ଏବେ ବି ସକ୍ରିୟ ମହିଳା ଏସ୍ପିଓ ଘରେ ରହି କରୋନା ଯୋଦ୍ଧାଙ୍କ ଭଳି କରୁଛନ୍ତି ରିପୋର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କରୋନା କଟକଣାରେ ବି କମିନାହିଁ ମନୋବଳ । ସେମାନେ ପୁଲିସ ଅଫିସର ନୁହଁନ୍ତି । କିନ୍ତୁ ପୁଲିସ ଅଫିସରଙ୍କ କ୍ଷମତା ପାଇଛନ୍ତି । ସେମାନେ କୋଭିଡ୍ ଯୋଦ୍ଧାରେ ଗଣା ହେଉନାହାନ୍ତି । ଏମିତିକି ତାଙ୍କ ପାଇଁ କୌଣସି ବୀମା ମଧ୍ୟ ହୋଇନାହିଁ । ହେଲେ ଏବେ ବି ସେମାନେ ଗୋପନରେ ରହି କାମ କରୁଛନ୍ତି । ଏପରିକି କରୋନା ତାଙ୍କ ମନୋବଳ ଭାଙ୍ଗିଦେଇନି । ଅପରାଧୀଙ୍କୁ ଗିରଫ କରିବାର କ୍ଷମତା ପାଇଥିବା ମହିଳା ଏସ୍ପିଓ(ସ୍ପେଶାଲ ପୁଲିସ ଅଫିସର) ଏବେ ବି ସକ୍ରିୟ ଥିବା ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । କରୋନା ପାଇଁ ସହରରେ ସମସ୍ତ ଇଞ୍ଜିନିୟରିଂ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି । ଏଥିପାଇଁ ପ୍ରାୟ ଅଧିକାଂଶ ଏସ୍ପିଓ ଦାୟିତ୍ୱରେ ଥିବା ଛାତ୍ରୀ ଏବେ ଘରକୁ ପଳାଇଛନ୍ତି । ତଥାପି ସେମାନେ ଘରେ ରହି ସେମାନଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି । ନିୟମିତ ପୁଲିସ ସହ ଯୋଗାଯୋଗରେ ରହୁଛନ୍ତି । ସେହିପରି ସହରରେ ଥିବା ଘରୋଇ ଅନୁଷ୍ଠାନର ମହିଳା ଏସ୍ପିଓ ମାନେ ତାଙ୍କର କାର୍ଯ୍ୟ ଜାରି ରଖିଛନ୍ତି । ସହରରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଓ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ସେମାନଙ୍କୁ ଗତ ଜାନୁଆରୀରେ ନିଯୁକ୍ତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୩ ମାସ ପାଇଁ ଏମାନଙ୍କୁ ନିଯୁକ୍ତି ମିଳିଥିଲା । ପରବର୍ତ୍ତୀ ସମୟରେ ଏହି ଅବଧି ଆଉ ୩ ମାସ ବଢ଼ାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୪୬ ଜଣ ମହିଳାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହାସହ ଆବଶ୍ୟକସ୍ଥଳେ ଅପରାଧୀଙ୍କୁ ଗିରଫ କରିବାର କ୍ଷମତା ସେମାନଙ୍କୁ ଦିଆଯାଇଛି । ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କ ନେତୃତ୍ୱରେ ଏସ୍ପିଓମାନେ କାର୍ଯ୍ୟ କରୁଛନ୍ତି । କଟକ ଓ ଭୁବନେଶ୍ୱରର ୫୬ରୁ ଅଧିକ ଅନୁଷ୍ଠାନର ମହିଳା ଏହି ଟିମ୍ରେ ସାମିଲ ହୋଇଛନ୍ତି । ବିଭିନ୍ନ ଆଇଟି, କଲ୍ସେଣ୍ଟର ଓ ମହାବିଦ୍ୟାଳୟର ଛାତ୍ରୀମାନେ ଏସ୍ପିଓ ଭାବେ ନିଯୁକ୍ତି ପାଇଛନ୍ତି । ଏମାନେ ନାରୀ ଉପରେ ହେଉଥିବା ଅତ୍ୟାଚାରକୁ କଡ଼ା ନଜର ରଖୁଛନ୍ତି । ସହରର ଯେଉଁ ସ୍ଥାନରେ ପୁଲିସ ପାଟ୍ରୋଲିଂ ଆବଶ୍ୟକ ପଡ଼ିବ, ଏ ନେଇ ସେମାନେ ପୁଲିସକୁ ପରାମର୍ଶ ଦେଉଛନ୍ତି । ଅନେକ ସମୟରେ କର୍ମଜୀବୀ ମହିଳା ଓ ଛାତ୍ରୀଙ୍କ ପ୍ରତି ହେଉଥିବା ଅଭିଯୋଗ ପୁଲିସ ପାଖରେ ପହଞ୍ଚି ପାରୁନାହିଁ । ଅଭିଯୋଗ କରିବାକୁ ପୀଡ଼ିତାମାନେ ଲୋକ ଲଜ୍ଜ୍ୟାର ଭୟ କରୁଛନ୍ତି । ଏଭଳି ଘଟଣା ଏସପିଓ ନଜରକୁ ଆସିଲେ, ସେମାନେ ପୁଲିସ ନିକଟରେ ପହଞ୍ଚାଉଛନ୍ତି । ଯାହାଦ୍ୱାରା ପୁଲିସ ଘଟଣା ଉପରେ ଧ୍ୟାନ ଦେଇ ଦୋଷୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି । ଅନ୍ୟପଟେ ପୁଲିସର ଏସ୍ପିଓ ନିଯୁକ୍ତ କରିବା ପଦକ୍ଷେପକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି । ଏସ୍ପିଓ ନିଯୁକ୍ତ ହେବା ପରେ ସହରରେ ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣ, ଦୁର୍ବ୍ୟବହାର ଏବଂ ଦୁଷ୍କର୍ମ ପରି ଘଟଣା ହ୍ରାସ ପାଇଛି ବୋଲି ଜଣାପଡ଼ିଛି । କମିଶନରେଟ୍ ପୁଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏସ୍ପିଓ ମାନଙ୍କୁ ନିଯୁକ୍ତ କରାଯାଇଥିଲା । । ନବନିଯୁକ୍ତ ଏସ୍ପିଓମାନଙ୍କୁ ମହିଳାଙ୍କ ସୁରକ୍ଷା ସମେତ ସମାଜ ପାଇଁ କାମ କରିବାକୁ ପୁଲିସ କମିଶନର ପରାମର୍ଶ ଦେଇଥିଲେ । ଟ୍ରାଫିକ୍‌ ଡିସିପି ସାଗରିକ ନାଥଙ୍କ ନେତୃତ୍ୱରେ ଏସ୍ପିଓମାନେ ରାଜଧାନୀରେ ଅନେକ ଶିକ୍ଷାନୁଷ୍ଠାନ ଗୁଡିକରେ ଯୁବକ, ଯୁବତୀମାନଙ୍କୁ ସଚେତନ କରିବା ଆମ ସୁରକ୍ଷା ଆମ ପୁଲିସର ନାରା ଦେଇ ସେମାନଙ୍କ ମନୋବଳକୁ ଦୃଢ଼ କରିଛନ୍ତି । ଖାଲି ସେତିକି ନୁହେଁ ଏସ୍ପିଓ ମନୋବଳ ଯୋଗୁଁ ଆଗାମୀ ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅପରାଧ କମିବାର ସମ୍ଭାବନା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*