ଇଲେକସନ୍‌ ଉପରେ ଆଖି, ସେଥିଲାଗି ପୁଣି ହକି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

୨୪ରେ ଇଲେକସନ୍‌ । ୨୩ରେ ପୁଣି ହବ ବିଶ୍ୱକପ୍‌ ହକି । ମଝିରେ ଅବଶ୍ୟ ପ୍ରାୟ ବର୍ଷେ ବ୍ୟବଧାନ । କିନ୍ତୁ ହକି ନାଁରେ ବର୍ଷେ ଆଗରୁ ସଂକୀର୍ତ୍ତନ ଆରମ୍ଭ କରିବେ ସରକାର । ସଂକୀର୍ତ୍ତନ ପୁଣି ଇଲେକସନ୍‌ ଯାଏଁ ଚାଲିବ । ଏଥିରୁ ବାତ୍ରାଙ୍କର ଯେତିକି ଫାଇଦା ନ ହବ, ମୁଖିଆଙ୍କର କୁଆଡ଼େ ବେଶି ଫାଇଦା । ୨୦୧୮ରେ ହକି ବିଶ୍ୱକପ୍‌ ଆୟୋଜିତ ହେଇଥିଲା କଳିଙ୍ଗ ଷ୍ଟାଡିୟମରେ । କାନ୍ଥ-ବାଡ ରଙ୍ଗାରଙ୍ଗ ହେଇଗଲା । ଫୁଟ୍‌ପାଥରେ ନୂଆ ନାଲି ଓ ସବୁଜ ରଙ୍ଗ ବୋଳାଯାଇଥିଲା ଯେ, ଚାରିମାସରେ ବେରଙ୍ଗ ହେଇଯାଇଥିଲା । ମୁଖିଆ ଟି-ସାର୍ଟ ପିନ୍ଧିଲେ । ହକି ଷ୍ଟିକ୍‌ ଧରିଲେ । ଗୋଲପୋଷ୍ଟକୁ ଅବଶ୍ୟ ବଲ୍‌ ଠେଲିଦେଇ ପାରିଲେନି । କିନ୍ତୁ ଓଡ଼ିଆ ଭାରି ଖୁସି ହେଇଗଲା ।
ରାଜ୍ୟରେ ହକିର କି ଉନ୍ନତି ହେଇଚି ମା’ଗଙ୍ଗା ତାହା ଜାଣନ୍ତି । ଏଠାରୁ କିନ୍ତୁ ମହୁ ଝରୁଚି ବୋଲି ହକି ମୁଖିଆ ବାତ୍ରା ବାବୁ ଭଲ ଭାବେ ବୁଝିସାରିଚନ୍ତି । ଖଣି ମାଲ୍‌ କଥାଟା ନିଆରା । ଡ୍ରେସ୍‌ ପାଇଁ ୧୦୦କୋଟି । ପୁଣି ଆୟୋଜନ ଲାଗି ମହାସଂଘକୁ ପକେଟରୁ ଟଙ୍କାଟେ ବି ଖର୍ଚ୍ଚ କରିବାକୁ ପଡିଲାନି । ଏମିତି ରାଜ୍ୟ ସାରା ଦେଶରେ ମିଳିବ କି? ସେଥିଲାଗି ୨୩ରେ ପୁଣି ଏଇଠି ମନଲାଗିଚି ବାତ୍ରାଙ୍କର ।
୨୦୧୯ରେ ଶଙ୍ଖ ଦଳକୁ ଭାରି ସଫଳତା ମିଳିଲା । ହକିଟା ସେଇ କାରଣରୁ ମୁଖିଆଙ୍କ ଲାଗି ଶୁଭ । ସେଇ ଆଶାରେ ମୁଖିଆ ବି ରାଜି ହେଇଯାଇଚନ୍ତି ଓଡ଼ିଶାରେ ବିଶ୍ୱକପ୍‌ କରିବାକୁ । ପୁଣି ତାଙ୍କ ଛାତି ଧକ୍‌ଧକ୍‌ କରିବ ହକି ଲାଗି । ମୁଖିଆଙ୍କୁ ଦେଖି ଓଡ଼ିଆଙ୍କ ଛାତି ବି କରିବ ଧକ୍‌ଧକ୍‌ । ଏହି ଧକ୍‌ଧକ୍‌ ଚାଲିବ ଇଲେକସନ୍‌ ପର୍ଯ୍ୟନ୍ତ ।
ଗଲାଥର ଖାଲି କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍‌ ହେଇଥିଲା । ହେଲେ ହକିର ଏନ୍ତୁଡିଶାଳ ସୁନ୍ଦରଗଡ଼ରେ ତାହାର ପ୍ରଭାବ ପଡିଲା ନାହିଁ । ତିନି ତିନିଟା ଆସନ ଶଙ୍ଖ ହାତରୁ ଖସିଗଲା । ଏଥର କିନ୍ତୁ ରାଉରକେଲାରେ ବି ହବ । ଦେଖାଯାଉ ପୁଣି ହକି ମୁଖିଆଙ୍କ ସକାଶେ ଲକି ସାବ୍ୟସ୍ତ ହଉଚି କି ନାହିଁ । ହଉ କି ନ ହଉ ହକି ଲାଗି ଟଙ୍କା ଯେ ଉଡିବ, ବିଜ୍ଞାପନ ଯେ ଖବରକାଗଜରେ ଛାଇଯିବ, ସେ ଗ୍ୟାରେଣ୍ଟି ଆମେ ଏବେଠୁ ଦେଇ ଦଉଚୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*