ଏଚ୍‌ପିଡିଟିର ବିଶେଷ ଉତ୍ସବ ‘ରୂପାନ୍ତର’ ବ୍ୟକ୍ତିତ୍ୱ ବିକାଶ ଦ୍ୱାରା ହୋଇଥିବା ପରିବର୍ତ୍ତନକୁ ବଖାଣିଲେ ଛାତ୍ରଛାତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

‘ମୁଁ ବଦଳିଛି । ଅବାଟରୁ ବାଟକୁ ଫେରିଛି, ନିଜ ଭିତରେ ଅନେକ ପରିବର୍ତ୍ତନକୁ ମୁଁ ନିଜେ ଅନୁଭବ ମଧ୍ୟ କରିପାରୁଛି’ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ବରଂ ମଣିଷ ମରାମତି କାରଖାନା କୁହାଯାଉଥିବା ହୁ୍ୟମ୍ୟାନ ପୋଟେନସିଆଲ୍‌ ଡେଭଲପମେଣ୍ଟ ଟ୍ରଷ୍ଟ (ଏଚ୍‌ପିଡିଟି) ଦ୍ୱାରା ବିନା ଶୁଳ୍କରେ ବ୍ୟକ୍ତିତ୍ୱ ବିକାଶ ତାଲିମ ପାଇଥିବା ୨୫୦ରୁ ଅଧିକ ଛାତ୍ରଛାତ୍ରୀମାନେ ଏହା କହିଛନ୍ତି । ଏଚ୍‌ପିଡିଟି ପକ୍ଷରୁ ବିଭିନ୍ନ ଅନାଥଶ୍ରମ, ଆଦିବାସୀ ହଷ୍ଟେଲ, ସ୍କୁଲ ତଥା ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏହି ବ୍ୟକ୍ତିତ୍ୱ ବିକାଶ ପ୍ରଶିକ୍ଷଣ ଦିଆଯାଇଥିଲା । ବଡ କଥା ହେଉଛି ଏହି ୨୫୦ଜଣଙ୍କ ମଧ୍ୟରୁ ୨୦ ଜଣ ଛାତ୍ରଛାତ୍ରୀ ମଞ୍ଚ ଉପରେ ଅତିଥି ଓ ଦର୍ଶକଙ୍କ ଆଗରେ ସେମାନଙ୍କ ଭିତରେ ହୋଇଥିବା ପରିବର୍ତ୍ତନ ସଂପର୍କରେ ବିନା ଦ୍ୱିଧା ଓ ସଂକୋଚରେ ମତ ରଖିଥିଲେ । ଆଉ ସେମାନଙ୍କର ଏହି ସ୍ପଷ୍ଟ ସ୍ୱୀକାରୋକ୍ତି ଜୟଦେବ ଭବନ ପରିସରରେ ସୃଷ୍ଟି କରିଥିଲା ଏକ ଭିନ୍ନ ପରିବେଶ । ଉପସ୍ଥିତ ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରତାପ ଜେନା, ସମ୍ମାନିତ ଅତିଥି ଅଶୋକ ପନ୍ଦା, ଲୋକସେବକ ମନ୍ଦଳର ସଂପାଦକ ନିରଂଜନ ରଥ, ପ୍ରମେୟ ସଂପାଦକ ଗୋପାଳକୃଷ୍ଣ ମହାପାତ୍ର ପ୍ରମୁଖ ଛୋଟଛୋଟ ପିଲାଙ୍କ ଭିତରେ ହୋଇଥିବା ଏଭଳି ‘ରୂପାନ୍ତର’କୁ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଏବଂ ପରେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ଏଚ୍‌ପିଡିଟିର ମ୍ୟାନେଜିଂ ଟ୍ରଷ୍ଟି ରାଜ କୁମାର ସୂତାରଙ୍କ ସଭାପତିତ୍ୱରେ ଗୁରୁବାର ବିଶେଷ ଉତ୍ସବ ‘ରୂପାନ୍ତର’ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଜେନା ଏଚ୍‌ପିଡିଟିର ଏଭଳି ନିସ୍ୱାର୍ଥପର ସେବାକୁ ଭୂୟସୀ ପ୍ରଶଂସା କରିବା ସହ ରାଜ୍ୟର ବିଭିନ୍ନ ସ୍କୁଲ ଏବଂ ହଷ୍ଟେଲ, ଅନାଥାଶ୍ରମ, ବସ୍ତି ଅଞ୍ଚଳରେ ଏଭଳି ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ଏନେଇ ବ୍ୟକ୍ତିଗତସ୍ତରରେ ଏବଂ ସରକାରୀସ୍ତରରେ ସବୁ ପ୍ରକାରର ସହଯୋଗ ପାଇଁ ସେ ଦେଇଥିଲେ ପ୍ରତିଶ୍ରୁତି । ସମ୍ମାନିତ ଅତିଥି ମନ୍ତ୍ରୀ ଶ୍ରୀ ପନ୍ଦା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ । ଲୋକସେବକ ମନ୍ଦଳର ସଂପାଦକ ଶ୍ରୀ ରଥ ଏବଂ ପ୍ରମେୟର ସଂପାଦକ ଶ୍ରୀ ମହାପାତ୍ର ଏଚ୍‌ପିଡିଟିର ଏହି ‘ରୂପାନ୍ତର’ ଉଦ୍ୟମକୁ ପ୍ରଶଂସା କରିବା ସହ ବ୍ୟକ୍ତିତ୍ୱ ବିକାଶ ଦ୍ୱାରା ଛାତ୍ରଛାତ୍ରୀ ସେମାନଙ୍କ ଲକ୍ଷ୍ୟସ୍ଥଳରେ ସହଜରେ ପହଞ୍ଚିପାରିବେ ବୋଲି ମତ ଦେଇଥିଲେ । ଏହି ଅବସରରେ ତାଲିମ ପ୍ରଦାନ କରୁଥିବା ପ୍ରଶିକ୍ଷକ, ପ୍ରଶିକ୍ଷିକା, ସହଯୋଗ କରୁଥିବା ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଅନୁଷ୍ଠାନର ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏଚ୍‌ପିଡିଟି ପକ୍ଷରୁ ଅଦ୍ୟାବଧି ଭୁବନେଶ୍ୱର, ଦାମନଯୋଡି, ରାଜନଗର ଠାରେ ୨୩ଟି ବ୍ୟାଚ୍‌ରେ ୩୬୨ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଇଥିଲାବେଳେ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଜିଲ୍ଲାରେ କରିବାର ଯୋଜନା ରଖାଯାଇଛି । ଉତ୍ସବ ଶେଷରେ ଟ୍ରଷ୍ଟି ସୁଶ୍ରୀ କୀର୍ତ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*