ଉପନିର୍ବାଚନରେ ପ୍ରସଙ୍ଗ-୧ ବିଜେପୁରରେ ଉଠିବ ଗଙ୍ଗାଧର ମେହେର

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଆସନ୍ତା ୨୧ ତାରିଖ ଦିନ ବିଜେପୁରରେ ଉପନିର୍ବାଚନ ହେବ । ହାତରେ ଆଉ ମାତ୍ର ଦୁଇ ସପ୍ତାହ । ସେମିତି ଦେଖିଲେ ୧୪ଦିନରେ ସରିଯିବ ପ୍ରଚାର । ପୂଜା ପାଇଁ ସାମାନ୍ୟ ମାନ୍ଦା ଅଛି ପ୍ରଚାର । ତେବେ ୯ ତାରିଖରୁ ଜୋରଦାର ପ୍ରଚାର ଛାଇଯିବ ବିଜେପୁର ସାରା । ଏଥର ନିର୍ବାଚନରେ ପ୍ରସଙ୍ଗ ଅଛି ପ୍ରବଳ ବିରୋଧୀ ଦଳ ହାତରେ । ଶାସକ ଦଳ ଦୁର୍ଗ ରକ୍ଷା କରିବାକୁ ସବୁ ବଳ ଖଟେଇବ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ଯେଉଁ କେତୋଟି ପ୍ରସଙ୍ଗ ବିଜଦ ନେତାଙ୍କ ମୁନ୍ଦବ୍ୟଥା ବଢ଼ାଇବ, ସେଥିମଧ୍ୟରୁ ଗୋଟିଏ ହେଉଛି ଗଙ୍ଗାଧର ମେହେର ଉଠା କେନାଲ ଯୋଜନା । ଗୋଟିଏ ଉପନିର୍ବାଚନ ଯାଇ ଦ୍ୱିତୀୟ ଉପନିର୍ବାଚନ ମୁଣ୍ଡ  ଉପରେ । କିନ୍ତୁ ଏହି ବହୁ ପ୍ରଚାରିତ କେନାଲ ଯୋଜନାଟି ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିଲା ନାହିଁ । ଏହି ପ୍ରଶ୍ନ ଉଠିବ ନିର୍ବାଚନ ପ୍ରଚାର କାଳରେ ।
ଏଥର ନିର୍ବାଚନରେ ତିନି ଦଳର ପ୍ରାର୍ଥୀ ହେଲେ ରୀତା ସାହୁ (ବିଜଦ), ସନତ ଗଡ଼ତିଆ (ଭାଜପା) ଏବଂ ଦିଲୀପ ପଣ୍ଡା  (କଂଗ୍ରେସ) । ସନତ ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଥିଲେ । ୫୩ହଜାରରୁ ଅଧିକ ଭୋଟ୍‌ ପାଇଥିଲେ । ରୀତା ସାହୁ ୨୦୧୮ ଉପନିର୍ବାଚନ ବିଜଦ ପ୍ରାର୍ଥୀ ଥିଲେ କିନ୍ତୁ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକଟ ମିଳିନଥିଲା । ଦିଲୀପ ସମ୍ପୂର୍ଣ୍ଣ ନୂଆ ।
ଗତ ବିଧାନସଭା ନିର୍ବାଚନରେ ବିଜଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା । ସେ ୧ଲକ୍ଷ ୧୦ହଜାରରୁ ଅଧିକ ଭୋଟ୍‌ ପାଇଥିଲେ । କିନ୍ତୁ ହିଞ୍ଜିଳି ରଖି ବିଜେପୁରକୁ ଛାଡ଼ିଦେବା କାରଣରୁ ଉପନିର୍ବାଚନର ଆବଶ୍ୟକତା ପଡ଼ିଲା । ଏହା ଏକ ବିରାଟ ପ୍ରଶ୍ନଚିହ୍ନ ଆଙ୍କିଦେଇଛି ଲୋକଙ୍କ ଭିତରେ । ଭାଜପା ମଧ୍ୟ ଆରମ୍ଭରୁ ଏହି ପ୍ରଶ୍ନ ଉଠାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସିଥିଲେ କାହିଁକି ଓ ଛାଡ଼ିଲେ କାହିଁକି ବୋଲି ଲୋକଙ୍କ ଭିତରେ ମଧ୍ୟ ପ୍ରଶ୍ନ ଘୂରିବୁଲୁଛି । କାହିଁକି ଆଉ ଏକ ଉପନିର୍ବାଚନ ଲୋକଙ୍କ ମୁଣ୍ଡରେ ଲଦି ଦିଆଗଲା ବୋଲି ପ୍ରଶ୍ନର ଜବାବ ଦେବାକୁ ପଡ଼ିବ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳକୁ । ଏହାଛଡ଼ା ଯେଉଁ ଟଙ୍କା ବୋଝ ଉପନିର୍ବାଚନ କାରଣରୁ ଦେଶ ଉପରେ ଲଦିଦିଆଗଲା, ତାହାର ଜବାବ ଦେବ କିଏ?
କିନ୍ତୁ ବିକାଶ ପ୍ରସଙ୍ଗ ଉପରେ ବିଜୁ ଜନତା ଦଳକୁ ଘେରିବା ଲାଗି ବିରୋଧୀ ହାତରେ ପର୍ଯ୍ୟାପ୍ତ ସୁଯୋଗ ଅଛି । ୨୦୧୮ ଉପନିର୍ବାଚନକୁ ଆଖିରେ ରଖି ୨୦୧୭ ଅକ୍ଟୋବରରେ ନବୀନ କ୍ୟାବିନେଟ୍‌ ଗଙ୍ଗାଧର ମେହେର ଉଠା କେନାଲ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲା । ଏହାଦ୍ୱାରା ବିଜେପୁରର ପ୍ରାୟ ୨୬ହଜାର ହେକ୍ଟର ଜମିକୁ ସେଚ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସେତେବେଳେ ଘୋଷଣା କରିଥିଲେ । ଏଥିପାଇଁ ପ୍ରାୟ ୧୨୪୬ କୋଟି ଟଙ୍କା ଖର୍ଚ୍ଚର ବ୍ୟବସ୍ଥା ରଖାଯାଇଥିଲା ।୨୦୧୮ ଫେବୃଆରୀରେ ଉପନିର୍ବାଚନ ହେଲା ବିଜେପୁରରେ । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶୁଭ ମଧ୍ୟ ଦେଇଦେଲେ । ଏ ସଂକ୍ରାନ୍ତରେ ଏକ ଫଟୋ ମଧ୍ୟ ରାଜ୍ୟ ସରକାରଙ୍କ ୱେବ୍‌ସାଇଟ୍‌ରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଟୁଇଟରରେ ଛଡ଼ାଗଲା । ଲାଗିଲା ସତେ ଯେମିତି ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ବିଜେପୁର ଶସ୍ୟଶ୍ୟାମଳା ହୋଇଉଠିବ । ଗଙ୍ଗାଧର ମେହେର ବରପାଲିର ହୋଇଥିବାରୁ ଏହି ମହାନ ବରପୁତ୍ରଙ୍କ ନାମରେ ପ୍ରକଳ୍ପ ନାମିତ କରି ମେହେର କାର୍ଡ ଖେଳିଥିଲେ ମୁଖ୍ୟମନ୍ତ୍ରୀ । ୫ ବର୍ଷରେ ପ୍ରକଳ୍ପ କାର୍ଯ୍ୟ ସରିବ ବୋଲି ସରକାର ଘୋଷଣା କରିଥିଲେ ।
ଇତିମଧ୍ୟରେ ଦୁଇବର୍ଷ ହେବାକୁ ବସିଛି । କିନ୍ତୁ ପ୍ରକଳ୍ପ କାମ ଆରମ୍ଭ ହୋଇପାରିଲା ନାହିଁ । ସରକାର ଟେନ୍ଦର ଆହ୍ୱାନ କରିଛନ୍ତି । ଗତ ମାର୍ଚ୍ଚ ୨୩ ତାରିଖରେ ପ୍ରି-ଆପ୍ଳିକେସନ ମିଟିଂ ହୋଇଛି । ଏପ୍ରିଲ୍‌ ୩୦ ସୁଦ୍ଧା ଟେନ୍ଦର ଦାଖଲ ପାଇଁ ନିଷ୍ପତ୍ତି ହୋଇଛି । ଏହା ଭିତରେ ଆହୁରି ୫ ମାସ ସରିଗଲାଣି । କିନ୍ତୁ ଗଙ୍ଗାଧର ମେହେର ଉଠା କେନାଲ ପ୍ରକଳ୍ପ ଟେଣ୍ଡର ଚୂଡାନ୍ତ ହୋଇପାରିଲାନାହିଁ ।
କେବଳ ବିଜେପୁର ଉପନିର୍ବାଚନକୁ ଆଖିରେ ରଖି ୨୦୧୭ରେ ଭୋଟରଙ୍କ ଉଦେ୍ଦଶ୍ୟରେ ନବୀନ ପଟନାୟକ ମେହେର ବାଣ ମାରିଥିବା ଆଉ ଅବୁଝା ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଯେତେବେଳେ ନିଜେ ପ୍ରଚାରକୁ ଆସିବେ, ସେତେବେଳେ ଏହି ପ୍ରଶ୍ନ ନିଶ୍ଚୟ ଉଠିବ । ଏହାଛଡ଼ା ବିଜଦ ପ୍ରଚାରକମାନଙ୍କୁ ମଧ୍ୟ ଏହାର ଜବାବ ଦେବାକୁ ହେବ । ବଡ଼ ଅଡୁଆ ପ୍ରଶ୍ନ, ୨ ବର୍ଷ ବିତିଗଲା ପରେ ବି ଯଦି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ତେବେ ଯେଉଁ ୫-ଟି କଥା ସରକାର କହୁଛନ୍ତି, ତାହା ଯେ ଅସାର ଏଥିରେ ସନ୍ଦେହ କ’ଣ ଅଛି? ଏହି ୫-ଟି ଭିତରୁ ଅନ୍ୟତମ ଟି’ ହେଲା ଟାଇମ୍‌ । ଅର୍ଥାତ୍‌ ସମୟ ଭିତ୍ତିରେ କାର୍ଯ୍ୟ ସମ୍ପାଦନ । କିନ୍ତୁ ବହୁ ପ୍ରଚାରିତ ଗଙ୍ଗାଧର ମେହେର ଉଠା କେନାଲ ପ୍ରକଳ୍ପଟି ଯଦି ଆରମ୍ଭ ହୋଇପାରିଲା ନାହିଁ ତେବେ ଓଡ଼ିଶାରେ ସମୟକୁ କେତେ ସରକାର ଗୁରୁତ୍ୱ ଦେଉଛନ୍ତି ତାହା ବୁଝାପଡିଯାଉଛି ।
ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ି ଭୋଟରଙ୍କୁ ଏକପ୍ରକାର ଧୋକା ଦେଇଛନ୍ତି । ଏବେ ପୁଣି ରୀତା ସାହୁ ଦଳୀୟ ପ୍ରାର୍ଥୀ । ରୀତାଙ୍କ ପାଇଁ ଗଙ୍ଗାଧର ମେହେର ଅଡୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି ବୋଲି ଯାହା ଚର୍ଚ୍ଚା ହେଉଛି, ତାହାକୁ ନିରାଧାର ବୋଲି କୁହାଯାଇପାରିବ ନାହିଁ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*