ଏବେ ଭାରି ତତ୍ପର ମହିଳା କମିଶନ ଅଧ୍ୟକ୍ଷା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଝାରପୋଖରିଆରେ ରୁକ୍ମଣୀ ମନ୍ଦଳଙ୍କ ଘରେ ମହିଳା କମିଶନର ଅଧ୍ୟକ୍ଷା ମିନତି ବେହେରା ପହଞ୍ଚôଯିବା ଘଟଣାରେ ସମସ୍ତେ ନିହାତି ଆଶ୍ଚର୍ଯ୍ୟ ହୋଇଥିବେ । ରୁକ୍ମଣୀଙ୍କ ଘରଲୋକ ମଧ୍ୟ ଚକିତ ହୋଇପଡିଥିଲେ ବୋଲି ଆମ ପାଖରେ ଖବର । କାହିଁକି ଚକିତ ନହେବେ ଯେ?
ରୁକ୍ମଣୀ ବିଜ୍ଞାନ ଅଧ୍ୟାପିକା । ଅକ୍ଟୋବର ୩୦ ତାରିଖରେ ସେ ଧର୍ଷଣର ଶିକାର ହେଲେ । ଏ ବାବଦରେ ପୁଲିସରେ ଅଭିଯୋଗ କଲେ । ନବୀନଙ୍କ ପୁଲିସ । ପାଗ ଭିଡ଼ୁଭିଡ଼ୁ ରୁକ୍ମଣୀ ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କରିଦେଲେ । ଆତ୍ମହତ୍ୟା ପରେ ଅଭିଯୁକ୍ତଙ୍କୁ ପାଇଗଲା ପୁଲିସ ଓ ବାନ୍ଧି ପକାଇଲା ।
ଭୁବନେଶ୍ୱରରୁ ଝାରପୋଖରିଆ । ବହୁତ ଦୂର ହେଲେ ବି ମହିଳା କମିଶନ ଅଧ୍ୟକ୍ଷା ପହଁଚିଗଲେ ରୁକ୍ମଣୀଙ୍କ ଘରେ । ଆଶ୍ୱାସନା ଦେଲେ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ ।
ଖନ୍ଦଗିରିରେ ଧର୍ଷଣର ଶିକାର ହୋଇଥିବା ଜଣେ ନାବଳିକାଙ୍କ ଘରେ ମଧ୍ୟ ତୁରନ୍ତ ପହଁଚିଥିଲେ ମିନତି । ଲାଗୁଚି ଏବେ ଅଧ୍ୟକ୍ଷା ଅତି ତତ୍ପର ହେଇପଡ଼ିଚନ୍ତି । ହବା କଥା ବି । ମହିଳାଙ୍କ ସମ୍ମାନ ଏବଂ ସୁରକ୍ଷା ଲାଗି ଏହି କମିଶନ ଗଢା ହେଇଚି । କିନ୍ତୁ ବୁଝା ପଡ଼ିଲା ନାହିଁ ସ୍ମିତାରାଣୀଙ୍କ ଘରକୁ କାହିଁକି ଯାଇନଥିଲେ ମିନତି ଦେବୀ?
ସ୍ମିତା ସରକାରୀ ଅଧିକାରୀ । ଧର୍ମଶାଳା ହରିଦାସପୁରର ପଞ୍ଚାୟତ ଅଧିକାରୀ । ଭଦ୍ରା ରଙ୍ଗଶାଳାରେ ତାଙ୍କୁ ଧର୍ଷଣ ଓ ହତ୍ୟା କରାଯାଇଥିବା ଅଭିଯୋଗ ଉଠିଥିଲା । ବଡ଼ ଚହଳ ସୃଷ୍ଟି କରିଥିଲା ସ୍ମିତା ହତ୍ୟାକାନ୍ଦ । କିନ୍ତୁ ମହିଳା କମିଶନ ଅଧ୍ୟକ୍ଷା ପବନରେ ଗଲେ ଓ ପବନରେ ଆଇଲେ । ସ୍ମିତାଙ୍କ ଘରକୁ କାହିଁକି ଗଲେ ନାହିଁ ଏ କଥା ଏବେ ବି ବୁଝି ହେଉନାହିଁ । ତଥାପି କହିଲେ ଯାଜପୁର ପୁଲିସ ଠିକ୍‌ ତଦନ୍ତ କରିନି । କ୍ରାଇମବ୍ରାଞ୍ଚ ତଦନ୍ତ ଦରକାର । ନବୀନ ସରକାର ତାଙ୍କ କଥା କଉଁ ଶୁଣୁଚନ୍ତି ଯେ? ତେବେ ଲାଗୁଚି ରାଜନୀତି ଗନ୍ଧ ପାଇବା ପରେ ଅଧ୍ୟକ୍ଷା ମହୋଦୟା ସ୍ମିତାଙ୍କ ଘରକୁ ଯିବାକୁ ସାହସ ଜୁଟେଇ ପାରିଲେ ନାହିଁ ।
ଏବେ ଯଉଁ ପୀଡ଼ିତାଙ୍କ ଘରକୁ ଯାଉଚନ୍ତି, କେବଳ ମନବୋଧ ଚଉତିଶା ପଢିବା ଲାଗି ନା ତାଙ୍କ କଥାରେ କିଛି ଓଜନ ଅଛି, ଦେଖିବାକୁ ବାକି ରହିଚି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*