ଐତିହ୍ୟ ସହରରେ ମୋଦୀ-ଜିନ୍‌ପିଙ୍ଗଙ୍କ ଐତିହାସିକ ଭେଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଚେନ୍ନାଇ

ସପ୍ତମ ଶତାବ୍ଦୀରେ ନିର୍ମିତ ଭାରତୀୟ ଭାସ୍କର୍ଯ୍ୟ କଳାର ଅନ୍ୟତମ ପ୍ରମୁଖ ଐତିହ୍ୟ ପଞ୍ଚ ରଥ ପଛଭାଗରେ । ସମ୍ମୁଖରେ ବଙ୍ଗୋପସାଗରର ସୁନ୍ଦର ତଟ । ଏଭଳି ଏକ ମନୋରମ ତଥା କଳା କାରୁକାର୍ଯ୍ୟର ପରିବେଶ ଭିତରେ ବିଶ୍ୱର ଦୁଇ ପ୍ରମୁଖ ଦେଶର ଟାଣୁଆ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଶୁକ୍ରବାର ଦିନ ତାଙ୍କ ଅନୌପଚାରିକ ମତ ବିନିମୟର ଧାରା ଆରମ୍ଭ କରିଛନ୍ତି । ଦୁହେଁ ଏହି ଶାନ୍ତ ସୁନ୍ଦର ପରିବେଶ ଭିତରେ କାଟିଥିଲେ କିଛି ନିରୋଳା ମୁହୂର୍ତ୍ତ । ଆକର୍ଷଣୀୟ କାରୁକାର୍ଯ୍ୟ ବୁଲି ଦେଖିବା ସହ ପିଇଥିଲେ ପଇଡ଼ ପାଣି । ଏହାପରେ ଦୁହେଁ ଉପଭୋଗ କରିଥିଲେ ଭାରତୀୟ ପାରମ୍ପରିକ ନୃତ୍ୟ । ଚେନ୍ନାଇସ୍ଥିତ କଳାକ୍ଷେତ୍ର ଫାଉନେ୍ଦସନର ପ୍ରମୁଖ କଳାକାରମାନଙ୍କ ପକ୍ଷରୁ ବିଶେଷ ପରିବେଷଣ କରାଯାଇଥିଲା । ସୁନ୍ଦର ଆଲୋକମାଳାରେ ସଜ୍ଜିତ ପରିବେଶ ଭିତରେ ଭାରତନାଟ୍ୟମ୍‌ ଏବଂ କଥାକଲି ନୃତ୍ୟ ଉପଭୋଗ କରିଥିଲେ ଦୁହେଁ ।
ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ସମ୍ପୂର୍ଣ୍ଣ ପାରମ୍ପରିକ ଧାରା ଭିତରେ ସ୍ୱାଗତ କରିବା ସକାଶେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରଣ କରିଥିଲେ ପାରମ୍ପରିକ ତାମିଲ ପୋଷାକ । ପିନ୍ଧିଥିଲେ ଭେଷ୍ଟି, ତା’ ସହ ଧଳା କମିଜ ଆଉ କାନ୍ଧରେ ପକାଇଥିଲେ ଅଙ୍ଗବସ୍ତ୍ରମ୍‌ ।
ଏହି ଐତିହାସିକ ପୀଠର ବିଭିନ୍ନ ଭାଗକୁ ରାଷ୍ଟ୍ରପତି ସିଙ୍କୁ ବୁଲି ଦେଖାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଐତିହାସିକ ପୀଠର ବିଶେଷତା ରାଷ୍ଟ୍ରପତି ସିଙ୍କୁ ବୁଝାଇ ଦେଉଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଚୀନ୍‌ ରାଷ୍ଟ୍ରପତି କଳା ପ୍ୟାଣ୍ଟ ଏବଂ ଧଳା ସାର୍ଟ ପିନ୍ଧିଥିଲେ । ଚୀନ୍‌ର ଫୁଜିଆନ ପ୍ରଦେଶ ସହ ଏହି ତଟୀୟ ସହର ମାମଲାପୁରମ୍‌ର ରହିଛି ବହୁ ଶତାବ୍ଦୀ ତଳରୁ ସମ୍ପର୍କ । ଯେତେବେଳେ ଏ ଅଞ୍ଚଳରେ ପଲ୍ଲବ ବଂଶର ରାଜତ୍ୱ ଥିଲା ସେତେବେଳେ ଚୀନ୍‌ ସହ ବାଣିଜି୍ୟକ ସମ୍ପର୍କ ଯୋଡ଼ି ହୋଇଥିଲା ଏହି ବନ୍ଦର ସହର ଦେଇ । ପଞ୍ଚ ରଥ ନିକଟରେ ଦୁହେଁ ପ୍ରାୟ ୧୫ ମିନିଟ୍‌ ପାଖାପାଖି ବସିଥିଲେ । ସାଥିରେ ଥିଲେ ଉଭୟ ପଟର ଜଣେ ଲେଖାଏଁ ଅନୁବାଦକକାରୀ । ପଇଡ଼ ପାଣି ପିଇବା ଭିତରେ ନିବିଡ଼ ବନ୍ଧୁ ଭାବରେ ଦୁହେଁ ଏକାଧିକ ବିଷୟ ଉପରେ ଚର୍ଚ୍ଚା କରିଥିଲେ । କୃଷ୍ଣ ଲହୁଣି ପେନ୍ଦୁ ଭାବେ ଜଣାଶୁଣା ବିରାଟ ଗୋଲାକାର ପଥର ପାଖରେ ଦୁଇ ନେତା ପରସ୍ପରର ହାତ ଉପରକୁ ଟେକିଧରି ଦୁଇ ଦେଶର ନିବିଡ ସମ୍ପର୍କର ସତେ ଯେପରି ବାର୍ତ୍ତା ପ୍ରଦାନ କରିଥିଲେ ।
ରାତ୍ରଭୋଜରେ ଲମ୍ବା ଆଲୋଚନା
ପାରମ୍ପରିକ ତାମିଲ ରାତ୍ରଭୋଜନର ବ୍ୟବସ୍ଥା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ କରାଯାଇଥିଲା । ତେବେ ଉଲ୍ଲେଖନୀୟ ବିଷୟ ହେଉଛି ସନ୍ଧ୍ୟା ୭ଟାରୁ ରାତ୍ରଭୋଜନ ସକାଶେ ଦୁଇ ନେତା ଏକାଠି ହୋଇଥିଲେ । ଖାଇବା ଭିତରେ ଦୁଇଜଣଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିଲା । ଏପରିକି ଦୁଇ ଘଣ୍ଟାରୁ ବେଶୀ ସମୟ ଧରି ଦୁହେଁ ଡିନର ଟେବୁଲ୍‌ରେ ଆଲୋଚନାରେ ମଜ୍ଜି ରହିଥିଲେ ବୋଲି ସୂଚନା ମିଳିଛି ।

ପରଷା ଗଲା ଦକ୍ଷିଣ ଭାରତୀୟ ବ୍ୟଞ୍ଜନ
ଶୁକ୍ରବାରର ରାତ୍ରୀଭୋଜନ ବେଳେ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ପରଷା ଯାଇଥିଲା ଚୀନ୍‌ ରାଷ୍ଟ୍ରପତିଙ୍କୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପତିଙ୍କୁ ରାତ୍ରଭୋଜନ ସକାଶେ ପାଛୋଟି ନେଇଥିଲେ । ବିଶେଷ ଭାବରେ ଆରାଚୁ ଭିଟା ସମ୍ବର ବିଶେଷ ଭାବରେ ପ୍ରସ୍ତୁତ ହୋଇଥିଲା ଡିନର ସକାଶେ । ଥାକାଲି ରସମ, କଡଲାଇ ଏବଂ ହାଲୁଆ ସାଙ୍ଗକୁ ଦକ୍ଷିଣ ଭାରତୀୟ ପ୍ରଣାଳୀରେ ପ୍ରସ୍ତୁତ ଏକାଧିକ ଆମିଷ ବ୍ୟଞ୍ଜନ ମଧ୍ୟ ବଢ଼ାଯାଇଥିଲା ବିଶେଷ ଅତିଥିଙ୍କ ଲାଗି । ଅନୌପଚାରିକ ବୈଠକର ପ୍ରଥମ ଦିନ ଦୁଇ ନେତା ଆଳାପ ଆଲୋଚନାରେ ସାମିଲ ହୋଇଥିଲା ବେଳେ ଚୀନ୍‌ ରାଷ୍ଟ୍ରପତିଙ୍କୁ ବିଶେଷ ଉପହାର ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ନୃତ୍ୟରତ ସରସ୍ୱତୀଙ୍କ ତାଞ୍ଜାଭୁର ଶୈଳୀରେ ନିର୍ମିତ ପେଣ୍ଟିଂ ସାଙ୍ଗକୁ ନାଚିଆର୍‌କୋଏଲ୍‌ରେ ନିର୍ମିତ ହେଉଥିବା ବିଶେଷ ଦ୍ୱୀପ ଉପହାର ଆକାରରେ ଚୀନ୍‌ ରାଷ୍ଟ୍ରପତିଙ୍କୁ ମୋଦୀ ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିତୀୟ ଅନୌପଚାରିକ ସାକ୍ଷାତ ସକାଶେ ଚୀନ ରାଷ୍ଟ୍ରପତି ସିି ଜିନ୍‌ପିଙ୍ଗ ଶୁକ୍ରବାର ଦୁଇ ଦିନିଆ ଭାରତ ଗସ୍ତରେ ସ୍ଥାନୀୟ ମହାବଳୀପୁରମ ଠାରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ, ଜିନପିଙ୍ଗ୍‌ଙ୍କୁ ସ୍ୱାଗତ ଜଣାଇବା ଲାଗି ପାରମ୍ପରିକ ତାମିଲ ବେଶଭୂଷାରେ ପହଞ୍ଚିଥିଲେ । ମୋଦୀ ବେଷ୍ଟି (ଧୋତି ଭଳି ପରିଧାନ) ପିନ୍ଧିଥିବାବେଳେ ଧଳା ହାଫ୍‌ ସାର୍ଟ ଏବଂ ଅଙ୍ଗ ବସ୍ତ୍ର ପରିଧାନ କରିଥିଲେ । ସେହିପରି ଜିନ୍‌ପିଙ୍ଗ୍‌ ଧଳା ସାର୍ଟ ସହ କଳା ପ୍ୟାଣ୍ଟ ପିନ୍ଧିଥିଲେ । ଯେହେତୁ ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ସାକ୍ଷାତ ଅନୌପଚାରିକ ଥିଲା, ତେଣୁ ପୋଷାକ ପରିପାଟୀ ଉପରେ କୌଣସି ପଟ୍ରୋକଲ୍‌ ନଥିଲା । ମୋଦୀ, ରାଷ୍ଟ୍ରପତି ଜିନିପିଙ୍ଗ୍‌ଙ୍କୁ ରାସ୍ତା ଉପରେ ହିଁ ସ୍ୱାଗତ କରିବା ସହ ପାଛୋଟି ନେଇଥିଲେ । କିଛି ସମୟର ବିଶ୍ରାମ ପରେ ଜିନ୍‌ପିଙ୍ଗଙ୍କୁ ମୋଦୀ ମାମଲ୍ଲାପୁରମସ୍ଥିତ ଅର୍ଜୁନ ତପସ୍ୟା ସ୍ଥଳୀ, ପଞ୍ଚ ରଥ ଏବଂ ତଟ ମନ୍ଦିର ଦର୍ଶନ କରାଇବା ସହ ଏହି ସ୍ଥାନମାନଙ୍କର ମହତ୍ତ୍ୱ ବିଷୟରେ କହିଥିଲେ । କୁହାଯାଉଛି ଯେ, ମାମଲ୍ଲାପୁରମ ସହ ଚୀନର ସଂପର୍କ ୧୭୦୦ ବର୍ଷ ପୁରୁଣା । ତେଣୁ ଆମର ପୁରାତନ କୀର୍ତ୍ତିରାଜିକୁ ଦେଖାଇ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ରାଷ୍ଟ୍ରପତିଙ୍କୁ ଭାରତ ଏବଂ ଚୀନର ପୁରୁଣା ସଂପର୍କ ବିଷୟରେ ଅବଗତ କରାଇବାକୁ ଚାହୁଁଥିଲେ ।
ଭାରତ ଏବଂ ଚୀନ ମଧ୍ୟରେ ଉତ୍ତମ ସଂପର୍କ ପ୍ରତିଷ୍ଠା ପାଇଁ ସି ଜିନପିଙ୍ଗ୍‌ଙ୍କ ଏହି ଗସ୍ତ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ୱହାନଠାରେ ମୋଦୀଙ୍କୁ ସ୍ୱାଗତ କରିବା ସକାଶେ ଯେଉଁପ୍ରକାର ଭବ୍ୟ ଆୟୋଜନ କରାଯାଇଥିଲା, ଏଠାରେ ମଧ୍ୟ ସେହିପରିଭାବେ ଜିନପିଙ୍ଗ୍‌ଙ୍କୁ ସ୍ୱାଗତ କରାଯାଇଛି । ଜିନ୍ପିଙ୍ଗ ଅପରାହ୍ନ ୨ଟା ୧୦ ମିନିଟରେ ଚେନ୍ନାଇ ଇଣ୍ଟରନ୍ୟାଶ୍ନାଲ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଆଡମ୍ବରପୂର୍ଣ୍ଣ ସ୍ୱାଗତସମ୍ବର୍ଦ୍ଧନା ଦିଆଯାଇଥିଲା । ତାମିଲନାଡୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ପାଛୋଟି ନେଇଥିଲେ । ଜିନ୍ପିଙ୍ଗଙ୍କ ଭବ୍ୟ ସ୍ୱାଗତ ପାଇଁ କେରଳର ପ୍ରସିଦ୍ଧ ପାରମ୍ପରିକ ନୃତ୍ୟ ଚେନ୍ଦା ମେଲମ ବିମାନ ବନ୍ଦରଠାରେ ହିଁ ପରିବେଷଣ କରାଯାଇଥିଲା । ବିମାନବନ୍ଦରରେ ୫୦୦ଜଣ କଳାକାରଙ୍କ ଦ୍ୱାରା ପାରମ୍ପରିକ ବାଦ୍ୟଯନ୍ତ୍ର ସାହାଯ୍ୟରେ ଜିନ୍‌ପିଙ୍ଗଙ୍କ ସ୍ୱାଗତ କରାଯାଇଥିଲା । ଏହାବ୍ୟତୀତ ଭରତ୍ନାଟ୍ୟମ ଓ କଥକଲି ପରି ନୃତ୍ୟ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏହାପରେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଚେନ୍ନାଇର ଆଇଟିସି ଗ୍ରାନ୍ଦ ଚୋଲା ହୋଟେଲକୁ ଯାଇଥିଲେ । ହୋଟେଲରେ ସ୍ୱଳ୍ପ ରହଣୀ ପରେ ମୋଦୀ ଏବଂ ଜିନପିଙ୍ଗ୍‌ ବାହାରିଯାଇଥିଲେ ମାମଲ୍ଲାପୁରମ । ସେଠାରେ ପ୍ରଧାନମନ୍ତ୍ରୀ ଶି ଜିନପିଙ୍ଗ୍‌ଙ୍କୁ ୩ ଐତିହାସିକ ସ୍ମାରକୀ ଦେଖାଇଥିଲେ । ପରେ ସଂଧ୍ୟା ସମୟରେ ଉଭୟ ଶୋର ମନ୍ଦିରରେ ପହଞ୍ଚôଥିଲେ, ଯେଉଁଠାରେ ରାମାୟଣର କାହାଣୀ ମଞ୍ଚସ୍ଥ ହୋଇଥିଲା । ଏଠାରେ ଦୁଇ ନେତା ପ୍ରସିଦ୍ଧ ସାଂସ୍କୃତିକ ନୃତ୍ୟ ସମୂହ କଳାକ୍ଷେତ୍ର ଦ୍ୱାରା ପରିବେଷିତ ନୃତ୍ୟ ଉପଭୋଗ କରିଥିଲେ । ଏହି ଅବସରରେ ଏବଂ ବିଭିନ୍ନ ଐତିହାସିକ ସ୍ଥଳ ପରିଦର୍ଶନବେଳେ ଦୁଇ ନେତାଙ୍କ ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଥିଲା । ମୋଦୀ, ଜିନପିଙ୍ଗଙ୍କୁ ବୁଝାଉଥିବାର ଏବଂ ଚୀନ ରାଷ୍ଟ୍ରପତି ତାଙ୍କ କଥାକୁ ଆଗ୍ରହ ସହ ଶୁଣିବାର ଦେଖାଯାଇଥିଲା । ଉଭୟ ପରସ୍ପରର ହାତ ଧରି ଗଣମାଧ୍ୟମକୁ ଅଭିବାଦନ ଜଣାଇଥିଲେ ।
ପ୍ରତିନିଧିମଣ୍ଡଳୀ ସହ ସି ଏବଂ ମୋଦୀଙ୍କ ସାକ୍ଷାତ
ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ବୈଦେଶିକ ସଚିବ ବିଜୟ ଗୋଖଲେ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ସହ ଜିନିପିଙ୍ଗ୍‌ଙ୍କର ଅନୌପଚାରିକ ସାକ୍ଷାତ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜିନପିଙ୍ଗ୍‌ ପରସ୍ପରକୁ ନିଜ ପ୍ରତିନିଧିମନ୍ଦଳ ସହ ପରିଚୟ କରାଇଥିଲେ ।
ଶନିବାର ଦ୍ୱିପାକ୍ଷିକ ଆଲୋଚନା
ଭାରତ- ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଏବଂ ଚୀନର ବାରମ୍ବାର ନକରାତ୍ମକ ବୟାନ ମଧ୍ୟରେ ମହାବଳୀପୁରମଠାରେ ମୋଦୀ ଏବଂ ସିଙ୍କ ମଧ୍ୟରେ ଶିଖର ବୈଠକ ଖୁବ୍‌ ଗୁରୁତ୍ୱ ରଖୁଛି । ବୁହାନ ପରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଅନୌପଚାରିକ ବୈଠକରେ ବ୍ୟାପାର, ଏସୀୟ ଦେଶ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ, ସୀମା ବିବାଦ ଏବଂ ୫ଜି ପ୍ରସଙ୍ଗ ସ୍ଥାନ ପାଇବ ବୋଲି ସୂଚନା ରହିଛି । କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ନିଜ ଆଡୁ ଏହି ପ୍ରସଙ୍ଗ ଉଠାଇବେ ନାହିଁ । ହେଲେ ଯଦି ଶି ଏହି ପ୍ରସଙ୍ଗ ଉଠାନ୍ତି, ତେବେ ମୋଦୀ ନୂଆଦିଲ୍ଲୀ କେଉଁ ପରିସ୍ଥିତିରେ ଏବଂ କାହିିଁକି ସେଠାରୁ ଧାରା ୩୭୦ ଉଚ୍ଛେଦ କଲା, ତାହା ଆଲୋଚନା କରିପାରନ୍ତି ବୋଲି ଅସମର୍ଥିତ ସୂତ୍ରରୁ ପ୍ରକାଶ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଶୁକ୍ରବାର ତାମିଲନାଡୁର ମହାବଳୀପୁରମ୍‌ରେ ଅନୌପଚାରିକ ସାକ୍ଷାତ୍ ଲାଗି ଚଳଚଞ୍ଚଳ ହୋଇଉଠିଥିଲା ତାମିଲନାଡୁ ସହର । ମହାବଳୀପୁରମ୍‌ରେ ପଞ୍ଚ ରଥ ନିକଟରେ ମୋଦୀ-ଜିନ୍‌ପିଙ୍ଗଙ୍କ ସ୍ୱାଗତ ପାଇଁ ଉଦ୍ୟାନ କୃଷି ବିଭାଗ ଏକ ବିଶାଳ ଗେଟ୍‌ ନିର୍ମାଣ କରିଥିଲେ । ଏହାର ସାଜସଜ୍ଜା ପାଇଁ ୧୮ ପ୍ରକାରର ପନିପରିବା ଏବଂ ଫଳର ବ୍ୟବହାର କରାଯାଇଥିଲା । ଏହି ଫଳ ଏବଂ ପନିପରିବାକୁ ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳରୁ ଅଣାଯାଇଥିବା ଜଣାପଡ଼ିଛି । ଉକ୍ତ ବିଭାଗର ୨୦୦ଜଣ ଷ୍ଟାଫ୍ ମେମ୍ବର୍ସ ଏବଂ ଟ୍ରେନି ମିଶି ୧୦ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଲାଗିଯାଇଥିଲା ଏହି ତୋରଣକୁ ସଜାଇବା ପାଇଁ । ଏଥିରେ ବ୍ୟବହାର ହୋଇଥିବା ସମସ୍ତ ପନିପରିବା ଏବଂ ଫଳମୂଳ ଅର୍ଗାନିକ ଥିବା ସହ ଏହାକୁ ସିଧାସଳଖ ଚାଷ ଜମିରୁ ଅଣାଯାଇଥିବା ଡିପାର୍ଟମେଣ୍ଟ ଅଫ୍ ହର୍ଟିକଲ୍ଚରର ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି । ଶୋର ମନ୍ଦିର ନିକଟରେ ପ୍ରସ୍ତୁତ ହୋଇଥିବା ଗେଟ୍‌ରେ ପାରମ୍ପରିକ କଦଳୀ ଗଛ ଓ ଆଖୁ ବ୍ୟବହାର କରି ପାରମ୍ପରିକ ଆକୃତି ପ୍ରସ୍ତୁତ କରାଯିବା ସହ ଧଳା ଓ ନାଲି ରଙ୍ଗର ଗୋଲାପ ଫୁଲକୁ ମଧ୍ୟ ବ୍ୟବହାର କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*