ଉଦ୍ଧବଙ୍କୁ ଘେରିଲେ ଶାହା କହିଲେ ୫୦-୫୦ ଫର୍ମୁଲା ସେନାର ନୂଆ ଡିମାଣ୍ଡ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ଅନିଶ୍ଚିତତା ଏବଂ ଭାଜପା ଓ ଶିବସେନା ମଧ୍ୟରେ ନିର୍ବାଚନ ପରେ ସୃଷ୍ଟି ହୋଇଥିବା ଟଣାଓଟରା ବାବଦରେ ଶେଷରେ ମୁହଁ ଖୋଲିଛନ୍ତି ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ଶିବସେନା ୫୦-୫୦ ଫର୍ମୁଲାର କଥା କହିଆସୁଥିଲା । ଭାଜପା ଓ ଶିବସେନା ଅଢ଼େଇ ଅଢ଼େଇ ବର୍ଷ ଶାସନ କରିବା ପାଇଁ ଦାବି କରିଥିଲା ସେନା । ତା’ସହ ନିଜ ଭାଗର ଅଢ଼େଇ ବର୍ଷରେ ଆଦିତ୍ୟ ଥାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ କରିବାର କଥା ମଧ୍ୟ ସେନା ନିଜ ଦାବି ମଧ୍ୟରେ ସାମିଲ କରିଥିଲା ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ପୂରା ଘଟଣାକ୍ରମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଗରୁ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଉଦ୍ଧବ ୫୦-୫୦ ଫର୍ମୁଲା ଶାହାଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଥିବାର କଥା କହିଥିଲେ ମଧ୍ୟ ବୁଧବାର ପୂର୍ବ ପର୍ଯ୍ୟନ୍ତ ଶାହା ଏ ବାବଦରେ ମୁହଁ ଖୋଲିନଥିଲେ । ହେଲେ ଏବେ ରାଷ୍ଟ୍ରପତି ଶାସନ ଜାରି ହେବାର ଦିନକ ପରେ ନିଜ ପ୍ରଥମ ପ୍ରତିକ୍ରିୟା ଶାହା ଦେଇଛନ୍ତି । ନିଜ ନିରବତା ଭଙ୍ଗ କରି ମହାରାଷ୍ଟ୍ର ଘଟଣାକ୍ରମ ଉପରେ ବୁଧବାର ଶାହା କହିଛନ୍ତି ମୁଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ସଭାଗୁଡ଼ିକରେ ଅନେକବାର ଭାଜପା-ଶିବସେନା ମେଣ୍ଟ କ୍ଷମତାକୁ ଫେରିଲେ ଦେବେନ୍ଦ୍ର ଫଡ୍‌ନାଭିସ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲେ ମଧ୍ୟ ଏହାକୁ କେହି ବିରୋଧ କରିନଥିଲେ । ଏକ ଖବର ସଂଗ୍ରହ ସଂସ୍ଥାକୁ ମହାରାଷ୍ଟ୍ରରେ ମେଣ୍ଟ ଭାଙ୍ଗିବାର କାରଣ ବାବଦ ପ୍ରଶ୍ନର ଉତ୍ତର ଦେଇ ଶାହା କହିଛନ୍ତି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଁ ଅନେକବାର ଖୋଲାରେ କହିଥିଲୁ ଯେ ମେଣ୍ଟ ବିଜୟୀ ହେଲେ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ହେବେ ବୋଲି । ସେତେବେଳେ କେହି ଆମପାଖକୁ ଆସି ବିରୋଧ କରିନଥିଲେ । ହେଲେ ବର୍ତ୍ତମାନ ସେମାନେ ନୂଆ ଡିମାନ୍ଦ ନେଇ ଆସିଥିଲେ । ଯାହା ଆମ ପାଇଁ ଗ୍ରହଣୀୟ ହୋଇନାହିଁ । ଅର୍ଥାତ୍‌ ଅମିତ ଶାହା ଶିବସେନାର ୫୦-୫୦ ଫର୍ମୁଲାକୁ ନିର୍ବାଚନ ଫଳାଫଳ ଘୋଷଣା ପରର ଡିମାନ୍ଦ ଭାବେ ବତାଇଛନ୍ତି । ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶାହା କହିଥିଲେ ଯେ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ୧୮ଦିନର ସମୟ ଦିଆଯାଇଥିଲା । ଅନ୍ୟ କୌଣସି ରାଜ୍ୟରେ ଏତେଦିନ ଦିଆଯାଇ ନାହିଁ । ଶିବସେନା କିମ୍ବା କଂଗ୍ରେସ-ରାକପା ମେଣ୍ଟ ସରକାର ଗଠନର ଦାବି କରିନାହାନ୍ତି । ଆମେ ମଧ୍ୟ ସେହି ଦାବି କରିନାହୁଁ । ଯଦି କୌଣସି ଦଳ ପାଖେ ଏବେ ସଂଖ୍ୟା ରହିଛି ତା’ହେଲେ ସେମାନେ ରାଜ୍ୟପାଳଙ୍କ ପାଖକୁ ଯିବା ଉଚିତ୍‌ ବୋଲି କହିଥିଲେ ଅମିତ ଶାହା ।
ଆସିଲାନି ସମର୍ଥନପତ୍ର
ବୁଧବାର ମଧ୍ୟ ଶିବସେନାକୁ ସରକାର ଗଠନ ବାବଦରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି କିମ୍ବା କଂଗ୍ରେସ ପକ୍ଷରୁ ସମର୍ଥନପତ୍ର ପ୍ରଦାନ କରାଯାଇନାହିଁ । ଏପରିକି ତିନି ଦଳର ଏକାଠି ବୈଠକ ମଧ୍ୟ ହୋଇପାରି ନାହିଁ । ସେପଟେ ଶିବସେନା ସଭାପତି ଉଦ୍ଧବ ଥାକ୍‌ରେ ମହାରାଷ୍ଟ୍ରର କଂଗ୍ରେସ ନେତାମାନଙ୍କ ସହ ବୁଧବାର ଦିନ ସାକ୍ଷାତ କରିଛନ୍ତି । ସରକାର ଗଠନ ଦିଗରେ ଆମ କଥାବାର୍ତ୍ତା ଠିକଣା ବାଟରେ ରହିଛି । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନିଆଯିବ ବୋଲି ଉଦ୍ଧବ କହିଥିଲା ବେଳେ ତାଙ୍କ ସାକ୍ଷାତକୁ କିନ୍ତୁ ହାଲୁକା ଭାବେ ଦର୍ଶାଇଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲା ସାହେବ ଥୋରାଟ । ଉଦ୍ଧବଙ୍କ ସହ କଂଗ୍ରେସ ନେତାମାନଙ୍କର ବୈଠକକୁ ସେ ସୌଜନ୍ୟମୂଳକ ବୋଲି କେବଳ କହିଛନ୍ତି । ଉଦ୍ଧବ ମୁମ୍ବାଇର ଏକ ହୋଟେଲରେ ଥୋରୋଟଙ୍କ ବ୍ୟତୀତ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ ଏବଂ ବରିଷ୍ଠ କଂଗ୍ରେସ ନେତା ମାନିକ ରାଓ ଥାକ୍‌ରେଙ୍କୁ ସାକ୍ଷାତ କରିଥିଲେ । ସେହି ହୋଟେଲରୁ ବାହାରିବା ପରେ ଉଦ୍ଧବ ସାମ୍ବାଦିକମାନଙ୍କୁ କହିଥିଲେ ସବୁକିଛି ଠିକ୍‌ ଭାବରେ ଚାଲିଛି । ହେଲେ ପରେ ବୈଠକ ବାବଦରେ ଥୋରାଟ ସାମ୍ବାଦିକମାନଙ୍କୁ କହିଥିଲେ ଆମମାନଙ୍କର ଉଦ୍ଧବଙ୍କ ସହ ସାକ୍ଷାତ ଆଲୋଚନା ଏକ ସୌଜନ୍ୟମୂଳକ କଥା । ତେବେ ଆମେ ସାକ୍ଷାତ କରିବା ଏକ ସକରାତ୍ମକ ଘଟଣା ବୋଲି ସେ ଦର୍ଶାଇଥିଲେ ।
କଂଗ୍ରେସ-ରାକପା ବୈଠକ ଘୁଞ୍ଚିଲା
ଶିବସେନା ସହ ସରକାର ଗଠନ ବାବଦରେ ଆନୁଷ୍ଠାନିକ ଆଲୋଚନା ପୂର୍ବରୁ ପ୍ରାକ୍‌ ନିର୍ବାଚନୀ ମେଣ୍ଟ କରିଥିବା କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନିଷ୍ପତ୍ତି ନେବାର କଥା କହିସାରିଛନ୍ତି । ବିଶେଷ କରି ସର୍ବନିମ୍ନ କାର୍ଯ୍ୟକ୍ରମ ଆଗ ଫାଇନାଲ ହେଲା ପରେ ସରକାର ଗଠନର କଥା ଚିନ୍ତା କରାଯିବ ବୋଲି ବୟାନ ଆସିସାରିଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସର୍ବନିମ୍ନ କାର୍ଯ୍ୟକ୍ରମ ସ୍ଥିର କରିବା ଲାଗି କଂଗ୍ରେସ ସହ ଆଲୋଚନା କରିବାକୁ ନିଜ ଦଳର ଏକ କମିଟି ଗଠନ କରିସାରିଛି । ତେବେ ସର୍ବନିମ୍ନ କାର୍ଯ୍ୟକ୍ରମ ସ୍ଥିର କରିବା ଲାଗି ବସିବାକୁ ଥିବା ବୈଠକ ଘୁଞ୍ଚାଇ ଦିଆଯାଇଛି ।
ବୁଧବାର ଦିନ ସନ୍ଧ୍ୟାରେ କଂଗ୍ରେସ ଓ ରାକପା ମଧ୍ୟରେ ବୈଠକ ହୋଇଥା’ନ୍ତା । ତେବେ କଂଗ୍ରେସର ବରିଷ୍ଠ ନେତା ମାନିକରାଓ ଥାକ୍‌ରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମିଳିତ ବୈଠକ ଘୁଞ୍ଚାଇ ଦିଆଯାଇଛି । କାରଣ ଏହି ବୈଠକରେ ସାମିଲ ହେବାକୁ ଥିବା ଦୁଇ ଦଳର ପ୍ରତିନିଧିମାନେ ସର୍ବନିମ୍ନ କାର୍ଯ୍ୟକ୍ରମ ବାବଦରେ ନିଜ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରୁଛନ୍ତି । ଗୁରୁବାର ଦିନ ସକାଳେ ନହେଲେ ଅପରାହ୍ଣରେ ଏହି ବୈଠକ ବସିବ ବୋଲି ସେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*