ଉପା ସରକାରଙ୍କ ବେଳେ ଆନ୍ଧ୍ର ପାଇଁ ନୂଆ ରେଳ ଜୋନ୍‌ ଗଠନ ଆଇନ୍‌ରେ ଥିଲା କି ନାହିଁ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

ଆନ୍ଧ୍ର ବିଭାଜନ ବିଲ୍‌ ଲୋକସଭାରେ ଏବଂ ରାଜ୍ୟସଭାରେ ବିସ୍ତୃତ ଭାବେ ଆଲୋଚିତ ହୋଇଥିଲା । ସେତେବେଳେ କେନ୍ଦ୍ରରେ ଥିଲା ଉପା ସରକାର । ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ । ଏବେ ବିଜୁ ଜନତା ଦଳର ଯେଉଁମାନେ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସେତେବେଳେ ମଧ୍ୟ ସଂସଦରେ ଥିଲେ । ନିର୍ବାଚନ ପୂର୍ବରୁ ଆନ୍ଧ୍ର ପୁନର୍ଗଠନ ଆଇନ ଭାରତ ସରକାରଙ୍କ ଗେଜେଟ୍‌ରେ ସ୍ଥାନ ପାଇସାରିଥିଲା । ଏହି ଆଇନ୍‌ରେ ଉଲ୍ଲେଖ ଥିଲା ଯେ ଭାରତୀୟ ରେଳବାଇ ଆନ୍ଧ୍ରପ୍ରଦେଶ ସକାଶେ ସ୍ୱତନ୍ତ୍ର ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବେ । ଏହି ଆଲୋଚନା ସମୟରେ ୱାଲ୍‌ଟିୟର ଡିଭିଜନ କଥା ମଧ୍ୟ ଉଠିଥିଲା । ତେଲଙ୍ଗାନା ଅଲଗା ହୋଇଯିବା ପରେ ଆନ୍ଧ୍ରପ୍ରଦେଶରେ ଆଉ କୌଣସି ଡିଭିଜନ ନରହିବା କାରଣରୁ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଆଇନ୍‌ରେ ବ୍ୟବସ୍ଥା ଥିଲା । ଆଶ୍ଚର୍ଯ୍ୟର କଥା ଏହି ସମୟରେ ବିଜଦ ସାଂସଦମାନେ ଏଥିରେ ଆପତ୍ତି ଉଠାଇ ନଥିଲେ କିମ୍ବା ଏହାକୁ ବିରୋଧ କରିନଥିଲେ । ଏହି ଆଇନ୍‌ ପାଳନ କରିବାକୁ ଯାଇ ଆନ୍ଧ୍ରପ୍ରଦେଶ ସକାଶେ ୱାଲ୍‌ଟିୟର ଡିଭିଜନକୁ ପୂର୍ବତଟ ରେଳବାଇରୁ ବାହାର କରି ନିଆଯାଇ ଓଡ଼ିଶା ସକାଶେ ରାୟଗଡ଼ା ଡିଭିଜନ କରିବା ସକାଶେ ନିଷ୍ପତ୍ତି ନିଆଯାଇଛି । ୱାଲ୍‌ଟିୟର ଡିଭିଜନକୁ ମିଶାଇ ଆନ୍ଧ୍ରପ୍ରଦେଶ ପାଇଁ ସାଉଥ୍‌ କୋଷ୍ଟ ଜୋନ୍‌ କରିଛନ୍ତି ସରକାର ।
କିନ୍ତୁ ଏବେ ଏହା ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି । ବିଜଦ ମୁଖପାତ୍ର ଯୁକ୍ତି କରୁଛନ୍ତି ଯେ ପାର୍ଲାମେଣ୍ଟରେ ସାଉଥ୍‌ କୋଷ୍ଟ ରେଳ ଜୋନ୍‌ କଥା ଆଲୋଚିତ ହୋଇନାହିଁ । କିନ୍ତୁ ଆନ୍ଧ୍ର ପୁନର୍ଗଠନ ଆଇନ୍‌ରେ ନୂଆ ରେଳବାଇ ଜୋନ୍‌ କଥା ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି । ସେତେବେଳେ ରାଜ୍ୟସଭାରେ କଂଗ୍ରେସ ଏବଂ ତେଲୁଗୁଦେଶମ୍‌ ସଦସ୍ୟମାନେ ୱାଲ୍‌ଟିୟର ଡିଭିଜନକୁ ଆନ୍ଧ୍ରପ୍ରଦେଶ ପାଇଁ ହେବାକୁ ଥିôବା ଜୋନ୍‌ରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଥିଲେ ।
ବିଜଦ ୱାଲ୍‌ଟିୟର ଡିଭିଜନ ବାହାରି ଯିବାକୁ ବିରୋଧ କରି କେନ୍ଦ୍ର ସରକାର ଓଡ଼ିଶା ବିରୋଧୀ ବୋଲି ଦର୍ଶାଉଛି । କିନ୍ତୁ ରାୟଗଡ଼ା ଡିଭିଜନ ଗଠନକୁ ଏପର୍ଯ୍ୟନ୍ତ ସ୍ୱାଗତ କରିନାହିଁ । ଅଥଚ ରାୟଗଡ଼ାରେ ଏହି ଡିଭିଜନକୁ ନେଇ ବିଜଦ ଭିତରେ ପ୍ରବଳ ମତପାର୍ଥକ୍ୟ ରହିଛି । ଓଡ଼ିଶା ଗସ୍ତରେ ଆସିଥିବା ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ସ୍ପଷ୍ଟ କରିଦେଇଛନ୍ତି ଯେ ଓଡ଼ିଶାର ଇଞ୍ଚେ ରେଳପଥ ସାଉଥ୍‌ କୋଷ୍ଟ ରେଳବାଇକୁ ଯାଉନାହିଁ ।
ଓଡ଼ିଶା ଭିତରେ ଥିବା ରାଣୀତାଲରୁ ଜଳେଶ୍ୱର ପର୍ଯ୍ୟନ୍ତ ରେଳପଥ ଦକ୍ଷିଣ-ପୂର୍ବ ରେଳ ଜୋନ୍‌ରେ ରହିଛି । କିନ୍ତୁ ଏହାକୁ ପୂର୍ବତଟ ରେଳବାଇ ଅଧୀନକୁ ଆଣିବା ପାଇଁ ଶାସକ ଦଳ ପକ୍ଷରୁ ସଂସଦରେ ସରକାରଙ୍କ ଉପରେ ଚାପ ପକାଯାଇ ନାହିଁ ।
ଏହି ବିବାଦ ଲାଗି ରହିଥିବା ବେଳେ ଆଜି ବିଜଦ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଛି । ଏହାର ଜବାବ ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ୨୦୧୪ରେ ରେଲୱେ ଜୋନ୍‌ ୱାଲ୍‌ଟିୟରରେ ହେବା ପ୍ରସଙ୍ଗରେ ବିଜଦ ସାଂସଦମାନେ ଚୁପ୍‌ ରହି ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ରାୟଗଡ଼ା ରେଳ ଡିଭିଜନକୁ ବିଜଦ କାହିଁକି ବିରୋଧ କରୁଛି ବୋଲି ପ୍ରଶ୍ନ କରିବା ସହ ରେଳ ପ୍ରକଳ୍ପରେ ଖୋର୍ଦ୍ଧା-ବଲାଙ୍ଗୀର ପାଇଁ ଜମି ମିଳିନାହିଁ ଏବଂ ହରିଦାସପୁର-ପାରାଦୀପରେ ଆଇନ୍‌ ଶୃଙ୍ଖଳା କିଏ ତିଆରି କରୁଛି ବୋଲି କହିଛନ୍ତି । ବିଜଦ ଏପଟ ସେପଟ ପଇଁତରା କରିବାରେ ଧୁରନ୍ଧର ବୋଲି ବ୍ୟଙ୍ଗ କରିଛନ୍ତି ଧର୍ମେନ୍ଦ୍ର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*