ଉଷ୍ମ ରହିବ ସଂସଦର ଶୀତକାଳୀନ ଅଧିବେଶନ ନାଗରିକତ୍ୱ ସଂଶୋଧନ ବିଲ୍‌ ଆଣିବେ ସରକାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଦେଶର ରାଜଧାନୀରେ ଶୀତ ପଡ଼ିବା ଆରମ୍ଭ ହୋଇଥିଲା ବେଳେ ଅଧିବେଶନ କିନ୍ତୁ ଖୁବ୍‌ ଉସ୍ମ ରହିବାର ସମସ୍ତ ସଙ୍କେତ ମିଳି ସାରିଲାଣି । ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ ସାଙ୍ଗକୁ ବେକାରୀ ସଂଖ୍ୟା ବୃଦ୍ଧି ଏବଂ ଆର୍ଥିକ ମାନ୍ଦାବସ୍ଥା ବିରୋଧୀମାନଙ୍କ ଲାଗି ସରକାରଙ୍କୁ ଘେରିବାର ବଡ଼ ଅସ୍ତ୍ର ହେବାକୁ ଯାଉଛି । ସରକାର ମଧ୍ୟ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ କାରଣ ଏହି ଅଧିବେଶନରେ ନାଗରିକତ୍ୱ ବିଲ୍‌ ଆଣିବାର ଯୋଜନା ରହିଛି । ଲଗାତାର ୨ ଦିନ ମଧ୍ୟରେ ୨ ଥର ସର୍ବଦଳୀୟ ବୈଠକ ହୋଇଥିଲେ ମଧ୍ୟ ଶାସନ ପକ୍ଷ ଓ ବିପକ୍ଷ ମଧ୍ୟରେ ଏକାଧିକ ବିଷୟକୁ ନେଇ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହେବ । ୨ଟି ମହତ୍ୱପୂର୍ଣ୍ଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସରକାର ଏହି ଅଧିବେଶନ ବେଳେ ଚେଷ୍ଟା କରିବେ । ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ଶାସନ କାଳର ଏହା ଦ୍ୱିତୀୟ ସଂସଦୀୟ ଅଧିବେଶନ ହେବାକୁ ଯାଉଛି । ମୋଦୀ ସରକାରର ଦ୍ୱିତୀୟ ପାଳି ଶାସନର ପ୍ରଥମ ଅଧିବେଶନ ଅତ୍ୟନ୍ତ ଫଳପ୍ରଦ ରହିଥିଲା । ସଂଖ୍ୟାଧିକ ବିଧେୟକ ସଂସଦରେ ମଞ୍ଜୁରି ପାଇଥିଲା । ସୋମବାରରୁ ଆରମ୍ଭ ହୋଇଥିବା ଅଧିବେଶନରେ କେନ୍ଦ୍ର ସରକାର ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଲ ଆଗତ କରିବାକୁ ଯାଉଛନ୍ତି । ପଡୋଶୀ ଦେଶମାନଙ୍କରୁ ଶରଣାର୍ଥୀ ଭାବେ ଆସିଥିବା ଅଣ ମୁସଲମାନମାନଙ୍କୁ ନାଗରିକତ୍ୱ ପ୍ରଦାନର ବ୍ୟବସ୍ଥା ଏଥିରେ ରହିଛି । କାର୍ଯ୍ୟକ୍ରମ ସୂଚୀରେ ଏହି ବିଲ ଉଲ୍ଲେଖ କରି ସାରିଛନ୍ତି କେନ୍ଦ୍ର ସରକାର । ମୋଦୀ ସରକାରର ପ୍ରଥମ ପାଳିରେ ଏହି ବିଲ ଆଗତ ହୋଇଥିଲେ ମଧ୍ୟ ଏହାକୁ ପାରିତ କରାଯାଇ ପାରି ନଥିଲା । ଧାର୍ମିକ ବିରୋଧର ସାମ୍ନା କରି ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଶରଣାର୍ଥୀ ଭାବରେ ଭାରତକୁ ଚାଲି ଆସିଥିବା ପାର୍ସି, ବୌଦ୍ଧ, ଶିଖ୍‌, ହିନ୍ଦୁ, ଜୈନ୍‌ ଏବଂ ଖ୍ରୀଷ୍ଟିଆନ୍‌ ମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନର ବ୍ୟବସ୍ଥା ଏହି ବିଲରେ ରହିଛି । ଆସାମ ଓ ଉତ୍ତରପୂର୍ବ ରାଜ୍ୟ ଗୁଡ଼ିକରେ ଏହି ବିଲର ବଡ଼ ବିରୋଧ କରାଯାଉଛି । ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଅଣ ମୁସଲମାନ ମାନେ ଭାରତ ଆସିଥିବା ଅବସ୍ଥାରେ ତାଙ୍କୁ ନାଗରିକତ୍ୱ ମିଳିବ । ଆସାମ ଚୁକ୍ତି ନାମାରେ ଡେଡ୍‌ଲାଇନ୍‌ ୧୯୭୧ ଧରାଯାଇଥିଲା । ଶନିବାର ଦିନ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ରବିବାର ଦିନ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ସୁରୁଖୁରୁରେ ଶୀତ ଅଧିବେଶନ ଚଳାଇବା ପାଇଁ ଯୋଗଦାନ ଦେବାକୁ ବିରୋଧୀ ଦଳ ରାଜି ହୋଇଥିଲେ ମଧ୍ୟ ସରକାରଙ୍କ ପାଖରୁ ବହୁ ବିଷୟରେ ସେମାନେ ଉତ୍ତର ପାଇଁ ଦାବି ରଖିବେ ବୋଲି କହି ସାରିଛନ୍ତି । ଏହି ଶୀତ ଅଧିବେଶନ ବେଳେ ନଭେମ୍ବର ୨୬ ତାରିଖରେ ୨ ଗୃହର ଏକ ମିଳିତ ଅଧିବେଶନ ସମ୍ବିଧାନ ଦିବସ ଅବସରରେ ବସିବାର ରହିଛି । ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ । ସମସ୍ତ ବିଷୟ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତିି ବୋଲି ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ନେତାମାନଙ୍କୁ ବିଶ୍ୱାସ ଦେଇଛନ୍ତି । ଏହି ବୈଠକରେ ବହୁ ବିରୋଧୀ ନେତା ଫାରୁକ୍‌ ଅବଦୁଲାଙ୍କ ଗୃହବନ୍ଦୀ ବିଷୟ ଉଠାଇବା ସହ ତାଙ୍କୁ ଲୋକସଭା ଅଧିବେଶନରେ ଭାଗ ନେବାକୁ ଅନୁମତି ଦେବା ପାଇଁ ଦାବି କରିଥିଲେ । ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଆର୍ଥିକ ମାନ୍ଦାବସ୍ତା ଠାରୁ ନେଇ କୃଷକଙ୍କ ପୀଡ଼ା ବାବଦ ସବୁ ବିଷୟ ଉପରେ ଆଲୋଚନା ହେବା ଦରକାର ବୋଲି କହିଛନ୍ତି । ରବିବାରର ବୈଠକରେ ୨୭ଟି ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ସର୍ବଦଳୀୟ ବୈଠକରେ ଫାରୁକଙ୍କ ଅଟକ ବିଷୟ କଂଗ୍ରେସ ନେତା ଗୁଲମ ନବି ଆଜାଦ୍‌ ଏବଂ ଏନ୍‌ସି ନେତା ମସୁଦି ଉଠାଇବା ସହ ସାମ୍ବିଧାନିକ ନିୟମ ଅନୁସାରେ ତାଙ୍କୁ ସଂସଦର ଅଧିବେଶନରେ ଭାଗ ନେବାକୁ ଅନୁମତି ମିଳିବା ଉଚିତ ବୋଲି କହିଥିଲେ । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ତୃଣମୂଳ ନେତା ଡେରେକ୍‌ ଓବ୍ରାୟାନ, ଲୋଜପା ନେତା ଚିରାଗ୍‌ ପାଶୱାନ୍‌, ସପା ନେତା ରାମଗୋପାଳ ଯାଦବ, ତେଲୁଗୁ ଦେଶମ ନେତା ଜୟଦେବ ଗାଲା, ବିଜଦ ସାଂସଦ ପିନାକୀ ମିଶ୍ର ଆଦି ଉପସ୍ଥିତ ଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ ଏହି ସର୍ବଦଳୀୟ ବୈଠକରେ ସମନ୍ୱୟ ରକ୍ଷା କରିଥିଲେ । ଅଧିବେଶନ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାର ଅଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*