାର ସହ ଯୋଗାଯୋଗ କରିଥିଲେ । ଏପରି କି କଳ୍ପନାଙ୍କ ସ୍ୱାମୀଙ୍କୁ ମଧ୍ୟ ପଚରା ଉଚରା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲା ଛତିଶଗଡ଼ ପୁଲିସ । କଳ୍ପନାଙ୍କ ସହ ଅନୁପଙ୍କ ଅନୈତିକ ସମ୍ପର୍କ ଥିଲା ବୋଲି ସୂଚନା ମିଳିଥିଲା । ଏହି ସମ୍ପର୍କକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ବଢ଼ିବଢ଼ି ଛାଡ଼ପତ୍ର ଯାଏ କଥା ଯାଇଥିଲା ।
ପ୍ରଶ୍ନ ହେଉଛି ଯେ, କଳ୍ପନା ଓ ପ୍ରଭାତୀଙ୍କୁ ହତ୍ୟା କରାଗଲା କାହିଁକି? ସେମାନଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇ ଜିଲା ସେପଟେ ଚକ୍ରଧରନଗର ଜଙ୍ଗଲରେ ଫୋପାଡ଼ି ଦିଆଯାଇଥିଲା । ଏମାନଙ୍କୁ କିଏ ହତ୍ୟା କରିଥିଲା? ହତ୍ୟାର ଉଦେ୍ଦଶ୍ୟ କ’ଣ ଥିଲା? ଏହିସବୁ ବିନ୍ଦୁ ଉପରେ ତଦନ୍ତ କରିବା ପରେ ବୁଧବାର ଦିନ ଛତିଶଗଡ଼ ପୁଲିସ ଅନୁପ ସାଏଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲା । ରାତି ପ୍ରାୟ ସାଢ଼େ ୯ଟା ବେଳେ ରାୟଗଡ଼ ଏସ୍‌ପି ଝାରସୁଗୁଡ଼ା ଏସ୍‌ପି ଅଶ୍ୱିନୀ ମହାନ୍ତିଙ୍କୁ ଫୋନ କରି ଅନୁପଙ୍କୁ ଚକ୍ରଧରପୁର ଥାନାରେ ଦୁଇ ମହିଳା ହତ୍ୟାକାନ୍ଦରେ ଅଟକ ରଖାଯାଇଥିବା ସୂଚନା ଦେଇଥିଲେ । ପୂର୍ବରୁ ଏହି ମାମଲାରେ ହାଜର ହେବା ଲାଗି ଛତିଶଗଡ଼ ପୁଲିସ ସାଏଙ୍କୁ ନୋଟିସ ପଠାଇଥିଲେ ମଧ୍ୟ ସେ ଏହାକୁ ଖାତିର କରି ନଥିଲେ ।
ହତ୍ୟାକାନ୍ଦର ଉଦେ୍ଦଶ୍ୟ କ’ଣ ହୋଇଥାଇ ପାରେ?
ଏପର୍ଯ୍ୟନ୍ତ ରାୟଗଡ଼ ପୁଲିସ ହତ୍ୟାକାନ୍ଦରେ ସାଏଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲି ନାହିଁ । କିନ୍ତୁ ଏହାକୁ ନେଇ ଝାରସୁଗୁଡ଼ା ଜିଲାରେ ବିଶେଷତଃ ବ୍ରଜରାଜନଗରରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କଳ୍ପନା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲିଥିବାରୁ ହୁଏତ କଳ୍ପନା ଅନୁପଙ୍କ ଠାରୁ ସ୍ତ୍ରୀର ମର୍ଯ୍ୟାଦା ଦାବି କରୁଥିଲେ । ଏହାକୁ କେନ୍ଦ୍ରକରି ସାଏଙ୍କ ପରିବାରରେ ଭୟଙ୍କର ଅଶାନ୍ତି ସୃଷ୍ଟି ହୋଇଥାଇପାରେ । ଝିଅ ସହ ଅନୁପଙ୍କ ସହିତ ରହିବା ପାଇଁ କଳ୍ପନାଙ୍କ ଚାପ କାରଣରୁ ତାଙ୍କୁ ଦୂରେଇ ଦେବା ନିମନ୍ତେ ଚକ୍ରାନ୍ତ କରିଥାଇ ପାରନ୍ତି ସାଏ । ଏଥିପାଇଁ ଭଡ଼ାଟିଆ ହତ୍ୟାକାରୀ ନିଯୁକ୍ତି ଆଶଙ୍କାକୁ ଏଡ଼ାଇ ଦିଆଯାଉ ନାହିଁ ।
ଏହା ମଧ୍ୟ ଚର୍ଚ୍ଚା ଚାଲିଛି ଯେ, ମାମଲାର ଦଫାରଫା ପାଇଁ କଳ୍ପନାଙ୍କ ପରିବାର ସହ ଡିଲ୍‌ କୁଆଡ଼େ କରିଥିଲେ ଅନୁପ । ସେମାନେ ମଧ୍ୟ ଆଉ ମାମଲାକୁ ଆଗେଇ ନେବା ପାଇଁ ଚେଷ୍ଟା କରୁ ନଥିଲେ । ଓଡ଼ିଶା ପୁଲିସ ଏମିତିରେ ଆଖିବୁଜି ଶୋଇଯାଇଥିଲା । ଖେଳ ବିଗାଡ଼ି ଦେଲା ଛତିଶଗଡ଼ ପୁଲିସ । ଏବେ ଅନୁପ ଯେଉଁ ଶାସକ ଦଳ ବଳରେ ବ୍ରଜରାଜନଗର ପୁଲିସକୁ ଚୁପ୍‌ କରାଇ ପାରିଥିଲେ, ସେହି ଦଳ ତାଙ୍କୁ ବହିଷ୍କାର କରିଦେଇଛି । ଅନୁପ ନା ଏବେ ଘର୍‌କା, ନା ଘାଟ୍‌କା ।
୨୦୦୦ରେ କଂଗ୍ରେସ ଟିକଟରେ ପ୍ରଥମଥର ପାଇଁ ବ୍ରଜରାଜନଗରରୁ ଜିଣିଥିଲେ ଅନୁପ ସାଏ । ପରବର୍ତ୍ତୀ ଦୁଇଟି ନିର୍ବାଚନ ମଧ୍ୟ ନବୀନ ହାୱା ସତ୍ତ୍ୱେ ବ୍ରଜରାଜନଗର ଆସନ ବଜାୟ ରଖିଥିଲେ ଅନୁପ । କିନ୍ତୁ ୨୦୧୪ ନିର୍ବାଚନର ଠିକ୍‌ ପୂର୍ବରୁ ବିରୋଧୀ ଦଳ ନେତା ଭୂପିନ୍ଦର ସିଂଙ୍କ ସହ ଅନୁପ ସାଏ ମଧ୍ୟ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*