ଆଲୋଚନାଚକ୍ର ‘ଟେଲିଭିଜନ ସାକ୍ଷାତକାର: ପ୍ରଶ୍ନ କରିବା ନକରିବା!’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ମଙ୍ଗଳବାର ସ୍ଥାନୀୟ ଇନଷ୍ଟିଚୁ୍ୟଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ୍ ଆନୁକୁଲ୍ୟରେ “ଟେଲିଭିଜନ ସାକ୍ଷାତକାର: ପ୍ରଶ୍ନ କରିବା ନକରିବା” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଟିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ସନ୍ଦିପ ମିଶ୍ର କହିଥିଲେ ଯେ ସବୁକ୍ଷେତ୍ରରେ ବୃତ୍ତିଗତ ସମସ୍ୟା ରହିଛି । ସାମ୍ବାଦିକତା କ୍ଷେତ୍ରରେ ଏହାର ମାତ୍ରା ଯଦିଓ ଅଧିକ, ସାମ୍ବାଦିକମାନେ ଏହାକୁ ଖାତିର ନକରି ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଉଚିତ୍ । ରାଜନୈତିକ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପକୁ ସାମ୍ନା କରି ସାକ୍ଷାତକାର ସମୟରେ ସତ୍ୟକୁ ସାମ୍ନାକୁ ଆଣିବା ଜଣେ ସାକ୍ଷାତକାରକର୍ତ୍ତର ମୁଖ୍ୟ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଆଜିର ଟେଲିଭିଜନ ରେଟିଙ୍ଗ୍ ପଏଂଟ୍ (ଟିଆରପି) ଦୌଡ଼ରେ ଆଗରେ ରହିବା ପାଇଁ କିଛି ଜାତୀୟ ଏବଂ ଆଂଚଳିକ ନୁ୍ୟଜ୍ ଚ୍ୟାନେଲ ଗୁଡ଼ିକ ନିଜର ମୂଳ ଉଦେ୍ଦଶ୍ୟରୁ ଦୂରେଇ ଯାଇ ଏହାକୁ ମନୋରଞ୍ଜନ-ଧର୍ମୀ କାର୍ଯ୍ୟକ୍ରମରେ ପରିଣତ କରିଦେଇଛନ୍ତି । ଏବେ ନୁ୍ୟଜ୍ ରୁମ୍ ଗୁଡ଼ିକ ୱାର ରୁମରେ ପରିଣତ ହେଉଥିବାବେଳେ ସାକ୍ଷାତକାରଦାତା ବଦଳରେ ସାକ୍ଷାତକାରକର୍ତ୍ତା ଅଧିକ ମତାମତ ଦେଉଥିବାର ଦେଖିବାକୁ ମିଳୁଛି । ଦୁର୍ଭାଗ୍ୟବଶତଃ, ଆମର ଦର୍ଶକ ଏହାକୁ ପସନ୍ଦ କରୁଛନ୍ତି, ଯାହା ଏକ ବିଡ଼ମ୍ବନା ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ ।
ଅନ୍ୟତମ ବକ୍ତା ଭାବେ ଯୋଗଦେଇ ‘ନନ୍ଦିଘୋଷ ଟିଭି’ ର ମୁଖ୍ୟ ଉପସ୍ଥାପିକା ଗାୟତ୍ରୀ ମହାନ୍ତି କହିଥିଲେ ଯେ ପ୍ରଶ୍ନ ପଚାରିବା ସମୟରେ ସାମ୍ବାଦିକର ସ୍ୱର ଉତ୍କ୍ଷିପ୍ତ ନହୋଇ ଶାଣିତ ହେବା ଦରକାର । ସାମ୍ବାଦିକର ଲକ୍ଷଣ ଅଳ୍ପ କହି ଅଧିକ ଆଦାୟ କରିବା । ପ୍ରଶ୍ନ ଯେତେ ଛୋଟ ହୋଇପାରିବ ତାହା ବୁଝିବା ପାଇଁ ସହଜ ହେବ । ଆଇନକାନୁନ ଓ ବାସ୍ତବିକ ପରିସ୍ଥିତିକୁ ଆଖିଆଗରେ ରଖି ପ୍ରଶ୍ନ କରିବା ସହ ସାକ୍ଷାତକାରକର୍ତ୍ତା ନିଜ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ଉଚିତ ବୋଲି ସେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ସାକ୍ଷାତକାର ନେବା ପୂର୍ବରୁ ପୂର୍ବପ୍ରସ୍ତୁତି ଓ ଗଭୀର ଗବେଷଣା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ଅନୁଷ୍ଠାନର ନିଦେ୍ର୍ଦଶକ ଉପେନ୍ଦ୍ର ପାଢୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବାକୁଯାଇ ସାକ୍ଷାତକାରର କଳାକୁ ଅଧିକ ମାର୍ଜ୍ଜିତ କରିବା ସହ ନିଜର ଉପସ୍ଥିତ ବୁଦ୍ଧି ଏବଂ ଆତ୍ମନିୟନ୍ତ୍ରଣ ମାଧ୍ୟମରେ ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*