ଏଥର ଭାଜପା ବି ଛାଡ଼ିଲେ ଅଶୋକ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ବିଜେପୁର

ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଅଶୋକ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ଛାଡ଼ିଛନ୍ତି । ଅଶୋକ ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକଟରେ ବିଜେପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ଦଳ ତାଙ୍କୁ ଟିକେଟ୍‌ ନଦେଇ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିବାରୁ ସ୍ୱାଧୀନ ଭାବେ ଲଢ଼ିଥିଲେ ଅଶୋକ । ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଏପରି କି ୨୦୦୯ରେ ମଧ୍ୟ ତାଙ୍କୁ ବିଜଦ ଟିକଟ ମିଳି ନଥିଲା । ତେବେ ସୁବଳ ସାହୁଙ୍କ ବିୟୋଗ ପରେ ୨୦୧୮ରେ ଯେତେବେଳେ ଉପନିର୍ବାଚନ ହେଲା, ସେତେବେଳେ ଟିକଟ ପାଇବାକୁ ଆଶା କରି ସେଥିରୁ ବଞ୍ଚôତ ହେବାରୁ ଦଳୀୟ ନେତୃତ୍ୱ ବିରୋଧରେ ବିଷୋଦ୍‌ଗାର କରି ଅଶୋକ ବିଜଦ ଛାଡ଼ିଥିଲେ । ୨୦୧୪ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ି ୩୦ହଜାରରୁ ଅଧିକ ଭୋଟ ପାଇଥିବା ଅଶୋକଙ୍କୁ ଭାରତୀୟ ଜନତା ପାର୍ଟି ଉପନିର୍ବାଚନରେ ପ୍ରାର୍ଥୀ କରିଥିଲା । ଭାଜପା ସବୁ ଜୋର୍‌ ଖଟେଇ ଦେଇଥିଲା ଏହି ଉପନିର୍ବାଚନରେ । ଭାଜପା ପ୍ରାର୍ଥୀ ଅଶୋକଙ୍କୁ ୬୦ହଜାରରୁ ଅଧିକ ଭୋଟ ମିଳିଥିଲା । ଦ୍ୱିତୀୟ ସ୍ଥାନରେ ଥିଲେ ଅଶୋକ । ଏବେ ପୁଣି ଏକ ଉପନିର୍ବାଚନ ସାମ୍ନା କରୁଥିବା ବେଳେ ବିଜେପୁର, ଅଶୋକ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି । ୨୦୧୮ ଉପନିର୍ବାଚନ ବେଳେ ବିଜଦ ଛାଡ଼ିଲା ସମୟରେ ଅଶୋକ ଯେପରି ଦଳୀୟ ନେତୃତ୍ୱକୁ ସମାଲୋଚନା କରିଥିଲେ, ଏଥର ଭାଜପା ଛାଡ଼ିବା ସମୟରେ ଠିକ୍‌ ସେମିତି ଅଭିଯୋଗ କରିଛନ୍ତି ।
ସନତ ଗଡ଼ତିଆଙ୍କୁ ପୁଣି ପ୍ରାର୍ଥୀ କରିବାରୁ ଭାଜପା ନେତୃତ୍ୱ ଉପରେ ଖପ୍ପା ଥିଲେ ଅଶୋକ । ତାଙ୍କୁ ଏଥର ପ୍ରାର୍ଥୀ କରାଯିବ ବୋଲି ଭାବି ନେଇଥିଲେ ସେ । ତେବେ ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିରୋଧରେ ଲଢ଼ି ଭାଜପାର ସନତ ଗଡ଼ତିଆ ୫୩ହଜାରରୁ ଅଧିକ ଭୋଟ ପାଇବାକୁ ସମର୍ଥ ହୋଇଥିଲେ । ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ବିଜେପୁରରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଲା, ସେହେତୁ ସନତଙ୍କୁ ଉପେକ୍ଷା କରିବା ଉଚିତ ମନେ କରି ନଥିଲା ଭାଜପା ନେତୃତ୍ୱ । ରୀତାଙ୍କ ବିରୋଧରେ ଥରେ ଲଢ଼ି ଅଶୋକ ହାରି ଯାଇଥିଲେ । ୨୦୧୯ ନିର୍ବାଚନରେ ସୁବାସ ଚୌହ୍ୱାନ ଭାଜପାରୁ ପ୍ରାର୍ଥୀ ହେବାକୁ ମନା କରିଦେବା ପରେ ସନତଙ୍କୁ ସୁଯୋଗ ମିଳିଥିଲା । ସେତେବେଳେ ଅଶୋକ ପ୍ରାର୍ଥୀ ହେବା ପାଇଁ ଆଗ୍ରହ ପ୍ରକାଶ କରି ନଥିଲେ ।
ତେବେ ସେ ଯାହାହେଉ ଟିକଟ ନମିଳିବାରୁ ଭୀଷଣ କ୍ଷୁବ୍ଧ ଥିଲେ ଅଶୋକ । କିଛିଦିନ ହେଲା ନେତୃତ୍ୱ ବିରୋଧରେ ଅସନ୍ତୋଷ ପ୍ରକଟ କରିଆସୁଥିଲେ ସେ । କହୁଥିଲେ ତାଙ୍କୁ ଦଳ ଅଣଦେଖା କରୁଛି । ଦଳୀୟ କାର୍ଯ୍ୟରେ ସାମିଲ କରାଯାଉ ନାହିଁ । ତାଙ୍କ ଅବସ୍ଥା ଦାମୋଦର ରାଉତଙ୍କ ପରି ହୋଇଛି । ସେ ଯେ ଦଳ ଛାଡ଼ିବେ, ଏହା ସ୍ପଷ୍ଟ ହୋଇଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରକୁ ଯାଇଥିବା ସମୟରେ ଅଶୋକ ଭାବିଥିଲେ ଯେ, ତାଙ୍କୁ ଡାକରା ମିଳିବ । କିନ୍ତୁ ପ୍ରଚାରରେ ଦିନ ତମାମ୍‌ ବ୍ୟସ୍ତ ଥିବା ଧର୍ମେନ୍ଦ୍ର ଅଶୋକଙ୍କ ଅଭିମାନ ମେଣ୍ଟାଇବା ପାଇଁ ସମୟ ପାଇ ନଥିଲେ । ତେଣୁ ଧର୍ମେନ୍ଦ୍ରଙ୍କ ଗସ୍ତ ପରଦିନ ଅର୍ଥାତ୍‌ ଶନିବାର ଅଶୋକ ଭାଜପା ଛାଡ଼ିଲେ ।
କେଉଁ ଦଳକୁ ଯାଇପାରନ୍ତି ଅଶୋକ? ବିଜଦ ନେତୃତ୍ୱ ବିରୋଧରେ ଏତେ କଥା କହିଥିବା ଅଶୋକଙ୍କୁ ପୁଣି ଦଳ ଫେରାଇ ନେବ କି? ଏ ପ୍ରଶ୍ନର ଉତ୍ତରରେ ଅଶୋକ କହନ୍ତି ଯେ, ତାଙ୍କ ସହିତ କେହି ଯୋଗାଯୋଗ କରି ନାହାନ୍ତି କିମ୍ବା ସେ ବିଜଦ ସହ ଯୋଗାଯୋଗରେ ନାହାନ୍ତି । ଭାଜପା ବିରୋଧରେ ପ୍ରଚାର କରିବେ କି ନାହିଁ ସ୍ଥିର କରିନାହାନ୍ତି ସେ । ତେବେ ସଙ୍କେତ ଦେଇଛନ୍ତି ଯେ, ତାଙ୍କ କର୍ମୀମାନେ ଚାହିଁଲେ ଭାଜପା ବିରୋଧରେ ମଧ୍ୟ ପ୍ରଚାର କରିପାରନ୍ତି । ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ, ଦିଗହରା କଂଗ୍ରେସ ଅଶୋକଙ୍କୁ ନେବା ପାଇଁ ଚେଷ୍ଟା ଆରମ୍ଭ କରିଛି । ହୁଏତ ଅଶୋକ କଂଗ୍ରେସ ପ୍ରାର୍ଥୀ ଦିଲୀପ ପନ୍ଦାଙ୍କ ସପକ୍ଷରେ ପ୍ରଚାରକୁ ଓହ୍ଲାଇ ପାରନ୍ତି ।
ଅଶୋକଙ୍କ ଇସ୍ତଫା ଭାଜପାକୁ ଧକ୍କା ହେବ କି ନାହିଁ, ତାହା ଭୋଟ ଫଳାଫଳ ପ୍ରମାଣିତ କରିବ । କିନ୍ତୁ ଏହାକୁ ନେଇ ଦଳୀୟ ନେତାମାନେ ଚିନ୍ତିତ ନଥିବା ସୂଚନା ମିଳିଛି ।
ବିଜଦ ନେତାଙ୍କୁ ଭେଟିଥିଲେ ଅଶୋକ
ଅଶୋକ ପାଣିଗ୍ରାହୀ ଦଳ ଛାଡ଼ିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ । ସେ କହିଛନ୍ତି ଯେ, ଅଶୋକ ନିକଟରେ ଭୁବନେଶ୍ୱର ଆସି ବିଜଦ ନେତାଙ୍କୁ ଭେଟିଥିଲେ । ବିଜଦ ଚକ୍ରାନ୍ତରେ ସେ ଫସିଯାଇସାରିଛନ୍ତି । ତାଙ୍କୁ ଶାସକ ଦଳ ଉପଯୋଗ କରିଛି । ସେ ନିଜେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ । ତାଙ୍କୁ କେବେ ଦଳ ଅଣଦେଖା କରିନଥିଲା । ଗତଥର ତାଙ୍କୁ ପ୍ରାର୍ଥୀ କରାଯିବାରୁ ଅନେକ ଦଳୀୟ ନେତା ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଥିଲେ । ତଥାପି ତାଙ୍କୁ ଭରସା କରି ପ୍ରାର୍ଥୀ କରିଥିଲା ଦଳ । ଏବେ ସେ ଭାଜପା ଛାଡ଼ିଥିବାରୁ, ପୂର୍ବରୁ ଛାଡ଼ିଯାଇଥିବା କର୍ମୀ ଓ ନେତାମାନେ ଫେରିଆସିବେ ବୋଲି ଆଶାବ୍ୟକ୍ତ କରି ପ୍ରଦୀପ କହିଛନ୍ତି ଯେ, ଅଶୋକଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*